World River Day: କାଠଯୋଡି ଉପରେ ନିର୍ମାଣ ହୋଇଛି ଓଡ଼ିଶାର ସବୁଠାରୁ ଦୀର୍ଘତମ ସେତୁ । କିନ୍ତୁ ଏହାର ଶ୍ରେୟ ବର୍ତ୍ତମାନର ରାଜ୍ୟ ସରକାର ଯେତିକି ପାଇବେ, ତା’ଠାରୁ ଢ଼େର୍ ଅଧିକ ଶ୍ରେୟ ନବ ଉକ୍ରଳର ନିର୍ମାତା ଡକ୍ଟର ହରେକୃଷ୍ଣ ମହତାବଙ୍କ ନିକଟକୁ ଯିବ । କାହିଁକି ନା ଯଦି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହୋଇନଥାନ୍ତା, ବୋଧହୁଏ ଏହି ପୋଲ ନିର୍ମାଣର ଆବଶ୍ୟକତା ପଡ଼ିନଥାନ୍ତା । ଓଡ଼ିଆମାନେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିବା ପରଠାରୁ ଓଡ଼ିଶାର ରାଜଧାନୀ କେଉଁଠି ହେବ ତାହାକୁ ନେଇ ଅନେକ ପ୍ରଶ୍ନ ତିଆରି ହୋଇଥିଲା । ରାଜ୍ୟ ଗଠନ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା, ରାଜ୍ୟର ରାଜଧାନୀ ପ୍ରତିଷ୍ଠା ବି ସେତିକି ଗୁରୁତ୍ୱ ଥିଲା । ସ୍ୱାଧୀନତା ପୂର୍ବରୁ କଟକ, ଓଡ଼ିଶାର ସମସ୍ତ ରାଜନୈତିକ ଓ ସାଂସ୍କୃତିକ କାର୍ଯର୍୍ୟଧାରାର କ୍ଷେତ୍ରସ୍ଥଳୀ ଥିଲା । କିନ୍ତୁ କଟକ ସହରର ଗୋଟିଏ ପାଶ୍ୱର୍ରେ ମହାନଦୀ ଓ ଅନ୍ୟ ପାଶ୍ୱର୍ରେ କାଠଯୋଡି ନଦୀ ଥିବାରୁ ଏହାର ଆୟତନ ସୀମିତ ଥିଲା । ତେଣୁ ନୂତନ ଓଡ଼ିଶାର ରାଜଧାନୀ ଅନ୍ୟ କେଉଁଠି ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିଲା । ସେତେବେଳେ ପୁରୀକୁ ରାଜଧାନୀ କରିବାକୁ ଦାବି ଉଠିଥିଲା । କିନ୍ତୁ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ ପୁରୀ ଭଳି ଏକ ଧାର୍ମିକ କ୍ଷେତ୍ରରେ ରାଜଧାନ କରିବାକୁ ଅନେକ ଲୋକ ବିରୋଧ କରିଥିଲେ । ସେପଟେ ଦକ୍ଷିଣ ଓଡ଼ିଶାର ଅନେକ ରାଜନେତା ଓଡ଼ିଶାର ରାଜଧାନୀ ଦକ୍ଷିଣପଟକୁ ସ୍ଥାନାନ୍ତର କରିବାକୁ ଦାବି କଲେ । ଏପରିକି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇସାରିବା ବେଳକୁ କେନ୍ଦ୍ର ପୂର୍ତ ବିଭାଗ ଦ୍ୱାରା ଗଠିତ ଏକ ଟିମ୍ ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡାରେ ରାଜଧାନୀ କରିବାକୁ ରିପୋର୍ଟ ଦେଇଥିଲେ । କିନ୍ତୁ ପରବର୍ତୀ ସମୟରେ ୧୯୩୭ରେ ରାଜଧାନୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯେଉଁ ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେଥିରେ ରଙ୍ଗେଇଲୁଣ୍ଡା ବଦଳରେ କଟକ, ବାରଙ୍ଗ, ଚୋ÷ଦାର ଓ ପୁରୀରେ ରାଜଧାନୀ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ସେତେବେଳେ ଓଡ଼ିଶା ବିଧାନସଭାରେ ଗିରିଜା ଭୂଷଣ ଦାସଙ୍କ ଦ୍ୱାରା ଆଗତ ଏକ ପ୍ରସ୍ତାବକୁ ମଞ୍ଜୁର କରିବାକୁ ଯାଇ କଟକ-ଚୋ÷ଦାରରେ ରାଜଧାନୀ କରିବାକୁ ପ୍ରସ୍ତାବ ଗୃହୀତ ହେଲା । ମହାନଦୀ ସେପଟେ ବିସ୍ତୃତ ସମତଳ ଅଂଚଳ ଥିବାରୁ ରାଜଧାନୀ ପ୍ରତିଷ୍ଠା ହେଲେ ସମସ୍ତ ସୁବିଧା ହେବବୋଲି ଆଶାଥିଲା । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ରାଜ୍ୟର ଦୁର୍ବଳ ଆର୍ଥିକସ୍ଥିତି ପାଇଁ ମହାନଦୀ ଉପରେ କଟକ-ଚୋ÷ଦାରକୁ ସଂଯୋଗୀକରଣ ପାଇଁ ପୋଲଟିଏ ନିର୍ମାଣ ହୋଇପାରିଲା ନାହିଁ । ଅନ୍ୟପଟେ ପରାଧୀନ ଭାରତରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁଦ୍ଧ ପରବର୍ତୀ ପୁନଃନିର୍ମାଣ କମିଟି ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଲେ । ଏହି ପ୍ରସ୍ତାବକୁ ପୂର୍ତ ବିଭାଗ ୧୯୪୫ ମସିହା ଏପ୍ରିଲ ୧୪ ତାରିଖରେ ସ୍ୱୀକୃତି ଦେଇଥିଲା । କିନ୍ତୁ ଗ୍ରେଟର କଟକ କିମ୍ବା ଭୁବନେଶ୍ୱର ଏ ଦୁଇଟି ଭିତରୁ ଯେକୋ÷ଣସି ଗୋଟିଏ ସ୍ଥାନକୁ ରାଜଧାନୀ କରିବାକୁ ନିଷ୍ପତି ନେବାକୁ ମଧ୍ୟ ପ୍ରସ୍ତାବ ଥିଲା । ହରେକୃଷ୍ଣ ମହତାବ ମଧ୍ୟ କଟକକୁ ରାଜଧାନୀ କରିବାକୁ ମନ ଭିତରେ ଚିନ୍ତା କରୁଥିଲେ । କିନ୍ତୁ ଯେତେବେଳେ ସେ ଟାଟା କମ୍ପାନୀର ଟାଉନ ପ୍ଲାନିଂ ଅଧିକାରୀ ସହ ଆଲୋଚନ କରି ଜାଣିବାକୁ ପାଇଲେ ଯେ କଟକର ରାଜଧାନୀ ପ୍ରତିଷ୍ଠା କରିବା କେବଳ ଯେ କଷ୍ଟ ତା ନୁହେଁ ବରଂ ବ୍ୟୟସାପେକ୍ଷ ଅଟେ । ତେଣୁ ସେ କଟକ ପରିବର୍ତେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା କରିବାକୁ ନିଷ୍ପତି ନେଲେ । ଏଭଳି ନିଷ୍ପତି ପଛରେ ବି ମହତାବଙ୍କ ଅନେକ ଦୂରଦୃଷ୍ଟି ଥିଲା । ପ୍ରଥମ କଥା ହେଲା କଟକ ଓ ଚୋ÷ଦାର ସଂଯୋଗୀକରଣ ପାଇଁ ମହାନଦୀ ଉପରେ ବ୍ରିିଜ୍ ନିର୍ମାଣ ପୂର୍ବରୁ କାଠଯୋଡି ଓ କୁଆଖାଇ ନଦୀ ଉପରେ ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିବ । ଦ୍ୱିତୀୟରେ ଆମେରିକା ସୈନିକମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭୁବନେଶ୍ୱରର ଏରୋଡ୍ରମ ଫିଲ୍ଡକୁ ବିମାନ ଘାଟି ରୂପେ ବ୍ୟବହାର କରୁଥିଲେ । ତୃତୀୟରେ କଟକ-ଚୋ÷ଦାର ଅପେକ୍ଷା ରାଜଧାନୀ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ଭୁବନେଶ୍ୱରରେ ସହଜ ହେବ । କାହିଁକି ନା ଏଠାରେ ଅଧିକାଂଶ ବିସ୍ତୃତ ଜମି ପରିତ୍ୟକ୍ତ ଓ ଜଙ୍ଗଲ ଜମି ଅଟେ । ତୃତୀୟରେ ଭୁବନେଶ୍ୱରର ମାଟି ପଥୁରିଆ ହୋଇଥିବାରୁ ଏଠାରେ ନିର୍ମାଣକାର୍ଯ୍ୟ ଅତି ଉତମ ହୋଇପାରିବ । ଏହା ସହ ନିର୍ମାଣ ପାଇଁ ଆବଶ୍ୟକୀୟ ଚିପ୍ସ ସହଜରେ ଉପଲବ୍ଧ ହେବ । ଏହାସହିତ ଭୁବନେଶ୍ୱର ଇତିହାସ ଶିଶୁପାଳଗଡ ଓ ଧଉଳି ପାଇଁ ବେଶ୍ ସମୃଦ୍ଧ ଥିଲା । ତେଣୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହରେକୃଷ୍ଣ ମହତାବ ନିର୍ବାଚନ ଜିତି ୧୯୪୬ ମସିହା ଏପ୍ରିଲ ୨୩ ତାରିଖରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହେବାପରେ ଭୁବନେଶ୍ୱର ସପକ୍ଷରେ ବିଧାନସଭାରେ ସେପ୍ଟେମ୍ବର ୩୦ତାରିଖରେ ପ୍ରସ୍ତାବ ଗୃହୀତ କରାଇନେଇଥିଲେ । ୧୯୪୮ବେଳକୁ ଓଡ଼ିଶା ସରକାର ଜଣେ ଜର୍ମାନ ଆର୍କିଟେକ୍ଚରଙ୍କୁ ଟାଉନ ପ୍ଲାନର ଭାବେ ନେଇ ନୂତନ ରାଜଧାନୀ ପ୍ରତିଷ୍ଠା କରିବାକୁ ଲାଗିଲେ । କିନ୍ତୁ ଅର୍ଥାଭାବ ଯୋଗୁଁ ରାଜଧାନୀ ପ୍ରତିଷ୍ଠା ଅସମ୍ଭବ ଲାଗୁଥିଲା । ସେତେବେଳେ ଦେଶରେ ଯେଭଳି ପରିସ୍ଥିତିଥିଲା ରାଜଧାନୀ ନିର୍ମାଣ ପାଇଁ ମୋଟ ଅଙ୍କର ଅର୍ଥ ଦେବାକୁ କେନ୍ଦ୍ର ରାଜି ନଥିଲା । ଏପରିକି ସେତେବେଳେ ଯେଉଁ ରାଜ୍ୟମାନଙ୍କୁ ରାଜଧାନୀ ନିର୍ମାଣ ପାଇଁ ଅର୍ଥ ଦିଆଯାଉଥିଲା ତାହା ଋଣ ଆକାରରେ ଦିଆଯାଉଥିଲା । ସେତେବେଳେ ଅର୍ଥ ବିଭାଗ ମୁସ୍ଲିମ୍ ଲିଗ୍ ହାତରେ ଥାଏ । ଲିୟାକତ ଅଲ୍ଲୀ ଖାନ ଅର୍ଥମନ୍ତ୍ରୀ ଥାଆନ୍ତି । ହରେକୃଷ୍ଣ ମହତାବଙ୍କର କେନ୍ଦ୍ରୀୟ ନେତୃ୍ତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ସେ ଆର୍ôଥକ ସହାୟତା ପାଇଁ ସେତେବେଳର ଅର୍ଥମନ୍ତ୍ରୀ ଲିୟାକତ ଅଲ୍ଲୀଙ୍କ ପାଖକୁ ଗଲେ । କିନ୍ତୁ ଲିୟାକତ୍ ଅଲ୍ଲୀ ଅର୍ଥ ମଞ୍ଜୁର କରିବାକୁ ଅମଙ୍ଗ ହେଲେ । ମହତାବ ତାଙ୍କ ଚତୁର ବୁଦ୍ଧିରେ ଅର୍ଥମନ୍ତ୍ରୀଙ୍କୁ ମନେଇବାରେ ସକ୍ଷମ ହେଲେ । ମହତାବ ଅର୍ଥମନ୍ତ୍ରୀଙ୍କୁ କହିଲେ, ଓଡ଼ିଶା ହେଉଛି ଏକ ହିନ୍ଦୁ ବହୁଳ ରାଜ୍ୟ । ଯଦି ଜଣେ ମୁସଲିମ୍ ଅର୍ଥମନ୍ତ୍ରୀଙ୍କ ସମୟରେ ଓଡ଼ିଶା ଅବହେଳିତ ହେଉଛି ବୋଲି ଏକ ବାର୍ତା ଜନମାନସକୁ ଯାଏ ତେବେ ତାହା ଆପଣଙ୍କ ପ୍ରତିଷ୍ଠାରେ ଆଂଚ ଆଣିବ । ଏହାଶୁଣି ଲିୟାକତ୍ଙ୍କ ମନ ବଦଳିଯାଇଥିଲା । ଫଳରେ ଅର୍ଥମନ୍ତ୍ରୀ ଲିୟାକତ୍ ଓଡ଼ିଶା ରାଜଧାନୀ ନିର୍ମାଣ ପାଇଁ ୨କୋଟି ଟଙ୍କା ଗ୍ରାଂଟ ଆକାରରେ ଦେଇଥିଲେ । ଯେତେବେଳେ ଅନ୍ୟ ରାଜଧାନୀ ସହର ନିର୍ମାଣ ପାଇଁ କେନ୍ଦ୍ର ଋଣ ଆକାରରେ ଟଙ୍କା ଦେଉଥିଲା । କିନ୍ତୁ ମହତାବ ୧୯୫୦ରେ କେନ୍ଦ୍ର କ୍ୟାବିନେଟ୍ରେ ଯୋଗଦେବାକୁ କେନ୍ଦ୍ରକୁ ପଳାଇଲେ । ୧୯୫୧ ଜାନୁୟାରୀ ବେଳକୁ କାଠଯୋଡି ଓ ଅଗଷ୍ଟ ମାସ ବେଳକୁ କୁଆଖାଇ ନଦୀ ଉପରେ ବ୍ରିଜ୍ କାମ ସରିଯାଇଥିଲେ ବି ରାଜଧାନୀ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେବାରେ ଲାଗିଲା । ଏପରିକି ଓଡ଼ିଶାରେ ମହତାବଙ୍କ ଅନୁପସ୍ଥିତିରେ ରାଧାନାଥ ରଥ ଓ ବିଶ୍ୱନାଥ ଦାସଙ୍କ ଭଳି ବିରୋଧୀ ନେତାଙ୍କ ଭୁବନେଶ୍ୱରରେ ରାଜଧାନୀ ନିର୍ମାଣରେ ବାଧକ ସାଜିଲେ । କିନ୍ତୁ ହରେକୃଷ୍ଣ ମହତାବ କେନ୍ଦ୍ର କ୍ୟାବିନେଟ୍ ଛାଡି ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପରେ ରାଜଧାନୀ ନିର୍ମାଣ କାର୍ଯ୍ୟ ତ୍ୱରିତବେଗରେ ହୋଇଥିଲା ।


