ଟିକେଟ କାଟିପାରେ ୮ଜଣିଆ କମିଟି !

Share

ଭଦ୍ରକ: ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଦଳୀୟ କନ୍ଦଳରୁ ଫାଇଦା ମାରିବାକୁ ଯୋଜନା କରୁଛି କି ବିଜେଡି । ମଧୁବାବୁ ପେନସନ ଯୋଜନାର ଅଧ୍ୟକ୍ଷ ତଥା ଭଦ୍ରକର ଟାଣୁଆ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବାରମ୍ବାର ଦଳର ବିଧାୟକଙ୍କ ବିରୋଧରେ ବିଷୋଦ୍‌ଗାର କରୁଥିଲେ ବି ଦଳ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ୨୫ ତାରିଖ ଦିନ ଭି.କେ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇଥିଲେ । ଭଦ୍ରକ ଗସ୍ତ ସାରି ଫେରିବା ପରେ ଅସିତ୍ ପଟ୍ଟନାୟକ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ । ଆଉ ଏହି ବୈଠକରେ ସେ ଦଳୀୟ ଟିକେଟ ପାଇବେ ବୋଲି ଆଶାବାଦୀ ଥିବା କହିଥିଲେ । ଯଦି ଦଳ ତାଙ୍କୁ ଟିକେଟ ନ ଦିଏ ତେବେ ସେ ଗଠନ କରିଥିବା ଏକ ୮ ଜଣିଆ କମିଟି ଯାହା ନିଷ୍ପତି ନେବ ସେହି ଅନୁସାରେ ସେ କାର୍ଯ୍ୟ କରିବେ ବୋଲି କହିଥିଲେ । ତତ୍‌ସହିତ ଅସିତ୍‌ଙ୍କ ଅତି ଘନିଷ୍ଠ ତଥା ଭଦ୍ରକ ମ୍ୟୁନସିପାଲିଟି ଅଧ୍ୟକ୍ଷ ଗୁଲମକ୍କୀ ହବିବ୍‌ଙ୍କ ସ୍ୱାମୀ ଜାହିଦ୍ ହବିବ୍ କହିଥିଲେ ଯଦି ତାଙ୍କ ନେତାଙ୍କୁ ଦଳୀୟ ଟିକେଟ ନ ମିଳେ ତେବେ ସେ କେବଳ ଭଦ୍ରକ ନିର୍ବାଚନମଣ୍ଡଳୀ ନୁହଁ ପୁରା ଜିଲ୍ଲାର ୫ଟି ଯାକ ନିର୍ବାଚନମଣ୍ଡଳୀକୁ ପ୍ରଭାବିତ କରିବାକୁ ସକ୍ଷମ । ଏହି ଘଟଣାକୁ ନେଇ ପୁରା ଭଦ୍ରକ ରାଜନୀତି ସରଗରମ ଥିବା ବେଳେ ବିଜେଡି ଏହାକୁ ନେଇ ପ୍ରତିକ୍ରିୟାଶୀଳ ନ ହେବା ଝଡ ପୂର୍ବର ନୀରବତା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଲେଣି । ଯଦି ରାଜନୈତିକ ସମୀକ୍ଷକଙ୍କ କଥା ସତ ହୁଏ ତେବେ କ’ଣ ଅସିତ୍‌ଙ୍କୁ ଦଳ ବହିଷ୍କାର କରିପାରେ ବୋଲି ଆଲୋଚନା ହେଉଛି । ଯଦି ବହିଷ୍କାର କରିବ କେବେ କରିବ । ଯଦି ଦଳ ବହିଷ୍କାର ନ କରେ କ’ଣ ତାଙ୍କୁ ଦଳୀୟ ଟିକେଟ ମିଳିବ । ଏହାକୁ ନେଇ ଆଜି ଆମର ଏହି ଆଲୋଚନା । ପ୍ରଥମ କଥା ହେଉଛି ୨୦୧୯ ନିର୍ବାଚନରେ ବିଜେଡି ନୂଆଁ ମୁହଁ ଭାବେ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା । ଫଳରେ ୨୦୧୪ରେ ଅସିତ୍ ପଟ୍ଟନାୟକଙ୍କ ବାପା ଯୁଗଳ ପଟ୍ଟନାୟକ ଯେତିକି ଭୋଟ ପାଇଥିଲେ ତା’ଠାରୁ ଅଧିକ ୧୩ହଜାର ଭୋଟର ବିଜେଡି ଖାତାରେ ଯୋଡି ହୋଇଯାଇଥିଲା । ବିଜେଡିର ଏହି ପ୍ଲାନ ବିଜେଡିର ଭୋଟବ୍ୟାଙ୍କ ବୃଦ୍ଧି କରିଥିଲା । ତେଣୁ ଆଗାମୀ ଦିନରେ ବିଜେଡିର ଅଙ୍କ ଭଦ୍ରକରେ ଯେ ଭୁଲ୍ ହେବ ନାହିଁ ତାହା ନିଶ୍ଚିତ । କିନ୍ତୁ ଦଳ କାହାକୁ ପ୍ରାର୍ଥୀ କରିବ । ବର୍ତମାନର ବିଧାୟକ ସଞ୍ଜୀବ ମଲ୍ଲିକ ରିପିଟ୍ ହେବେ ନା ଅସିତ୍ ପଟ୍ଟନାୟକଙ୍କୁ ଦଳୀୟ ଟିକେଟ ମିଳିବ ନା ଭଦ୍ରକ ୨୦୧୯ ପରି ନୂଆଁ ମୁହଁ ଦେଖିବ ।ପ୍ରଥମ କଥା ହେଉଛି ବର୍ତମାନର ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ କେବଳ ଯେ ଅସିତ୍ ପଟ୍ଟନାୟକଙ୍କ ଗୋଷ୍ଠୀ ବିରୋଧ କରୁଛନ୍ତି ତା ନୁହେଁ ବରଂ ଅନ୍ୟ କେତେକ ଦଳୀୟ ଗୋଷ୍ଠୀ ବି ତାଙ୍କୁ ଆଗାମୀ ଦିନରେ ବିଧାୟକ ରୂପେ ଦେଖିବାକୁ ଚାହୁଁନାହାନ୍ତି । କିନ୍ତୁ ଦଳ ଭିତରେ ସଞ୍ଜୀବଙ୍କ ଭାବମୂର୍ତି ଭଲ ରହିଛି । କିନ୍ତୁ ଯଦି ସଞ୍ଜୀବଙ୍କୁ ଟିକେଟ ଦିଆଯାଏ ତେବେ ଅସିତ୍ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରାଯିବ ନଚେତ୍ ସେ ନିଜେ ଦଳ ଛାଡିବେ । ଯଦି ଅସିତ୍‌ଙ୍କୁ ଦଳରୁ ବାହାରି ଯାଆନ୍ତି ତେବେ ସେ ଦଳ ପାଇଁ କେତେ ବିପଦ ହେବେ ଏକଥା ବିଜେଡି ବୁଝିସାରିଛି । ତେଣୁ ହୁଏତ ଶେଷ ମୁହୂର୍ତରେ ବିଜେଡି ଏମିତି କିଛି ନିଷ୍ପତି ନେଇପାରେ ଫଳରେ ବିଜେଡି ଭୋଟ୍ ବ୍ୟାଙ୍କରେ ଅସିତ୍ ପ୍ରଭାବ ସେତେଟା ରହିବ ନାହିଁ । କିନ୍ତୁ ସଞ୍ଜୀବଙ୍କୁ ଟିକେଟ ଦେଲେ ସେ ଯେ ପୂର୍ବଭଳି ଭଲ ରେଜଲ୍ଟ କରିପାରିବେ ଏହାର କିଛି ଗ୍ୟାରେଂଟି ନାହିଁ । କାହିଁକି ନା କ୍ଷମତାରେ ଥିବା ପୌରାଧ୍ୟକ୍ଷାଙ୍କ ସମର୍ଥକ ଟିମ୍ ସଞ୍ଜୀବଙ୍କୁ ହରାଇବାକୁ ଲାଗିପଡ଼ିବେ । ଆଉ ଏହି ଟିମ୍ ପାଖରେ ପୁରା ନିର୍ବାଚନମଣ୍ଡଳୀର ୨୦%ରୁ ଅଧିକ ଭୋଟବ୍ୟାଙ୍କ ରହିଛି । ତେଣୁ ସଞ୍ଜୀବଙ୍କୁ ଟିକେଟ ମିଳିଲେ ତାହା ବିଜେଡି ପାଇଁ ଆଦୌ ଶୁଭଙ୍କର ହେବ ନାହିଁ । ଅନ୍ୟପଟେ ନିକଟରେ ଭଗତ୍ ସେନାର ମୁଖ୍ୟ ସୀତାଂଶୁ ଶେଖର ମହାପାତ୍ର ବିଜେଡିରେ ଯୋଗ ଦେବାକୁ ବହୁ ଚେଷ୍ଟା କରି ଶେଷରେ ବିଜେପିରେ ଯୋଗ ଦେଇଛନ୍ତି । ଯଦି ବିଜେପି ତାଙ୍କୁ ଟିକେଟ ଦେଲା ସେ ବି ସଞ୍ଜୀବଙ୍କ ଭୋଟ ବ୍ୟାଙ୍କରେ ଭାଗ ବସାଇବେ । ଯଦି ତାଙ୍କୁ ବିଜେପିରୁ ଟିକେଟ ନ ମିଳେ ତେବେ ତାଙ୍କର ଭିତିରିଆ ଅସିତ୍ ପଟ୍ଟନାୟକଙ୍କ ପ୍ରତି ରହିପାରେ । ଫଳରେ ବିଜେପିର ଭୋଟବ୍ୟାଙ୍କ ସୁରକ୍ଷିତ ହେବା ସହ ବିଜେଡିର ଭୋଟ ବ୍ୟାଙ୍କ ପ୍ରଭାବିତ ହେବ । ବିଜେପିର ଯେପରି ରଣନୀତି ଅଛି ପୂର୍ବପରି ବିଜେପି ଭୋଟ ଏଥର ଅନ୍ୟ ଦଳକୁ ଯିବାର ସମ୍ଭାବନା ଢ଼େର୍ କମ୍ । ତେଣୁ ଅସିତ୍ ପଟ୍ଟନାୟକଙ୍କ ଭୂମିକା ଉଭୟ କଂଗ୍ରେସ ଓ ବିଜେପିକୁ ବଳ ଦେଇପାରେ । ଯଦି ଶେଷ ମୁହୂର୍ତରେ କଂଗ୍ରେସ ଅସିତ୍ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରେ ତେବେ ନିଶ୍ଚିତ ୨୦୦୦ ଓ ୨୦୦୪ରେ ଯେପରି ଏଠାରୁ ପ୍ରଫୁଲ୍ଲ ସାମଲ ବାରମ୍ବାର ହାରିଥିଲେ ତାହାର ପୁନରାବୃତି ଘଟିପାରେ । ଏଭଳି ପରିସ୍ଥିତିରେ ବିଜେଡି ନୂଆଁ ମୁହଁ ଦେବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡ଼ୁଛି । କାରଣ ସଞ୍ଜୀବ ଦଳ ଭିତରେ ନିଜର ଆନୁଗତ୍ୟ ଦେଖାଇଆସୁଛନ୍ତି । ଦଳର ପାୱାର କରିଡରରେ ତାଙ୍କର ବି ଯୋଗଦାନ ରହିଛି । ତେଣୁ ତାଙ୍କୁ ଦଳ ମ୍ୟାନେଜ କରିପାରିବ । ଯଦି ବିଜେଡି ନୂଆଁ ମୁହଁ ଦିଏ କାହାକୁ ଦେବ । ନୂଆଁ ମୁହଁ ରୂପେ ଜ୍ୟୋତିପ୍ରକାଶ ମହାନ୍ତି, ନୀଳମାଧବ ପଣ୍ଡା, ରାମକୃଷ୍ଣ ବେହେରା, ସାଇ ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ଥିଲେ ବି ଏମାନଙ୍କ ନିକଟରେ ଦଳୀୟ ସଂଗଠନର ଡୋର ନଥିବା ପରି ଲାଗୁଛି । କିନ୍ତୁ ସାଇ ମହାପାତ୍ରଙ୍କ କନେକ୍ସନ ବିଜେଡିର ପାୱାର କରିଡର ସହ ଥିବା ଜଣାପଡ଼ୁଛି । ୨୦୧୯ରେ ଯେପରି ସଞ୍ଜୀବ କେବଳ କ୍ରୀଡା ଉପରେ ଫୋକସ କରି ଟିକେଟ ହାତେଇଥିଲେ ଠିକ୍ ସେହିପରି ସାଇ ମହାପାତ୍ର ବି ବର୍ତମାନ କାର୍ଯ୍ୟକ୍ରମ କରୁଛନ୍ତି । ତେଣୁ ଯଦି ନୂଆଁ ମୁହଁ ବିଜେଡି ବାଛେ ତେବେ ନିଶ୍ଚିତ ସାଇ ମହାପାତ୍ରଙ୍କୁ ଚୟନ କରିବ । ତେବେ ଦେଖିବାକୁ ବାକି ରହିଲା ବିଜେଡି ଆଗାମୀ ଦିନରୁ କାହାକୁ ଗ୍ରୀନ ସିଗନାଲ ଦେଉଛି ।