ଜନଗଣନା ରିପୋର୍ଟ ୨୦୧୧ ଅନୁଯାୟୀ ଦେଶରେ ୨୪.୪୯କୋଟି ପରିବାର ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୮କୋଟି ପରିବାର ଗାଁରେ ରୁହନ୍ତି। ସେପଟେ ଏହି ଗାଁରେ ରହୁଥିବା ୧୮କୋଟି ପରିବାର ମଧ୍ୟରୁ ସରକାରୀ ସହାୟତା ଆବଶ୍ୟକ କରୁନଥିବା ପରିବାର ସଂଖ୍ୟା ଥିଲା ପ୍ରାୟ ୭ କୋଟି। ଅର୍ଥାତ ବଳକା ୧୧ କୋଟି ପରିବାର ଦୈନିକ କର୍ମନିଯୁକ୍ତର ଆବଶ୍ୟକତା ରହିଥାଏ। ଜନଗଣନାକୁ ୧୧ ବର୍ଷ ବିତିଯାଇଥିବାରୁ ଏସବୁ ସଂଖ୍ୟା ବାର୍ଷିକ ୧ରୁ ୧.୫% ବୃଦ୍ଧି ହାରରେ ସମସ୍ତ ସଂଖ୍ୟା ବୃଦ୍ଧି ପାଇବ । କିନ୍ତୁ ଏହି ୧୧ ବର୍ଷ ଭିତରେ ହୋଇଥିବା ଦେଶର ଉନ୍ନତିକୁ କରୋନା ମହାମାରୀ ନିଶ୍ଚିତଭାବେ ପୁଣି ୧୦ବର୍ଷ ପଛକୁ ଭାରତକୁ ଠେଲି ଦେଇଥିବ ଏଥିରେ ସନ୍ଦେହ ନାହିଁ ।
ସେପଟେ ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ହେଉଥିବା ଓ ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେଉଥିବାରୁ କର୍ମନିଯୁକ୍ତି ଦେଶ ପାଇଁ ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ। ବିରଷ୍ଠ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ, ସରକାରରେ ଥିବା ଦେଶପ୍ରେମୀ ନେତା ନିଶ୍ଚିତ ରୂପେ ଏହି ଚ୍ୟାଲେଞ୍ଜକୁ ଦେଖିଛନ୍ତି କିମ୍ବା ସରକାରରେ କାର୍ଯ୍ୟ କରୁଥିବା ବିଭିନ୍ନ ପରିସଂଖ୍ୟାନ ସଂସ୍ଥାର ରିପୋର୍ଟ ଏସବୁ ଚ୍ୟାଲେଞ୍ଜକୁ ସେମାନଙ୍କ ସାମ୍ନାରେ ଉପସ୍ଥାପିତ କରିଛି। ତେଣୁ ଦେଶକୁ ବିକଶିତ କରିବା ପାଇଁ ବିଭିନ୍ନ ଯୋଜନାମାନେ ପ୍ରଣୟନ ହୋଇଆସୁଛି। କିନ୍ତୁ ସବୁପରେ ବି ଏ କର୍ମନିଯୁକ୍ତି ସମସ୍ୟା ସୁଧୁରିବାର ନାଁ ନେଉନାହିଁ। ସେପଟେ ଦେଶ ଚଳେଇବା ପାଇଁ ସ୍ଥିତି ଏମିତି ଗମ୍ଭୀର ହେଲାଣି ଯେ, ଦିନକୁ ଦିନ ଟ୍ୟାକ୍ସ ପରିମାଣ ବୃଦ୍ଧି କରିବା ସହ ସରକାରୀ ପ୍ରତିଷ୍ଠାକୁ ଘରୋଇକରଣ କରିବାକୁ ବାଧ୍ୟ ହେଉଛନ୍ତି ସରକାର। ଯଦିଓ ସରକାର କହୁଛନ୍ତି ଘରୋଇକରଣ ଦ୍ୱାରା ଦେଶ ଅଧିକ ସୁଦୃଢ଼ ହେବ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ତେଣୁ ବିକଶିତ ଦେଶ ହେବା ପରିବର୍ତ୍ତେ ଆହୁରି ବହୁ ବର୍ଷ ଧରି ଦେଶ ଯେ ବିକାଶନ୍ମୋମୁଖୀ ଭାବେ ନିଜର ପରିଚୟ ଧରି ରଖିବ ତାହା ନିସନ୍ଦେହ।
ତେବେ ଦେଶ ତୁଳନାରେ ଆମ ରାଜ୍ୟ ଓଡ଼ିଶାର ସ୍ଥିତି ଆହୁରି ଦୟନୀୟ। ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ବୋଲି ଯେଉଁ ଖ୍ୟାତି ଅର୍ଜନ କରିଛି ତାହାକୁ ନେଇ ଜଣେ ସ୍ତମ୍ଭକାର ତାଙ୍କ ଲେଖାରେ ଏପରି କଥା କହିଛନ୍ତି ଯାହା ସମସ୍ତଙ୍କୁ ରାଜ୍ୟ ପାଇଁ ଚିନ୍ତା କରିବାକୁ ବାଧ୍ୟ କରିବ। ସେ ଲେଖିଛନ୍ତି ଦାରିଦ୍ର୍ୟ, କମ୍ କ୍ରୟ ଶକ୍ତି ଓ ଅପପୁଷ୍ଟିର ବ୍ୟାପକତା କାରଣରୁ ଓଡ଼ିଶାର ଲୋକମାନେ କମ୍ ଖାଦ୍ୟ ଖାଉଛନ୍ତି। ଆଉ ଏହାର ସୁଯୋଗରେ ଖାଦ୍ୟଶସ୍ୟର ବଳକା ରାଜ୍ୟ ଭାବେ ରିପୋର୍ଟ ତିଆରି ହୋଇଯାଉଛି। ସ୍ତମ୍ଭକାରଙ୍କ ଏ ଉକ୍ତି ଯେ, ସମ୍ପୂର୍ଣ୍ଣ ମିଥ୍ୟା ଏକଥା କେହି କହିପାରିବେ ନାହିଁ । ଦାରିଦ୍ର୍ୟ, କମ୍ କ୍ରୟ ଶକ୍ତି ଓ ଅପପୁଷ୍ଟି ଏ ତିନୋଟି ଯାକ ମଧ୍ୟରୁ ଦାରିଦ୍ର୍ୟ ଓ କମ୍ କ୍ରୟ ଶକ୍ତି ସ୍ପଷ୍ଟ ଭାବେ ବ୍ୟକ୍ତିକୁ ଅନୁଭୂତ ହୋଇଥାଏ। କିନ୍ତୁ ଅପପୁଷ୍ଟି ବ୍ୟକ୍ତିକୁ ଜ୍ଞାତ ହୁଏ ନାହିଁ। ଆଉ ଏ ତିନୋଟିଯାକ, ବ୍ୟକ୍ତି ତଥା ସମାଜକୁ ତଳକୁ ତଳକୁ ନେଇଥାଏ । ଆଉ ଏହାର ସମାଧାନ କେବଳ ଯେ ବ୍ୟକ୍ତିର ରୋଜଗାର ଉପରେ ଆଧାରିତ ଏହାକୁ କେହି ଖଣ୍ଡନ କରିପାରିବେ ନାହିଁ। ତେଣୁ ରୋଜଗାର ପାଇଁ ଦରକାର କର୍ମନିଯୁକ୍ତ । ଆଉ କର୍ମନିଯୁକ୍ତି ହିଁ ଦେଶର ମାନବସମ୍ବଳକୁ ଉପଯୋଗ କରି ଦେଶକୁ ଆଗକୁ ବଢ଼ାଇପାରିବ।
ସହରରେ ରହୁଥିବା ଲୋକମାନଙ୍କୁ ରାତି ପାହିଲେ କେଉଁଠି ନା କେଉଁଠି କର୍ମନିଯୁକ୍ତ ମିଳିବାର ସମ୍ଭାବନା ରହିଥାଏ । କିନ୍ତୁ ଜନଗଣନା-୨୦୧୧ ରିପୋର୍ଟ ମୁତାବକ ଗାଁରେ ରହୁଥିବା ସେହି ୧୧କୋଟି ପରିବାର ପାଇଁ କର୍ମନିଯୁକ୍ତିର ସମ୍ଭାବନା ବହୁତ୍ କମ୍ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଗାଁର ଲୋକଙ୍କୁ କର୍ମନିଯୁକ୍ତି ଦେବା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଉଛନ୍ତି । କିନ୍ତୁ ତାହାର ସୁଫଳ ଗାଁରେ ପରିଲକ୍ଷିତ ହୋଇପାରୁନାହିଁ କାହିଁକି ?
ଦେଶର ସବୁଠୁ ବଡ଼ କର୍ମନିଯୁକ୍ତି ଯୋଜନା ତାଲିକାରେ ପ୍ରଥମେ ରହିଛି ମନରେଗା(ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) କିନ୍ତୁ ମନରେଗା ତାହାର ଉଦ୍ଦେଶ୍ୟ ପୂରଣ କରିବାରେ ନିଶ୍ଚିତ ବିଫଳ ବୋଲି କହିପାରିବା । କାରଣ ମନରେଗା ଯୋଜନାରେ ଗାଁର ଲୋକମାନଙ୍କୁ ବିଶେଷକରି ଅଣକୁଶଳୀ ଶ୍ରମିକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଯୋଗାଇଦେବାକୁ ପ୍ରଥମେ ଜଳ ସଂରକ୍ଷଣ, ବୃକ୍ଷ ରୋପଣ, ଜଳସେଚନ, ଗାଁ ପୋଖରୀ, ବନ୍ୟା ନିୟନ୍ତ୍ରଣ ଆଦି କାର୍ଯ୍ୟକୁ ସର୍ବାଗ୍ରେ ରଖାଯାଇ ଶେଷକୁ ସବୁ ପାଗ ବା ଋତୁ ଉପଯୋଗୀ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟକୁ ତାଲିକାଭୁକ୍ତ କରାଯାଇଥିଲା । କିନ୍ତୁ ଏବେ ଏହି ଅନୁମତିପ୍ରାପ୍ତ କାର୍ଯ୍ୟତାଲିକା ୨୫୦ରୁ ଅଧିକ ହେଲାଣି । ତଥାପି ଗାଁରେ ଲୋକଙ୍କୁ କର୍ମନିଯୁକ୍ତି ମିଳୁନାହିଁ। ଆଉ ଏହି ଯୋଜନାରେ ନିଯୁକ୍ତିର ଯେଉଁ ପରିସଂଖ୍ୟନ ଦେଖିବାକୁ ମିଳୁଛି ସେଥିରୁ ଅର୍ଦ୍ଧାଧିକ କେବଳ କାଗଜପତ୍ରରେ ସତ୍ୟ । ବାସ୍ତବରେ ନିଯୁକ୍ତିର ସେ ସଂଖ୍ୟା ବହୁତଳେ । ବର୍ତ୍ତମାନ ପ୍ରଶ୍ନ ହେଉଛି ଏହି ଯୋଜନା ବିଫଳ ହେବା ପଛରେ କାରଣ କ’ଣ ? ଏହାର ଉତ୍ତର ହେଉଛି ଯୋଜନା କାର୍ଯ୍ୟକାରୀ ହେବାର ୧୭ବର୍ଷ ମଧ୍ୟରେ ଯେଉଁ ସବୁ ଜଳ ସଂରକ୍ଷଣ ପ୍ରକଳ୍ପ, ବୃକ୍ଷ ରୋପଣ ପ୍ରକଳ୍ପ ଜରିଆରେ ସମ୍ପତ୍ତି ସୃଷ୍ଟି ହୋଇଥିଲା ସେଥିରୁ ପ୍ରାୟ ୯୦ ପ୍ରତିଶତର ଅସ୍ତିତ୍ୱ କେଉଁଠି ଅଛି କେହି କହିପାରିବେ ନାହିଁ । ତେଣୁ ସେ ସବୁ ପ୍ରକଳ୍ପ ଯେ ନିଯୁକ୍ତି ଦେଇଥିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ଆଉ ଏହି ଯୋଜନାର ବିଫଳତା ପଛର ପ୍ରମୁଖ କାରଣ ହେଉଛି ଯୋଜନାର ଜଟିଳତା ଓ ଉତ୍ତରଦାୟିତ୍ୱ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା । ଯଦିଓ ଏହି ଯୋଜନାରେ ଆଇନ ଉଲଘଂନ କଲେ ଦଣ୍ଡର ବ୍ୟବସ୍ଥା ଅଛି କିନ୍ତୁ ତାହା ଦାୟୀ ଅଧିକାରୀଙ୍କୁ ଦଣ୍ଡ ଦେବାରେ ସେତେଟା ସଫଳ ଓ ଚର୍ଚ୍ଚିତ ହୋଇପାରିନାହିଁ । ତେଣୁ ଯୋଜନା କାଗଜ କଲମରେ ସୀମିତ ହୋଇ ରହିଛି ଓ ଖୁବ୍ଶୀଘ୍ର ଦେଶର ଆର୍ଥକ ସଂକଟ ଭିତରେ ସେ ନିଜର ପରିଚୟ ହରାଇବ।
ଏହାବାଦ୍ ଗାଁରେ ଅନେକ ଯୋଜନା ରହିଛି ଯାହା ଗାଁର ପ୍ରତ୍ୟେକ ପରିବାରର କ୍ରୟ ଶକ୍ତି ଓ ଅପପୁଷ୍ଟି ସମସ୍ୟାର ସମାଧାନ କରିପାରିବ । କିନ୍ତୁ ସେ ସବୁ ବି ଏହି ସବୁଠୁ ବଡ଼ କର୍ମନିଯୁକ୍ତି ଯୋଜନା ଭଳି ବାଟବଣା ହୋଇଛି । ଆଉ ସେଗୁଡ଼ିକ ମଧ୍ୟରେ ପ୍ରମୁଖ ଯୋଜନା ହେଉଛି ଜାତୀୟ ଗ୍ରାମ୍ୟ ଜୀବିକା ମିଶନ ଓ ରାଜ୍ୟ ସରକାରଙ୍କ ମିଶନ ଶକ୍ତି । ଏହା ସହିତ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ସମବାୟ ବିଭାଗ ଓ ଏମଏସ୍ଏମ୍ଇ ବିଭାଗର ବିଭିନ୍ନ ଯୋଜନା । କିନ୍ତୁ ଏସବୁ ଭିତରେ ଗାଁର ପ୍ରତ୍ୟେକ ପରିବାର ପାଖରେ ସହଜରେ ପହଞ୍ଚ କର୍ମନିଯୁକ୍ତି ଦେବାରେ ଓ ଅପପୁଷ୍ଟି ଦୂର କରିବାରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସକ୍ଷମ ହୋଇପାରିବେ। କିନ୍ତୁ ଗାଁର ମହିଳାମାନଙ୍କକୁ ଆଧୁନିକ ଡିଜିଟାଲ ଯୁଗର ସୁଯୋଗ ଅନୁଯାୟୀ କୁଶଳୀ ନ କରାଯାଇ ପାଞ୍ଚଜଣିଆ ଧୂପ, ଫିନାଇଲ, ମାଛ ଚାଷ, ପାମ୍ପଡ, ବଡ଼ି, ଖାଦ୍ୟ ଷ୍ଟଲ, ପୁରୁଣା ଢ଼ାଞ୍ଚାରେ ଲୁଗାବୁଣା ଆଦି ପ୍ରକଳ୍ପରେ ସୀମିତ କରିବା ଦ୍ୱାରା ମନରେଗା ପରି ଏହା ଯେ ଗୋଟିଏ ଦିନ ବାଟବଣା ହେବ ତାହା ଜଳଜଳ କରି ଦେଖାଗଲାଣି । ଆଉ ବିଶେଷ କରି ଜୀବିକା ମିଶନ ଓ ମିଶନ ଶକ୍ତିରେ ଲକ୍ଷ ଲକ୍ଷ ଟଙ୍କା ଗ୍ରାମ୍ୟସ୍ତରରେ ଲୋକଙ୍କ ହାତରେ ରହୁଥିବାରୁ ଏହା ବିବାଦର ଭୂମିକା ନେଇ ଡିଭାଇଡ ଏଣ୍ଡ ରୁଲ୍ ନ୍ୟାୟରେ ଭୋଟବ୍ୟାଙ୍କ ସିନା ପାଲଟିବ କିନ୍ତୁ କର୍ମନିଯୁକ୍ତି ସୃଷ୍ଟି କରି ନ ପାରି ନିଜର ଅସ୍ତିତ୍ୱ ହରାଇବା ସୁନିଶ୍ଚିତ।

