ମତଦାନକୁ ଆଉ କେଇ ଘଂଟା ବାକି ଥିବାବେଳେ ଭଦ୍ରକ ରାଜନୀତିର ମୋଡ ପ୍ରତି ମୁହୁର୍ତରେ ବଦଳୁଛି । ବିଶେଷ କରି କେଉଁ ସାଂସଦ ପ୍ରାର୍ଥୀ ଜିତିବେ ତାହା ଉପରେ ପୁରା ରାଜ୍ୟର ନଜର ରହିଛି । କାରଣ ଶେଷ ପର୍ଯ୍ୟାୟ ନିର୍ବାଚନରେ ଭଦ୍ରକରେ ଭୋଟ ପଡ଼ିବ । ୨୦୧୯ରେ ମାତ୍ର ୨୮୮୦୩ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ପରାଜୟ ସ୍ୱୀକାର କରିଥିଲେ । ଭଦ୍ରକରେ ଚର୍ଚ୍ଚା ହେଉଛି ବିଜେପି ଲୋକସଭା ସିଟ୍ ସମତେ ଭଦ୍ରକର ୨ଟି ବିଧାନସଭା ସିଟ୍ରେ ବିଜୟକୁ ସୁନିଶ୍ଚିିତ କରିବାକୁ ଜୀ ଜାନ ଲଗାଇ ଦେଇଛି । ପ୍ରଚାର ଠାରୁ ଆରମ୍ଭ କରି ରଣନୀତିରେ ଏହି ତିନୋଟିରେ ବିଜେପି ସମସ୍ତ ଶକ୍ତି ଲାଗିପଡ଼ିଥିବା ଅନୁଭବ ବି ହେଉଛି । ବିଧାନ ସଭା ସିଟ୍ ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଲଢ଼ୁଥିବା ଚାନ୍ଦବାଲି ଓ ଧାମନଗରରେ ସୂର୍ଯ୍ୟବଂଶୀଙ୍କୁ ଜିତାଇବା ଦଳ ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି । ତେଣୁ ବିଜେପିର ଏହି ଷ୍ଟ୍ରାଟେଜି ବିଜେଡି ପାଇଁ ଅଡ଼ୁଆ ସାଜିଛି । ତେଣୁ ବିଜେଡି ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କୁ ଜିତାଇବାକୁ ତାଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରତ୍ୟେକ ଦିନ ନୂଆ ନୂଆ ରଣନୀତି ଆପଣାଉଛନ୍ତି । କାହିିଁକି ନା ବିଭିନ୍ନ ସ୍ଥାନରେ ତାଙ୍କୁ ଆରମ୍ଭରୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ତେଣୁ ମୁକ୍ତି ଜଣେ ଭଲ ରାଜନୈତିଜ୍ଞ ହୋଇଥିବାରୁ ଧାମନଗର ଓ ଚାନ୍ଦବାଲିରେ ବିଜେପିର ବିଧାନସଭା ସିଟ୍ ଲକ୍ଷ୍ୟ ଭିତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ତିଆରି କରିବାରେ ସଫଳ ହେବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଭଦ୍ରକ ଓ ଭଣ୍ଡାରିପୋଖରୀରେ ମୁକ୍ତିଙ୍କ ପାଇଁ ସାମାନ୍ୟ ଅଡୁଆ ଥିଲେ ବି ତାହା କିଛି ମାତ୍ରାରେ ମ୍ୟାନେଜ ହୋଇଯିବାର ସମ୍ଭାବନା ସୃ୍ଷ୍ଟି ହେଲାଣି । ଶିମୁଳିଆରେ ବି ବିଜେଡି ସାଂସଦ ସିଟ୍ରେ ଭଲ ପ୍ରଦର୍ଶନ କରିବ । କିନ୍ତୁ ମୁକ୍ତି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ନିଜ ନିର୍ବାଚନ ମଣ୍ଡଳୀ ବାସୁଦେବପୁରରେ ବଡ଼ ଅଡୁଆ ପରିସ୍ଥିତିରେ ପଡ଼ିଛନ୍ତି । ତେଣୁ ରାତି ପାହିଲେ ନିଶ୍ଚିତ ବାସୁଦେବପୁରରେ ମୁହଁ ମାରୁଛନ୍ତି । ବାସୁଦେବୁପର ଗଣିତ ମୁକ୍ତିଙ୍କ ପାଇଁ ଅଡୁଆ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସୋରରେ ବିଜେପିର ପ୍ରାର୍ଥୀ ଅଦଳବଦଳ ଗଣିତ ବିଜେଡି ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କୁ ବେଶ୍ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବିଜେଡିର ଏ ସବୁ ଗଣିତ ଆଗରେ ବିଜେପି ପ୍ରାର୍ଥୀଙ୍କ ଭାବମୂର୍ତି ଓ ମୋଦିଙ୍କ ହାୱା କିଛି ମାତ୍ରାରେ ପ୍ରଭାବୀ ରହିଛି ବୋଲି ଭଦ୍ରକରେ ଚର୍ଚ୍ଚା ହେଉଛି । କିନ୍ତୁ ୨୦୧୯ରେ ବିଜେପି ପ୍ରାର୍ଥୀ ଅଭିମୁନ୍ୟଙ୍କ ପାଇଁ ସେତେବେେଳେ ଶେଷ ମୂୁହୁର୍ତରେ ବିଜେଡି ଛାଡିଥିବା ବରିଷ୍ଠ ନେତା ଅର୍ଜ୍ଜୁନ ସେଠୀ ରଣନୀତି ପ୍ରସ୍ତୁତ କରିଥିବାରୁ ବିଜେପିର ଭୋଟ ପ୍ରତିଶତ ବହୁ ମାତ୍ରରେ ବଢ଼ିଥିଲା । କିନ୍ତୁ ୨୦୨୪ରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁଙ୍କ ପାଖରେ ସେଭଳି ରଣନୀତିକାର ଥିବା ଦେଖାଯାଉନାହିଁ । ତେଣୁ ସେ ଯେ ପୂର୍ବପରି ସଫଳ ପ୍ରସ୍ତୁତି କରିପାରିବେ ତାହାକୁ ନେଇ ସନ୍ଦେହ ରହିଛି । ଅନ୍ୟପଟେ ଭଦ୍ରକରେ ଯୁଗଳ ପଟ୍ଟନାୟକଙ୍କ ପୁଅ କଂଗ୍ରେସରୁ ପ୍ରାର୍ଥୀ ହେବା ଓ ବିଜେପି ନୂଆ ପ୍ରାର୍ଥୀ ଦେବା ଅଭିମନ୍ୟୁଙ୍କ ପାଇଁ ଘାଟା ହୋଇପାରେ । ସେହିପରି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ନିଜ ଗଡରେ ପୁଣିଥରେ ନିଜେ ମଇଦାନକୁ ଓହ୍ଲାଇଥିବାରୁ ତାହା ବିଜେପିକୁ ବଡ ବାଧା ହେବ । ତେଣୁ ବିଜେପି ପାଇଁ ଏସବୁ ଅଡ଼ୁଆ ପରିସ୍ଥିତି ଭିତରେ ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ଜିତାଇବାକୁ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯେଉଁ ସବୁ ରଣନୀତି ଆପଣାଉଛନ୍ତି ତାହା କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।

