ଭାରତକୁ ସ୍ୱାଧିନତା ଦେବାରେ ପ୍ରମୁଖ ଭୂମିକା ନେଇଥିଲା ଲବଣ ସତ୍ୟାଗ୍ରହ ଆଇନ ଅମାନ୍ୟ ଆନ୍ଦୋଳନ । ୧୯୧୫ରେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ପରେ ଓ ଲବଣ ସତ୍ୟାଗ୍ରହ ପୂର୍ବରୁ ବ୍ରିଟିଶ ବିରୁଦ୍ଧରେ ଯେତେ ଆନ୍ଦୋଳନ କରାଯାଇଥିଲା ତାହା ସୀମିତ ଅଂଚଳ ଓ ସୀମିତ ଲୋକଙ୍କୁ ନେଇ ହୋଇଥିଲା । କିନ୍ତୁ ଲବଣ ସତ୍ୟାଗ୍ରହ ଯୋଗୁଁ ଭାରତବର୍ଷର ଅନେକ ସାଧାରଣ ଲୋକ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ କରିପାରିଥିଲେ । ଏପରିକି ଲବଣ ସତ୍ୟାଗ୍ରହ ସେ ସମୟରେ ଅନ୍ୟ ଆଫ୍ରିକୀୟ ଓ ଆମେରିକାନ ଦେଶକୁ ମଧ୍ୟ ବ୍ରିଟିଶ ବିରୁଦ୍ଧରେ ଲଢ଼ିବାକୁ ଖୋରାକ୍ ଯୋଗାଇଥିଲା ।
ଲବଣ ସତ୍ୟାଗ୍ରହ ପାଇଁ ଗାନ୍ଧୀଙ୍କୁ କହିଥିଲେ ମହତାବ
ମହାତ୍ମାଗାନ୍ଧୀ ଓଡ଼ିଶାକୁ ପ୍ରଥମେ ୧୯୨୧ ମସିହା ମାର୍ଚ୍ଚ ୨୧ ତାରିଖରେ ଦୋଳପୂର୍ଣ୍ଣିମା ସମୟରେ ଆସିଥିଲେ । ସେହି ବର୍ଷ ମାର୍ଚ୍ଚ ମାସ ୨୩ତାରିଖରେ କଟକ କାଠଯୋଡି ନଈପଠାରେ ଗାନ୍ଧିଜୀ ପ୍ରଥମ ବୈଠକ କରିଥିଲେ । ୧୯୨୧ରୁ ୧୯୩୦ ମଧ୍ୟରେ ଗାନ୍ଧିଜୀ ଓଡ଼ିଶାକୁ ୪ଥର ଆସିଥିଲେ । ଗାନ୍ଧିଜୀଙ୍କ ସହ ହରେକୃଷ୍ଣ ମହତାବ ସବୁବେଳେ ରହୁଥିଲେ । ସେଥିପାଇଁ ସେ ସମୟରେ ଲୋକକଥା ଥିଲା ହରି ମହତା ଗାନ୍ଧୀଙ୍କ ଛତା । ଅର୍ଥାତ ଗାନ୍ଧିଜୀ ଯୁଆଡେ ଯୁଆଡେ ଯାଉଥିଲେ ହରେକୃଷ୍ଟ ମହତାବ ତାଙ୍କ ମୁଣ୍ଡ ଉପରେ ଛତା ଧରି ଚାଲୁଥିଲେ । ବିଶେଷକରି ଆଗରପଡ଼ାରୁ ଚାରିବାଟିଆ ଯିବା ସମୟରେ ଏହି ଲୋକକଥା ପ୍ରଚଳିତ ହୋଇଥିବା କୁହାଯାଏ । ଗାନ୍ଧିଜୀଙ୍କ ସହ ହରେକୃଷ୍ଣ ମହତାବ ଗଲାବେଳେ ସେ ତାଙ୍କୁ ଲୁଣକୁ ନେଇ ସତ୍ୟାଗ୍ରହ କରିବାକୁ ପରାମର୍ଶ ଦେଇଥିଲେ । ମହତାବ କହିଥିଲେ ଓଡ଼ିଶାରେ ମାର୍ଗଶୀର ମାସରେ ଧାନକଟା ସରିବା ପରେ ଲୋକଙ୍କର ବିଶେଷ କିଛି କାମ ନଥାଏ । ଓଡ଼ିଶାରେ ବିସ୍ତୃତ ୪୨୦ କିଲୋମିଟରର ଉପକୂଳ ଥିବାରୁ ଓଡ଼ିଶାର ଅନେକ ଲୋକ ଲୁଣ ମାରିଥାନ୍ତି । ସାଧାରଣ ଲୋକଙ୍କର ଅତ୍ୟନ୍ତ ଆବଶ୍ୟକତା ହେଉଛି ଲୁଣ । ସାରା ଭାରତବର୍ଷର ଲୋକଙ୍କୁ ଲୁଣ ପାଇଁ ଆନ୍ଦୋଳନ ଜରିଆରେ ସ୍ୱାଧୀନତା ସଂଗ୍ରାମ ସହ ଯୋଡିହେବ । କାହିଁକି ନା ଏହା ପୂର୍ବରୁ ଯେତେ ଆନ୍ଦୋଳନ ହୋଇଥିଲା ସେସବୁ ଆନ୍ଦୋଳନରେ ସେତେ ସଂଖ୍ୟାରେ ସାଧାରଣ ଲୋକଙ୍କ ସଂପୃକ୍ତି ହୋଇପାରିନଥିଲା । ମହତାବଙ୍କ ଏହି କଥା ପାଇଁ ପରବର୍ତୀ ସମୟରେ ଲବଣ ସତ୍ୟାଗ୍ରହ ପାଇଁ ଗାନ୍ଧିଜୀ ଗୁରୁତ୍ୱ ଦେଇଥିଲେ ।
ଲବଣ ସତ୍ୟାଗ୍ରହ ନିଷ୍ପତି
୧୯୨୦-୨୨ ମଧ୍ୟରେ ହୋଇଥିବା ଅସହଯୋଗ ଆନ୍ଦୋଳନ ସେତେଟା ସଫଳ ହୋଇପାରିନଥିଲା । ଓଡ଼ିଶା ଗସ୍ତ ସମୟରେ ହରେକୃଷ୍ଣ ମହତାବ ଲୁଣକୁ ନେଇ ଆନ୍ଦୋଳନ କରିବାକୁ ଯେଉଁ ପରାମର୍ଶ ଦେଇଥିଲେ ତାହା ଗାନ୍ଧିଜୀଙ୍କ ମନ ଭିତରେ ଥିଲା । ତେଣୁ ୧୯୩୦ ଫେବୃୟାର ମାସ ୨୬ରୁ ୨୮ ମଧ୍ୟରେ ୱାର୍ଧାରେ ଅନୁଷ୍ଠିତ କଂଗ୍ରେସ ସମ୍ମିଳନୀରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ନିଷ୍ପତି ହୋଇଥିଲା । ତେଣୁ ଏହି ଆନ୍ଦୋଳନର ଉଦ୍ଘାଟନୀ ଆନ୍ଦୋଳନ ଭାବେ ଲବଣ ସତ୍ୟାଗ୍ରହ କରିବାକୁ ଗାନ୍ଧିଜୀ ଗୁରୁତ୍ୱାରୋପ କରିଥିଲେ । ସର୍ଦ୍ଦାର ପଟେଲ ଜମି ଖଜଣା ପ୍ରତ୍ୟାଖାନକୁ ନେଇ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଥିଲେ । କାହିଁକି ନା ଏହା ଦ୍ୱାରା ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହ ଯୋଡି ହୋଇପାରିବେ । କିନ୍ତୁ ଗାନ୍ଧିଜୀ ଲବଣ ସତ୍ୟାଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ । କାରଣ ଗାନ୍ଧିଜୀ ଜାଣିଥିଲେ ଜମି ଖଜଣାକୁ ନେଇ ପ୍ରଥମେ ଆନ୍ଦୋଳନ ହେଲେ ଇଂରେଜ ଏହାକୁ ଅତି ଗୁରୁତର ସହ ନେବେ ଓ ଆନ୍ଦୋଳନକୁ ଦମନ ପାଇଁ କଠୋର ନିଷ୍ପତି ନେବେ । ତେଣୁ ଲୁଣ ଉପରେ ଲଦାଯାଇଥିବା କଟକଣାକୁ ନେଇ ଆନ୍ଦୋଳନ କଲେ ଇଂରେଜ ତାହାକୁ ଅଧିକ ଗୁରୁତ୍ୱ ଦେବେ ନାହିଁ । ଫଳରେ ନାଟକୀୟ ଢ଼ଙ୍ଗରେ ସାଧାରଣ ଲୋକ ସ୍ୱାଧୀନତା ସଂଗ୍ରମା ସହ ଯୋଡି ହୋଇପାରିବେ ବୋଲି କୁହାଗଲା । ଗାନ୍ଧିଜୀ କହିଥିଲେ ପବନ ଓ ପାଣି ପରେ ଲୁଣ ହେଉଛି ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଆବଶ୍ୟକତା । ଶେଷରେ ଗାନ୍ଧିଜୀଙ୍କ ଏହି ନିଷ୍ପତିକୁ କଂଗ୍ରେସ ସ୍ୱୀକାର କରିଥିଲା । ତେଣୁ ଆଇନ ଅମାନ୍ୟ ଆନ୍ଦୋଳନରେ ପ୍ରଥମେ ଲୁଣ ଓ ପରେ ଜମି ଖଜଣା ଆଦିକୁ ନେଇ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ନିଆଗଲା ।
ଦାଣ୍ଡି ଓ ଇଂଚୁଡି
ୱାର୍ଧା ସମ୍ମିଳନୀରେ ନିଷ୍ପତି ପରେ ଗାନ୍ଧିଜୀ ମାର୍ଚ୍ଚ ୨ ତାରିଖର ବଡଲାଟ୍ ଲର୍ଡ ଇରୱିନ୍ଙ୍କୁ ଚିଠି ଲେଖି କହିଲେ ଯେ, ଆପଣ ଭାରତର ସ୍ୱାଧୀନତା ପାଇଁ କୋ÷ଣସି ନିଷ୍ପତି ନେଉନଥିବାରୁ ମୁଁ ଭାରି ଦୁଃଖିତ । ତେଣୁ ଭାରତର ସ୍ୱାଧୀନତା ପାଇଁ ମୁଁ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଯାଉଛି । ଆଇନ ଅମାନ୍ୟ ଆନ୍ଦୋଳନ ସ୍ୱରୂପ ପ୍ରଥମେ ଲବଣ ସତ୍ୟାଗ୍ରହ କରିବି । କିନ୍ତୁ ଗାନ୍ଧିଜୀଙ୍କ ଚିଠିର ଉତର ସ୍ୱରୂପ ୪ଧାଡିର ଏକ ଚିଠି ପଠାଇଲେ ବ୍ରିଟିଶ ଅଧିକାରୀ । ସେହି ଚିଠିରେ ଲେଖାଥିଲା ମିଷ୍ଟର ଗାନ୍ଧୀ । ବଡଲାଟ ଅତ୍ୟନ୍ତ ଦୁଃଖିତ । ଆପଣ ଏଭଳି ଏକ କର୍ମପନ୍ଥା ନେବାକୁ ଯାଉଛନ୍ତି ଯାହାଦ୍ୱାରା ଭାରତୀୟଙ୍କ ଜନଜୀବନ ନଷ୍ଟ ହେବ ସିନା କିନ୍ତୁ କିଛି ଫଳ ହେବ ନାହିଁ । ଏହାରେ ୟଙ୍ଗ ଇଣ୍ଡିଆ ଓ ହରିଜନ ପତ୍ରିକାରେ ଗାନ୍ଧିଜୀ ଲେଖିଲେ, “ ମୁଁ ଚାହିଁଥିଲି ଆଣଣ୍ଠୁ ମାଡି ଖଣ୍ଡେ ରୁଟି ଖାଇବା ପାଇଁ କିନ୍ତୁ ପ୍ରତି ବଦଳରେ ପାଇଲି ଗୋଟେ ପଥର । ମୁଁ ଏକଥା ଜାଣିଛି ବିନା ଟଣାଉଟରାରେ ବ୍ରିଟିଶମାନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ନାହିଁ । ୧୯୩୦ ମସିହାରେ ମାର୍ଚ୍ଚ ୧୨ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହ ହୋଇଥିଲା । ୭୮ଜଣ ବିଶ୍ୱସ୍ଥ ସହଯୋଗୀଙ୍କ ସହ ଗାନ୍ଧିଜୀ ଲବଣ ସତ୍ୟାଗ୍ରହ ପାଇଁ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ଏହି ୭୮ଜଣଙ୍କ ଭିତରେ ଓଡ଼ିଶାରୁ ବା ସେତେବେଳର ଉକ୍ରଳର ମୟୁରଭଞ୍ଜ ଜିଲ୍ଲା ଚିତ୍ରଡାର ୨୨ବର୍ଷୀୟ ମୋତିବାସ ଦାସ ମଧ୍ୟ ଥିଲେ । ଗୁଜରାଟର ସାବରମତୀ ଆଶ୍ରମରୁ ସମୁଦ୍ରକୂଳ ଦାଣ୍ଡି ଗ୍ରାମକୁ ଯାତ୍ରା ଆରମ୍ଭ ହୋଇଥିଲା । ସାବରମତୀରୁ ଦାଣ୍ଡି ୨୪୦ ମାଇଲ ବା ୩୮୭ କିଲୋମିଟର ଯାତ୍ରା ସମୟରେ ସେ ୮୭ଟି ସ୍ଥାନରେ ରହିବା ସହ ସେଠାରେ ସଭା କରିଥିଲେ । ଏପ୍ରିଲ ୫ ତାରିଖ ସଂଦ୍ଧ୍ୟାରେ ଦାଣ୍ଡି ଗ୍ରାମରେ ପହଂଚିଲା ବେଳକୁ ଗାନ୍ଧିଜୀଙ୍କ ସହିତ ପ୍ରାୟ ୩୫ହଜାର ଲୋକ ସାମିଲ ହୋଇସାରିଥାନ୍ତି । ଏପ୍ରିଲ ୬ ତାରିଖ ସକାଳ ସାଢ଼େ ୮ଟା ସମୟରେ ସମୁଦ୍ରକୂଳରେ ପହଂଚି ଗାଈ ଖୁରା ଗର୍ତରୁ ଫୁଟି ଯାଇଥିବା ଲୁଣକୁ ହାତରେ ନେଇ କହିଲେ ଆକୁମାରୀ ହିମାଚଳ ଯିଏ ଯେଉଁଠି ଅଛ ନିଜର ଚାହିଦା ମେଂଟାଇବା ପାଇଁ ଲୁଣ ମାରି ବ୍ରିଟିଶ ସରକାର ଲୁଣ ଆଇନକୁ ଅମାନ୍ୟ କର । ଏହାପରେ ଗାନ୍ଧିଜୀ ସେହି ସମୁଦ୍ରକୂଳେ କୂଳେ ଆଗକୁ ବଢ଼ିବାକୁ ଲାଗିଲେ ।
.ସେପଟେ ଉକ୍ରଳ ପ୍ରଦେଶ କଂଗ୍ରେସ କମିଟି ମାର୍ଚ୍ଚ ୧୨ତାରିଖରେ ଅର୍ଥାତ ଯେଉଁଦିନ ଗାନ୍ଧୀ ପଦଯାତ୍ରାରେ ବାହାରିଥିଲେ, ସେଦିନ କଟକର କାଠଯୋଡି ନଈପଠାରେ ଏକ ବୈଠକ କରିଥିଲା । ସେତେବେଳେ ଉକ୍ରଳ କଂଗ୍ରେସର ସଭାପତି ଥାଆନ୍ତି ଡ. ହରେକୃଷ୍ଣ ମହତାବ । ଏଥିରେ ମୋଟ ୨୭ଜଣ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଏହି ୨୭ଜଣ ମଧ୍ୟରୁ ଅବିଭକ୍ତ ବାଲେଶ୍ୱର ବା ଏବେର ଭଦ୍ରକ ଓ ବାଲେଶ୍ୱରରୁ ମୋଟ ୧୭ ଜଣ ଥିଲେ । ସେହି ୧୭ ଜଣଙ୍କ ମଧ୍ୟରେ ଥିଲେ ଡକ୍ଟର ହରେକୃଷ୍ଣ ମହତାବ, ସର୍ଦ୍ଦାର ସୁରେନ୍ଦ୍ର ଦାଶ ଓ କୈଳାଶ ଚନ୍ଦ୍ର ଦାସ । ବୈଠକରେ ଲବଣ ସତ୍ୟାଗ୍ରହ ପାଇଁ ସ୍ଥାନ କେଉଁଠାରେ ହେବ ବୋଲି ଆଲୋଚନା ହେଲା । ଇଂଚୁଡି ବାସିନ୍ଦା କୈଳାଶ ଚନ୍ଦ୍ର ଦାସ, ହରେକୃଷ୍ଣ ମହତାବ ଓ ସର୍ଦ୍ଦାର ସୁରେନ୍ଦ୍ର ଦାଶଙ୍କୁ ଇଂଚୁଡିରେ ଲବଣ ସତ୍ୟାଗ୍ରହ କରିବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କ କହିବା ଅନୁସାରେ ଇଂଚୁଡି ବାଲେଶ୍ୱର ସନ୍ନିକଟ ହେଲେ ମଧ୍ୟ ସେଠାକୁ ଗମନାଗମନର କୋ÷ଣସି ସୁବିଧା ନାହିଁ । ଏଠାରେ ଅନେକ ଲୋକ ପଙ୍ଗା ଲୁଣ ବା ରନ୍ଧା ଲୁଣ ମାରିଥାନ୍ତି । ଏଠାରେ ହେନ୍ତାଳ ବଣ, ବରଡା ପ୍ରଚୁର ପରିମାଣ ରହିଥିବାରୁ ଲୁଣ ମାରିବାରେ କିଛି ଅସୁବିଧା ହେବ ନାହିଁ । ତେଣୁ ତାଙ୍କର ଏହି ପ୍ରସ୍ତାବକୁ ଉକ୍ରଳ କଂଗ୍ରେସ ସ୍ୱୀକାର କରିଥିଲା । ତେଣୁ ଗୋପବନ୍ଧୁ ଚୋ÷ଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ଏକ ୨୧ଜଣିଆ ଟିମ୍ କଟକର ସ୍ୱରାଜ ଆଶ୍ରମରୁ ଇଂଚୁଡି ଅଭିମୁଖେ ପଦଯାତ୍ରା କରିବାକୁ ନିଷ୍ପତି ହେଲା । ଗାନ୍ଧିଜୀ ଏପ୍ରିଲ ୬ରେ ହାତରେ ଲୁଣ ନେଇ ଆଇନ ଅମାନ୍ୟ କରିବା ପରେ ଏହି ୨୧ଜଣିଆ ଟିମ୍ ସେହିଦିନ କଟକରୁ ବାହାରି ୨୨ ତାରିଖରେ ଇଂଚୁଡିରେ ପହଂଚିବାକୁ ଯୋଜନା ହୋଇଥିଲା । କିନ୍ତୁ ସେତେବେଳେ ନେହେରୁ ଜେଲ୍ରୁ ଏକ ଚିଠି ଲେଖି ସମସ୍ତ ପ୍ରଦେଶ କଂଗ୍ରେସକୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ଏପ୍ରିଲ ୬ରୁ ୧୩ ତାରିଖ ଭିତରେ ସମସ୍ତ ଉକପୂଳରେ ଲୁଣ ମାରିବେ । ଏପ୍ରିଲ ୬ରୁ ପଦଯାତ୍ରାରେ ବାହାରିଥିବା ଏହି ଦଳ କେନ୍ଦ୍ରାପଡ଼ା, ଚାନ୍ଦବାଲି ଦେଇ ଇଂଚୁଡିରେ ପହଂଚିବା କଥା । କିନ୍ତୁ ବାଟରେ ୧୪୪ଧାରା ଭଙ୍ଗ କରି ଗୋପବନ୍ଧୁ ଚୋ÷ଧୁରୀ ଭାଷଣ ଦେଇଥିବା ଅଭିଯୋଗରେ ଇଂରେଜମାନେ ତାଙ୍କୁ ଚାନ୍ଦୋଳଠାରେ ଗିରଫ କରିନେଲେ । ଏହାପରେ ଏହି ଦଳର ନେତୃତ୍ୱ ନେଇଥିଲେ ଆଚାର୍ଯ୍ୟ ହରିହର ଦାସ । ଗୋପବନ୍ଧୁ ଚୋ÷ଧୁରୀଙ୍କ ଗିରଫ ପରେ ଆଚାର୍ଯ୍ୟ ହରିହର ଏହି ଦଳର ନେତୃତ୍ୱ ନେଇଥିଲେ । ଯେଉଁମାନେ କେନ୍ଦ୍ରାପଡା ଆଗକୁ ଚାଲିଯାଇଥିଲେ ସେମାନଙ୍କୁ ଯାଜପୁର ଷ୍ଟେସନ ଆସିବାକୁ କୁହଗଲା । ଏପଟେ ଆଚାର୍ଯ୍ୟ ହରିହର ଅନ୍ୟ ସଂଗ୍ରାମୀଙ୍କୁ ଧରି କଟକରୁ ରେଳଯୋଗେ ବାଲେଶ୍ୱର ଅଭିମୁଖେ ବାହାରିଲେ । ଏହାପରେ ସମସ୍ତେ ବାଲେଶ୍ୱର ସ୍ୱରାଜ ଆଶ୍ରମରେ ଏକଜୁଟ୍ ହୋଇ ଏପ୍ରିଲ ୧୨ ତାରିଖରେ ଇଂଚୁଡି ଅଭିମୁଖେ ଯାତ୍ରା କରିଥିଲେ । ଆଚାର୍ଯ୍ୟ ହରିହର ନିଜର ପ୍ରାୟ ସାଢ଼େ ୩୦୦ ସମର୍ଥକଙ୍କ ସହ ତୁଣ୍ଡରା ଗ୍ରାମରେ ରାତି ୯ଟାରେ ପହଂଚି ଶିବିର କରି ରାତି କଟାଇବା ପରେ ସକାଳ ସୂର୍ଯ୍ୟୋଦୟ ପରେ ଦରିଆ ଦଖଲ କରିବା ଲୁଣ ମାରିବା ଆଦି ସ୍ଲୋଗାନ ଦେଇ ଇଂଚୁଡି ଲବଣ ଚଟାଣ ନିକଟରୁ ଲୁଣ ପାଣି ଆଣି ବର୍ତମାନର ଲବଣ ସତ୍ୟାଗ୍ରହ ସ୍ତମ୍ଭ ନିକଟରେ ରନ୍ଧାଯାଇ ଲୁଣ ମରାଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯଥା ପୁରୀର ଲୋ÷ହ ସ୍ତମ୍ଭ ବାହିନୀ, ଗଞ୍ଜାମ ବାହିନୀ, ସମ୍ବଲପୁର ବାହିନୀ, ଗୁଜରାଟୀ ବାହିନୀ ଓ ବାନର ସେନା, ସୀମାନ୍ତ ଗାନ୍ଧୀଙ୍କ ଲାଲ କୁର୍ତା ବାହିନୀ ଯାହାର ନେତୃତ୍ୱ ନିଜେ ଡକ୍ଟର ହରେକୃଷ୍ଣ ମହତାବ ନେଇଥିଲେ ସମସ୍ତେ ଇଂଚୁଡିରେ ପହଂଚି ଲୁଣ ମାରି ଲବଣ ଆଇନକୁ ଭଙ୍ଗ କରିଥିଲେ । ପ୍ରାୟ ୬ ମାସ ଧରି ଇଂଚୁଡିରେ ଲବଣ ସତ୍ୟାଗ୍ରହ ଚାଲୁରହିଲା । ପ୍ରାୟ ୬୦ହଜାର ସତ୍ୟାଗ୍ରହୀ ଏଥିରେ ସାମିଲ ହୋଇଥିଲେ ।
କୋ÷ଟିଲ୍ୟ ସାଜି ପୋଲିସକୁ ପିଟିଲେ ମହତାବ
ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆସିଥିବା ବମ୍ବେର ଜୀବରାମ ଜୀ କଲ୍ୟାଣୀ ଜୀ କୋଠାରୀ ଇଂଚୁଡିରେ ୧୩ତାରିଖ ଦିନ ସ୍ୱଦେଶୀ ଲୁଣ ଦେଖାଇ ଗିରଫ ହେବା ପରେ ମହତାବ ବ୍ରିିଟିଶ ପୋଲିସକୁ ପାନେ ଦେବାକୁ ଯୋଜନା କଲେ । ଜୀବରାମଙ୍କ ଗିରଫ ପରେ ମହତାବ ଲୁଣ ରନ୍ଧା ହେଉଥିବା ସ୍ଥାନରୁ ଟିକିଏ ଦୂରରେ ଗ୍ରାମର ପଶ୍ଚିମ ଦିଗରେ ଥିବା ଏକ ଓସ୍ତ ଗଛମୂଳେ ଗୋଟିଏ କଳା ପଥର ଆଣି ରଖି ଦେଲେ ଓ ତାହାର ଚାରିପଟେ ଭଙ୍ଗା ଜୁଆଳି ଆଣି ଡେରିଦେଲେ । ସେହି ପଥର ଉପରେ ସିନ୍ଦୁର ଢ଼ାଳିଦେଇ କହିଲେ ଇଏ ହେଉଛନ୍ତି ମା ପଶ୍ଚିମା ଠାକୁରାଣୀ । ଉଦ୍ଦେଶ୍ୟଥିଲା ଯେତେବେଳେ ବ୍ରିଟିଶ ପୋଲିସ ଲୁଣ ରନ୍ଧା ସ୍ଥାନକୁ ଆସିବାକୁ ଚେଷ୍ଟା କରିବେ ସେମାନଙ୍କୁ ଏହି ଠାକୁରାଣୀଙ୍କ ଦାସୀ ଜରିଆରେ ପ୍ରବଳ ପିଟା କରାଇବେ । ତେଣୁ ମହତାବ ଗ୍ରାମବାସୀଙ୍କ ଜରିଆରେ ଜଣେ ଭଲ ଠେଙ୍ଗା ଖେଳାଳୀଙ୍କୁ ବାଛିଲେ । ତାଙ୍କ ନାଁ ଥିଲା ବଇନ ଓରଫ ବୈକୁଣ୍ଠ ଦାସ । ବୈକୁଣ୍ଠକୁ କହିଲେ ତୁମେ ହେଉଛ ଏହି ମା ପଶ୍ଚିମାଙ୍କ ଦାସୀ । ତେଣୁ ଯେତେବେଳେ ବ୍ରିଟିଶ ପୋଲିସ ଏଇବାଟ ଦେଇ ଚମଡା ଜୋତା ପିନ୍ଧି ଲୁଣ ରନ୍ଧା ସ୍ଥାନକୁ ଅଗ୍ରସର ହେବେ । ସେତେବେଳେ ତୁମକୁ କାଳିସୀ ଲାଗିଥିବା ପରି ଅଭିନୟ କରି ତୁମ ବେତବାଡିରେ ସେହି ପୋଲିସକୁ କାହିଁକି ମୋ ଜାଗାକୁ ମାରା କଲ, କାହିଁକି ମୋ ପୂଜାରେ ବିଘ୍ନ କଲ ବୋଲି କହି ନିର୍ଦ୍ଧୁମ ପିଟିଚାଲିବ । ଯାହା ହେବ ମୁଁ ବୁଝିବି । ୧୩ତାରିଖ ଅପରାହ୍ନ ୪ଟା ବେଳକୁ ମାଙ୍କ ପୂଜା ଆରମ୍ଭ କରିଦିଆଗଲା ଓ ମାଙ୍କ କାଳିସୀ ବଇନକୁ ବି ପୋଲିସକୁ ପିଟିବାକୁ ପ୍ରସ୍ତୁତ କରିଦିଆଗଲା । ସେପଟେ ସର୍ଦ୍ଦାର ସୁରେନ୍ଦ୍ର ଦାସଙ୍କ ସ୍ତ୍ରୀ ଗୋ÷ରୀ ଦେବୀ ପ୍ରଥମେ ଚୁଲିରେ ନିଆଁ ଦେଲେ ଏବଂ ତାଙ୍କ ଭାଉଜ ହାର ବିଧବା ହୋଇଥିବାରୁ ସେ ଶଙ୍ଖ ଫୁଙ୍ôଖଲେ ଏବଂ ଲୁଣ ମରା ଆରମ୍ଭ ହେଲା (ଯେଉଁଠାରେ ଏବେ ସ୍ତମ୍ଭ ହୋଇଛି) । ଲୁଣ ମରା ଚାଲିଥିବାବେଳେ ଚାରିଜଣ ପୋଲିସ ଲୁଣ ମରା ବନ୍ଦ କରିବାକୁ କହିଲେ । ସେହି ସମୟରେ ମାଙ୍କ କାଳିସୀ ସାଜିଥିବା ବଇନ ଆସି କହିଲା ତୁମେ ଚମଡା ଜୋତା ପିନ୍ଧି କାହିଁକି ମୋ ସ୍ଥାନକୁ ମାରା କଲ, କାହିଁକି ମୋ ପୂଜାରେ ବିଘ୍ନ କଲ । ଏମିତି କହିବା ସହ ନିର୍ଦ୍ଧୁମ ସେହି ଚାରଜଣ ପୋଲିସକୁ ପିଟିବାକୁ ଲାଗିଲେ । ବଇନ ମାଡରେ ଚାରିଜଣଯାକ ପୋଲିସ ପୁରା ଅଚେତ ହୋଇଗଲେ ।ଏହାର ପରବର୍ତୀ ଦିନ ଅର୍ଥାତ ୧୪ ତାରିଖରେ ଆଚାର୍ଯ୍ୟ ହରିହର ଦାସ ଓ ଇଂଚୁଡି ବାସିନ୍ଦା କୈଳାସ ଚନ୍ଦ୍ର ଦାସଙ୍କୁ ପୋଲିସ ଗିରଫ କଲା । ଆଚାର୍ଯ୍ୟ ହରିହରଙ୍କୁ ସସମ୍ମାନେ ଗିରଫ କରାଯାଇଥିବାବେଳେ କୈଳାସ ଚନ୍ଦ୍ର ଦାସଙ୍କୁ ରାସ୍ତାରେ ଘୋଷାଡି ଘୋଷାଡି ରସାଳପୁର ପର୍ଯ୍ୟନ୍ତ ନିଆଯାଇଥିଲା । ଏହାପରେ ଲୁଣ ରନ୍ଧା କାର୍ଯ୍ୟର ପୁରା ଭାର ମହତାବଙ୍କ ଉପରେ ପଡ଼ିଲା । ମହତାବ କାହା ଘରକୁ ଯାଇ ଖାଇବାକୁ ଲାଜ କରୁଥିଲେ । ତେଣୁ ବର୍ତମାନର ସ୍ମୃତି ସ୍ତମ୍ଭ ନିକଟରେ ଥିବା ମଶାଣି ଠାରେ ଏକ ନିମ୍ବ ଗଛ ଥିଲା । ସେଠାରେ ଅସ୍ଥାୟୀ ଶିବିର କରି ଲୁଣ ରନ୍ଧା କାର୍ଯ୍ୟ ଦେଖିବା ସହ ଗାଁ ଲୋକ ଯାହାକିଛି ଆଣି ଦେଉଥିଲେ ତାହାକୁ ସେହିଠାରେ ରୋଷେଇ କରି ଖାଉଥିଲେ । ଏହାପରେ ୧୮ ତାରିଖ ଦିନ ତୁଣ୍ଡରା ବାସୁଳୀ ଛକ ନିକଟରୁ ବ୍ରିଟିଶ ସରକାର ଗିରଫ କରିଥିଲେ । ତା’ ପରେ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଗଲା । ସମଗ୍ର ଓଡ଼ିଶାରେ ୧୯୩୦ ଲବଣ ସତ୍ୟାଗ୍ରହ ସମୟରେ ପ୍ରାୟ ୩ହଜାର ସଂଗ୍ରମାୀ ଗିରଫ ହୋଇଥିଲେ କିନ୍ତୁ କେବଳ ଇଂଚୁଡିରୁ ୧୧୯୭ଜଣ ଗିରଫ ହୋଇଥିଲେ ।

