ମୋଦି ଡରିଲେ, ରାହୁଲ ଖସିଲେ

Share

ଗତ ୧୦ ବର୍ଷ ଭିତରେ କୌଣସି ବି ଦଳ ଏକାସାଙ୍ଗରେ ୫୫ଜଣ ସାଂସଦ ନେଇ ଲୋକସଭାରେ ପ୍ରବେଶ ନ କରିପାରିବା ହେତୁ ସଂସଦରେ ବିରୋଧୀ ଦଳ ନେତା ନ ଥିଲେ । କିନ୍ତୁ ଗତ ୨୦୨୪ ନିର୍ବାଚନରେ କଂଗ୍ରେସ ୯୯ସିଟ୍ ଜିତି ନିଜ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା କରିଛି । ବିରୋଧୀ ଦଳ ନେତା ହିସାବରେ ଆରମ୍ଭରୁ ରାହୁଲ ବିବାଦୀୟ ବୟାନ ଦେଇ ପୁରା ଦେଶର ରାଜନୀତିକୁ ହଲଚଲ କରିଦେଇଛନ୍ତି । ଏହାକୁ ନେଇ କିଛି ଲୋକ ଖୁସି ହେଉଥିବାବେଳେ ଅନେକ ଦୁଃଖି ହୋଇଛନ୍ତି । ଖୁସି ହେଉଥିବା ଲୋକଙ୍କ ଭିତରେ ସେହିମାନେ ଅଛନ୍ତି ଯେଉଁମାନେ ଗଣତନ୍ତ୍ରରେ ଜଣେ ବିରୋଧୀକୁ ଖୋଜୁଥିଲେ । କାହିଁକି ନା ବିନା ବିରୋଧୀରେ ଗଣତନ୍ତ୍ର ତିଷ୍ଠିବା ଅସମ୍ଭବ । କିନ୍ତୁ ଏମାନଙ୍କ ଭିତରୁ ଅନେକ ଅଛନ୍ତି ଯେଉଁମାନେ ଭାରତୀୟ ଗଣତନ୍ତ୍ରରେ ବିରୋଧୀ ତ ଖୋଜୁଥିଲେ କିନ୍ତୁ ଏମିତି ଜଣେ ବିରୋଧୀ ଦଳ ନେତାଙ୍କୁ ଦେଖିବାକୁ ଚାହୁଁନଥିଲେ ଯିଏ ଅପରିପକ୍ୱ ଉକ୍ତି ସ୍ଥାପନ କରିବେ । ଜୁଲାଇ ୧ ତାରିଖରେ ସଂସଦରେ ମୋଦି-ରାହୁଲ ମୁହାଁମୁହିଁକୁ ନେଇ ପୁରା ଦେଶରେ ଏକ ଅଦ୍ଭୁତ ଚର୍ଚ୍ଚା ଦେଖିବାକୁ ମିଳୁଛି । ଯେହେତୁ ଦୀର୍ଘ ୧୦ବର୍ଷ ଧରି ବିରୋଧୀ ଦଳ ନେତା ନଥିଲେ ତେଣୁ ସଂସଦରେ ଏଭଳି ଚିତ୍ର ଦେଖିବାକୁ ମିଳୁନଥିଲା ବୋଲି କିଛି କହିଛନ୍ତି । ଆଉ ସେହି ଚିତ୍ରଟି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ନେତା ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରୁଛନ୍ତି । ଏଭଳି କିଛି ଉତର ମୋଦି ସେତେବେଳେ ରଖିଛନ୍ତି ଯେତେବେଳେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ତାଙ୍କୁ ନରେନ୍ଦ୍ର ମୋଦି ନମସ୍କାର କଲେ ନାହିଁ । ୧୦ବର୍ଷରେ ସଂସଦରେ ମଜବୁତ୍ ବିରୋଧୀ ଦଳ ରହିବା ଗଣତନ୍ତ୍ର ପାଇଁ ଶୁଭଙ୍କର ହେଲେ ବି ବିରୋଧୀ ଦଳ ନେତା ଯଦି ଏକ ବଡ ରାଜନୀତି କରିବାକୁ ଯାଇ କ୍ଷମତାରେ ଥିବା ସରକାରଙ୍କୁ ଘେରିବାକୁ ଯାଇ ଏକ ବଡ ସମୁଦାୟ ଟାର୍ଗେଟ କରନ୍ତି ତେବେ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ନରେନ୍ଦ୍ର ମୋଦିଙ୍କ ୪୦୦ ପାର ନାରାକୁ ଭାରତୀୟ ଭୋଟର ବହିଷ୍କାର କରିବା ପଛରେ ଅନେକ କାରଣ ରହିଛି । କିନ୍ତୁ ସେ ସବୁ କାରଣକୁ କେନ୍ଦ୍ରିତ ନ କରି ଯଦି କଂଗ୍ରେସ ହିନ୍ଦୁତ୍ୱକୁ ଟାର୍ଗେଟ କରେ ହୁଏତ ପୂର୍ବପରି କଂଗ୍ରେସ ପୁଣି ତଳକୁ ତଳକୁ ଯାଇପାରେ । କାହିଁକି ନା ପୂର୍ବରୁ ରାହୁଲଙ୍କ ଭାଷଣରେ ଅପରିପକ୍ୱତା ପାଇଁ ସେ ଦେଶର ଜଣେ ଟାଣୁଆ ନେତା ରୂପେ ଉଭା ହୋଇପାରିନାହାନ୍ତି । ଯଦି ୨୦୨୪ର ସୁଯୋଗକୁ ସେ ଠିକ୍ ସେ ଉପଯୋଗ ନ କରିପାରିବେ ତେବେ ସେ ପୂର୍ବସ୍ଥିତିକୁ ଯେ ଫେରି ନଯିବେ ତାହା କହିହେବ ନାହିଁ । ଏସବୁ କହିବା ପଛର କାରଣ ହେଉଛି ରାହୁଲ ସଂସଦରେ କହିଲେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ୨୪ଘଂଟା ହିଂସା, ଘୃଣା ଓ ଅସତ୍ୟରେ ସାମିଲ ଅଛନ୍ତି । ଏତିକି କହିବା ମାତ୍ରକେ ବିଜେପି ନେତାମାନେ ଛିଡା ହୋଇ ରାହୁଲଙ୍କ ଏହି ବୟାନକୁ ପ୍ରବଳ ବିରୋଧ କରିଥିଲେ । ଏହାପରେ ରାହୁଲ ହିନ୍ଦୁଧର୍ମକୁ ଅନେକ କିଛି କହିବା ପରେ ବିଜେପି ପ୍ରକୃତ ହିନ୍ଦୁ ନୁହେଁ ବୋଲି କହିଥିଲେ । କିନ୍ତୁ ପ୍ରଥମେ ସେ ଯେଉଁ ଧାଡିଟି କହିଲେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ୨୪ଘଂଟା ହିଂସା, ଘୃଣା ଓ ଅସତ୍ୟ କହିବାରେ ଲିପ୍ତ ରହୁଛନ୍ତି, ଏହା ନିଶ୍ଚିତରୂପେ ପ୍ରତ୍ୟେକଟି ହିନ୍ଦୁଙ୍କ ମନରେ କୁଠାରଘାତ କରିବ । ଯଦି ରାହୁଲ ଗାନ୍ଧୀ ବିଜେପିରେ ଥିବା ହିନ୍ଦୁଙ୍କ କଥା କହିଥାନ୍ତେ ହୁଏତ ଏହା କେତେକ ହିନ୍ଦୁ ଗୋଷ୍ଠୀଙ୍କୁ ଇଙ୍ଗିତ କରିଥାନ୍ତା । କିନ୍ତୁ ବିରୋଧୀ ଦଳ ନେତା ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ଥାଇ ପୁରା ହିନ୍ଦୁ ସମାଜକୁ ଏପରି କହିବା ନିଶ୍ଚିତ ଭାବେ ଗ୍ରହଣୀୟ ହେବେ ନାହିଁ । କଂଗ୍ରେସ ରାହୁଲଙ୍କୁ ନିଜର ନେତା ବାଛିବା ପରଠାରୁ ତାଙ୍କର ପରିପକ୍ୱତା କଂଗ୍ରେସ ଦଳ ଉଠିପାରୁନଥିବା ଚର୍ଚ୍ଚା ହୋଇଆସୁଛି । ଆଉ ଯଦି ରାହୁଲ ବାରମ୍ବାର ଏଭଳି ଅପରିପକ୍ୱ ଭାବେ ବିବୃତି ଦେବେ ତେବେ ଆଗକୁ ଯେ କଂଗ୍ରେସ ଦୁର୍ବଳ ନ ହେବ ତାହା କହିହେବ ନାହିଁ । ଅନ୍ୟପଟେ ଦୀର୍ଘ ୧୦ବର୍ଷ ଧରି ବିନା ବିରୋଧୀ ଦଳ ନେତାରେ ଶାସନ କରୁଥିବା ମୋଦି ସରକାର ରାହୁଲଙ୍କର ଏଭଳି ଆକ୍ରମଣରେ ଭୟଭୀତ ହୋଇଥିବା ପରି ଲାଗୁଛି । ମୋଦି କହିଛନ୍ତି ପୁରା ହିନ୍ଦୁ ସମାଜକୁ ଏଭଳି କହିବା ଏକ ଗମ୍ଭୀରତାର ବିଷୟ ଅଟେ । ତେଣୁ ଜୁଲାଇ ୧ ତାରିଖ ଘଟଣାରେ ମୋଦି ବିରୋଧୀ ଦଳର ଆକ୍ରମଣରେ ଭୟଭୀତ ହୋଇଥିଲେ ବି ରାହୁଲ ନିଜର ଅପରିପକ୍ୱ ବକ୍ତବ୍ୟ ପାଇଁ ଆଗକୁ ତଳକୁ ତଳକୁ ଖସିବାର ଆଶଙ୍କା ସୃଷ୍ଟି ହୋଇଛି ।