ହିମାଂଶୁଙ୍କ ଟିକେଟ କଟିବାର କାରଣ

Share

ଧର୍ମଶାଳା ଧର୍ମ ନିକିତିରେ ତଉଲି ହେଉଛନ୍ତି ବିଜେପିର ଦୁଇ ନେତା ହିମାଂଶୁ ଶେଖର ସାହୁ ଓ ସ୍ମୃତିରେଖା ପହି । ବିଜେପିକୁ ଆମଦାନୀ ହୋଇ ଆସିଥିବା ଏହି ଦୁଇ ନେତା ଏବେ ଧର୍ମଶାଳା ବିଜେପି ପାଇଁ କାଳ ସାଜିଛନ୍ତି । ୨୦୧୯ରେ ନିର୍ବାଚନ ଯୁଦ୍ଧରେ ପ୍ରଣବ ବଳବନ୍ତରାୟ ୧ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ ପାଇଥିବାବେଳେ ସେତେବେଳେ କଂଗ୍ରେସରୁ ନିର୍ବାଚନ ଲଢ଼ୁଥିବା ଆଜିର ବିଜେପି ନେତ୍ରୀ ମାତ୍ର ୧୮,୫୮୮ଭୋଟ ପାଇଥିଲେ । ଅନ୍ୟପଟେ ବିଜେପି ପ୍ରାର୍ଥୀ ବିଜେଡି ଠାରୁ ଅଧା ଅର୍ଥାତ ୪୮,୬୨୫ ଭୋଟ ହାତେଇଥିଲେ । ଗତ ନିର୍ବାଚନର ଏ ଗଣିତ ସ୍ପଷ୍ଟ କରିସାରିଛି ଯେ ଧର୍ମଶାଳା ବିଜେଡିର ଏକ ଅଭଦ୍ୟେ ଗଡ ହୋଇସାରିଛି । ଏହା ସହିତ ୨୦୧୯ର ବିଜେପି ପ୍ରାର୍ଥୀ ରମେଶ ପରିଡା ଏବେ ବିଜେଡି ଶିବିରରେ । ଗତ ନିର୍ବାଚନ ଗୁଡ଼ିକରେ ମତଦାନ ହାର ପ୍ରାୟ ୭୫% ରହିଥିବା ବେଳେ ବିଜେଡ଼ି ଖାତାରେ ୫୫%ରୁ ଅଧିକ ଭୋଟ ପଡ଼ିଥାଏ । ତେଣୁ ଏଠାରେ ବିଜେପି ଓ କଂଗ୍ରେସ ବିଜେଡିର ପାଖ ଛୁଇଁବା ଅସମ୍ଭବ ପରି ଲାଗେ । କିନ୍ତୁ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କୁ ଟକ୍କର ଦେବାକୁ ଅଂଟା ଭିଡ଼ିଥିବା ବିଜେପି ପାଇଁ ଏବେ ନିଜ ଦଳୀୟ କନ୍ଦଳ କାଳ ହୋଇଛି । ବିଜେଡିରୁ ଆମଦାନୀ ହୋଇଥିବା ଯୁବନେତା ହିମାଂଶୁ ଟିକେଟ ପାଇଁ ଯେଉଁ ହଟଚମଟ କଲେ ତାହା ଦଳକୁ ଗୁରୁତର ଭାବେ ପ୍ରଭାବିତ କରିବ । ହିମାଂଶୁଙ୍କ ଉପରେ ବିଜେପି ଭରଷା କରିଥିଲେ ପୂର୍ବାପେକ୍ଷା କମ୍ ଭୋଟ ପାଇଥାନ୍ତା ବୋଲି ଚର୍ଚ୍ଚା ହେଉଛି । କାହିଁକି ନା ଯଦିଓ ହିମାଂଶୁ ଅନେକ ଯୁବକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରୁଛନ୍ତି କିନ୍ତୁ ତାହା ପ୍ରଣବଙ୍କୁ ଭୋଟ ରାଜନୀତିରେ ଟକ୍କର ଦେବା ପାଇଁ ଯଥେଷ୍ଟ ନୁହେଁ । କେବଳ ଏତିକି ନୁହେଁ ହିମାଂଶୁଙ୍କ ଉପରେ ବିଜେପି ଭରଷା କରିପାରୁନଥିବା ବି ଶୁଣିବାକୁ ମିଳୁଛି । ତାହାର ପଛର କାରଣ ଅନେକ ହୋଇଥାଇପାରେ । ତେଣୁ ସ୍ମୃତିରେଖା ବିଜେପି ପାଇଁ ଏକମାତ୍ର ବିକଳ୍ପ ଥିଲା । ପ୍ରଣବଙ୍କ ଗଡରେ ବିଜେଡ଼ିରୁ ଆସିଥିବା କୌଣସି ନେତା ଯେ ବିଜେଡି ଏକ ବଡ଼ ଭୋଟବ୍ୟାଙ୍କକୁ ଆଣି ବିଜେପିରେ ମିଶାଇ ପାରିବେ ଏହା ଚିନ୍ତା କରିବା ଏକ ବୃଥା ପରିକଳ୍ପନା ବୋଲି ଚର୍ଚ୍ଚା ହେଉଛି । ତେଣୁ ଯେତିକି ଭୋଟ ବ୍ୟାଙ୍କ ବିଜେପିର ରହିଛି ତାକୁ ବଜାୟ ରଖିବା ଓ ରାଜ୍ୟରେ ଦୁର୍ବଳ ହେଉଥିବା କଂଗ୍ରେସ ଦଳରୁ କିଛି ଭୋଟ ଆଣିପାରିଲେ ତାହା ବିଜେପି ପାଇଁ ଅଙ୍କ ପରିବର୍ତନରେ ସହାୟକ ହୋଇପାରିବ । ବିଜେଡି ସପକ୍ଷରେ ଅତ୍ୟନ୍ତ ସ୍ପଷ୍ଟ ଗଣିତ ଥିଲେ ବି ବିଜେପି ବାଜିମାତ୍ କରିବାକୁ ସ୍ୱତନ୍ତ୍ର ରଣକୌଶଳ କରିଛି । କିନ୍ତୁ ଏହି ରଣକୌଶଳରେ ହିମାଂଶୁ ନିଆଁରେ ପାଣି ଢ଼ାଳିଲା ପରି କାର୍ଯ୍ୟ କରୁଛନ୍ତି । ଯଦି ହିମାଂଶୁ ଓ ସ୍କୃତିରେଖା ଏକ ହୋଇ ନିର୍ବାଚନ ଲଢ଼ିଥାନ୍ତେ ହୁଏତ ବିଜେପି ଅନେକ ମାତ୍ରାରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଥାନ୍ତା । ତଥାପି ବିଜେପି ଜିତିବ ବୋଲି ଆଶା ପୋଷଣ କରିଥିବା ଶୁଣିବାକୁ ମିଳୁଛି । ତେବେ ବିଜେଡି ଗଡରେ ବିଜେପି କି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା ।