ଓଡିଶାରେ ବି ବିଜେପି ୱାସିଂ ମେସିନ ପାଲଟିଗଲା । ଓଡ଼ିଶାର ବିକାଶ ନା ଦାଗୀ ନେତାଙ୍କୁ ନେଇ ବାହୁବଳରେ ରାଜନୀତି କରିବାକୁ ଯୋଜନା କରୁଛି ବିଜେପି । ଏମିତି ଅନେକ ପ୍ରଶ୍ନ ଏବେ ଓଡ଼ିଶାବାସ ବିଜେପି ଉପରେ ଉଠାଇଲେଣି । କାହିଁକି ନା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ୨୦୨୨ ମସିହା ମାର୍ଚ୍ଚ ମାସରେ ବାଣପୁର ପଂଚାୟତ ସମିତି ନୂତନ ଅଧ୍ୟକ୍ଷ ଚୟନ ସମୟରେ ବ୍ଲକ ସାମ୍ନାରେ ଏକଜୁଟ୍ ହୋଇଥିବା ପ୍ରାୟ ୨୦୦ ବିଜେପି କର୍ମୀଙ୍କ ଭିତରେ ହଳ କରିବା ଭଳି ଲୋକଙ୍କ ଗହଳି ଭିତରେ ଗାଡି ଚଳାଇନେଇ ୨୪ଜଣଙ୍କୁ ଆହତ କରିବା ଘଟଣାକୁ ୨ବର୍ଷ ନ ପୁରୁଣୁ ସେହି ବିଜେପି ତାଙ୍କୁ ନିଜ ଦଳରେ ଆଣି ମିଶାଇବା ବଡ଼ ଦୁର୍ଭାଗ୍ୟର ବିଷୟ ବୋଲି କୁହାଯାଉଛି । ନୀତି ଆଦର୍ଶ ଦେଶଭକ୍ତର ଡିଣ୍ଡିମ ପିଟୁଥିବା ବିଜେପିକୁ କ’ଣ ଏସବୁ ଶୋଭା ଦେଖାଉଛି । ନା ବିଜେପି ଓଡ଼ିଶାରେ ଶାସନ କରିବାକୁ ରକ୍ତମୁଖା ହେଉଛି । ରକ୍ତମୁଖା ହୋଇ ଶାସନଭାର ଅକ୍ତିଆର କରିବା ପୂର୍ବର ଏ ପ୍ରସ୍ତୁତି ନୁହେଁ ତ ? ତାହେଲେ କ’ଣ ବିଜେପି ପିଠିରେ ଲାଗିଥିବା ସାଂପ୍ରଦାୟିକତା ଚିତ୍ର ଓଡ଼ିଶାରେ ଆଗାମୀ ଦିନରେ ପ୍ରତିଫଳିତ ହେବ । ଏହାକୁ ନେଇ ଆଜି ସାରା ରାଜ୍ୟ ଚିନ୍ତିତ । ଗତବର୍ଷ ଏପ୍ରିଲ ମାସରେ ହନୁମାନ ଜୟନ୍ତୀରେ ଟ୍ରେଲର ରୂପେ ସମ୍ବଲପୁରରେ ହୋଇଥିବା ଗୁଣ୍ଡାଗର୍ଦ୍ଦି ତଥା ସାଂପ୍ରଦାୟିକତାର ପଛରେ ଯେ ବିଜେପିର ରାଜନୈତିକ ମନ୍ସା ଲୁଚି ରହିଥିଲା ତାହା ଧୀରେଧୀରେ ସ୍ପଷ୍ଟ ହେବାକୁ ଲାଗିଲାଣି ।.ସେପଟେ ଅନ୍ୟ ରାଜ୍ୟର ବିରୋଧୀ ନେତାଙ୍କୁ ଇଡି ଓ ସିବିଆଇ ରେଡର ଡର ଦେଖାଇ ବିଜେପି ଯେପରି ଭାବରେ ଟାଣୁଆ ନେତାଙ୍କୁ ନିଜ ଦଳରେ ଯୋଗଦେବାକୁ ବାଧ୍ୟ କରିଥିଲା । ଠିକ୍ ସେହିପରି ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବି ସମାନ ଧାରା ପକାଇବାକୁ ଯୋଜନା କରିିଛି ବିଜେପି । ଏଇ ନିକଟରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଉପରେ ଇଡି ରେଡ ଘଟଣା ଏହି ଦିିଗକୁ ଇଙ୍ଗିତ କରୁଛି । ସବୁଠୁ ବଡ଼ କଥା ହେଉଛି ୨୦୦୭ ମସିହାରୁ ପ୍ରଫୁଲ୍ଲ ବରପଦା ଇଞ୍ଜିନିୟରିଂ କଲେଜର ସମସ୍ତ ଦାୟିତ୍ୱରୁ ଅବ୍ୟାହତି ନେଇସାରିଥିଲେ ବି ଇଡି ତାଙ୍କୁ ଟାର୍ଗେଟ କରୁଛି । ଦୁଇ ଦିନ ତଳେ ଇଡି ପୁଣି ଥରେ ପ୍ରଫୁଲ୍ଲ ସମନ କରି ଦିନ ତମାମ ଜେରା କରିଛି । ନିଜେ ଇଡି ପ୍ରେସ୍ ବିବୃତିରେ କହିଥିଲା ଯେ, ବରପଦା କଲେଜ୍ରେ ହୋଇଥିବା ବମ ମାଡ ଘଟଣାରେ ଭଦ୍ରକ ଗ୍ରାମାଂଚଳ ଥାନରେ ହୋଇଥିବା ଏଫ୍ଆଇଆରକୁ ଭିତି କରି ଏହି ଚଢ଼ଉ ଓ ତଦନ୍ତ ଚାଲିଛି । ତା’ହେଲେ ଇଡି ପ୍ରଫୁଲ୍ଲଙ୍କୁ ପୁଅକୁ କମ୍ ପ୍ରଫୁଲ୍ଲଙ୍କୁ ବେଶୀ ଟାର୍ଗେଟ କାହିଁକି କରୁଛି । କାରଣ ପ୍ରଫୁଲ୍ଲଙ୍କ ପୁଅ ତ ୨୦୦୭ରେ ପୁରା କଲେଜର ଦାୟିତ୍ୱରେ ଅଛନ୍ତି । ଏହା ସ୍ପଷ୍ଟ କରୁଛି ଇଡି ଜରିଆରେ ବିଜେଡି ବିଧାୟକ ପ୍ରଫୁଲ୍ଲଙ୍କୁ ଟାର୍ଗେଟ କରାଯାଉଛି ।ବିଜେପି ବିରୁଦ୍ଧରେ ଏଭଳି ଅଭିଯୋଗ ହେବା ପଛରେ ଅନେକ ମଜବୁତ୍ କାରଣ ବି ରହିଛି । କାହିଁକି ନା ଏନ୍ସିପି ନେତା ଶରଦ ପାୱାରଙ୍କ ଦଳକୁ ଭାଙ୍ଗିବାକୁ ବିଜେପି ଯେପିର ତାଙ୍କ ପୁତୁରା ଅଜିତ୍ ପାୱାରଙ୍କୁ ବ୍ୟବହାର କରିଛି ତାହା ସାରା ଭାରତବାସୀଙ୍କୁ ଜଣା । ସେହିପରି ମହାରାଷ୍ଠ୍ରର ଦୁଇଥରର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଚୌହାନ ସିବିଆଇ କବଳରୁ ମୁକ୍ତି ପାଇବା ଲାଗି ବିଜେପିରେ ମିଶିଥିଲେ । ମହାରାଷ୍ଟ୍ରର ପଛୁଆବର୍ଗ ନେତା ଛଗନ ଭୁଜବଳ ୧୦୦କୋଟି ଟଙ୍କାର ଦୁର୍ନୀତିରେ ଇଡି ଦ୍ୱାରା ଗିରଫ ହେବା ପରେ ଅଜିତ୍ ପାୱାରଙ୍କ ଏନସିପିରେ ମିଶିଯାଇଥିଲେ । ସେହିପରି ଇଡି ଭୟରେ ଠାକ୍ରେ ଶିବସେନା ଛାଡି ସିନ୍ଧେ ଶିବସେନାରେ ମିଶିବାକୁ ବାଧ୍ୟ ହୋଇଥିଲେ ୟାମିନି ଯାଦବ । ଅନ୍ୟଜଣେ ନେତା ହେଉଛନ୍ତି ହସନ ମୁସରିଫ । ସେ ବି ଇଡି ଭୟରେ ଏନ୍ସିପି ଭାଙ୍ଗି ବିଜେପିରେ ହାତ ମିଶାଇଥିବା ଅଜିତଙ୍କ ଭଳି ବିଜେପି ସହ ହାତ ମିଳାଇବାକୁ ବାଧ୍ୟ ହୋଇଥିଲେ । ଜୁନ୍ ୨୦୨୨ରେ ଦଳ ଭିତରେ ବିଦ୍ରୋହ କରି ଠାକ୍ରେ କ୍ୟାମ୍ପରେ ନିଆଁ ଲଗାଇ ଶିବସେନା ନେତା ଏକନାଥ ସିନ୍ଧେ ବିଜେପି ସହ ହାତ ମିଶାଇବା ମାତ୍ରକେ ୫,୬୦୦ କୋଟି ଟଙ୍କାର ଘୋଟାଲାରେ କ୍ଳିନ୍ଚିଟ୍ ପାଇବାକୁ ଯାଉଥିବା ପ୍ରତାପ ସରନାଇକଙ୍କ କେସ୍କୁ ହଠାତ୍ ଇଡି ଟେକ୍ଓଭର କରିନେଇଥିଲା । ଫଳରେ ପ୍ରତାପ ସରନାଇକ ସିନ୍ଧେ ଗ୍ରୁପ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲେ । ଏହି ପ୍ରତାପ ସରନାଇକ ହିଁ ଇଡି ରେଡରୁ ବଂଚିବା ପାଇଁ ପ୍ରଥମେ ବିଜେପି ସହ ମିଶି ରହିବାକୁ ଉଦ୍ଧବ ଠାକ୍ରେଙ୍କୁ ଚିଠି ଲେଖିଥିଲେ । ଇଏ ତ ଗଲା ମହାରାଷ୍ଟ୍ର ରାଜନୀତି କଥା ।କେବଳ ମହାରାଷ୍ଟ୍ର ନୁହେଁ ଗୋଆର ଦିଗମ୍ବର କମାତ, ପଶ୍ଚିମବଙ୍ଗଳାର ଶୁଭେନ୍ଦୁ ଅଧିକାରୀ, ଆନ୍ଧ୍ରପ୍ରଦେଶର ରାଜ୍ୟସଭା ସଦସ୍ୟ ଥିବା ସି.ଏମ. ରମେଶ ଓ ୱାଇ ଏସ୍ ଚୌଧୁରୀଙ୍କ ଅବସ୍ଥା ବି ଏହି ପରି ହୋଇଥିଲା । ତେବେ ଦେଖିବାକୁ ବାକି ରହିଲା ଓଡ଼ିଶାରେ ବିଜେପି ଏହି ଖେଳ କିଭଳି ଦେଖାଉଛି ।

