ଦିନେ ପିସିସି ମୁଖିଆ ଥିବା ଜୟଦେବ ୨୦୧୯ରେ ମାତ୍ର ୪୫ହଜାର ଅର୍ଥାତ ୨୭%ଭୋଟରେ ସୀମିତ ହୋଇଯାଇଥିଲେ । ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ଚାରି ଚାରି ଥର ବିଧାୟକ ହୋଇଥିବା ଜୟଦେବଙ୍କ ସ୍ଥିତି ଆଗାମୀ ନିର୍ବାଚନରେ ସୁଧୁରିବ ନା ପୂର୍ବପରି ରହିବ । ଆମେ କହୁଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀ କଥା । ଆନନ୍ଦପୁର ବ୍ଳକର ୧୮ଟି ପଂଚାୟତ, ଆନନ୍ଦପୁର ପୌରପାଳିକା ୧୬ଟି ୱାର୍ଡ ଓ ହାଟଡିହି ବ୍ଲକର ୩୧ଟି ପଂଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ । ୨୦୦୯ରୁ ସଠିକ୍ ରଣକୌଶଳ କରି ଏହି ଗଡକୁ ନିଜ କବ୍ଜାରେ ରଖିଥିବା ବିଜେଡି ଏଥର ଏହି ସିଟ୍କୁ ନିଜ ହାତରେ ରଖିବାକୁ କେତେ ସକ୍ଷମ ହେବ । କାହିଁକି ନା ଗତ ୨୦୧୯ର ଦଳଡିଆଁ ନୀତିରେ ବିଜେଡି ଯେଉଁ ଫାଇଦା ପାଇଥିଲା ସେହି ଦଳଡ଼ିଆଁ ଏବେ ଦଳୀୟ କନ୍ଦଳରେ ପରିଣତ ହୋଇଯାଇଛି । ୨୦୧୯ ନିର୍ବାଚନରେ ବିଜେପି ଭାଗିରଥି ସେଠୀଙ୍କୁ ପ୍ରାର୍ଥୀ ଘୋଷାଣା କରିସାରିଥିବାବେଳେ ଶେଷ ମୁହୁର୍ତରେ ବିଜେଡି ତାଙ୍କୁ ଟିକେଟ ଦେଇ ପୁରା ନିର୍ବାଚନମଣ୍ଡଳୀର ଅଙ୍କକୁ ବିରୋଧୀଙ୍କ ପାଇଁ ବିଗାଡି ଦେଇଥିଲା ।.ସେପଟେ ବର୍ତମାନର ବିଜେଡି ବିଧାୟକ ଭାଗିରଥି ସେଠୀ ଦଳର ପୁରୁଖା ନେତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି । ବିଜେଡିର ଅନେକ ପୁରୁଖା ନେତା ଖୋଲାଖୋଲି ଭାଗିରଥିଙ୍କୁ ବିରୋଧ କରି ସମାବେଶ କରିଥିବାର ନଜିର ରହିଛି । କିନ୍ତୁ ବାହୁବଳୀ ଭାଗିରଥି ଦଳୀୟ ବିରୋଧୀଙ୍କ ସମାବେଶକୁ ଦମନ କରିବାରେ କିଛି ମାତ୍ରାରେ ସକ୍ଷମ ହୋଇଛନ୍ତି । ଏଇ ଯେମିତି ଗତ ଡିସେମ୍ବର ମାସରେ ହାଟଡିହି ବ୍ଲକ ଷଡଙ୍ଗରେ ନିଜ ଦଳର କିଛି ଲୋକ ସମାବେଶ କରିବାକୁ ସବୁ ପ୍ରସ୍ତୁତି ସାରିଥିବାବେଳେ ବିଧାୟକଙ୍କ ସମର୍ଥକମାନେ ଧମକ ଚମକ ଦେଇ ବଳପୂର୍ବକ ସେହି ସମାବେଶକୁ କରାଇଦେଇନଥିଲେ । କିନ୍ତୁ ଯଦିଓ ବିଧାୟକ ଏ ବିଷୟରେ କିଛି ଜାଣିନଥିବା ସେତେବେଳେ ଗଣମାଧ୍ୟମକୁ କହିଥିଲେ । ସବୁଠୁ ବଡ଼ କଥା ହେଉଛି, ଗତ ପଂଚାୟତ ନିର୍ବାଚନରେ ବିଜେଡିର ଭୋଟବ୍ୟାଙ୍କ ପୂର୍ବଭଳି ସ୍ଥିର ରହିଥିବାବେଳେ ବିଜେପିର ଭୋଟବ୍ୟାଙ୍କ ଆଶାତୀତ ବୃଦ୍ଧି ପାଇଛି । ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିର୍ବାଚନମଣ୍ଡଳୀର ୭ ଜିଲ୍ଲା ପରିଷଦ ସିଟ୍ ଭିତରୁ ମାତ୍ର ଗୋଟିଏ ସିଟ୍ ବିଜେପି ଜିତିଥିଲେ ବି ଦଳର ଭୋଟ ହାର ବୃଦ୍ଧି ପାଇଛି । ୨୦୧୯ ନିର୍ବାଚନରେ ପୁରା ନିର୍ବାଚନମଣ୍ଡଳୀରେ ବିଜେପି ଖାତାରେ ମାତ୍ର ୩୧ହଜାର ୫୦୦ ଭୋଟ ପଡ଼ିଥିବାବେଳେ ୨୦୨୨ ପଂଚାୟତ ନିର୍ବାଚନ ବେଳକୁ ବିଜେପି ଖାତାରେ ୭୧ହଜାର ୮୦୦ ଭୋଟ ପଡ଼ିଥିଲା । ସେପଟେ ଦ୍ୱିତୀୟ ସ୍ଥାନରେ ରହୁଥିବା କଂଗ୍ରେସ ତୃତୀୟ ସ୍ଥାନକୁ ପଳାଇଛି । ଫଳରେ ଆଗାମୀ ଦିନରେ ଜୟଦେବଙ୍କ ଗଡରେ ଲଗାତାର ବିଜୟ ଲାଭ କରିଆସୁଥିବା ବିଜେଡି ତଂଟିରେ ବିଜେପି କଂଟା ହୋଇପାରେ । ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀକୁ ବିଜେଡି ଯେମିତି ହାଇଜାକ୍ କରିଥିଲା ତାହାକୁ ନେଇ ବି ବିଜେପି ସତର୍କ ରହିଛି । ହାଟଡିହି ବ୍ଳକରେ ବିଧାୟକଙ୍କୁ ଖୁଲମଖୁଲା ବିରୋଧ, ଆନନ୍ଦପୁର ପୌରାଂଚଳରେ ଡଜନେରୁ ଉର୍ଦ୍ଧ୍ୱ ଟିକେଟ ଆଶାୟୀ ରାଜଧାନୀରେ ଡେରା ପକାଇବା ଓ ଗତ ପଂଚାୟତର ନିର୍ବାଚନର ଫଳାଫଳ ସ୍ପଷ୍ଟ କରୁଛି ଯେ ବିଧାୟକ ଭାଗିରଥି ସେଠୀଙ୍କୁ ଆଗାମୀ ୨୦୨୪ ପାଇଁ ଦଳ ଟିକେଟ ଦେଇନପାରେ । ସେପଟେ କେବଳ ଯେ ବିଜେଡିରେ ଆଶାୟୀଙ୍କ ଭିଡ ତା ନୁହେଁ ବିଜେପିରେ ବି ଆଶାୟୀଙ୍କ ଭିଡ ଲାଗିଛି । ବିଜେପିର ପ୍ରାୟ ୬ଜଣ ନେତା ଟିକେଟ ପାଇଁ ଲବିରେ ରହିଛି । ତେଣୁ ପଂଚାୟତ ନିର୍ବାଚନରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଥିଲେ ବି ଆଶାୟୀଙ୍କୁ ହାଇଜାକ୍ କରି ପୁଣିଥିରେ ବିଜେଡି ନିଜର ଗୋଟି ଚାଳନା କରିପାରେ । ସେପଟେ ବିଜେପି ଥରେ ଠକି ସାରିଥିବାରୁ ଆଗାମୀ ନିର୍ବାଚନ ପାଇ ବିଜେଡିରେ ଥିବା ଡଜନେରୁ ଅଧିକ ଆଶାୟୀଙ୍କ ଉପରେ ନଜର ରଖିଛି । କିନ୍ତୁ କଂଗ୍ରେସରେ ଜୟଦେବ ଜେନାଙ୍କ ଟିକେଟ ଫାଇନାଲ । ନିର୍ବାଚନମଣ୍ଡଳୀରେ ତାଙ୍କ କାର୍ଯ୍ୟକ୍ରମରୁ ଜଣାପଡ଼ୁଛି ସେ ତାଙ୍କ ପୁଅକୁ ପ୍ରାର୍ଥୀ ନ କରି ନିଜେ ପ୍ରାର୍ଥୀ ହୋଇପାରନ୍ତି । କାହିଁକି ନା ଏଥର ତାଙ୍କ ପାଇଁ କର ବା ମର ପରିସ୍ଥିତି । ବିଜେଡିରେ ଆଶାୟୀ ଥିବା ଯୁବ ବିଜେଡି ନେତା ବିମଳ କୁମାର ଜେନା, ଜିଲ୍ଲା ପରିଷଦ କୌଶଲ୍ୟା ସେଠୀ, ଆରତୀ ସିଂ, ଅଭିମନ୍ୟୁ ସେଠୀ, ଅଭିମନ୍ୟୁ ସେଠୀ, ବଳରାମ ମଲ୍ଲିକ ଆଦି ଦଳ ପାଇଁ ଅଡୁଆ ହୋଇପାରନ୍ତି । ବିଶେଷକରି ୩୧ ପଂଚାୟତ ବିଶିଷ୍ଟ ହାଟଡିହି ବ୍ଲକକୁ ବିଜେଡି ଯଦି ମ୍ୟାନେଜ କରିନପାରେ ତେବେ ତାହା ଦଳ ପାଇଁ ବଡ ଅଡୁଆ ପରିସ୍ଥିତି ସୃଷ୍ଟି କରିବ । ଏଭଳି ପରସ୍ଥିତିରେ ପୂର୍ବତନ ବିଧାୟକ ମାୟାଧର ଜେନା ଓ ଦୁଇଥର ବ୍ଲକ ଅଧ୍ୟକ୍ଷ ହୋଇଥିବା ହାଟଡିହି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସାବିତ୍ରୀ ସେଠୀଙ୍କ ଉପରେ ବିଜେଡି ସୁନାକଳସ ଢ଼ାଳିପାରେ ବୋଲି ଏକପ୍ରକାର ନିଶ୍ଚିତ । ସେହିପରି ୨୦୧୪ରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଆଲୋକ କୁମାର ସେଠୀ ମାତ୍ର ୮% ଭୋଟ ପାଇଥିବାବେଳେ ୨୦୧୯ରେ ନିଜର ଭୋଟ ବ୍ୟାଙ୍କକୁ ବୃଦ୍ଧି କରି ୧୮%ରେ ପହଂଚାଇଥିଲେ । କେବଳ ଏତିକି ନୁହଁ ଗତ ୨୦୨୨ ପଂଚାୟତ ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ୪୦%କୁ ବୃଦ୍ଧି ପାଇସାରିଛି । କିନ୍ତୁ ବିଜେପିରେ ବି ଆଶାୟୀଙ୍କ ଭିଡ ଜମିଛି । ବିଜେପିର ମହିଳା ସଭାନେତ୍ରୀ ସମୁତୀ ଜେନା, ବରିଷ୍ଠ ନେତା ସନ୍ତୋଷ ଜେନା, ପ୍ରିୟରଞ୍ଜନ ସେଠୀ ଦଳୀୟ ଟିକେଟ ପାଇଁ ବେଶ୍ ଆଶାବାଦୀ ଅଛନ୍ତି । କିନ୍ତୁ ଏସବୁ ଚିତ୍ର ସ୍ପଷ୍ଟ କରୁଛି ଆଗାମୀ ୨୦୨୪ରେ ବିଜେପି ଓ ବିଜେଡି ଭିତରେ କଡା ଟକ୍କର ହେବ ।

