ଚଳିତ ଲୋକସଭା ଅଧିବେଶନର ସପ୍ତମ ଦିନରେ ନରେନ୍ଦ୍ର ମୋଦି ପୁରା ପ୍ରସ୍ତୁତ ହୋଇଆସିଥିଲେ । ଏହାର ପୂର୍ବଦିନ ଯେତେବେଳେ ହିନ୍ଦୁ ମାନଙ୍କୁ ନେଇ ରାହୁଲ ଗାନ୍ଧୀ ଟିପ୍ପଣୀ କରୁଥିଲେ ସେତେବେଳେ ମୋଦି ରାହୁଲଙ୍କ ବକ୍ତବ୍ୟକୁ ଧାଡିଏ ଧାଡିଏ ଉତରରେ ଚେକ୍ ଦେଇଥିଲେ । ଆଉ ଏହାର ପରଦିନ ପୁରା କଂଗ୍ରେସ ସମେତ ରାହୁଲଙ୍କୁ ଧୋଇବାକୁ ଚେଷ୍ଟା କରିଛନ୍ତି । ମୋଦି ଏଭଳି କରିବାକୁ ବାଧ୍ୟ ହୋଇଯାଇଛନ୍ତି । କାହିଁକି ନା ବିଗତ ୧୦ବର୍ଷରେ ବିନା ବିରୋଧୀ ଦଳ ନେତାରେ ଯେମିତି ସରକାର ଚାଲୁଥିଲା ଆଗକୁ ସେମିତି ସରକାର ଚାଲିବା ସମ୍ଭବ ନୁହେଁ । ରାହୁଲଙ୍କ ବୟାନବାଜିକୁ କଡା ଜବାବ ଦେବା ପାଇଁ ମୋଦି କଂଗ୍ରେସ ବିଫଳତାକୁ ସମସ୍ତଙ୍କୁ ଶୁଣାଇଥିଲେ । ବିଗତ ୧୦ଟି ଲୋକସଭା ନିର୍ବାଚନରେ କଂଗ୍ରେସ କେବେ ବି ୨୫୦ ଆସନ ଛୁଇଁପାରିନାହିଁ । ତେଣୁ ଏ ବୟାନବାଜିରୁ କଂଗ୍ରେସ ଦୂରେଇ ରହିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ମୋଦି । ଏହାସହ ହିନ୍ଦୁ ସମାଜକୁ ନେଇ ରାହୁଲ ଯାହା ସବୁ ଟିପ୍ପଣୀ କରିଛନ୍ତି ତାହାର ତାଙ୍କର ବାଳକ ବୁଦ୍ଧି ବୋଲି କହିଛନ୍ତି ମୋଦି । କିନ୍ତୁ ଆହୁରି ବ କହିଛନ୍ତି ଏହି ବାଳକ ବୁଦ୍ଧିକୁ ଅଣଦେଖା କରିବା ଉଚିତ ନୁହେଁ । ଅର୍ଥାତ ରାହୁଲ ଗାନ୍ଧୀଙ୍କୁ ମୋଦି ଅତି ଗୁରୁତର ସହ ନେଉଛନ୍ତି । ପୂର୍ବରୁ ରାହୁଲଙ୍କୁ ପପୁ ବୋଲି ଅଭିହିତ କରାଯାଉଥିଲା । ଆଜି ସେହି ପପୁ ପାଇଁ ପୁଣି ଥରେ କଂଗ୍ରେସ ବିରୋଧୀ ଦଳ ଆସନରେ ଆସୀନ ହୋଇଛି । ତେଣୁ ଆଗାମୀ ଦିନରେ ଏହି ବାଳକ ବୁଦ୍ଧି ଯେ ସରକାରରେ ନ ବସିବ ଏ କଥା କହିହେବ ନାହିଁ । ଯାହା ମୋଦି ବହୁ ପୂର୍ବରୁ ପୂର୍ବାନୁମାନ କରିପାରୁଛନ୍ତି । ଯଦି ମୋଦି ରାହୁଲଙ୍କୁ ଭୟ କରୁନଥାନ୍ତେ ତେବେ ତାଙ୍କ ଅଭିଭାଷଣରେ ୯୦%ରୁ ଅଧିକ ସମୟ କେବଳ ରାହୁଲ ଓ ତାଙ୍କ ଦଳ କଂଗ୍ରେସକୁ ଟାର୍ଗେଟ କରିବାରେ ଦେଇନଥାନ୍ତେ । ଅନ୍ୟପଟେ ଦେଶବାସୀଙ୍କ ସାମ୍ନାରେ କଂଗ୍ରେସକୁ ଦୁର୍ବଳ ବୋଲି ପ୍ରକାଶ କରିବାକୁ ଯାଇ ମୋଦି କହିଛନ୍ତି ସ୍ୱାଧୀନତା ପରେ ଦେଶରେ ଦ୍ୱିତୀୟ ଥର ପାଇଁ ଏନ୍ଡିଏ ତୃତୀୟ ଥର କ୍ଷମତାକୁ ଫେରିବା ଏକ ଏ୍ୟୌତିହାସିକ ଘଟଣା । କିନ୍ତୁ କଂଗ୍ରେସ ଲଗାତାର ତୃତୀୟ ଥର ଶହେ ଛୁଇଁ ପାରିନି । ଯାହାକୁ ନେଇ କଂଗ୍ରେସ ଆତ୍ମସମୀକ୍ଷା କରିବା ଦରକାର ବୋଲି କହିଛନ୍ତି ମୋଦି । ରାହୁଲ ପୂର୍ବରୁ ତାଙ୍କର ଭୁଲ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି ବୋଲି କହି ମୋଦି ରାହୁଲଙ୍କୁ ତାଚ୍ଛଲ୍ୟ କରିଛନ୍ତି । ଏହା ସହିତ ରାହୁଲଙ୍କ ମନ୍ତବ୍ୟକୁ ନେଇ ପୁରା ଦେଶରେ ବିଜେପି ହଙ୍ଗାମା କରିଛି । ଏପରିକି ଓଡ଼ିଶା ରାଜଧାନୀରେ ମଧ୍ୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇ ଢ଼େଲା ପଥର ମାଡ କରିଛନ୍ତି । ଏପରିକି ଆଗାମୀ ଦିନରେ ସଠିକ ନେତୃତ୍ୱ ପାଇଲେ ରାଜ୍ୟରେ ଯେ କଂଗ୍ରେସର ପତିଆରା ବୃଦ୍ଧି ପାଇବ ଏଭଳି କିଛି ଆଶଙ୍କା ଓଡ଼ିଶା ବିଜେପି କରୁଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଦୀର୍ଘଦିନ ବିଜେଡିର ସାଂଗଠନିକ ସଂପାଦକ ବବି ଦାସଙ୍କ ସରକାରୀ କ୍ୱାର୍ଟର ଓ ଧର୍ମଶାଳାର ରଙ୍ଗଶାଳାକୁ ନେଇ ଚର୍ଚ୍ଚା ଯେତେ ସରଗରମ ହେଲେ ବି ବିଜେପିର ଶୀର୍ଷ ନେତୃତ୍ୱ ଏହାକୁ ନେଇ ବିରୋଧୀ ବିଜେଡିକୁ ଘେରୁନାହାନ୍ତି । କିନ୍ତୁ ରାଜ୍ୟରେ କଂଗ୍ରେସ ମାତ୍ର ୧୪ଟି ଆସନ ଜିତିଥିବାବେଳେ ରାହୁଲଙ୍କ ମନ୍ତବ୍ୟକୁ ବିଜେପି ଯେଭଳି ପ୍ରତିକ୍ରୀୟାଶୀଳ ହୋଇପଡ଼ିଛି, ଏଥିରୁ ଅନୁମାନ କରାଯାଉଛି ରାଜ୍ୟ ବିଜେପି ବିଜେଡି ଅପେକ୍ଷା କଂଗ୍ରେସକୁ ନେଇ ଅଧିକ ସିରିୟସ ଅଛି । ଏପରିକି ରାଜ୍ୟ ବିଜେପି ସଭାପତି ରାହୁଲଙ୍କ ବୟାନକୁ ନିନ୍ଦା କରିବା ସହ, ରାହୁଲ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି କହିଛନ୍ତି । ଏପରିକି କଂଗ୍ରେସର ବିରୋଧୀ ଦଳ ଭୂମିକାରେ ବସିବାର ଅଭ୍ୟାସ ନଥିବା କହିଛନ୍ତି ମନମୋହନ । ତେଣୁ ଆଗାମୀ ଦିନରେ ରାହୁଲଙ୍କ ପାଇଁ କେନ୍ଦ୍ର ବିଜେପି ନିଜକୁ ସୁରକ୍ଷିତ ମଣୁନଥିବାବେଳେ ରାଜ୍ୟ ବିଜେପି ବି କଂଗ୍ରେସକୁ ନେଇ ଚିନ୍ତିତ ଥିବା ଦେଖାଗଲାଣି ।

