କିଏ ସେ ନୂଆଁ ମୁହଁ?

Share

ଭଦ୍ରକ: ସାଧାରଣ ନିର୍ବାଚନକୁ ମାସ କେଇଟା ବାକି ଥିବା ବେଳେ ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଦଳର ବରିଷ୍ଠ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ ରାଜ୍ୟ ରାଜନୀତିରେ ହଟଚମଟ ସୃ୍‌ଷ୍ଟି କରିଥଲା । କିନ୍ତୁ ଏହି ହଟଚମଟ ବିରୋଧୀଙ୍କ ଅପେକ୍ଷା ଶାସକ ଦଳରେ ଅଧିକ ଦେଖାଯାଇଥିଲା । କାହିଁକି ଏ ଇଡି ରେଡ ? ଏହି ରେଡ ପଛରେ ମାଷ୍ଟର ମାଇଣ୍ଡ କିଏ ? ଗତ ୧୫ ତାରିଖ ଦିନ ଏକାସାଙ୍ଗରେ ୧୦ଟି ସ୍ଥାନରେ ଇଡି ରେଡ କରିଥିଲା । ଇଡି ରେଡ ଚାଲିଥିବା ବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ଶାସକ ଦଳର ଜଣେ ବରିଷ୍ଠ ନେତାଙ୍କ ଘରେ ଇଡି ରେଡ ପଛର ରହସ୍ୟ କ’ଣ ? ଇଡି ରେଡ ସାରି ଯିବା ପରେ ମିଡିଆ ସାମ୍ନାକୁ ଆସି ନିଜେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ଯାହା କହିଲେ ସେଥିରେ ସମସ୍ତେ ଚକିତ ହୋଇଯାଇଥିଲେ । ପ୍ରଫୁଲ୍ଲଙ୍କ ବିରୁଦ୍ଧରେ ତାଙ୍କ ଦଳର ଲୋକ ଷଡଯନ୍ତ୍ର କରୁଛନ୍ତି ବୋଲି ସ୍ପଷ୍ଟ ବାରି ହୋଇପଡ଼ିଥିଲା । ତାଙ୍କ ସିଟ୍‌ରେ ଆଉ କେହି ଛିଡା ହେବାକୁ ଯୋଜନା କରୁଛନ୍ତି ବୋଲି ତାଙ୍କ କଥାରୁ ସ୍ପଷ୍ଟ ବାରି ହେଉଥିଲା । ତାଙ୍କ ଲୋକପ୍ରିୟତାକୁ କଳଙ୍କିତ କରି ତାଙ୍କ ସିଟ୍‌କୁ ହାତେଇବାକୁ ଯୋଜନା ହେଉଥିବା କହି ପ୍ରଫୁଲ୍ଲ ନିଜେ ସ୍ପଷ୍ଟ କରିଦେଲେ ଯେ ଆଗାମୀ ନିର୍ବାଚନରେ ଭଣ୍ଡାରିପୋଖରୀ ସିଟ୍‌ରେ ତାଙ୍କୁ ଲଢ଼ିବାକୁ ସୁଯୋଗ ଦିଆଯାଇନପାରେ । ସେପଟେ ପ୍ରଫୁଲ୍ଲଙ୍କ ପରି ଜଣେ ବିରଷ୍ଠ ଓ ଅଭିଜ୍ଞ ରାଜନେତା ହଠାତ ପ୍ରତିକ୍ରିୟାଶୀଳ ହୋଇ ଏଭଳି ମନ୍ତବ୍ୟ ଦେବାକୁ ତାଙ୍କରି ଦଳର ନେତା ନାପସନ୍ଦ କରିଥିଲେ । ଯେ ଯାହା ବି ହେଉ ଯଦି ଭଣ୍ଡାରିପୋଖରୀ ସିଟ୍‌ରେ ପ୍ରଫୁଲ୍ଳଙ୍କ ଟିକେଟ କଟୁଛି ତେବେ ସେଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ । ଏହାକୁ ନେଇ କେବଳ ଭଣ୍ଡାରିପୋଖରୀ ନୁହଁ ସମ୍ପୂର୍ଣ୍ଣ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଧାମନଗର ଉପ-ନିର୍ବାଚନ ପରେ ଭଦ୍ରକ ଜିଲ୍ଲାର ରାଜନୀତି ଉପରେ ସାରା ରାଜ୍ୟର ନଜର ରହିଛି । ବିଜେଡି ଧାମନଗର ଉପ-ନିର୍ବାଚନ ହାରିବା ପରେ ଭଦ୍ରକ ଜିଲ୍ଲାକୁ ଦଳ ସ୍ୱତନ୍ତ୍ର ନଜରରେ ରଖିଛି । ତେଣୁ ଆଗାମୀ ନିର୍ବାଚନ ପାଇଁ ବିଜେଡି ଦଳୀୟ ଟିକେଟ ବହୁ ସତର୍କତା ସହ ବାଂଟିବ । ଚର୍ଚ୍ଚା ହେଉଛି ଭଦ୍ରକ ନିର୍ବାଚନମଣ୍ଡଳୀରେ ବର୍ତମାନର ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସ୍ଥିତି ସେତେଟା ଭଲ ନାହିଁ । କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଭଦ୍ରକର ଟାଣୁଆ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ଓରଫ ବୁଲୁ ପଟ୍ଟନାୟକ ବିଜେଡିରେ ଥାଇ ବି ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ତୀବ୍ର ବିରୋଧ କରିଆସୁଛନ୍ତି । ସେ ବି ଦଳୀୟ ଟିକେଟ ପାଇଁ ଆଶାୟୀ । ସେପଟେ ତାଙ୍କର ଏକାନ୍ତ ଅନୁଗତ ଗୁଲମକ୍କୀ ହବିବ୍ ବର୍ତମାନ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଅଛନ୍ତି । ତେଣୁ ବିଜେଡି ଭୋଟବ୍ୟାଙ୍କକୁ ଗୁରୁତର ଭାବେ ପ୍ରଭାବିତ କରିବାର କ୍ଷମତା ଅସିତ୍ ପଟ୍ଟନାୟକଙ୍କ ପାଖରେ ରହିଛି । ତେଣୁ ବିଜେଡି ହୁଏତ ସଞ୍ଜୀବ ମଲ୍ଲିକଙ୍କୁ ଭଦ୍ରକରୁ ପ୍ରାର୍ଥୀ ନ କରି ଅନ୍ୟ ନିର୍ବାଚନମଣ୍ଡଳୀକୁ ଠେଲିଦେଇପାରେ । କାରଣ ଦଳ ଭିତରେ ସଞ୍ଜୀବ ଓ ତାଙ୍କ ପରିବାରର ସଦସ୍ୟଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯଦି ସଞ୍ଜୀବଙ୍କୁ ଭଦ୍ରକ ବ୍ୟତୀତ ଅନ୍ୟ କେଉଁଠୁ ଟିକେଟ ଦିଆଯାଏ ତେବେ ସେହି ତାଲିକାରେ ସର୍ବାଗ୍ରେ ଭଣ୍ଡାରିପୋଖରୀ ଆସୁଛି । କିନ୍ତୁ ଏହି ଚର୍ଚ୍ଚା ପଛରେ ସେତେଟା ଠୋସ୍ କାରଣ ରାଜନୈତିକ ସମୀକ୍ଷକଙ୍କୁ ଦେଖାଯାଉନଥିବା ଶୁଣିବାକୁ ମିଳୁଛି । ସେହିପରି ଯଦି ବିଜେପି ଆଗାମୀ ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ଦିଏ ତେବେ ନିଶ୍ଚିତ ବିଜେଡି ଏହି ଫର୍ମୁଲାକୁ ଆପଣାଇନେବ । ଯଦି ଏଭଳି ସ୍ଥିତି ହୁଏ ତେବେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ମହିଳା ନେତ୍ରୀ ସୁଜାତା ଜେନାଙ୍କ ନାଁ ସବୁଠୁ ଆଗରେ ଆସିବ । ସୁଜାତା ବିଜେଡିରେ ଏବେ ବେଶ୍ ସକ୍ରିୟ ଅଛନ୍ତି । ବିଜେଡିର କ୍ଷମତାକେନ୍ଦ୍ର ସହ ତାଙ୍କର ବେଶ୍ ଭଲ ସମ୍ପର୍କ ବି ଅଛି । ସେ ବି ଟିକେଟ ପାଇଁ ଦୀର୍ଘଦିନ ଧରି ଲବିରେ ଅଛନ୍ତି । କିନ୍ତୁ ଭଣ୍ଡାରିପୋଖରୀରେ ଜଣେ ନୂଆ ମୁହଁକୁ ଦଳ ପ୍ରାର୍ଥୀ କରିବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଥିବା ତାଙ୍କରି ଦଳର ଅନେକ ବରିଷ୍ଠ ତଥା କ୍ଷମତାକେନ୍ଦ୍ର ସହ ଜଡିତ ନେତାଙ୍କ କଥାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଆଉ ଏହି ତାଲିକାରେ କିଛି ନେତା ଓ ଅବସରପ୍ରାପ୍ତ ଅଫିସରଙ୍କ ନାଁକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଧାମନଗରର ଅଶୋକ ନାୟକ, ରାଜଧାନୀର ପ୍ରଭାବଶାଳୀ ନେତାମନ୍ତ୍ରୀଙ୍କ ଅତି ଘନିଷ୍ଠ ଥିବା ପାର୍ଥସାରଥି ମୁଦୁଲିଙ୍କ ସମେତ ବାଲେଶ୍ୱର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ରମେଶ ରାଉତଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି । ଜିଲ୍ଲା ସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣର୍ ଦଳୀୟ ଆଲୋଚନାରେ ଦୀର୍ଘଦିନ ଧରି ଅଶୋକ ନାୟକଙ୍କୁ ଦେଖିବାକୁ ମିଳୁଥିବାରୁ ହୁଏତ ସେ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥାଇପାରନ୍ତି । ଏହା ବ୍ୟତୀତ ଯାଜପୁରର କୌଣସି ଜଣେ ଟାଣୁଆ ନେତା କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ବି ସାଧାରଣରେ ଚର୍ଚ୍ଚା ହେଉଛି । ଯଦିଓ ଏହି ଚର୍ଚ୍ଚା ପଛରେ ସେମିତି କିଛି ଠୋସ୍ କାରଣ ଦେଖାଯାଉନାହିଁ । ତେଣୁ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ନୂଆଁ ମୁହଁ ପ୍ରାର୍ଥୀ ହେବା ନିଶ୍ଚିତ । ସବୁଠୁ ବଡ଼ କଥା ହେଉଛି ଭଣ୍ଡାରିପୋଖରୀରେ କାହିଁକି ବିଜେଡି ନୂଆଁ ମୁହଁ ଆଣିବ । ଲଗାତାର ତିନି ତିନି ଥର ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଳ ସାମଲ ଏଠାରୁ ଭଲ ମାର୍ଜିନରେ ଜିତିଆସୁଥିଲେ ବି ଦଳ କାହିଁକି ତାଙ୍କୁ ଏଠାରୁ ବିଦା କରିବାକୁ ଚାହୁଁଛି । ଏହା ପଛର କାରଣ ଜାଣିବା ନିହାତି ଦରକାର । ଗତ ପଂଚାୟତ ନିର୍ବାଚନରୁ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଦାୟିତ୍ୱ ନିଜେ ପ୍ରଫୁଲ୍ଲ ସାମଲ ନ ନେଇ ସେ ତାଙ୍କ ପୁତ୍ର ହାତରେ ପୁରା ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦେଇଛନ୍ତି । ନିର୍ବାଚନମଣ୍ଡଳୀର ଦୁଇଟି ବ୍ଲକ ଭଣ୍ଡାରିପୋଖରୀ ଓ ବନ୍ତ ମଧ୍ୟରୁ ବନ୍ତ ବ୍ଲକର ସମସ୍ତ ଦଳୀୟ ଦାୟିତ୍ୱ ନାଟ୍ୟକାର ସୁଧାଂଶୁ ନାୟକଙ୍କ ହାତରେ ଥିଲା । ପଂଚାୟତ ନିର୍ବାଚନ ପୂର୍ବରୁ ସୁଧାଂଶୁ ଓ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତ ସାମଲ ଓରଫ ଲୁଲୁ ସାମଲଙ୍କ ମଧ୍ୟରେ ମତଭେଦ ହେବାରୁ ଲୁଲୁ ତାଙ୍କୁ ପଂଚାୟତ ନିର୍ବାଚନରେ ହରାଇବା ସହ ତାଙ୍କୁ ଦଳରୁ ବିଦା କରିଥିଲେ । ଫଳରେ ସୁଧାଂଶୁ ବିଜେଡି ଛାଡି ବିଜେପିରେ ମିଶିଗଲେ । ଯେହେତୁ ଦୀର୍ଘଦିନ ଧରି ସୁଧାଂଶୁ ବନ୍ତ ବ୍ଲକରେ ବିଜେଡିର ମଙ୍ଗ ଧରିଥିଲେ ତେଣୁ ବିଜେଡି ପାଇଁ ଆଗାମୀ ଦିନରେ ସୁଧାଂଶୁ କାଳ ହେବାର ସମ୍ଭାବନା ଥିଲା । ଅନ୍ୟପଟେ ସୁଧାଂଶୁ ବିଜେଡି ଦଳକୁ ନୁହଁ କେବଳ ବିଧାୟକ ପ୍ରଫୁଲ୍ଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିକୁ ବିରୋଧ କରୁଥିବା କହିଆସୁଥିଲେ । ଯଦି ବିଜେଡି ଦଳ ପ୍ରଫୁଲ୍ଲ କିମ୍ବା ତାଙ୍କ ପୁଅଙ୍କୁ ଦଳ ଟିକେଟ ନ ଦିଏ ତେବେ ସୁଧାଂଶୁ ନାୟକ ବିଜେଡିକୁ ଫେରିଆସିବେ ବୋଲି ତାଙ୍କର ଅତି ନିକଟତର କହିବୁଲୁଥିବା ଶୁଣିବାକୁ ମିଳୁଛି ।ଅନ୍ୟପଟେ ବିଧାୟକଙ୍କ ପୁଅ ନିର୍ବାଚନମଣ୍ଡଳୀରେ କେବଳ ଯୁବ ନେତୃତ୍ୱଙ୍କୁ ଗୁରୁତ୍ୱ ଦେଉଥିବାବେଳେ ଦଳର ପୁୁରୁଖା ତଥା ବିରଷ୍ଠ ନେତାଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହୋଇଆସୁଥିଲା । ଏପରିକି ପୁରା ଜିଲ୍ଲାର ରାଜନୀତିରେ ହସ୍ତକ୍ଷେପ କରିବା ସହ ଅନ୍ୟମାନଙ୍କୁ ଗୌଣ କରିବାକୁ ଚେଷ୍ଟା କରାଯାଉଥିଲା ବୋଲି ସାମଲ ପରିବାର ବିରୋଧରେ ଅଭିଯୋଗ ଥିଲା । ବିଶେଷ କରି ଭଦ୍ରକ ନିର୍ବାଚନମଣ୍ଡଳୀରେ ସାମଲ ପରିବାର ହସ୍ତକ୍ଷେପ କରୁଥିବାର ଚର୍ଚ୍ଚା ବି ହେଉଥିଲା । ଏସବୁ ରିପୋର୍ଟ ଦଳ ସର୍ଭେ ମାଧ୍ୟମରେ ହାସଲ କରିଥିବା ଶୁଣିବାକୁ ମିଳୁଛି । ସେହିପରି ଗତ ନିର୍ବାଚନରେ ଦୁଇଟି ସ୍ଥାନରୁ ଛିଡା ହୋଇ ବି ପୂର୍ବତନ ପିସିିସି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀରେ ମାତ୍ର ୮୮୫୯ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ତାଙ୍କର ବୟସାଧ୍ଚଳ ସତ୍ୱେ ସେ ଆଗାମୀ ନିର୍ବାଚନ ପାଇଁ ଏଠାରେ ବେଶ୍ ତତ୍ପର ଥିବାରୁ ବିଜେଡି ଏହି ନିର୍ବାଚନମଣ୍ଡଳୀର ସମସ୍ତ ଦଳୀୟ କନ୍ଦଳ ତଥା ଆଂଟଇନକମ୍ବେନ୍ସିଂ ଫ୍ୟାକ୍ଟରକୁ ଗୁରୁତ୍ୱ ଦେଇ ନୂଆଁ ମୁହଁ ଆଣିବାକୁ ଚାହୁଁଛି ବୋଲି ଚର୍ଚ୍ଚା ହେଉଛି । ସେପଟେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲ ଯେମିତି ଦଳୀୟ ନିଷ୍ପତିରେ ବାଧା ନ ହୁଅନ୍ତି ସେଥିପାଇଁ ବି ଯୋଜନା କରୁଥିଲା ବୋଲି ଏବେ ସ୍ପଷ୍ଟ ହେଉଛି । ଏଭଳି ଘଡିସନ୍ଧି ମୁହୂର୍ତରେ ରାଜ୍ୟପାଳ ଭଦ୍ରକ ଗସ୍ତରେ ଆସିଥିବାବେଳେ ବରପଦା ଅଙ୍ଗନୱାଡି ପରିଦର୍ଶନ କରିବା ଓ ସେଠାରେ ବରପଦା ଇଞ୍ଜିନିୟରିଂ କଲେଜର ଆନ୍ଦୋଳନରତ କର୍ମଚାରୀ ତାଙ୍କୁ ଭେଟି ଶାଷ୍ଟାଙ୍ଗ ପ୍ରଣିପାତ କରି ଅଶ୍ରୁଭରା ଆବେଦନ କରିବା ଘଟଣା ସାମଲ ପରିବାର ପାଇଁ ପାହାଡ ପାଲଟିଯାଇଥିଲା । ମହାମହିମ ରାଜ୍ୟପାଳ ବରପଦା ଇଞ୍ଜିନିୟରିଂ କଲେଜ ଘଟଣାରେ ହସ୍ତକ୍ଷେପ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଯାଇ ବିଜେଡି ମହାମହିମଙ୍କୁ ଖୁସି କରିବା ସହ ଦଳର କଂଟାକୁ ଆୟତ କରିନେଇଥିବା ଚର୍ଚ୍ଚା ହେଉଛି । ଏବେ କେବଳ ଅପେକ୍ଷା କିଏ ସେ ନୂଆ ମୁହଁ ?