ବିଜେଡିରେ ମିଶିପାରନ୍ତି ନିରଞ୍ଜନଙ୍କ ପୁଅ !

Share

ବାଲେଶ୍ୱରରେ ବାଜିମାରିପାରେ ବିଜେଡି ! ବିଜେଡିରେ ମିଶିପାରନ୍ତି ନିରଞ୍ଜନଙ୍କ ପୁଅ ୨୧ ଲୋକସଭା ସିଟ୍‌ରୁ ବିଜେଡି ୨୦ଟି ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିସାରିଛି । କିନ୍ତୁ ବାଲେଶ୍ୱର ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ଚର୍ଚ୍ଚା ହେଉଛି କଂଗ୍ରେସର ପୂର୍ବତନ ପିସିସିଙ୍କ ସହାୟତା ଲୋଡିବ ବିଜେଡ଼ି । ନିଜ ହାତରୁ ଚାଲିଯାଇଥିବା ଏହି ସିଟ୍‌କୁ ବିଜେଡି ଫେରାଇଆଣିବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଥିବା ଜଣାଯାଇଛି । ଏହି ଲୋକସଭା ସିଟ୍‌ରୁ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ତେଣୁ ପ୍ରତାପଙ୍କ ପରାଜୟ କରିବାକୁ ବିଜେଡିକୁ କଂଗ୍ରେସ ହିଁ ଭରଷା । ୨୦୧୪ରେ ଏହି ଲୋକସଭା ସିଟ୍‌ରେ ବିଜେପିର ଭୋଟ ପ୍ରତିଶତ ଥିଲା ୨୮% କିନ୍ତୁ ୨୦୧୯ରେ ମୋଦି ହାୱାରେ ବିଜେପିର ଭୋଟ ପ୍ରତିଶତ ୨୮%ରୁ ବଢ଼ି ସିଧା ପହଂଚିଥିଲା ୪୨%ରେ । ଅନ୍ୟପଟେ ବିଜେଡିରୁ ଏମ୍‌ପି ପ୍ରାର୍ଥୀ ହୋଇଥିବା ରବିନ୍ଦ୍ର ଜେନା ମାତ୍ର ୧% ଭୋଟ ବ୍ୟବଧାନରେ ୨୦୧୯ ନିର୍ବାଚନ ହାରିଥିଲେ । ୨୦୧୪ ତୁଳନାରେ ୨୦୧୯ରେ ବିଜେଡିର ଭୋଟ ପ୍ରତିଶତ ମାତ୍ର ୦.୪% କମିଯାଇଥିଲା । ୨୦୧୯ରେ ବିଜେଡି ଓ ବିଜେପି ସହ ଲଢ଼ୁଥିଲେ କଂଗ୍ରେସର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ନବଜ୍ୟୋତି ହେଉଛନ୍ତି ପୂର୍ବତନ ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ । ବାଲେଶ୍ୱରରୁ ୨୦୦୯ରେ ଏହି ସିଟ୍ ଜିତିଥିବା ଶ୍ରୀକାନ୍ତ ଜେନା ୨୦୧୪ରେ ହାରିଯାଇଥିଲେ । ଅନ୍ୟପଟେ ୨୦୧୯ରେ ଶ୍ରୀକାନ୍ତଙ୍କ ବଦଳରେ କଂଗ୍ରେସ ନିରଞ୍ଜନଙ୍କ ପୁଅକୁ ପ୍ରାର୍ଥୀ କରିଥିଲା । ଶ୍ରୀକାନ୍ତ ୨୦୧୯ରେ ଦଳରୁ ବିଦା ହୋଇଥିଲେ ବି ଗତ ମାର୍ଚ୍ଚ ମାସରେ ସେ ପୁଣି କଂଗ୍ରେସକୁ ଫେରିଛନ୍ତି । ଏଭଳି ସ୍ଥିତିରେ ନବଜ୍ୟୋତିଙ୍କ ଭବିଷ୍ୟତ ବାଲେଶ୍ୱରରେ ଆଉ ଚମକିବାର ସମ୍ଭାବନା ନାହିଁ । ନିରଞ୍ଜନ-ଶ୍ରୀକାନ୍ତ ବିବାଦ ଭିତରେ ନବଜ୍ୟୋତିଙ୍କୁ ବିଜେଡି ନିହାତି ଦରକାର ଥିବାବେଳେ ଆଗାମୀ ନିର୍ବାଚନରେ ବିଜେଡିକୁ ଜିତିବାକୁ ମାତ୍ର କେଇ ପ୍ରତିଶତ ଭୋଟର ଆବଶ୍ୟକତା ରହିଛି । ତେଣୁ ଯଦି ନବଜ୍ୟୋତି କଂଗ୍ରେସ ଛାଡି ପଳାଇଆସନ୍ତି ତେବେ ବିଜେଡିର ଅଭାବ ଭୋଟ ପ୍ରତିଶତ ସହଜରେ ପୂରଣ ହୋଇଯିବ । ଦୀର୍ଘଦିନ ଧରି ନବଜ୍ୟୋତି ବି ବିଜେଡିକୁ ଆସିବାକୁ ଚାହୁଁଥିବା ଚର୍ଚ୍ଚା ହେଉଥିଲା । ଶ୍ରୀକାନ୍ତଙ୍କ ଘରବାହୁଡା ପରେ ଏହି ଚର୍ଚ୍ଚା ମଜବୁତ୍ ହୋଇଛି । ତେଣୁ ରାଜ୍ୟ ବାହାରେ ଥିବା ନିରଞ୍ଜନଙ୍କ ପୁଅ ଓଡ଼ିଶା ଫେରିବା ପରେ ଏ ନେଇ ଗୋଟେ ବଡ ଘୋଷଣା ହୋଇପାରେ ବୋଲି ଶୁଣିବାକୁ ମିଳୁଛି ଯେହେତେୁ ବିଜେଡି ଏହି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଅନ୍ୟପଟେ ଗତଥର ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇ ହାରିଥିବା ରବିନ୍ଦ୍ର ଜେନାଙ୍କ ପତ୍ନୀଙ୍କୁ ବିଜେଡି ବସ୍ତାରୁ ଟିକେଟ ଦେଇସାରିଛି । ତାଙ୍କର ବିଜୟ ମଧ୍ୟ ସୁନିଶ୍ଚିତ ବୋଲି ଶୁଣିବାକୁ ମିଳୁଛି । ଏସବୁ ଗଣିତ ସ୍ପଷ୍ଟ କରୁଛି ଯେ ପୂର୍ବତନ ପିସିସି ନିରଞ୍ଜନଙ୍କ ପୁଅ ନବଜ୍ୟୋତି ଖୁବ୍‌ଶୀଘ୍ର ବିଜେଡିରେ ମିଶିପାରନ୍ତି ଆଉ ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି । ଯଦି ନବଜ୍ୟୋତି ବିଜେଡିରେ ସାମିଲ ହୁଅନ୍ତି ତେବେ ବିଜୟ ମହାପାତ୍ରଙ୍କ ପରି ନିରଞ୍ଜନ ନିଜ ପୁଅ ପାଇଁ ରାଜନୀତିରୁ ଓହରିଯାଇପାରନ୍ତି ।