ଫାଳ ଫାଳ ହୋଇଯିବ କି ବିଜେଡି ?

Share

ଆଗକୁ ବିଜେଡି ଚାରିଫାଳ ହୋଇଯିବ କି ? ଏମିତି କିଛି ଚର୍ଚ୍ଚା ଏବେ ରାଜଧାନୀ ସମତେ ପୁରା ରାଜ୍ୟରେ ହେବାକୁ ଲାଗିଲାଣି । କିନ୍ତୁ ପରାଜୟକୁ ନେଇ ବିଜେଡି ପ୍ରତି ସମବେଦନା ଦେଖାଯାଉଥିବା ସମୟରେ ଏମିତି ଏକ ଚର୍ଚ୍ଚା କାହିଁକି ମୁଣ୍ଡ ଟେକିଲା ତାକୁ ନେଇ ଆଜିର ଏହି ତର୍ଜମା । ବିଜୁ ଜନତା ଦଳ ଅବିଶ୍ୱସନୀୟ ଭାବେ ଶୋଚନୀୟ ପରାଜୟ ପାଇବାପରେ ହଠାତ୍ ଉଭୟ ବିଜେପି, କଂଗ୍ରେସ ଓ ବିଜେଡି ସ୍ତବ୍ଧ ହୋଇଯାଇଥିଲେ । କେହି ବିଶ୍ୱାସ କରିପାରୁନଥିଲେ ଓଡ଼ିଶା ଭୋଟର ହଠାତ ୍ ଏମିତି କିପରି କରିଦେଲେ । ଅନ୍ୟପଟେ ବିଜେଡିର ଏହି ପରାଜୟ ପାଇଁ ତାଙ୍କ ନିଜ ଦଳର ଲୋକମାନେ ହିଁ ପ୍ରଥମେ ଭି.କେ.ପାଣ୍ଡିଆନଙ୍କୁ ଦାୟୀ କରିବାରେ ଲାଗିଲେ । ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ନବୀନଙ୍କ ପ୍ରତି ସମବେଦନା ଓ ପାଣ୍ଡିଆନଙ୍କ ପ୍ରତି ଆକ୍ରୋଶ ଦେଖିବାକୁ ମିଳିଲା । ହଠାତ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ଖୋଜା ପଡ଼ିଲା । କାହିଁକି ନା ନବୀନ ପାଖେ ପାଖେ ରହୁଥିବା ପାଣ୍ଡିଆନ ଇସ୍ତଫା ଦିନ ନବୀନଙ୍କ ସହ ଦେଖାଗଲେ ନାହିଁ । ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ଖୋଜା ପଡ଼ୁଥିବାବେଳେ କିଛି ଗଣମାଧ୍ୟମ ପ୍ରତିନିଧି କହିଲେ ନବୀନଙ୍କ ଆଖିରେ ପାଣ୍ଡିଆନଙ୍କ ଲୁହ । ଏଭଳି ଚର୍ଚ୍ଚାରୁ ଜଣାପଡ଼ୁଥିଲା ବିଜେଡି ବିପର୍ଯ୍ୟୟ କେବଳ ପାଇଁ ପାଣ୍ଡିଆନ ଦାୟୀ ନୁହନ୍ତି । ସେପଟେ ବିଜେଡିର ସାଂଗଠନିକ ସଂପାଦକ ବବି ଦାସ କହିଲେ ଦଳ ଭିତରେ ଯାହା ବି କିଛି ହୁଏ ନବୀନ ବାବୁଙ୍କ ନିର୍ଦ୍ଦେଶରେ ହୁଏ । କିନ୍ତୁ ଏ ସବୁ କଥା ସାଧାରଣରେ ଗ୍ରହଣ ହୋଇପାରୁନଥିବାବେଳେ ହଠାତ ପାଣ୍ଡିଆନ ଦିଲ୍ଳୀ ଯିବାର ଖବର ପ୍ରସାରିତ ହେବାକୁ ଲାଗିଲା । ଏହାପରେ ଯୁବ ଓ ଛାତ୍ର ବିଜେଡି ପାଣ୍ଡିଆନ ଓ ବିଜେଡିର ମିଡ଼ିଆ ମ୍ୟାଜେନମେଂଟ କରୁଥିବା ମାନସ ମଙ୍ଗରାଜଙ୍କ ଉପରେ ବିଷୋଦଗାର କରିବାକୁ ଲାଗିଲେ । ଭିତରେ ଭିତରେ ପାଣ୍ଡିଆନଙ୍କୁ ନେଇ ବିଜେଡି ଭିତରେ ଏକ ବିଦ୍ରୋହର ନିଆଁ କୁହୁଳିବାକୁ ଲାଗିଲା । ଏହାରି ଭିତରେ ନିଜେ ନବୀନ ଉଭୟ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କୁ ଭେଟି ଦଳର ପରାଜୟ ଉପରେ ବିଚାର ବିମର୍ଷ କରିଲେ । କିନ୍ତୁ ଶନିବାର ହଠାତ ନବୀନ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସମର୍ଥନରେ ବିବୃତି ଦେଲେ । ପାଣ୍ଡିଆନ ବିଜେଡି ପାଇଁ ବହୁତ କିଛି କରିଛନ୍ତି । ସେ ନିର୍ବାଚନ ଲଢ଼ି ନାହାନ୍ତି । ତେଣୁ ବିଜେଡିର ବିପର୍ଯ୍ୟୟ ପାଇଁ ତାଙ୍କୁ ଦାୟୀ କରିବା ଦୁର୍ଭାଗ୍ୟଜନକ ବୋଲି ଏକ ବାର୍ତା ନିଜେ ନବୀନ ଦେବା ପରେ ବିଜେଡି ଭିତରେ ତିଆରି ହେଉଥିବା ବିଦ୍ରୋହ ସାମାନ୍ୟ ଦବିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଶନିବାର ସଂଧ୍ୟାରେ ବିଜେଡି ନେତା ପ୍ରଦୀପ ମାଝୀ ଗଣମାଧ୍ୟମରେ କହିଲେ ଯେ ବିଜେଡିର ଇଲେକ୍ସନ ଷ୍ଟ୍ରାଟେଜି ଫେଲ୍ ମାରିଲା । ମଂଚ ଉପରେ ବିଜେଡିର ସମସ୍ତ ନେତା ପ୍ରଚାର କରିପାରିଲେ ନାହିଁ । ବିଜେଡି ନିର୍ବାଚନୀ ଇସ୍ତାହାର ବାହାରିବାରେ ବିଳମ୍ବ ହେଲା । ବିରୋଧୀଙ୍କ ବିପକ୍ଷରେ ଯେଉଁ ନ୍ୟାରେଟିଭ ତିଆରି କରାଯିବା କଥା ତାହା ତିଆରି ହୋଇପାରିଲା ନାହିଁ । ବିଜେଡି କୁଆଡେ ଆଟାକିଂ ମୋଡରେ ନିର୍ବାଚନ ନ ଲଢ଼ି ଡିଫେନ୍ସିଭ୍ ୱେରେ ନିର୍ବାଚନ ଲଢ଼ିଲା । ତେଣୁ ଲୋକଙ୍କୁ ଲାଗିଲା ବିଜେଡିର ବିକଳ୍ପ ହେଉଛି ବିଜେପି । ତେଣୁ ବିଜେଡିକୁ ଏଭଳି ଶୋଚନୀୟ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା । ପ୍ରଦୀପ ମାଝୀଙ୍କର ଏସବୁ କଥା ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲା । ପୂର୍ବରୁ ବିଜୟୀ ପ୍ରାର୍ଥୀଙ୍କୁ ନବୀନ ନିବାସ ଡକାଯାଇଥିଲେ ବି ବିଜେଡି ନେତା ସନାତନ ମହାକୁଡ ବାହାନା କରି ଆସିନଥିଲେ । ନବୀନ ନିବାସରେ ମିଟିଂ ସରିବାପରେ କୁଆଡେ ସେ କେଉଁଝରରୁ ସେଦିନ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ତେଣୁ ଚର୍ଚ୍ଚା ହେଉଥିଲା ସନା ମହାକୁଡ଼ ବିଜେଡି ଭିତରେ ବିଦ୍ରୋହ ହେବାର ସଙ୍କେତ ଦେଲେ । ଆଉ ଏବେ ନିଜେ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ସପକ୍ଷରେ ବିବୃତି ଦେବା ପରେ ବିଜେଡି ନେତା ପ୍ରଦୀପ ମାଝୀ ଓଡ଼ିଶାର ଏକ ବଡ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ସାକ୍ଷାତକାର ଦେବା ଏହା ସୂଚାଉଛି ଯେ ବିଜେଡି ଭିତରେ ଏବେ କିଛି ଠିକ୍ ଠାକ୍ ଚାଲିନାହି । କେବଳ ଏତିକି ନୁହେଁ ସଞ୍ଜୟ ଦାସବର୍ମାଙ୍କୁ ସତ୍ୟବାଦୀରୁ ଟିକେଟ ଦେବା ବିଜେଡିର ଭୁଲ୍ ନିଷ୍ପତି ବୋଲି ଉମାଶଙ୍କର ପରୋକ୍ଷରେ କହିଲେଣି । ଯେଉଁ ନବୀନଙ୍କ କଥାକୁ ଆଦେଶ ପରି ମାନି ସମସ୍ତେ ପୂର୍ବରୁ ଚାଲୁଥିଲେ ଏବେକାର ପରାଜୟ ପରେ ବିଜେଡି ନେତାମାନେ ଖୋଦ୍ ନବୀନଙ୍କୁ ସିଧାସଳଖ ବିରୋଧ କରି ବିବୃତି ଦେବା ସ୍ପଷ୍ଟ କରୁଛି ଯେ ବିଜେଡି ଖୁବ୍ ଶୀଘ୍ର ଫାଳ ଫାଳ ହୋଇଯିବାର ସମ୍ଭାବନା ଅଧିକ । ପରାଜୟକୁ ସପ୍ତାହେ ନ ପୁରୁଣୁ ଯୁବ, ଛାତ୍ରଙ୍କ ଠାରୁ ଆରମ୍ଭ କରି ସନା ମହାକୁଡ ପରି ଟାଣୁଆ ନେତା ଓ ପ୍ରଦୀପ ମାଝୀଙ୍କ ପରି ନେତା ନବୀନଙ୍କୁ ସିଧା ସଳଖ ବିରୋଧ କରିବା ବିଜେଡି ପାଇଁ ଶୁଭଙ୍କର ନୁହେଁ ବୋଲି ସ୍ପଷ୍ଟ ହେଉଛି । ତେଣୁ ଯଦି ଏଭଳି ପ୍ରକ୍ରିୟା ଲାଗି ରୁହେ ତେବେ ଆଗାମୀ ଦିନରେ ବିଜେଡି ଫାଳ ଫାଳ ହୋଇ ଓଡ଼ିଶା ରାଜନୀତିରୁ ଯେ ଉଭେଇ ନ ଯିବ ତାହା କହିହେବ ନାହିଁ ।