ଭଦ୍ରକ: ଚଳିତ ନିର୍ବାଚନର ଫଳାଫଳ ପୁରା ଭଦ୍ରକ ଜିଲ୍ଲାକୁ ଚମକାଇ ଦେଇଛି । ବିଜେଡି ନେତା ବ୍ୟୋମକେଶ ଓ ସଞ୍ଜୀବ ମଲ୍ଲିକ ନିଜ ନିଜ ଗଡ ସମ୍ଭାଳିବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ଦୁଇ ପୁରୁଷ ଧରି ବାସୁଦେବପୁରରେ କ୍ଷମତାରେ ଥିବା ରାଉତରାୟ ପରିବାର ହାତରୁ କ୍ଷମତା କଂଗ୍ରେସ ପାଖକୁ ଯାଇଛି । ବିଜେଡିର ବିରଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ହରାଇବାରେ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ୧୯୯୦ ମସିହାରୁ କେବେ ବି ରିପିଟ୍ ହୋଇନଥିବା ଧାମନଗର ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଗତ ଉପ-ନିର୍ବାଚନରେ ବିଜୟ ଲାଭ କରିବା ସହ ଚଳିତ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ରାତି ୮ଟା ସୁଦ୍ଧା ନିର୍ବାଚନ କମିଶନଙ୍କ ଫଳାଫଳ ୱେବ୍ସାଇଟ୍ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର ୮୨,୨୮୨ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ ୪୩, ୫୫୭ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ବି ବିଜେପିର ବିଜୟ ପାଇଁ ସେ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ଧାମନଗର ବିଧାନସଭା କ୍ଷେତ୍ରରେ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ୧୯ରାଉଣ୍ଡ ଗଣତି ସୁଦ୍ଧା ୮,୦୯୫ ଖଣ୍ଡ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ଡା.ସଞ୍ଜୟ ଦାସଙ୍କ ଠାରୁ ଆଗରେ ଅଛନ୍ତି । ତେଣୁ ପୋଷ୍ଟାଲ ଭୋଟକୁ ମିଶାଇଲେ ସେ ନିଶ୍ଚିତ ବିଜୟୀ ହେବେ ବୋଲି ଜଣାଯାଇଛି । ଅନ୍ୟପଟେ ଧାମନଗରରେ କଂଗ୍ରେସ ପ୍ରାର୍ଥୀ ୧୯ ରାଉଣ୍ଡ ଗଣତି ସୁଦ୍ଧା ମାତ୍ର ୫୩୭୨ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି । ଅନ୍ୟପଟେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ବିଜେଡି ଭଣ୍ଡାରିପୋଖରୀରୁ ପ୍ରାର୍ଥୀ କରିଥିଲା । ସାରା ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ବେଳେ ସଞ୍ଜୀବ ନିଜର ବିଜୟ ସୁନିଶ୍ଚିତ କରି ଦଳର ସମ୍ପତ୍ତି ପାଲଟିଛନ୍ତି । ଗଣତି ସମୟରେ ୧୭ ରାଉଣ୍ଡ ପର୍ଯର୍୍ୟନ୍ତ ପଛରେ ରହୁଥିବା ସଞ୍ଜୀବ ହଠାତ ୧୮ ରାଉଣ୍ଡ ଓ ୧୯ ରାଉଣ୍ଡରେ କଂଗ୍ରେସ ବରିଷ୍ଠ ନେତା ନିରଞ୍ଜନଙ୍କୁ ଚକ୍ମା ଦେଇ ନିଜର ବିଜୟକୁ ସୁନିଶ୍ଚିତ କରିଛନ୍ତି । ବିଜେଡି ଛାଡି ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁଧାଂଶୁ ଶେଖର ନାୟକ ୩୮୯୫୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ବି ବିଜେଡିର ବନ୍ତ ବ୍ଲକରେ ଭୋଟ ବ୍ୟାଙ୍କକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ଯାହା ବିଜେଡିର ବିଜୟ ବ୍ୟବଧାନକୁ କମାଇଦେଇଛି । ସଞ୍ଜୀବ ମଲ୍ଲିକଙ୍କୁ ୨୦ ରାଉଣ୍ଡ ଗଣତି ସୁଦ୍ଧା ୭୨୪୪୭ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନଙ୍କୁ ୭୦,୮୯୬ଖଣ୍ଡ ଭୋଟ ମିଳିଛି । ସେହିପରି ଚାନ୍ଦବାଲି ବିଧାନସଭା କ୍ଷେତ୍ରରେ ବ୍ୟୋମକେଶ ରାୟ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ୧୯ ରାଉଣ୍ଡ ଗଣତି ସୁଦ୍ଧା ୧୯୯୨ ଖଣ୍ଡ ଭୋଟରେ ପଛରେ ପକାଇ ନିଜ ବିଜୟକୁ ସୁନିଶ୍ଚିତ କରିବେ ବୋଲି ଜଣାଯାଇଛି । ବାସୁଦେବପୁରରେ ବିଷ୍ଣୁବ୍ରତ ରାଉତରାୟ୨୦ ରାଉଣ୍ଡ ଗଣତି ସୁଦ୍ଧା ୬୨୦ଖଣ୍ଡ ଭୋଟରେ ପଛରେ ରହିଥିବାବେଳେ ତିନୋଟି ବୁଥର ଗଣତି ଭିଭିପ୍ୟାଟ୍ ଜରିଆରେ ହେବ ବୋଲି ଜଣାଯାଇଛି ।ସବୁଠୁ ଆଚମ୍ବିତ କଲା ଭଳି ଫଳାଫଳ ଦେଇଛି ଭଦ୍ରକ ଲୋକସଭା ଫଳାଫଳ । ବିଜେଡି ପ୍ରାର୍ଥୀନି ମଞ୍ଜୁଲତା ମଣ୍ଡଳୁ ରେକର୍ଡ ସଂଖ୍ୟକ ମାର୍ଜିନରେ ପରାଜିତ କରିବେ ବୋଲି ଜଣାଯାଇଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତି ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ୮୯୯୪୩ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ଯାହା ତାଙ୍କର ବିଜୟକୁ ସୁନିଶ୍ଚିତ କରିବ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ ୨,୨୦୫୩୬ ଖଣ୍ଡ ଭୋଟ ପାଇଥିବା ଜଣାଯାଇଛି ।

