ବିରୋଧୀଙ୍କୁ ଅସ୍ତ୍ର କରି ବିଜୟ ରାସ୍ତାରେ ବିଜେଡି

Share

ବିରୋଧୀ ଶୂନ୍ୟ ପ୍ରାୟ ଦେଖାଯାଉଥିବା ସାଲେପୁରରେ କିଏ ମାରିବ ବାଜି । ତାହାକୁ ନେଇ ଏବେ ପୁରା ସାଲେପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା । ସାଲେପୁରର ଟାଣୁଆ ବିରୋଧୀ ନେତା ପ୍ରକାଶ ବେହେରା ଏବେ ବିଜେଡି ଟିକେଟରେ କଟକ ବାରବାଟୀରେ ନିର୍ବାଚନ ଲଢ଼ୁଛନ୍ତି । ତେଣୁ ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ପଲା ଭାରି ରହିଛି ବୋଲି ଚର୍ଚ୍ଚା ହେଉଛି । ବିଜେପି ଅରବିନ୍ଦ ରାୟଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଆକୁବ୍ ଖାଁକୁ ପ୍ରାର୍ଥୀ କରିଛି । ଉଭୟ କଂଗ୍ରେସ ଓ ବିଜେପିର ପୂର୍ବସ୍ଥିତିକୁ ଅନୁଧ୍ୟାନ କଲେ ଲାଗୁଛି ବିଜେଡି ଚଳିତ ଥର କ୍ଳିନସ୍ୱିପ୍ କରିପାରେ । ୨୦୦୯ରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା କଂଗ୍ରେସର ପ୍ରକାଶ ବେହେରାଙ୍କୁ ମାତ୍ର ୧୨୭୭ ଖଣ୍ଡରେ ଭୋଟରେ ପରାଜିତ କରିଥିଲେ । ସେତେବେଳେ ବିଜେପି ମାତ୍ର ୫%ରୁ କମ୍ ଭୋଟରେ ସୀମିତ ଥିଲା । ପରେ ୨୦୧୪ ବିଜେଡି ଚନ୍ଦ୍ରସାରଥିଙ୍କ ଉପରେ ଭରଷା ନ କରି ପ୍ରଶାନ୍ତଙ୍କୁ ଟିକେଟ ଦେଇଥିଲା । କିନ୍ତୁ ପ୍ରକାଶ ବେହେରା ୨୧୧୭ ଖଣ୍ଡ ଭୋଟରେ ଆଗୁଆ ରହି ବିଜେଡି ଠାରୁ ଏହି ସିଟ୍‌କୁ ଛଡାଇନେଇଥିଲେ । ସେତେବେଳେ ବିଜେପି ସେହି ୫%ରୁ କମ୍ ଭୋଟରେ ସୀମତି ରହିଥିଲା । କିନ୍ତୁ ୨୦୧୯ରେ ପ୍ରକାଶ ବେହେରା କଂଗ୍ରେସ ଛାଡି ବିଜେପି ଟିକେଟରେ ଲଢ଼ିଲେ । ଫଳରେ କଂଗ୍ରେସର ସମ୍ପୂର୍ଣ୍ଣ ଭୋଟ ବ୍ୟାଙ୍କ ବିଜେପିକୁ ସିଫ୍ଟ ହୋଇଗଲା । ପ୍ରକାଶଙ୍କ ଏହି ଦଳବଦଳ କିନ୍ତୁ ବିଜେଡିକୁ ବଡ଼ ଫାଇଦା ଦେଲା । ବିଜେଡିର ପ୍ରଶାନ୍ତ ବେହେରା ୨୦୧୯ରେ ୫୬% ଭୋଟ ହାତେଇ ବିଜେଡିର ଏକ ମଜ୍‌ବୁତ୍ ଗଡ଼ରେ ପରିଣତ କରିଦେଲେ । ୨୦୧୯ରେ ବିଜେପିର ଭୋଟ ପ୍ରତିଶତ ୪୦%ରୁ କମ୍‌ରେ ସୀମିତ ହୋଇ ରହିଗଲା । ଯଦିଓ ବିଜେପି ଏକ ମଜ୍‌ବୁତ୍ ସ୍ଥାନକୁ ଆସିଲା କିନ୍ତୁ ତାହା କେବଳ ପ୍ରକାଶ ବେହେରାଙ୍କ ପାଇଁ ସମ୍ଭବ ଥିଲା । ଏବେ ପ୍ରକାଶ ବିଜେପି ଛାଡି ବିଜେଡି ଶିବିରରେ । ତେଣୁ ଉଭୟ କଂଗ୍ରେସ ଓ ବିଜେପି ସାଲେପୁରର ୪୦% ଭୋଟକୁ ଭାଗ ଭାଗ କରି ନିଜ ଖାତାରେ ରଖିବାରେ ସକ୍ଷମ ହେବେ । କିନ୍ତୁ ବାକି ୬୦% ଭୋଟ କଂଗ୍ରେସ କି ବିଜେପିକୁ ଯିବାର ସମ୍ଭାବନା ଖୁବ୍ କମ୍ । ଯଦି ପ୍ରକାଶ ବେହେରା ଏଠାରୁ ବିଜେଡି ବିରୁଦ୍ଧରେ ଲଢ଼ିଥାନ୍ତେ ହୁଏତ ସାଲେପୁରରେ ଗୋଟେ କଡା ଟକ୍କର ଦେଖିବାକୁ ମିଳିଥାନ୍ତି । କିନ୍ତୁ ପ୍ରକାଶଙ୍କ ବିନା ସାଲେପୁରରେ ବିରୋଧୀ ସେତେ ସକ୍ରିୟ ହୋଇପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ତେଣୁ ବିଜେଡି ପ୍ରକାଶଙ୍କୁ ନିଜ ଦଳରେ ମିଶାଇ ସାଲେପୁର ସିଟ୍‌କୁ ନିଜ ପାଇର୍ ସୁରକ୍ଷିତ ଗଡରେ ପରିଣତ କରିଛି ବୋଲି ଚର୍ଚ୍ଚା ହେଉଛି । ଏସବୁ ପରେ ବି ଚଳିତ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପି ନିଜର ନିଜର ସ୍ୱତନ୍ତ୍ର ରଣନୀତି କରି ବିଜୟୀ ହେବାକୁ ଆଶାବାଦୀ ଅଛନ୍ତି । ତେଣୁ ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ ।