ମନମୋହନଙ୍କ ଅପୋଜିଟରେ କିଏ ? ବ୍ୟୋମକେଶ ନା ଅମିତ୍ !

Share

ବିଜେଡିର ଟାଣୁଆ ନେତା ବିଜୟ ନାୟକ ଦିନେ ବିଦ୍ରୋହ କରି ବିଜେଡିରୁ ବିତାଡିତ ହୋଇଥିଲେ । କିନ୍ତୁ ତାଙ୍କ ବଳରେ ରାଜୁ ଦାସ ୨୨ହଜାରରୁ ଅଧିକ ଭୋଟ ହାତେଇ ବିଜେଡିରେ ଅର୍ଜ୍ଜୂନ ପାଲଟି ଯାଇଥିଲେ । ଆଉ ସେବେଠାରୁ ଅର୍ଜ୍ଜୁନଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ ବା ବିଜୟ ନାୟକଙ୍କୁ ବିଜେଡି କେବେ ବି ହାତଛଡା କରିନଥିଲା । କିନ୍ତୁ ତାଙ୍କ ଭାଇ ଅଜୟ ନାୟକଙ୍କର ଚାନ୍ଦବାଲିରେ ସେତେଟା ସକ୍ରିୟତା ନାହିଁ । ଚାନ୍ଦବାଲି ହେଉଛି ବର୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିଧାନସଭା କ୍ଷେତ୍ର । ଏଭଳି ସ୍ଥିତିରେ ୨୦୦୦ ମସିହାରେ ବିଜେଡି-ବିଜେପି ମେଂଟକୁ ବିରୋଧ କରି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ମନମୋହନଙ୍କୁ ହରାଇ ବିଜୟ ଲାଭ କରିଥିବା ଧାମନଗରର ଟାଣୁଆ ନେତା ମାନସ ମଲ୍ଲିକଙ୍କ ପୁଅ ଅମିତ୍‌ଙ୍କୁ ଅଜୟ ନାୟକ ଭେଟି ଫୁଲତୋଡା ଦେବାପରେ ରାଜନୀତି ମହଲରେ ଏକ ହଲଚଲ ସୃଷ୍ଟି ହୋଇଛି । ଆଉ ଏ ହଲଚଲଟି ହେଉଛି କ’ଣ ୨୦୨୪ ନିର୍ବାଚନରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଟିକେଟ କଟୁଛି? କ’ଣ ତାଙ୍କ ଜାଗାରେ ଅମିତ ମଲ୍ଲିକ ବିଜେପି ସଭାପତି ମନମୋହନଙ୍କ ସହ ଲଢ଼େଇ କରିବେ? ଏହାକୁ ନେଇ ଆଜିର ଚର୍ଚ୍ଚା ।ପ୍ରଥମ କଥା ହେଉଛି ଅଜୟ ନାୟକ ଓ ଅମିତ ମଲ୍ଲିକଙ୍କ ଭେଟଘାଟ ରାଜନୈତିକ ସମୀକରଣକୁ ପ୍ରଭାବିତ କରିବାରେ କେତେ ପ୍ରଭାବୀ । ଅଜୟ ନାୟକ ହେଉଛନ୍ତି ବିଜେଡିର ପୂର୍ବତନ ଟାଣୁଆ ନେତା ବିଜୟ ନାୟକଙ୍କ ଭାଇ ତଥା ବର୍ତମାନର ବିଧାୟକ ବ୍ୟୋମକେଶଙ୍କ ମାମୁଁ । ମାମୁଁ ଭଣଜା ସମ୍ପର୍କରେ ଫାଟ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ଅଜୟ ନାୟକ ଚାନ୍ଦବାଲି ରାଜନୀତିରେ ଭୂମିକାହୀନ ବୋଲି ଶୁୂଣିବାକୁ ମିଳେ । ସେ ସେଠାରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରାୟତଃ ଜଡିତ ନାହାନ୍ତି । ତା’ ହେଲେ ତାଙ୍କ ଭେଟଘାଟ ଯେ ଅମିତଙ୍କ ଟିକେଟ ଫାଇନାଲ କରାଇବ ତାହା ଏକ ଉଡାକଥା ମାତ୍ର । ଏଇଆ ହୋଇପାରେ ଅମିତ ଗତ ପଂଚାୟତ ନିର୍ବାଚନରେ ଚାନ୍ଦବାଲିରେ ନିଜର ସକ୍ରିୟତା ଦେଖାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ସେପରି କରିବାକୁ ମନା କରାଯାଇଥିଲା । ଆଉ ସେ ବି ଦଳୀୟ ନିଷ୍ପତିକୁ ସ୍ୱୀକାର କରିଥିଲେ । କିନ୍ତୁ ସେହି ଦିନ କେଇଟାର ସକ୍ରିୟତା ସ୍ପଷ୍ଟ କରିଥିଲା ଯେ ଅମିତ୍ ଚାନ୍ଦବାଲିରୁ ଲଢ଼ିବାକୁ ଚାହୁଁଛନ୍ତି । କିନ୍ତୁ ଯେହେତୁ ତାଙ୍କ ଦାଦା ଭଦ୍ରକରେ ବିଧାୟକ ଅଛନ୍ତି ତେଣୁ ସେ ଚାପି ହୋଇ ରହିବାକୁ ବାଧ୍ୟ ହୋଇଥିଲେ । ସଞ୍ଜୀବଙ୍କ ଟିକେଟକୁ ଭଦ୍ରକରେ ସଂଶୟ ଥିବାରୁ ହୁଏତଃ ଅମିତ୍ ତାଙ୍କ ପାଇଁ ରାସ୍ତା ଖୋଲିବାକୁ ଚେଷ୍ଟା କରିଥାଇପାରନ୍ତି । ଆଉ ଏଥିପାଇଁ ସେ ନିଜେ ମାମୁଁ ଭଣଜା ଫାଟ ସମ୍ପର୍କର ଫାଇଦା ନେଇ ଏଭଳି ଫଟୋ ପ୍ରାୟୋଜିତ ଭାବେ ଛାଡିଥାଇ ପାରନ୍ତି । ଆଉ ଗୋଟିଏ କଥା ଚର୍ଚ୍ଚା ହେଉଛି ଯେପରି ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଦଳୀୟ ନେତା ଓ ମିଡିଆଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖନ୍ତି, ସମାନନୀତିରେ ବ୍ୟୋମକେଶ ଚାଲୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏପରିକି କିଛି ସାମ୍ବାଦିକଙ୍କ କହିବାଅନୁସାରେ ବ୍ୟୋମକେଶଙ୍କ ହତାକୁ ସାମ୍ବାଦିକ ମନା । ଏହି ନୀତି କେବଳ ଯେ ସାମ୍ବାଦିକଙ୍କ ପାଇଁ ତା ନୁହେଁ ଦଳୀୟ ଲୋକଙ୍କ ପାଇଁ କିଛିଟା ଲାଗୁ ହେଉଛି ବୋଲି ଚର୍ଚ୍ଚା ହେଉଛି । ଯେମିତି ନୀବନଙ୍କୁ ଭେଟିବା ଅସମ୍ଭବ ଠିକ୍ ସେହିପରି କିଛି ତୃଣମୂଳ ସ୍ତରୀୟ ନେତା ବ୍ୟୋମକେଶଙ୍କୁ ଭେଟିବା ଅସମ୍ଭବ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏପରିକି ଶୁଣିବାକୁ ମିଳୁଛି ୭୦ରୁ ୮୦ ପ୍ରତିଶତ ପଂଚାୟତ ଓ ବ୍ଲକ ସ୍ତରୀୟ ନେତା ବ୍ୟୋମକେଶଙ୍କୁ ଅନ୍ତରର ସହ ଆଉ ଭଲ ପାଉ ନାହାନ୍ତି । ଏ ଚର୍ଚ୍ଚା କେତେ ସତ କେତେ ମିଛି ତାହା ସେହି ଦଳର ନେତୃତ୍ୱମାନେ ହିଁ କହିପାରିବେ । କିନ୍ତୁ ଏସବୁ କିଛି ଖୋଲାଖୋଲି ଦେଖିବାକୁ ମିଳୁନାହିଁ । ତେଣୁ ଏଭଳି ସ୍ଥିତିର ଫାଇଦା ନେବାକୁ ଅମିତ୍ ମଲ୍ଲିକ ଯୋଜନା କରିଥାଇପାରନ୍ତି । ସବୁଠୁ ବଡ଼ କଥା ହେଉଛି ଯଦି ଅମିତ୍ ମଲ୍ଲିକଙ୍କୁ ଦଳ ଟିକେଟ ଦେବ ତେବେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଟିକେଟ ମିଳିନପାରେ । ଯେହେତୁ ବ୍ୟୋମକେଶଙ୍କୁ କୌଣସି ଦଳୀୟ ନେତା ଏ ପର୍ଯ୍ୟନ୍ତ ଖୋଲାଖୋଲି ବିରୋଧ କରୁନାହାନ୍ତି ତେଣୁ ମନମୋହନଙ୍କ ବିରୁଦ୍ଧରେ ନୂଆ ପ୍ରାର୍ଥୀ ଦେବାକୁ ବିଜେଡି କେବେ ବି ଚାହିଁବ ନାହିଁ । ତେଣୁ ଅମିତ ପ୍ରାର୍ଥୀ ହେବା ଏକ ପ୍ରଚେଷ୍ଟା ମାତ୍ର କୁହାଯାଇପାରେ । ଅନ୍ୟପଟେ ନବୀନ-ମୋଦି ବେଣାପୁରରେ ଭେଟଘାଟ ହୋଇ କେହି କିଛି ନ କହିବା ଏହା ସ୍ପଷ୍ଟ କଲାଣି ଯେ ବିଜେପି-ବିଜେଡି ମେଂଟର ସମ୍ଭାବନା ଅଛି । ଯଦି ଏପରି ହୁଏ ତେବେ ତେବେ ବିଜେଡି ପାୱାର କରିଡରରେ ସ୍ୱତନ୍ତ୍ର ଦବଦବା ରଖୁଥିବା ବ୍ୟୋମକେଶ କଟକ ଯାଇପାରନ୍ତି । ତେବେ ଆସନ୍ତା ସପ୍ତାହେ ଦୁଇସପ୍ତାହ ପରେ ଏ ନେଇ କିଛି ସ୍ପଷ୍ଟତାଦେଖାଯିବ ବୋଲି ଆଶା ।