ସୁନନ୍ଦା- ବିଶ୍ଵ କଳିରୁ ଫାଇଦା ନେବ କି ବିଜେପି ?

Share

ବରୀରେ ବିଜେଡିର ଦଳୀୟ ବିଶୃଙ୍ଖଳା ଟିକେଟ ଅଙ୍କକୁ ଅଡୁଆ କରୁଛି । ଶୀର୍ଷ ନେତୃତ୍ୱ ସବୁକିଛି ଜାଣି ବି କଣ କରିବେ ଦ୍ୱନ୍ଦରେ ଥିବା ପରି ଲାଗୁଛି । ଆଗାମୀ ନିର୍ବାଚନରେ କାହାକୁ ଦଳ ଟିକେଟ ଦେଲେ ବିଜୟ ହେବ ସ୍ଥିର କରିପାରୁନାହିଁ । ବରୀ ଦଳ ବଦଳ ରାଜନୀତିର ଏକ ପ୍ରମୁଖ କ୍ଷେତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ଦଳ ବଦଳ ରାଜନୀତିରେ ଛିଡା ହୋଇଥିବାରୁ ଏଠାରେ ବିଜେଡିର ଦୁଇଟି ସଂଗଠନ ସମାନ୍ତରାଳରେ ଭାବରେ ଚାଲୁଛି । ସୁନନ୍ଦା-ବିଶ୍ୱ କଳିକୁ ମ୍ୟାନେଜ କରିବାକୁ ଗତ ପଂଚାୟତ ନିର୍ବାଚନରେ ବିଜେଡି ସୁନନ୍ଦାକୁ ଦୁଇଟି ଜିଲ୍ଲା ପରିଷଦ ଓ ବିଶ୍ୱଙ୍କୁ ଦୁଇଟି ଜିଲ୍ଲା ପରିଷଦ ସିଟ୍ ଦେଇଥିଲା । ଏପରି କରି ଦଳ ପଂଚାୟତ ନିର୍ବାଚନରେ ସିନା ବିଜେଡି ଭୋଟକୁ ନିଜ ଖାତାରେ ରଖିବାରେ ସକ୍ଷମ ହେଲା କିନ୍ତୁ ଆଗାମୀ ବିଧାନସଭା ପାଇଁ ତାହା ସବୁଠୁ ବଡ଼ ଅଡୁଆ । ସନୁନ୍ଦା-ବିଶ୍ୱ କଳିରୁ ଫାଇଦା ନେଇ ଟିକେଟ ପାଇବା ଲକ୍ଷରେ ଅଛନ୍ତି ଅନ୍ୟ ଆଶାୟୀ । ଗତ ୨୦୧୯ ନିର୍ବାଚନରେ ବିଜେପି ମୁଖ୍ୟ ସଂଗଠକ ଦେବେନ୍ଦ୍ର ଦାସ ଓରଫ ଦେବୁଲ ଶେଷ ସମୟରେ ବିଜେପି ଶିବିର ଛାଡି ବିଜେଡିକୁ ପଳାଇଲେ । ଦେବୁଲଙ୍କ ପତ୍ନୀ ତଥା ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ ବିଜେଡିରୁ ଟିକେଟ ନେଇ ବିଧାୟକ ହେଲେ । ଏହାପରେ ଗତ ପଂଚାୟତ ନିର୍ବାଚନ ପୂର୍ବରୁ ବିଧାୟିକ ସୁନନ୍ଦାଙ୍କ ସହ ଲଢ଼ି ୨୦୧୯ରେ ପରାଜୟ ବରଣ କରିଥିବା ବିଜେପିର ବିଶ୍ୱରଞ୍ଜନଙ୍କୁ ବି ବିଜେଡି ନିଜ ଦଳରେ ସାମିଲ କରାଇଦେଲା । ବିଜେପିରୁ ଆସିଥିବା ଏହି ଦୁଇନେତା ବର୍ତମାନ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଅନ୍ୟପଟେ ୪ ଥରର ବିଧାୟକ ଦେବାଶିଷ ନାୟକ ବିଜେଡିର ଏଭଳି ସ୍ଥିତି ଦେଖି ଦୀର୍ଘ ଦିନ ରାଜନୀତିରେ ସକ୍ରିୟ ନଥିଲେ ବି ହଠାତ ସେ ବିଜେପିରେ ଯାଇ ମିଶିଯାଇଛନ୍ତି । ଫଳରେ ବିଜେଡି ବିଜେପିକୁ ନେତୃତ୍ୱ ଶୂନ୍ୟ କରିବାର ଯେଉଁ ଲକ୍ଷ୍ୟ ରଖିଥିଲା ସେଥିରେ ପାଣି ପଡ଼ିଯାଇଛି । କିନ୍ତୁ ରାଜନୀତିରେ ସକ୍ରିୟ ନଥିବା ଦେବାଶିଷ ବିଜେପିକୁ କେତେ ବଳ ଦେଇପାରିବେ ତାକୁ ନେଇ ଅନେକଙ୍କ ମନରେ ସଂଶୟ ରହିଛି । କିନ୍ତୁ ଯେହେତୁ ବିଜେପିର ଦୁଇ ନେତୃତ୍ୱ ବିଜେଡିକୁ ଆସି ସେଠାରେ ଦଳୀୟ କନ୍ଦଳ ସୃଷ୍ଟି କରୁଛନ୍ତି ହୁଏତ ସେମାନଙ୍କ କଳିରୁ ବିଜେପି ଫାଇଦା ନେବାକୁ ଯୋଜନା କରୁଥାଇପାରେ । ଯେଉଁ ବିଜେପିରୁ ନେତା ନେଇ ବିଜେଡି କ୍ଷମତାରେ ରହୁଥିଲା ସମାନ ନୀତିରେ ବିଜେପି ବର୍ତମାନ ବିଜେଡି ଶିବିରରୁ ନେତା ନେଇ କ୍ଷମତାକୁ ଆସିବାକୁ ଚାହୁଁଛି । ଅନ୍ୟପଟେ ବିଧାୟିକା ସୁନନ୍ଦା ଓ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ମଧ୍ୟରୁ ଦଳ କାହାକୁ ଜଣକୁ ଟିକେଟ ଦେଲେ ଦଳୀୟ କନ୍ଦଳ ତୀବ୍ର ହୋଇଯିବ ଯାହା ବିଜେଡି ପାଇଁ ବଡ ଅଡୁଆ ପରିସ୍ଥିତି ଓ ବିଜେପି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିପାରେ । ତେଣୁ ବିଜେଡି ନୂଆ ମୁହଁ ଦେବାର ସମ୍ଭାବନା ଅଧିକ ରହୁଛି । କିନ୍ତୁ ସେ ନୂଆଁ ମୁହଁ ସହିତ ଏହି ଦୁଇ ନେତା ରହିବେ କି ନାହିଁ ତାହାର ଅଙ୍କକୁ ବିଜେଡି ଦ୍ୱନ୍ଦରେ ଥିବା ଜଣାଯାଉଛି । ୧୯୯୭ରୁ ମସିହାରୁ ବିଜେଡିରେ ଥିବା ଅଶୋକ ସମାଲ ପଂଚାୟତ ନିର୍ବାଚନରେ ୨୧ ନମ୍ବର ଜୋନରୁ ଜିଲ୍ଳା ପରିଷଦ ସଭ୍ୟ ଅଛନ୍ତି । ସେ ବର୍ତମାନ ଦଳୀୟ ଟିକେଟ ପାଇଁ ଖୁବ୍ ଆଶାୟୀ । ବିଶ୍ୱଙ୍କୁ ଚ୍ୟାଲେଞ୍ଜ ଦେବାକୁ ଗତ ପଂଚାୟତ ନିର୍ବାଚନରେ ବିଧାୟିକା ସୁନନ୍ଦାଙ୍କ ସହ ମିଶି ବାଜି ମାରିଥିବା ସଞ୍ଜୀବ ବି ଟିକେଟ ପାଇଁ ଆଶାୟୀ ଥିବା ଜଣାପଡ଼ିଛି । ବିଶ୍ୱଙ୍କୁ ସିଧା ସଳଖ ବିରୋଧ କରି ସଞ୍ଜୀବ ଦଳୀୟ ସଭା ବି କରିସାରିଛନ୍ତି । ବିଶ୍ୱଙ୍କୁ ବିରୋଧ କରି କଡ୍ଡା ଟିପ୍ପଣୀ କରୁଥିବା ସଞ୍ଜୀବ ଜେନା ବିଧାୟିକାଙ୍କ ବିରୁଦ୍ଧରେ କିଛି ବି କୁହନ୍ତି ନାହିଁ । ତେଣୁ ସଞ୍ଜୀବଙ୍କୁ ନେଇ ବରୀ ବିଜେଡିର ସମ୍ଭାବନା ବଢ଼ୁଛି । କିନ୍ତୁ ବିଶ୍ୱରଞ୍ଜନଙ୍କୁ ସାଂଗଠନିକ ଦକ୍ଷତାକୁ ଚ୍ୟାଲେଞ୍ଜ ଦେବା ବିଜେଡି ପାଇଁ ସହଜ ହେବ ନାହିଁ । ତେଣୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ବଡ ସସ୍ପେନ୍ସ ଲାଗି ରହିଛି । ଯଦି ଦେବାଶିଷ ନାୟକ ନେତୃତ୍ୱ ନିଅନ୍ତି ଓ ବିଜେଡିର ଅସନ୍ତୋଷରୁ କେହି ବିଜେପିକୁ ସମର୍ଥନ କରନ୍ତି ତେବେ ବିଜେପି ପାଇଁ ଶୁଭଙ୍କର ହୋଇପାରେ । ଯେହେତୁ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଉମେଶ ଜେନା ଏଥର ବିଜେପି ଶିବିରରେ ଅଛନ୍ତି ତେଣୁ ବିଜେପି ପାଇଁ ସମ୍ଭାବନା ଅଧିକ ରହିଛି । ସବୁପରେ ବି ବିଜେଡି କିଛି ନା କିଛି ଗେମ୍ କରି ପୁଣି ବାଜି ମାରିନେଇପାରେ ବୋଲି ଚର୍ଚ୍ଚା ହେଉଛି ।