ବିଜେପି ସରକାର ସମୟରେ ଦେଶରେ ଯେଭଳି ଭାବେ ୩ଟି କୃଷି ଆଇନ ଲାଗୁ କରାଗଲା ଏବଂ ତତ୍ପରବର୍ତ୍ତୀ ଘଟଣାକ୍ରମରେ ସେହି ୩ଟି ଯାକ ଆଇନକୁ ପ୍ରତ୍ୟାହୃତ କରିବା ପାଇଁ କେନ୍ଦ୍ର ସରକାର ବାଧ୍ୟ ହେଲେ। ଏସବୁରୁ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଏହି ସବୁ ଆଇନ ଲାଗୁ ହେବା ପଛରେ କର୍ପୋରେଟ୍ ପାଇଁ ଅଧିକ ସ୍ୱାର୍ଥ ଥିଲା। ଯେଉଁଥିପାଇଁ ୩୦୦ରୁ ଅଧିକ ଦିନ ଧରି ଏକଜୁଟ୍ ହୋଇ ଆନ୍ଦୋଳନରେ ଅଡ଼ି ରହିଲେ ଆନ୍ଦୋଳନକାରୀ। ଏହି ଆଇନ ଲାଗୁ ହୋଇଥିଲେ କର୍ପୋରେଟ୍କୁ ଅଧିକ ଫାଇଦା ହୋଇଥାନ୍ତା। ପରୋକ୍ଷରେ ରାଜନୈତିକ ଦଳ କର୍ପୋରେଟ ହାଉସରୁ ଫାଇଦା ନେଇଥାନ୍ତେ।
ଅନ୍ୟପଟେ ଏହି ୩ କୃଷି ଆଇନକୁ ନେଇ ହୋଇଥିବା ଆନ୍ଦୋଳନ ଯୋଗୁଁ ପ୍ରାୟ ୬୭୦ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରିଥିଲା ସଂଯୁକ୍ତ କିସାନ ମୋର୍ଚ୍ଚା। ଜୁଲାଇ ଦ୍ୱିତୀୟ ସପ୍ତାହ ଶେଷ ବେଳକୁ ପଞ୍ଜାବ ସରକାରଙ୍କ ତଥ୍ୟ ଅନୁସାରେ ପ୍ରାୟ ୨୨୦ଜଣ ଆନ୍ଦୋଳନକାରୀ ଚାଷୀଙ୍କ ମୃତ୍ୟୁ ଘଟିଥିବା କୁହାଗଲା। ଅନ୍ୟପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଲେ ଯେ ୭୦୦ ଚାଷୀ ଏହି ଆନ୍ଦୋଳନରେ ସହିଦ ହୋଇଛନ୍ତି। ତାଙ୍କ ପାଇଁ ସଂସଦରେ କାହିଁକି ଶ୍ରଦ୍ଧାଞ୍ଜଳି ଦିଆଯିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।
ବର୍ତ୍ତମାନ କଥା ହେଉଛି, ୩୦୦ରୁ ଅଧିକ ଦିନ ଧରି ଆନ୍ଦୋଳନ ହେବା ଓ ଏତେ ସଂଖ୍ୟକ ଲୋକ ଏହି ଆନ୍ଦୋଳନରେ ନିଜ ଜୀବନ ବଳି ଦେବା ଓ ଶେଷରେ ସରକାର ହାର ମାନିବା, ଏସବୁ କଥା ଏଣିକି କୌଣସି ନୂଆ ଆଇନ ଲାଗୁ କରାଇବା ପୂର୍ବରୁ ଏକ ସତର୍କ ଘଣ୍ଟି ସଦୃଶ କାର୍ଯ୍ୟ କରିବ।
ସେପଟେ ବେକାରୀ ସମସ୍ୟା ଓ ନିଯୁକ୍ତିକୁ ନେଇ ବିଭିନ୍ନ ସମୟରେ ବିରୋଧୀମାନେ ରାଜରାସ୍ତାକୁ ଓହ୍ଲାଇ ଧର୍ମଘଟ କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବିରୋଧୀଙ୍କ ଆନ୍ଦୋଳନ ସାଧାରଣ ଲୋକଙ୍କ ସମର୍ଥନ ପାଉଛି। ଅର୍ଥାତ୍ ପଦରେ ଥିବା ସରକାର (ରାଜ୍ୟ କିମ୍ବା କେନ୍ଦ୍ର)ଙ୍କ ପାଇଁ ବେକାରୀ ସମସ୍ୟା ଏକ ଭୋଟ ବ୍ୟାଙ୍କ ବାଧକ ହୋଇ ଛିଡ଼ାହେବ। ତେଣୁ ତାହାକୁ କିଛି ପରିମାଣରେ ଆୟତ୍ତ କରିବାକୁ ଚେଷ୍ଟା କରାଯିବା ଉଚିତ୍ ବୋଲି କେନ୍ଦ୍ର ତଥା ରାଜ୍ୟରେ ଥିବା ସରକାରମାନେ ଚେଷ୍ଟା କରୁଛନ୍ତି।
୨୦୨୪ରେ ସାଧାରଣ ନିର୍ବାଚନ। ଆଉ ଏହି ନିର୍ବାଚନ ପୂର୍ବରୁ ଭୋଟ ବ୍ୟାଙ୍କ ପାଇଁ ସବୁ ରାଜନୈତିକ ଦଳ ନିଜ ନିଜର ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ନୂଆ ଶ୍ରମ ଆଇନ ଲାଗୁ କରିବା ନେଇ ତତ୍ପର ଥିବା ଦେଖାଯାଉଛି। କୁହାଯାଉଛି ଏହା ପଛରେ ୨୦୨୪କୁ ନେଇ ସମସ୍ତଙ୍କର କିଛି ଅଭିସନ୍ଧି ଥାଇପାରେ। କିନ୍ତୁ କୃଷି ଆନ୍ଦୋଳନ ସତର୍କ ଘଣ୍ଟି ହୋଇ ବାଜୁଥିବାରୁ ଏହାକୁ ଲାଗୁ କରିବା ପୂର୍ବରୁ ବହୁ ବିଚାରବିମର୍ଷ କରାଯାଉଛି। ନିକଟରେ ଜୁଲାଇ ୧ରୁ ୪ଟି ନୂତନ ଶ୍ରମ ଆଇନ ଲାଗୁ କରାଯିବା ନେଇ ହେଉଥିବା ଆଲୋଚନା ଆଲୋଚନାରେ ରହିଯାଇଛି। ଏକ ଗଣମାଧ୍ୟମକୁ ସୂଚନା ଦେଇ ଗତ କିଛି ସପ୍ତାହ ତଳେ ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ଜୁଲାଇ ୧ରେ ଶ୍ରମ ଆଇନ ଲାଗୁ ହେବ ନାହିଁ। ଏନେଇ ଅଧିକ ବିଚାର ବିମର୍ଷ ଚାଲିଛି। ତେଣୁ ଏହାକୁ ନେଇ କିଛି ଅନୁମାନ କରାଯିବା ଉଚିତ୍ ନୁହେଁ।
ଶ୍ରମ ନିୟମାବଳୀକୁ ସରଳୀକରଣ ଓ ଆଧୁନିକୀକରଣ କରିବା ପାଇଁ କେନ୍ଦ୍ର ସରକାର ଦେଶରେ ଚାଲୁଥିବା ୨୯ଟି ଶ୍ରମ ଆଇନକୁ ବଦଳାଇ ୪ଟି କୋଡ୍ରେ ପରିଣତ କରିବେ। ଏହି ୪ଟି କୋଡ୍ ବା ନୂଆ ୪ଟି ଶ୍ରମ ନିୟମ ହେଉଛି, (1) Code on Wages (2) Industrial Relation Code (3) Social Security Code and the occupational Safety (4) Health and working conditions code. ଏସବୁ ଆଇନ୍ ଲାଗୁ କରିବା ନେଇ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ୨୦୧୯ ମସିହାରୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଚାରୋଟି କୋଡ ପାଇଁ ପ୍ରସ୍ତୁତ ହୋଇଥିବା ବିଲ୍ ମଧ୍ୟରୁ Code On Wages ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଯାଇଛି । ଏହି କୋଡ୍ ଭିତରେ ପୂର୍ବରୁ ଥିବା Provision of the Payment wages act, 1936, The Minimum wages act, 1948, The Payment of Bonus Act ,1965 ଓ The Equal Remuneration Act, 1976 ଚାରିଟି ଯାକ ଆଇନ ସମାହିତ ହୋଇଯାଇଛି। ଅନ୍ୟ ୩ଟି ବିଲ୍ ଷ୍ଟାଣ୍ଟିଂ କମିଟିକୁ ପଠାଇଦିଆଯାଇଥିଲା।
ଏହିପରି ଅନ୍ୟ ୨୫ଟି ପୁରୁଣା ଆଇନ ବାକି ୩ଟି କୋଡ୍ ଭିତରେ ସମାହିତ ହୋଇଯିବେ। ଏସବୁ ଆଇନ ଲାଗୁ ହେବା ପୂର୍ବରୁ ରାଜ୍ୟମାନଙ୍କୁ ଏସବୁ ଡ୍ରାଫ୍ଟ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। Code On Wages ଉପରେ ୩୧ଟି ରାଜ୍ୟ ସେମାନଙ୍କ ରାଜ୍ୟର ଆଇନ ପଠାଇଛନ୍ତି। କିନ୍ତୁ The Industrial Relation Code, 2020 ବିଲ୍ ଉପରେ ୨୬ଟି ରାଜ୍ୟ ଡ୍ରାଫ୍ଟ ଦେଇଛନ୍ତି। ସେହିପରି The Code on Social Security, 2020 ଉପରେ ୨୫ଟି ରାଜ୍ୟ ଡ୍ରାଫ୍ଟ ଦେଇଛନ୍ତି। ସେହିପରି Occupational safety Health and working conditions code, 2020 ଉପରେ ମାତ୍ର ୨୪ଟି ରାଜ୍ୟ ନିଜର ଡ୍ରାଫ୍ଟ ବିଲ୍ ଦେଇଛନ୍ତି। ତେଣୁ ରାଜ୍ୟମାନଙ୍କର ଡ୍ରାଫ୍ଟ ବିଲ୍କୁ ଅନୁଧ୍ୟାନ କରି ଖୁବ୍ ଶୀଘ୍ର ଏସବୁ ବିଲ୍ ଆଇନରେ ପରିଣତ ହେବ ବୋଲି କେନ୍ଦ୍ର ଶ୍ରମ ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲି ଜୁଲାଇ ଦ୍ୱିତୀୟ ସପ୍ତାହ ଶେଷ ସମୟରେ କହିଥିଲେ।
ଏଥିରୁ ଏହା ସ୍ପଷ୍ଟ ଯେ, ଏସବୁ ଆଇନ ଲାଗୁ ନେଇ ପ୍ରାୟ ସମସ୍ତ ରାଜ୍ୟ ତତ୍ପର। କିନ୍ତୁ ଯଦି ଏସବୁ ଆଇନରେ ସେଭଳି କିଛି ତ୍ରୁଟି ସାମ୍ନାକୁ ଆସିଯାଏ ଓ ଦେଶରେ ଥିବା ବିଭିନ୍ନ ଟ୍ରେଡ୍ ୟୁନିୟନ ସେସବୁକୁ ନେଇ ଆନ୍ଦୋଳନରେ ଲାଗି ପଡ଼ିବେ ତେବେ ତାହା ରାଜନୈତିକ ସମୀକରଣକୁ ବେଶ୍ ପ୍ରଭାବିତ କରିବା ନେଇ ଆଶଙ୍କା ରହିଛି। ପାଖାପାଖି ୩ ଡଜନ ଶ୍ରମ ଆଇନ ଦେଶରେ ବର୍ତ୍ତମାନ ବଳବତ୍ତର ଅଛି। ନୂଆ କୋଡ୍ ଲାଗୁ ହେବା ପରେ ୯୦% ଭାରତୀୟ ବା ୫୦କୋଟି ଅଣସଙ୍ଗଠିତ ଶ୍ରମିକ ଅନେକ କିଛି ଫାଇଦା ପାଇବେ ବୋଲି କୁହାଯାଉଛି।
ତେଣୁ ଦେଶର ୯୦% ଲୋକଙ୍କ ସହ ଜଡିତ ଆଇନର ସଂଶୋଧନବେଳେ ବହୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିବ। ଏସବୁ ଆଇନରୁ ସଂଗଠିତ ହେଉ କି ଅଣସଂଗଠିତ କର୍ମଚାରୀ ବା ଶ୍ରମିକର ଯେ ସେମିତି କିଛି ଚମତ୍କାରୀ ପରିବର୍ତ୍ତନ ହୋଇଯିବ ତାହା ଆଶା କରିବା ବର୍ତ୍ତମାନ ପରିସ୍ଥିତିରେ ବୃଥା।
Code On Wages ଅନୁଯାୟୀ ଏଣିକି ସମସ୍ତ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ତଥା ମଜୁରୀ ମିଳିବାକୁ ନିଶ୍ଚିତ କରାଯିବାକୁ ବ୍ୟବସ୍ଥା ହୋଇଛି। କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ ସ୍ଥିର କରିବେ ଓ କୌଣସି ରାଜ୍ୟ ତାହାଠାରୁ କମ୍ ମଜୁରୀ ଦେଇପାରିବେ ନାହିଁ।
Code On Social Security ଅନୁଯାୟୀ, ସବୁ କ୍ଷେତ୍ରରେ ଶ୍ରମିକ ବା କର୍ମଚାରୀମାନଙ୍କୁ ଇପିଏଫ୍, ଇପିଲସ୍ ଓ ଇଏସ୍ଆଇ ସୁବିଧା ମିଳିବ। ଏଥିସହ କେନ୍ଦ୍ର ଆତ୍ମନିଯୁକ୍ତ ବ୍ୟକ୍ତି, ଅଣସଂଗଠିତ ଶ୍ରମିକ, ଫ୍ରିଲାନ୍ସ ବା ଗିଗ୍ ଓ୍ଵାର୍କର(ମେଲାଡି କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବ୍ୟକ୍ତି ସଦୃଶ, ନିର୍ଦ୍ଦିଷ୍ଟ କାର୍ଯ୍ୟକରି ପ୍ରାପ୍ୟ ନେବା) ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ସାମାଜିକ ସୁରକ୍ଷା ପାଇଁ ଅନ୍ୟ କୌଣସି ଆଇନ ଲାଗୁ କରିପାରିବା ନେଇ ବ୍ୟବସ୍ଥା କରାଯାଇଛି।
ଅନ୍ୟସବୁ ଡ୍ରାଫ୍ଟ ବିଲ୍ରେ ମଧ୍ୟ ଏଭଳି ଅନେକ କିଛି ସୁଧାର ବ୍ୟବସ୍ଥା ଆପଣାଯାଇଛି। ସେସବୁ ଭିତରେ ସପ୍ତାହରେ ଦୁଇ ଦିନ ଛୁଟି ମିଳିବା ନେଇ ମଧ୍ୟ ଆଲୋଚନା ହେଉଛି। ୨୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଉଥିବା ସଂସ୍ଥା ନିଯୁକ୍ତି ପାଇଁ ଅନ୍ଲାଇନରେ ବିଜ୍ଞପ୍ତି ଦେବା ନେଇ ବ୍ୟବସ୍ଥା ହେବ। ଦୈନିକ ୮ଘଣ୍ଟା କାର୍ଯ୍ୟ କରୁଥିବା ବ୍ୟକ୍ତି ସପ୍ତାହକୁ ଗୋଟିଏ ଛୁଟି ପାଇବାକୁ ଥିବା ବେଳେ ୧୨ଘଣ୍ଟା କାର୍ଯ୍ୟ କରୁଥିବା ବ୍ୟକ୍ତି ସପ୍ତାହରେ ୨ ଦିନ ଛୁଟି ପାଇବେ। ସେହିପରି ଏହି ନୂଆ କୋଡ୍ ଲାଗୁ ହେବାପରେ ପିଏଫ୍ ଡିପୋଜିଟ୍ରେ ଅଧିକ ରାଶି ରହିବ।
ଏହି ଚାରୋଟି ବିଲ୍ରେ ହୋଇଥିବା ବ୍ୟବସ୍ଥା ଯେ ଭାରତର ଭାଗ୍ୟ ପରିବର୍ତ୍ତନ କରିବ ତା ନୁହେଁ। ବରଂ ଏହି ୫୦କୋଟି ଲୋକଙ୍କ ଭିତରେ ଏକ ପୋଲାରାଇଜେସନ ସ୍ଥିତି ସୃଷ୍ଟି କରି ଭୋଟ ବ୍ୟାଙ୍କକୁ କେବଳ ଚହଲାଇ ରାଜନୈତିକ ଦଳମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବାରେ ଏକ ଧର୍ମଗୁଳା ସଦୃଶ କ୍ଷେତ୍ର ପ୍ରସ୍ତୁତ କରିବ। ଅନ୍ୟପଟେ ଏହି ଆଇନକୁ ଲାଗୁ କରିବାରେ କେନ୍ଦ୍ର ସରକାର ଆଦୌ ତଞ୍ଚକତା ଦେଖାଇବାକୁ ଚେଷ୍ଟା କରିବେ ନାହିଁ। ତେଣୁ ଦେଖିବାକୁ ବାକି ରହିଲା କେବେ ସୁଦ୍ଧା ଏସବୁ କୋଡ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବ ଓ ତାହାକୁ ଭାରତର ୯୦%ଲୋକ କିଭଳି ଦୃଷ୍ଟିରେ ନେବେ।

