କେଉଁ ଆଡ଼କୁ ଢାଳିବେ ରାଜୁ !

Share

ଚାନ୍ଦବାଲି ଓ ଧାମନଗର ପାଇଁ ନିର୍ଣ୍ଣାୟକ ହେବେ ରାଜୁ ଦାସ ରାଜନୀତିର ଚକ୍ରବ୍ୟୁହରେ ଫଶିଗଲେ ରାଜୁ ଦାସ । ବିଜେଡି ବିଜୟ ମହାପାତ୍ରଙ୍କ ସହ ଯେମିତି କରିଥିଲା ବିଜେପି ରାଜୁ ଦାସ ସହ ସେମିତି କିଛି କରିଛି ବୋଲି ଚର୍ଚ୍ଚା ହେଉଛି । ବିଜେଡି ଛାଡି ବିଜେପିରେ ମିଶିଥିବା ରାଜୁ ଦାସ ବର୍ତମାନ ଦଳ ପାଇଁ ଅଡୁଆ । ଚାରିଆଡେ ଚର୍ଚ୍ଚା ସାଂପ୍ରତିକ ରାଜନୀତିରେ ରାଜୁ ଦାସଙ୍କର ଆଉ ମହତ୍ୱ କ’ଣ ? ଯେଉଁ ରାଜୁ ଦାସଙ୍କୁ ନେଇ ଧାମନଗର ଉପନିର୍ବାଚନବେଳେ ପୁରା ରାଜ୍ୟରେ କମ୍ପନ ସୃଷ୍ଟି ହେଉଥିଲା ଆଜି ସେହି ରାଜୁ ଦାସ ବାଉଳା ପରି ହେଉଛନ୍ତି । ସେ ନିଜେ ବାଉଳା ହେଲେ ନା ତାଙ୍କୁ ବାଉଳା କରିଦିଆଗଲା ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହେଲାଣି । ସବୁପରେ ବଡ ଚର୍ଚ୍ଚାଟି ହେଉଛି ଏତେ ସବୁ ନାଟକ ପରେ କ’ଣ ରାଜୁ ଦାସଙ୍କର ଆଉ ଗୁରୁତ୍ୱ ରହିବ । କେହି କେହି କହୁଛନ୍ତି ନିଜ ମହତ୍ୱାକାଂକ୍ଷା ପୁରଣ କରିବାକୁ ରାଜୁ ଦାସ ଯେଭଳି ଭାବେ ଏପାଖ ସେପାଖ ହେଲେ ତାଙ୍କୁ ଲୋକେ ଆଉ ଗ୍ରହଣ କରିବେ ନାହିଁ । ଜଣେ ଆଗଧାଡ଼ିର ରାଜନେତା ପାଖରେ ନିଜ ନିର୍ବାଚନମଣ୍ଡଳୀରେ ନିଶ୍ଚିତ କିଛି ପକେଟ ଭୋଟ ରହିଥାଇପାରେ । କିନ୍ତୁ ରାଜୁ ଦାସଙ୍କ କ୍ଷେତ୍ରରେ ଏହି ପକେଟ ଭୋଟ ଯେ ହ୍ରାସ ପାଇଛି ତାହା ନିଶ୍ଚିତ । ରାଜୁ ଦାସ ବିଜେଡି ନେତା ଥିଲେ । ଉପନିର୍ବାଚନରେ ତାଙ୍କର କିଛି ସମର୍ଥକ ତାଙ୍କ ପାଖରେ ରହିଥିଲେ, ଯେଉଁଥିପାଇଁ ବିଜେଡିକୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା । କିନ୍ତୁ ରାଜୁ ଦାସ ଧାମନଗର ଛାଡି ମାସେ ହେଲା ସୋରାରେ ରହିଲେ । ଫଳରେ ଧାମନଗର ଓ ତିହିଡି ଭୋଟର ତାଙ୍କ ଠାରୁ ଚଳିତ ନିର୍ବାଚନ ପାଇଁ ରାସ୍ତା ଅଲଗା କରିସାରିଥିଲେ । ରାଜନୀତିର ମାହୋଲ ସରଗରମ ହୋଇସାରିଥିବାରୁ ରାଜୁ ଦାସ ଆଉ ତାଙ୍କର ପକେଟ ଭୋଟକୁ ନିଜ ନିର୍ବାଚନମଣ୍ଡଳୀ ଧାମନଗରରେ ଧରି ରଖିପାରିବେ ନାହିଁ । ଯଦି ବା କିଛି କଟ୍ଟର ସମର୍ଥକ ତାଙ୍କ ସହ ରହିବେ ସେ ସଂଖ୍ୟା ଖୁବ୍ କମ୍ ରହିବ । ତେଣୁ ରାଜୁ ଦାସ ଆଉ ପୂର୍ବ ପରି ପ୍ରଭାବୀ ରହିବେ ନାହିଁ । କିନ୍ତୁ ତାଙ୍କ ଭୂମିକା ବିଜେଡି ପାଇଁ ନିର୍ଣ୍ଣାୟକ ହେବ । କାହିଁକି ନା ଭଦ୍ରକ ଜିଲ୍ଲାର ଦୁଇଟି ନିର୍ବାଚନମଣ୍ଡଳୀ ଚାନ୍ଦବାଲି ଓ ଧାମନଗର ବିଜେଡି ଓ ବିଜେପି ଭିତରେ ଖୁବ୍ କମ୍ ମାର୍ଜିନ ବ୍ୟବଧାନର ଟକ୍କର ରହିବ ବୋଲି ଚର୍ଚ୍ଚା ହେଉଛି । ଏପରି ସ୍ଥଳେ ବିଜେଡି ରାଜୁ ଦାସଙ୍କୁ ନିଜ ଆଡକୁ ଟାଣିନିଏ ତେବେ ତାଙ୍କ ଅଳ୍ପ ଭୋଟ ବି ବିଜେଡି ପାଇଁ ବରଦାନ ହେବ । ଯଦି ବିଜେଡି ରାଜୁ ଦାସଙ୍କୁ ନିଜ ସପକ୍ଷକୁ ଆଣିବାରେ ସଫଳ ହୁଏ ତେବେ ଏହି ଦୁଇଟି ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ନିଶ୍ଚିତ ହୋଇଯାଇପାରେ । ତେବେ ଦେଖିବାକୁ ବାକି ରହିଲା ରାଜୁ ଦାସ କେଉଁ ଆଡକୁ ଢ଼ଳୁଛନ୍ତି ।