ପୂର୍ବତନ ପିସିସି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ । ଏନେଇ ବିଧିବଦ୍ଧଭାବେ କଂଗ୍ରେସ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଲଢ଼ିବେ କି ନାହିଁ ତାହାକୁ ନେଇ ପୁରା ନିର୍ବାଚନମଣ୍ଡଳୀରେ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ତାହାର ପୂର୍ଣ୍ଣଛେଦ ପଡ଼ିଛି । ନିଜେ ନିରଞ୍ଜନ ଗତ ସପ୍ତାହରେ ଗଣମାଧ୍ୟମରେ କହିଥିଲେ ଯେ ତାଙ୍କ ବିରୁଦ୍ଧରେ ଅପପ୍ରଚାର କରାଯାଉଛି । ସେ ଅସୁସ୍ଥ ଅଛନ୍ତି ଆଉ ନିର୍ବାଚନ ଲଢ଼ିବେ ନାହିଁ ଅପପ୍ରଚାର କରିଥିବା ଗୋଷ୍ଠୀକୁ ସେ ଆଗାମୀ ଦିନରେ କଡା ଜବାବ ଦେବେ ବୋଲି ଟିପ୍ପଣୀ କରିଛନ୍ତି । କିନ୍ତୁ ନିରଞ୍ଜନଙ୍କୁ ଏତେ ଭୟ କାହିଁକି । କ’ଣ ନିରଞ୍ଜନ ନିର୍ବାଚନ ଜିତିବାକୁ ଯାଉଛନ୍ତି । ନା ଆଉ କିଛି । ଏସବୁକୁ ନେଇ ଆଜି ଆମର ଏହି ଚର୍ଚ୍ଚା ।ଗତ ୨୦୧୯ ନିର୍ବାଚନରେ ଦୁଇ ଭେଟେରାନଙ୍କ ମଧ୍ୟରେ ଏଠାରେ କଡା ଟକ୍କର ହୋଇଥିଲା । ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ପୂର୍ବତନ ପିସିସି ନିରଞ୍ଜନଙ୍କୁ ମାତ୍ର ୮,୮୫୯ଖଣ୍ଡ ଭୋଟରେ ପରାଜିତ କରି ବିଜୟୀ ହୋଇଥିଲେ । କିନ୍ତୁ ଏହି ମାର୍ଜିନ ବିଜେଡି ପାଇଁ ଏକ ସତର୍କ ଘଂଟିଥିଲା । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ଲୋକପ୍ରିୟତା କମୁଥିବା ତଥ୍ୟ କହୁଛି । ବିଜେଡି କ୍ଷମତାରେ ଥାଇ ବି ୨୦୧୪ରେ ଯେଉଁ କଂଗ୍ରେସ ମାତ୍ର ୨୩% ଭୋଟ ପାଇଥିଲା ନିରଞ୍ଜନଙ୍କ ଆଗମନରେ ୨୦୧୯ରେ ଏହି ଭୋଟ ପ୍ରତିଶତ ୩୫% ପାର କରିଯାଇଥିଲା । ଅନ୍ୟପଟେ ବିଜେପି ବି ୨୦୧୪ ମାତ୍ର ୧୮% ଭୋଟ ପାଇଥିବା ବେଳେ ୨୦୧୯ରେ ୨୨% ଭୋଟ ହାତେଇନେଥିଲା । ଭଭୟ କଂଗ୍ରେସ ବହୁମାତ୍ରାରେ ଓ ବିଜେପି ଅଳ୍ପ ମାତ୍ରାରେ ବୃଦ୍ଧି କରିଥିବାବେଳେ ବିଜେଡି ୨୦୧୪ ତୁଳନାରେ ୫% ଭୋଟ ହରାଇବସିଲା । ଏହି ଗଣିତ ଦୀର୍ଘଦିନ ଧରି ବିଜେଡିକୁ ଚିନ୍ତାରେ ରଖିଥିଲା । ଯେଉଁଥି ପାଇଁ ଅନ୍ୟ କିଛି ବିକଳ୍ପ ନ ପାଇଁ ପ୍ରାର୍ଥୀ ଅଦଳବଦଳ କରିଛି ବିଜେଡି । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ କରି ପ୍ରଫୁଲ୍ଲଙ୍କୁ ଭଦ୍ରକରୁ ପ୍ରାର୍ଥୀ କରାଯାଇଛି । କିନ୍ତୁ ଭଣ୍ଡାରିପୋଖରୀ ଓ ଭଦ୍ରକ ରାଜନୀତି ନେତା ପରିବର୍ତନରେ ଯେ ସେତେଟା ପ୍ରଭାବୀ ହେବ ନାହିଁ ଏହା ଏକ ପ୍ରକାର ସ୍ପଷ୍ଟ । କାହିଁକି ନା ଦୁଇଟି ଯାକ ନିର୍ବାଚନମଣ୍ଡଳୀ ଲଗାଲଗି ହୋଇ ରହିଥିବାରୁ ଉଭୟ ନିର୍ବାଚନମଣ୍ଡଳୀର ରାଜନୀତି ଉପରେ ପ୍ରାୟ ସମସ୍ତେ ଉଣା ଅଧିକେ ଅବଗତ । ଭଦ୍ରକ ରାଜନୀତିରେ ବିଧାୟକ ସଞ୍ଜୀବ ମଲ୍ଲିକ ଓ ପୂର୍ବତନ ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା । ଆଉ ଏହି ବିବାଦ କେବଳ ଭଦ୍ରକ ନିର୍ବାଚନମଣ୍ଡଳୀରେ ସିମୀତ ନ ରହି ପୁରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲା । ସେହିପରି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଳ ସାମଲଙ୍କ ଘରେ ଇଡି ରେଡ ପୁରା ରାଜ୍ୟନୀତିକୁ ଦୋହଲାଇ ଦେଇଥିଲା । ତେଣୁ ପ୍ରାର୍ଥୀ ବଦଳ ସେତେଟା ଫାଇଦା ଦେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ନିରଞ୍ଜନ ପଟ୍ଟନାୟକ ୨୦୧୯ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ୁଥିବାରୁ ଭଣ୍ଡାରିପୋଖରୀରେ ଅଧିକ ଫୋକସ କରିପାରିନଥିଲେ । କିନ୍ତୁ ଏଥର ସେ ଗୋଟିଏ ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟପଟେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ସାଂସଦ ସିଟ୍ରେ ଏଥର ଲଢ଼ୁନାହାନ୍ତି । ସେ ଚଳିତ ନିର୍ବାଚନରେ ନିଜ ବାପା ନିରଞ୍ଜନଙ୍କ ପାଇଁ ମଇଦାନରେ ରହିବେ । ସେହିପରି ବିଜେଡି ଭିତରେ ବିଦ୍ରୋହ କରିଥିବା ନିରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ଭଣ୍ଡାରିପେଖାରୀରେ ନିଜର ବଳ ପ୍ରଦର୍ଶନ କରିପାରନ୍ତି । ସୌମ୍ୟରଞ୍ଜନ, ନବଜ୍ୟୋତିଙ୍କ ଭଳି ଟାଣୁଆ ନେତା ଯଦି ନିରଞ୍ଜନଙ୍କ ସହ ପୁରା ନିର୍ବାଚନରେ ସହଯୋଗ କରିବେ ତେବେ ନିର୍ବାଚନ ଯେ କଡ ଲେଉଟାଇବ ନାହିଁ ଏହା କହିହେବ ନାହିଁ । ଅନ୍ୟପଟେ ବୁଥୱାରୀ ତଥ୍ୟ କହୁଛି ଗତ ନିର୍ବାଚନରେ କଂଗ୍ରେସ ୯୦ରୁ ଅଧିକ ବୁଥ୍ରେ ବିଜେଡିକୁ ପଛରେ ପକାଇଦେଇଥିଲା । ସେହିପରି ଅନ୍ୟ ୬୦ଟି ବୁଥ୍ରେ କଂଗ୍ରେସ ବିଜେଡିଠାରୁ ମାତ୍ର ୫୦ଖଣ୍ଡରୁ କମ୍ ଭୋଟରେ ପଛରେ ରହିଥିଲା । ସେହିପରି ବିଜେପି ତୃତୀୟ ସ୍ଥାନରେ ରହୁଥିଲେ ବି ୩୪ଟି ବୁଥ୍ରେ ବିଜେପି ବିଜେଡିଠାରୁ ଆଗରେ ରହିଥିଲା । ଏହି ନିର୍ବାଚନମଣ୍ଡଳୀର ବନ୍ତ ବ୍ଲକ ବିଜେଡିର ତୁଙ୍ଗ ନେତା ସୁଧାଂଶୁ ନାୟକ ବିଜେଡି ଛାଡି ଏବେ ବିଜେପି ଶିବିରରେ ଥିବାରୁ ଆହୁରି ଅଧିକ କିଛି ବୁଥ୍ରେ ବିଜେପି ବି ବାଜିମାତ କରିବାର ସମ୍ଭାବନା ରହୁଛି । ତେଣୁ ମୋଟ ୨୫୯ଟି ବୁଥ୍ରୁ ଶାସକ ବିଜେଡି ଅର୍ଦ୍ଧାଧିକ ବୁଥ୍ରେ ପଛରେ ରହିବାର ସମ୍ଭାବନା ରହିଛି । ତେଣୁ କିଏ ତ୍ରିୁମୁଖୀ ଲଢ଼େଇ ହେବା ଏକପ୍ରକାର ନିଶ୍ଚିତ । ତେଣୁ କିଏ ବିଜୟ ଲାଭ କରିବ ତାହା ଏବେ କହିବା ଏକପ୍ରକାର ଅସମ୍ଭବ ।

