ନିରଞ୍ଜନ ଓ ସଞ୍ଜୀବଙ୍କ ଲଢ଼େଇ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ହାଇଭୋଲଟେଜ୍ ଇଲେକ୍ସନର ଚିତ୍ର ଦେଖାଇବ । ନିରଞ୍ଜନ ନିଜ ଅଭିଭାଷଣରେ କହିଲେ ମୋର ଏଠାରେ ଲଢ଼େଇ ଆଉ କାହା ସହ ନୁହଁ ସିଧାସଳଖ ନବୀନ ବାବୁଙ୍କ ସହ । ଭଣ୍ଡାରିପୋଖରୀକୁ ବିଜେଡି ସରକାର ଚିରଅବହେଳିତ କରି ରଖିଆସିଛି । ଏଠାରେ କିଛି ବି ଆଖିଦୃଶିଆ ଉନ୍ନତି ହୋଇନାହିଁ । ତେଣୁ ଲୋକ ଏଥର ପରିବର୍ତନ କରିବେ । ନିରଞ୍ଜନ ଭଣ୍ଡାରିପୋଖରୀରେ ବିଜେଡି ପ୍ରାର୍ଥୀ ସଞ୍ଜୀବଙ୍କ ନାଁ ନ ନେଇ ସିଧାସଳଖ ନବୀନଙ୍କୁ ନିଜ ସହ ତୁଳନା କରିବା ପରେ ଏହାକୁ ନେଇ ନୂଆ କଥା ତିଆରି ହେଲାଣି । ନିରଞ୍ଜନ କ’ଣ ସଞ୍ଜୀବଙ୍କୁ ନିଜ ସମକକ୍ଷ ଭାବୁନାହାନ୍ତି । ଏଭଳି କିଛି ପ୍ରଶ୍ନ ସାମ୍ବାଦିକମାନେ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବଙ୍କୁ ପଚାରିଥିଲେ । ସଞ୍ଜୀବ ଉତରରେ କହିଲେ, ପ୍ରକୃତରେ ଭଣ୍ଡାରିପୋଖରୀରେ ନିରଞ୍ଜନ ବାବୁ ମୋ ସହ ଲଢ଼େଇ କରୁଛନ୍ତି । କିନ୍ତୁ ତାଙ୍କୁ ମୁଁ ଦେଖାଯାଉନାହିଁ । ମୋ ଛାତି ଭିତରେ ଥିବା ମୋ ଦଳର ନେତା ନବୀନ ପଟ୍ଟନାୟକ ଦେଖାଯାଉଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ନିରଞ୍ଜନ ମୋ ଭିତରେ ନବୀନ ପଟ୍ଟନାୟକଙ୍କୁ ଦେଖୁଛନ୍ତି । ତେଣୁ ଏଥର ଭଣ୍ଡାରିପୋଖରୀରେ ଲୋକେ କେବଳ ମୋତେ ନୁହଁ ନିରଞ୍ଜନଙ୍କ ପ୍ରତିଦ୍ୱନ୍ଦୀ ହିସାବରେ ଲୋକେ ନବୀନଙ୍କ ଚିହ୍ନରେ ଭୋଟ ଦେବେ । ଯାହା ମୋ ପାଇଁ ଡବଲ ଫାଇଦା ଦେବ । ଆଉ ଏକଥା ବି ସ୍ପଷ୍ଟ କରୁଛି ନିରଞ୍ଜନ ଅହଙ୍କାରର ବଶବର୍ତୀ ହୋଇ ଅନ୍ୟମାନଙ୍କୁ ତୁଚ୍ଛ ନଜରରେ ଦେଖିବା ଆରମ୍ଭ କଲେଣି । ଆଉ ଅହଙ୍କାରୀଙ୍କୁ ଭଗବାନ କି ଜବାବ ଦିଅନ୍ତି ତାହା ସମସ୍ତେ ଜାଣନ୍ତି ।ଭଣ୍ଡାରିପୋଖରୀରେ ଉଭୟ ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବାବେଳେ ବିଜେପି ଅଦ୍ୟାବିଧି ନିଜର ପ୍ରାର୍ଥୀ ଘୋଷଣା କରିପାରିଲା ନାହିଁ । ତେଣୁ ଏଠାରେ ନିଶ୍ଚିତଭାବେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ସଙ୍କେତ ଆସିଲାଣି । କାହିଁକି ନା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବନ୍ତ ବ୍ଲକର ପୂର୍ବତନ ବିଜେଡି ନେତା ସୁଧାଂଶୁ ନାୟକ ବିଜେପିରେ ମିଶିଥିଲେ ବି ତାଙ୍କର ନେତୃତ୍ୱକୁ ବିଜେପି ଯେ ଆଉ ଠିକଣା ଢ଼ଙ୍ଗରେ ବ୍ୟବହାର କରିପାରିବ ନାହିଁ ତାହା ଧୀରେ ଧୀରେ ସ୍ପଷ୍ଟ ହେଲାଣି । ସେ ଏଠାରେ କିଛି ଦିନ ହେବ ସୋସିଆଲ ମିଡିଆରୁ ଦୂରେଇ ରହିବା ଏ ନେଇ ସଙ୍କେତ ଦେଇଛି ।ଅନ୍ୟପଟେ କଂଗ୍ରେସ ୧୬ ନଂ ଜାତୀୟ ରାଜପଥ ବାରିକପୁର ବଜାର ନିକଟ ତୋଡଙ୍ଗାଠାରେ ଯେଉଁ ଆର୍ଶୀବାଦ ସମାବେଶର ଆୟୋଜନ କରିଥିଲା ତାହା ପୁରା ଜିଲ୍ଳାର ରାଜନୀତିକୁ ଚହଲାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି । ସମାବେଶରେ କର୍ମୀଙ୍କ ଭିଡକୁ ନେଇ କଂଗ୍ରେସ ଖୁବ୍ ଉତ୍ସାହିତ ଥିବାବେଳେ ବିରୋଧୀଙ୍କ ଚର୍ଚ୍ଚା ସେହି ଉତ୍ସାହରେ ପାଣି ଢ଼ାଳି ଦେଇଛି । ବିରୋଧୀ କହୁଛନ୍ତି ଭଦ୍ରକ ଜିଲ୍ଲାର ମାତ୍ର ଦୁଇଟି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଭଲ ଭୋଟ ବ୍ୟାଙ୍କ ରହିଛି । ଗୋଟିଏ ହେଉଛି ବାସୁଦେବପୁର ଓ ଅନ୍ୟଟି ହେଉଛି ଭଣ୍ଡରିପୋଖରୀ । କଂଗ୍ରେସର ଦୁଇ ଟାଣୁଆ ନେତା ଅନନ୍ତ ସେଠୀ ଓ ନିରଞ୍ଜନ ଏଥର ମଇଦାନରେ ଥିବାରୁ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନାବଦ୍ଧ ଭାବେ ଏହି ସମାବେଶ ତୋଡଙ୍ଗାରେ କରାଯାଇଥିଲା । ଏହି ସମାବେଶରେ ଏକତ୍ରିତ ହୋଇଥିବା କର୍ମୀମାନେ କେବଳ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ନଥିଲେ । ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀର ଅନେକ କଂଗ୍ରେସ କର୍ମୀ ଏହି ସମାବେଶରେ ଯୋଗ ଦେଇଥିଲେ । ତେଣୁ ଏହା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ପାଇଁ ସମାବେଶ କମ୍ ଭଦ୍ରକ ଲୋକସଭା ପାଇଁ ଏହି ସମାବେଶ ଅଧିକ ଥିଲା ବୋଲି କୁହାଯାଉଛି । .ସେହିପରି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଲକ୍ଷ ୩୭ହଜାର ଭୋଟର ଅଛନ୍ତି । ଯଦି ଭୋଟିଂ ୭୦ରୁ୮୦% ଭିତରେ ହୁଏ ତେବେ ପ୍ରାୟ ୧ଲକ୍ଷ ୮୦ହଜାର ଭୋଟର ନିଜର ମତସାବ୍ୟସ୍ତ କରିପାରନ୍ତି । ଅନଲାଇନ ତଥ୍ୟ କହୁଛି ପୁରା ନର୍ବାଚନମଣ୍ଡଳୀରେ ପ୍ରାୟ ୮୦ହଜାର ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ନୂଆ ଭୋଟର ୨% ଅଛନ୍ତି ଯେଉଁମାନେ ସୋସିଆଲ ମିଡ଼ିଆ ଖବରକୁ ତୀବ୍ର ବେଗରେ ସେୟାର କରିବା ସହ ଆଲୋଚନା କରିବେ । ଯଦି ୮୦ ହଜାର ସୋସିଆଲ ମିଡ଼ିଆ ବ୍ୟବହାରକାରୀ କୌଣସି ନିର୍ବାଚନପ୍ରସଙ୍ଗକୁ ନେଇ ଆଲୋଚନ କରନ୍ତି ତେବେ ତୁଣ୍ଡବାଇଦ ସହସ୍ରକୋଷ ଢ଼ାଚାଂରେ ପ୍ରାୟ ୯୦% ଭୋଟର ସେହି ପ୍ରସଙ୍ଗରେ ଆଲୋଚନା କରିବେ । କିନ୍ତୁ କଂଗ୍ରେସର ସମାବେଶ ବହୁ ଉଚ୍ଚକୋଟୀର ହୋଇଥିଲେ ବି ସୋସିଆଲ ମିଡ଼ିଆରେ ଏହି ଆର୍ଶୀବାଦ ସମାବେଶ ସେତେ ପରିମାଣରେ ଦେଖିବାକୁ ମିଳିଲା ନାହିଁ । ସେହି ତୁଳନାରେ ବିଜେଡିର ସୋସିଆଲ ମିଡ଼ିଆ ପ୍ରଚାର ବହୁ ଆଗରେ ରହିଛି । ତେଣୁ ରାତି ସାରା ଉଜାଗର ମଗରମୁହଁ ମେଲା ନୀତିରେ କଂଗ୍ରେସର ପ୍ରଚାର ପାଣିଫୋଟକା ହୋଇଯାଉଛି ବୋଲି ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଉଭୟ ବିଜେଡି ଓ କଂଗ୍ରେସ କେଉଁ ରଣନୀତିରେ ନିର୍ବାଚନ ଲଢ଼ୁଛନ୍ତି ।

