ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ଦୀର୍ଘଦିନ ଧରି ଜିଲ୍ଲାବାସୀ ଦାବି କରିଆସୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଜିଲ୍ଲାବାସୀ ଦଳମତ ନିର୍ବିଶେଷରେ ଏକଜୁଟ୍ ହୋଇ ଏହି ଦାବି କରିଆସୁଥିଲେ । ଆଶା ଥିଲା ଶାସକ ଦଳ ତାଙ୍କର ଦାବି ପୂରଣ କରିବେ । କିନ୍ତୁ ଏହି ଆଶା ଯେ ଆଶାରେ ରହିଯିବ ତାହା ସ୍ପଷ୍ଟ ହୋଇଗଲାଣି । ନିର୍ବାଚନକୁ ଆଉ ଅଳ୍ପ ମାସ ବାକିଥିବାବେଳେ ବୁଧବାର ରାଜ୍ୟ ସରକାର ପିପିପି ମୋଡରେ ୫ଟି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ କରିବାକୁ ଘରୋଇ ଅଂଶୀଦାରଙ୍କ ସହିତ ବୁଝାମଣା ସ୍ୱାକ୍ଷର କରିଛନ୍ତି । ଏଥିରେ ଭଦ୍ରକରେ ୧୦୦ ଶଯ୍ୟାବିଶିଷ୍ଟ ଏକ ମେଡିକାଲ ସ୍ଥାପନ ହେବ । ସିଗନସ୍ ମେଡି କେୟାର ଏବଂ ପ୍ରିଂଟଲିଙ୍କ କମ୍ପ୍ୟୁଟର ଏଣ୍ଡ କମ୍ୟୁନିକେସନ ପ୍ରାଇଭେଟ୍ ଲିମିଟେଡ ଏହି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ସ୍ଥାପନ କରିବେ । ସରକାରଙ୍କ ଏହି ଘୋଷଣା ପରେ ଭଦ୍ରକବାସୀ ଯେ ଆଉ ମେଡିକାଲ କଲେଜ ପାଇବେ ନାହିଁ ତାହା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତେଣୁ ଏହାକୁ ନେଇ ଭଦ୍ରକ ମେଡିକାଲ କ୍ରିୟାନୁଷ୍ଠାନ କମିଟି ନିଜର ଅସନ୍ତୋଷ ପ୍ରକାଶ କରିଛି । ଅନ୍ୟପଟେ ଶାସକ ଦଳର ତୁଙ୍ଗ ନେତୃତ୍ୱଙ୍କ କହିବା କଥା ହେଲା ଜିଲ୍ଲାରେ ଅନେକ ଗୁରୁତର ରୋଗୀ ଉନ୍ନତ ଚିକିତ୍ସା ପାଇଁ ରାଜଧାନୀରେ ଥିବା ଆପୋଲୋ, ଆମ୍ରି, କେୟାର ହସ୍ପିଟାଲକୁ ବାଛିଥାନ୍ତି । ଏପରିସ୍ଥଳେ ସରକାର ପିପିପି ମୋଡରେ ଆପୋଲୋ, ଆମ୍ରି ଭଳି ଏକ ସୁପରସ୍ପେସିଆଲିଟି ହସ୍ପିଟାଲ ଦେଇଛନ୍ତି । ଅନ୍ୟପଟେ ଏହି ପ୍ରସ୍ତାବିତ ନୂତନ ମେଡିକାଲରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବ୍ୟବହାର କରି ଭଦ୍ରକବାସୀ ମାଗଣାରେ ଉନ୍ନତମାନର ଚିକିତ୍ସା ପାଇପାରିବେ । ଆଗାମୀ ଦିନରେ ସରକାର ଭଦ୍ରକରେ ମେଡିକାଲ କଲେଜ କରିବାକୁ ମଧ୍ୟ ଯୋଜନାରେ ଅଛନ୍ତି ।
କିନ୍ତୁ ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନା ଓ କ୍ରିୟାନୁଷ୍ଠାନ କମିଟିର ସଦସ୍ୟଙ୍କ କହିବା ଅନୁସାରେ ଭଦ୍ରକରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ କେବଳ ସିଟ୍ ସଂଖ୍ୟା ବଢ଼ାଇଦେଲେ ହେବ ନାହିଁ । ଏଥିପାଇଁ ଅଧିକ ସଂଖ୍ୟକ ଡାକ୍ତରଙ୍କର ନିତାନ୍ତ ଆବଶ୍ୟକତା ଅଛି । କେବଳ ଡାକ୍ତର ନୁହନ୍ତି ଉନ୍ନତ ସ୍ୱାସ୍ଥ୍ର୍ୟସେବା ପାଇଁ ଅତ୍ୟାଧୁନିକ ଜ୍ଞାନକୋ÷ଶଳରେ ନିର୍ମିତ ଯନ୍ତ୍ରପାତି ଓ ତାର ସଠିକ୍ ପରିଚାଳନା ମଧ୍ୟ ଆବଶ୍ୟକ । ଦୀର୍ଘଦିନ ଧରି ଭଦକ୍ରରେ ଅନୁନ୍ନତ ସ୍ୱାସ୍ଥ୍ୟସେବାକୁ ନେଇ ଖବର ଚର୍ଚ୍ଚାରେ ରହିଆସୁଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଡାକ୍ତର ଛୁଟିରେ ଯିବା, ଜିଲ୍ଲା ହେଡକ୍ୱାର୍ଟରରେ ନିଶ୍ଚେତକ ଡାକ୍ତରଙ୍କ ଅଭାବ, ସ୍ୱାସ୍ଥ୍ୟ ବିଭାଗ ଗାଡି ରୋଗୀଙ୍କ ଉପରେ ମାଡିଯିବା, ବିନା ଏସିରେ ଓଟି, ଟ୍ରମା କେୟାର ୟୁନିଟ୍ ଚାଲିବା, ଜନ୍ମ, ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ବାରଣ୍ଡାରେ ଚାଲିବା, ଅର୍ଦ୍ଧାଧିକ ପିଏଚ୍ସିରେ ଡାକ୍ତର ନ ରହିବା, ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ହନ୍ତସନ୍ତ ହେବା, ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା ନ ମିଳିବା, ମାଙ୍କଡ କାମୁଡା ରୋଗୀଙ୍କୁ ଫେରାଇଦେବା, ପିଏଚ୍ସିରେ ତାଲା ପଡ଼ିବା, ଆୟୁଷ ଡାକ୍ତରଙ୍କ ଭରଷାରେ ପିଏଚ୍ସି, ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହେବା, ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର ଠାବ ହେବା, ବିଶେଷଜ୍ଞ ଡାକ୍ତରମାନେ ଉପରଓଳିରେ ନ ରହିବା, ସ୍ତ୍ରୀ ଓ ପ୍ରସୂତୀରୋଗୀଙ୍କୁ ଆଉଟଡୋର ଚିକିତ୍ସା ନ ମିଳିବା, ବରିଷ୍ଠ ଡାକ୍ତର ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିବା ଆଦି ଖବର ଭଦ୍ରକବାସୀଙ୍କ ସମେତ ରାଜ୍ୟ ସରକାରଙ୍କ ବିଚଳିତ କରିଆସୁଛି । ଏସବୁକୁ ଦୃ୍ଷ୍ଟିରେ ରଖି ଜିଲ୍ଲାରେ ଏକ ମେଡିକାଲ କଲେଜର ନିହାତି ଆବଶ୍ୟକତା ଅଛି ବୋଲି ଦାବି ହୋଇଆସୁଛି ।
ଏହି ମେଡିକାଲ ଦାବି ପଛରେ ଅନେକ ତଥ୍ୟଗତ ଆଧାର ବି ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତି ହଜାରେ ଲୋକ ପାଇଁ ଜଣେ ଡାକ୍ତରର ଆବଶ୍ୟକତା ରହିଛି । ଭଦ୍ରକ ଜିଲ୍ଲାର ଜନସଂଖ୍ୟା ୧୫ଲକ୍ଷରୁ ଉଦ୍ଧ୍ୱର୍ ଅଟେ । ତେଣୁ ଜିଲ୍ଲାକୁ ମୋଟ ୧୫୦୦ ଡାକ୍ତରଙ୍କର ଆବଶ୍ୟକତା ରହିଛି । କିନ୍ତୁ ଜିଲ୍ଲାରେ ୩୫୦ ଡାକ୍ତରୀ ପଦବୀ ମଞ୍ଜୁରୀ ପାଇଛି । ଯାହା ଆବଶ୍ୟକତା ଠାରୁ ଢ଼େର୍ କମ୍ । ଠିକ୍ ସେହିପରି ହୁ ଅନୁସାରେ ପ୍ରତି ୧୦୦୦ଜଣ ପିଛା ୩.୫ଟି ଶଯ୍ୟାର ଆବଶ୍ୟକତା ରହୁଥିବାରୁ ଜିଲ୍ଲାରେ ୪୦୦୦ରୁ ଅଧିକ ଶଯ୍ୟାର ଆବଶ୍ୟକତା ରହିଛି । ଜିଲ୍ଲାରେ ଦୁଇଟି ପ୍ରମୁଖ ପ୍ରାଇଭେଟ୍ ହସ୍ପିଟାଲ ସମେତ ସମସ୍ତ ସରକାରୀ ହସ୍ପିଟାଲକୁ ମିଶାଇଲେ ମୋଟ ଶଯ୍ୟା ସଂଖ୍ୟା ପ୍ରାୟ ୧୨୦୦ ପାଖାପାଖି ହେବ । ଏହି ତଥ୍ୟକୁ ଦେଖିଲେ ଲାଗୁଛି ଉଭୟ ଡାକ୍ତର ଓ ବେଡ୍ ସଂଖ୍ୟାର ତିନି ଭାଗରୁ ଏକ ଭାଗ ପୂରଣ ହୋଇପାରିଛି । ସେହିପରି ବର୍ତମାନ ଜିଲ୍ଲାରେ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ସଂଖ୍ୟା ୩୫୦ ରହିଥିବା ବେଳେ ଗତ ଜୁନ୍ ମଙ୍କସର ତଥ୍ୟ ଅନୁଯାୟୀ ନୂତନ ଏମ୍ସିଏଚ୍କୁ ଛାଡି ଜିଲ୍ଲାରେ ୬୩ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଏହିସବୁ ଡାକ୍ତରଖାନାରେ ୧୧୫ଜଣ ଚୁକ୍ତଭିତ୍ତିକ ଡାକ୍ତର, ୮୯ଜଣ ସ୍ଥାୟୀ ଡାକ୍ତର, ଓ ୩୧ଜଣ ନୂଆ ଡାକ୍ତର ନିଯୁକ୍ତି ପାଇଛନ୍ତି । ଯାହା ଆବଶ୍ୟକତା ନୁହଁ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ପୂରଣ କରିବାରେ ଅସମର୍ଥ । ତେଣୁ ଜିଲ୍ଲାରେ ମେଡିକାଲ କଲେଜଟିଏ ସ୍ଥାପିତ ହୋଇପାରିଲେ ଡାକ୍ତରଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାବାସୀ ଉନ୍ନତ ଚିକିତ୍ସା ପାଇପାରିଥାନ୍ତେ ।
ଅନ୍ୟପଟେ ଆଉକିଛି ବୁଦ୍ଧିଜୀବୀଙ୍କ କହିବା କଥା ହେଲା, ଏ ସମସ୍ୟା କେବଳ ଭଦ୍ରକ ଜିଲ୍ଲାରେ ନୁହଁ ସାରା ରାଜ୍ୟରେ ରହିଛି । କିନ୍ତୁ ଯେତିକି ସୁବିଧା ସରକାରଙ୍କ ତରଫରୁ ଉପଲବ୍ଧ ଅଛି ତାହାର ସଠିକ୍ ବିନିଯୋଗ ହୋଇପାରୁନଥିବାରୁ ସ୍ୱାସ୍ଥ୍ୟସେବାର ଚିତ୍ର ଖରାପ ହେଉଛି । ଏଥିପାଇଁ ବିଶେଷ ଭାବରେ ବିଭିନ୍ନ ସରକାରୀ ମେଡିକାଲରେ ପରିଚାଳନା କମିଟି ଓ ରୋଗୀ କଲ୍ୟାଣ ସମିତିର ସଦସ୍ୟମାନେ ଦାୟୀ । ଜିଲ୍ଲାରେ ମେଡିକାଲ ଭିତରକୁ ପାଣି ପଶିଯିବା, ଡାକ୍ତର ଅପରାହ୍ନ ସମୟରେ ନ ରହିବା, ଔଷଧ ନ ମିଳିବା, ଡାକ୍ତରୀ ପରୀକ୍ଷାରେ ତ୍ରୁଟି, ଚିିକିତ୍ସା ପାଇଁ କର୍ମଚାରୀ ଲାଂଚ ମାଗିବା ଆଦି ଏହି ପରିଚାଳନା କମିଟି ଚାହିଁଲେ ନିୟନ୍ତ୍ରଣ କରିପାରନ୍ତେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ କଲ୍ୟାଣ ସମିତିରେ ଜିଲ୍ଲାର ପ୍ରମୁଖ ନେତାମାନେ ସଦସ୍ୟ ଥିବାବେଳେ ପରିଚାଳନା କମିଟିରେ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ରହିଛନ୍ତି । କିନ୍ତୁ ଏହି ଦୁଇ କମିଟି କେବଳ ବୈଠକ ଦିନ ତତ୍ପର ହେବା ଦେଖାଯାଏ । ଅନ୍ୟଦିନମାନଙ୍କରେ ଏମାନେ ଆବଶ୍ୟକତା ଅନୁସାରେ ନିଜେ କିମ୍ବା ନିଜ ପ୍ରତିନିଧିଙ୍କ ଜରିଆରେ ମେଡିକାଲ ଦୈନିକ କାର୍ଯ୍ୟକ୍ରମକୁ ତଦାରଖ କରିବା କିମ୍ବା ଭଲମନ୍ଦ ବୁଝିବା ଦିଗରେ କାମ କରିବାକୁ ସମୟ ପାଆନ୍ତି ନାହିଁ । ଫଳରେ କୋ÷ଣସି ଅପ୍ରୀତିକର ଘଟଣା ଘଟିସାରିବା ପରେ ଯାଇ ଏମାନେ କ୍ଷେତ୍ରସ୍ଥଳକୁ ଆସି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରନ୍ତି । ଯାହା ସ୍ୱାସ୍ଥ୍ୟସେବାକୁ ବିପର୍ଯ୍ୟସ୍ଥ କରିବାକୁ ବାଧ୍ୟ କରିଛି । ଆଉ ସେଥିପାଇଁ ସରକାର ବଦ୍ନାମ ହୁଅନ୍ତି । ତେଣୁ ପ୍ରକୃତରେ ସରକାରଙ୍କ ଅପେକ୍ଷା ସ୍ଥାନୀୟ ପ୍ରତିନିଧିମାନେ ଏଭଳି ସମସ୍ୟା ପାଇଁ ପ୍ରକୃତରେ ଦାୟୀ ବୋଲି ଅଭିଯୋଗ ହୋଇଛି ।




