ରଙ୍ଗଶାଳାକୁ ନେଇ ବରିଷ୍ଠ ଚୁପ୍ କାହିଁକି ?

Share

ଗତ କିଛି ଦିନ ଓଡ଼ିଶା ମିଡ଼ିଆରେ ସବୁଠୁ ବଡ ରାଜନୈତିକ ଚର୍ଚ୍ଚା ହେଉଛି ରଙ୍ଗଶାଳା ଓ ଖଟିଆ ସେବା । ଏ ଦୁଇଟି ଯାକ କଥା ରାଜନୀତିରେ ସମୀକରଣ ବିଗାଡିବାରେ ମାହିର । ଏଭଳି ପ୍ରସଙ୍ଗ ପାଇଲେ ଯିଏ ଯାହାର ବିରୋଧୀ ସିଏ ତାକୁ ଏହାର ସୁଯୋଗରେ ଆକ୍ରମଣ କରିବାକୁ ପଛାଏ ନାହିଁ । କିନ୍ତୁ ଓଡ଼ିଶା ରାଜନୀତିରେ ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳୁଛି । ରଙ୍ଗଶାଳା ଓ ଖôଟଆ ସେବାର ମାଇଲେଜ ମିଡ଼ିଆ ଯେତେ ବଜାଇଲେ ବି କେହି ତାହାର ମାଇଲେଜ ନେବାକୁ ଚାହୁଁନାହିଁ । ଯଦିଓ ବିଜେପିର କିଛି ସ୍ଥାନୀୟ ନେତା ଏ ନେଇ ଗର୍ଜନ କରୁଛନ୍ତି ତାହାର ସେମାନଙ୍କର ନିଜ ଅଂଚଳର ବ୍ୟାପାର ବୋଲି କୁହାଯାଇପାରିବ । କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ସରକାରରେ ଥିବା ବିଜେପିର ବଡ ନେତାମାନେ ମୁଣ୍ଡ କାନ ନ ହଲେଇବା ରାଜ୍ୟ ରାଜନୀତିରେ ଏକ ନୂଆ ଚର୍ଚ୍ଚାକୁ ଖୋରାକ ଦେଲାଣି । ବିଜେଡିର ସାଂଗଠନିକ ସଂପାଦକ ବବି ଦାସଙ୍କ ସରକାରୀ କ୍ୱାର୍ଟରକୁ ନେଇ ଯେଭଳି ତୁମ୍ବିତୋଫାନ ଚାଲିଲା । ସେଥିରୁ ଲାଗୁଥିଲା ଯେ ବୋଧହୁଏ ସରକାରକୁ ଆସିବା ପରେ ବିଜେପି ପରୋକ୍ଷରେ ଏଭଳି ଘଟଣାମାନ ପ୍ରାୟୋଜିତ କରୁଛି । କିନ୍ତୁ ପରବର୍ତୀ ସମୟରେ ଲୋକଙ୍କର ଏଭଳି ଅନୁମାନ ଭୁଲ୍ ପ୍ରମାଣିତ ହେଲା । ବବିଙ୍କ କ୍ୱାର୍ଟର ଘଟଣାରେ ବିଜେପିର ବରିଷ୍ଠ ନେତାମାନେ ଏହାକୁ ଗୁରୁତ୍ୱ ଦେଉନଥିବା ପରି ସମସ୍ତଙ୍କୁ ଅନୁଭବ ହେଲା । ଲାଗିଲା ଯେମିତି ଏଠି କିଛି ଗୁରୁତର ଭୁଲ୍ ହୋଇଛି ବୋଲି ବିଜେପି ଅନୁଭବ କରୁନାହିଁ । ମିଡ଼ିଆ ରିପୋର୍ଟ ଆଧାରରେ ପ୍ରଶାସନିିକ ସ୍ତରରେ ଯାହା କିଛି ହବା କଥା ହେଉଛି । ସେପଟେ ଏହି ଘଟଣାରେ ସାମ୍ବାଦିକମାନଙ୍କ ସୁରକ୍ଷାକୁ ନେଇ ଏକ ସ୍ୱର ନୂଆ ସରକାର ଆରମ୍ଭରୁ ତିଆରି ହେଲା । ଯାହା ଆଗାମୀ ଦିନରେ ସାମ୍ବାଦିକଙ୍କ ପାଇଁ ଉପଯୋଗୀ ହୋଇପାରେ । କିନ୍ତୁ ଏହି ଘଟଣାରେ ରାଜନୈତିକ ରଙ୍ଗ ଯେଭଳି ଲାଗିବା କଥା ଲାଗିଲା ନାହିଁ । ସେପଟେ ଏ ଘଟଣା ମିଡ଼ିଆ କାନ୍ଥରୁ ନ ଲିଭୁଣୁ ପୁଣି ଧର୍ମଶାଳାର ବଲେ ବଲେ ଢ଼ାବାର ରଙ୍ଗୀନ କାହାଣୀମାନ ମିଡ଼ିଆରେ ତିଆରି ହେଲା । ସ୍ଥାନୀୟ ବିଜେପି ନେତା ଏହାକୁ ନେଇ ଯେତେ ନୂଆ ନୂଆ କାହାଣୀ ଯୋଡିଲେ ବି ସେ କାହାଣୀକୁ ନେଇ ରାଜ୍ୟ ରାଜନୀତିରେ ଥିବା ବରିଷ୍ଠ ନେତାମାନେ ରାଜନୀତି କରିବାକୁ ପସନ୍ଦ କରୁନଥିବା ଏକପ୍ରକାର ସ୍ପଷ୍ଟ ହେଲାଣି । ଅର୍ଥାତ ମୋଟାମୋଟି ଏ ଦୁଇଟିଯାକ ଘଟଣାକୁ ବିଜେପି ଶୀର୍ଷ ନେତୃତ୍ୱ ଆଗକୁ ବଢ଼ାଇବାକୁ ଚାହୁଁନାହାନ୍ତି । ଏବଂ ଯେଉଁମାନେ ଏସବୁକୁ ସାମ୍ନାକୁ ଆଣୁଛନ୍ତି ସେମାନଙ୍କୁ ବି ମନା କରୁନାହାନ୍ତି । ତେଣୁ ଏଭଳି ପରସ୍ଥିତିରେ ଏସବୁ ଘଟଣାକୁ ନେଇ ଗୋଟେ ନୂଆ ଚର୍ଚ୍ଚା ଆରମ୍ଭ ହେଉଛି । ବିଜେପିର ଶୀର୍ଷ ନେତୃତ୍ୱ ଚୁପ୍ ପଛରେ ଅନେକ ରହସ୍ୟ ଥାଇପାରେ । ଅର୍ଥାତ କ’ଣ ଆଗାମୀ ଦିନରେ ବିଜେଡିର ଅନେକ ଟାଣୁଆ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି । ବିଶେଷକରି ଯାଜପୁରର କିଛି ନେତା ବିଜେପିରେ ମିଶିବାର ସମ୍ଭାବନା ରହିଛି କି ? କ’ଣ ବିଜେପି ବିଜେଡିକୁ ଭାଙ୍ଗିବାକୁ କିିଛି ରଣନୀତି ପ୍ରସ୍ତୁତ କରିଛି କି ? ଆଉ ଏଭଳି ଶଣ୍ଡୁଆସୀ ଆକ୍ରମଣ ପଛର କାରଣଟି ଖାସ୍ ଏଇଥିପାଇଁ ହୋଇଥାଇପାରେ ବୋଲି ବି ଚର୍ଚ୍ଚା ହେଉଛି । ଅର୍ଥାତ ବିଜେଡିର ପାୱାର କରିଡରରେ କିଛି ମୂଳ ନେତାଙ୍କୁ ଯଦି ବିଜେପି ଟାଣିନିଏ ତେବେ ବିଜେଡିକୁ ଭାଙ୍ଗିବାକୁ ସହଜ ହେବ । ଫଳରେ ଦୁର୍ବଳ ବିରୋଧୀ ରହିଲେ ବିଜେପିକୁ ସରକାର ଚଳାଇବାରେ ସହଜ ହେବ । ଅନ୍ୟପଟେ ଓଡ଼ିଶାରେ କଂଗ୍ରେସ ଗୋଟେ ମଜବୁତ୍ ବିରୋଧୀ ଆସନକୁ ଆସିବାକୁ ଅଧିକ ସମୟ ଲାଗିବ । ତେଣୁ ବିଜେଡି ଦୀର୍ଘବର୍ଷ ଧରି ଏଠାରେ କ୍ଷମତାରେ ଥିଲା ତେଣୁ ସାମ୍ନାସାମ୍ନି ନ ହେଲେ ବି ଭିତିରିଆ ଏକ ବଡ଼ ବିରୋଧୀ ଭୂମିକା ନେଲେ ତାହା କଂଗ୍ରେସକୁ ମଜବୁତ୍ କରିବ । ତେଣୁ ଏସବୁ ଦିଗକୁ ଲକ୍ଷ୍ୟ କରି ହୁଏତ ଶଣ୍ଡୁଆସୀ ଆକ୍ରମଣ ପଛରେ କିଛି ଉଦ୍ଦେଶ୍ୟ ନିହିତ ଥାଇପାରେ । ତେବେ ଏ ଚର୍ଚ୍ଚା କେତେ ସତ କେତେ ମିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।