ରାଜୁ ସିଣ୍ଡ୍ରୋମ ଭରଷାରେ ବିଜେପି !

Share

ସବୁ ସର୍ଭେ ବିଜେଡି ସପକ୍ଷରେ ଯାଉଥିବାରୁ ବିଜେପି ଯେ ଆଗାମୀ ଦିନରେ ପୂର୍ବାପେକ୍ଷା କମ୍ ସିଟ୍ ପାଇବ ଏକଥା ବିଜେପି ନେତାଏଁ ଜାଣିସାରିଲେଣି । ସେଥିପାଇଁ କୁଆଡେ କାର୍ଯ୍ୟକର୍ତାଙ୍କ ଦଳ କହି ବୁଲୁଥିବା ବିଜେପି ନିଜ ନୀତି ଆଦର୍ଶକୁ ବଳି ଦେବାକୁ ପ୍ରସ୍ତୁତ ହୋଇସାରିଲାଣି । ଯେଉଁନେତାମାନେ ଦିନେ ବିଜେପି କାର୍ଯ୍ୟକର୍ତାଙ୍କୁ ଟାର୍ଗେଟ କରୁଥିଲେ ସେମାନେ ଆଜି ବିଜେପିରେ । କେବଳ ଏତିକି ନୁହେଁ ବିଜେଡିକୁ ହରାଇବାକୁ ତାଙ୍କରି ଦଳରେ ବିଦ୍ରୋହ କରୁଥିବା ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ଦେବାର ଆଶା ଦେଖାଇବା ଆରମ୍ଭ କଲାଣି ବିଜେପି । ଦୀର୍ଘ ଦିନ ଧରି କୌଣସି ଉପନିର୍ବାଚନ ହାରୁନଥିବା ବିଜେଡିକୁ ଧାମନଗର ନିର୍ବାଚନମଣ୍ଡଳୀରେ ହାରିବାକୁ ପଡ଼ିଲା । ଆଉ ଏ ପରାଜୟ ପଛରେ ଥିଲେ ବିଜେଡିର ବିଦ୍ରୋହୀ ନେତା ରାଜୁ ଦାସ । ରାଜୁ ଦାସ ଗତ ଧାମନଗର ଉପନିର୍ବାଚନରେ ବିଜେଡିକୁ ହରାଇବାକୁ ଭିତିରିଆ ବିଜେପିକୁ କିଛି ଭୋଟ ସେୟାର କରିଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ସେହି ସାହାଯ୍ୟର ଋଣ ଶୁଝିବାକୁ ଯାଉଛି ବିଜେପି । ଅର୍ଥାତ ବିଜେପିରେ ମିଶିବେ ରାଜୁ ଦାସ । କିନ୍ତୁ ପ୍ରଶ୍ନ ଉଠୁଛି ଅନେକ ଆଗରୁ ବିଜେପି କାହିଁକି ତାଙ୍କୁ ଦଳରେ ମିଶାଇନଥିଲା । ଯଦି ରାଜୁ ଦାସ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲେ ତା ହେଲେ ରାଜୁ ଦାସ ବିଜେପିକୁ ନିର୍ବାଚନ ପରେପରେ ଗଲେ ନାହିଁ କାହିଁକି ? କ’ଣ ରାଜୁ ଦାସ ପୂର୍ବ ପରି ପୁଣି ଥରେ ବିଜେଡିକୁ ଫେରିବାକୁ ଚାହୁଁଥିଲେ । ଶୁଣିବାକୁ ମିଳୁଛି ରାଜୁ ବିଜେଡିକୁ ଫେରିବା ନେଇ ଅନେକ କସରତ କରିସାରିଛନ୍ତି । କିନ୍ତୁ ବିଜେଡି ତାଙ୍କୁ ଆଉ ଆଖି ଟେକି ଦେଖିଲା ନାହିଁ । ଯେଉଁ ରାଜୁ ସିଣ୍ଡ୍ରୋମକୁ ନେଇ ବିଜେପି ଆଗାମୀ ରଣନୀତି ପ୍ରସ୍ତୁତ କରୁଛି ଶୁଣିବାକୁ ମିଳୁଛି ବିଜେଡି କୁଆଡେ ସେହି ସମାନ ରଣନୀତିକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିସାରିଛି । ତେଣୁ ବିଜେଡି ଭିତରେ ସବୁ ରାଜୁଙ୍କୁ ଦଳ ଆଉ ଆଡ ଆଖିରେ ବି ଚାହିଁବ ନାହିଁ । କିନ୍ତୁ ରାଜୁ ଦାସ କାହିଁକି ବିଜେଡିକୁ ଫେରିବାକୁ ଚାହୁଁଥିଲେ । କ’ଣ ରାଜୁ ଦାସ ଜାଣିଛନ୍ତି ଧାମନଗରରେ ବିଜେଡିର ପଲା ଭାରି ରହିବ । ଗତ ଉପନିର୍ବାନର ଫଳାଫଳକୁ ଲକ୍ଷ୍ୟ କଲେ ଦେଖାଯାଉଛି ବିଜେପି ପ୍ରାର୍ଥୀ ସୁରଜଙ୍କ ବିଜୟକୁ ନେଇ ବିଜେଡି ଆଦୌ ଭୟଭୀତ ନୁହଁ । କିନ୍ତୁ ଲୋକପ୍ରିୟତାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ୨୦୧୯ ନିର୍ବାଚନରେ ବିଷ୍ଣୁ ସେଠୀଙ୍କୁ ମିଳିଥିଲା ୮୦,୧୧୧ଖଣ୍ଡ ଭୋଟ । ଉପନିର୍ବାଚନରେ ତାଙ୍କ ପୁଅ ପାଇଲେ ୮୦,୩୫୧ଖଣ୍ଡ ଭୋଟ । ୨୦୧୯ରେ ଭିତିରିଆ କୁଆଡେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ବିଷ୍ଣୁ ସେଠୀଙ୍କୁ ସହଯୋଗ କରିଥିଲେ । କିନ୍ତୁ ୨୦୨୨ ଉପନିର୍ବାଚନରେ ରାଜୁ ଦାସ ଦଳରେ ବିଦ୍ରୋହ କରି ପ୍ରାର୍ଥୀ ହେବା ସହ ଅନେକ ଭୋଟ ବିଜେପି ପାଇଁ କରାଇଥିଲେ ଉପନିର୍ବାଚନରେ ବି ବିଜେପିର ମାତ୍ର ୦.୬୨ ପ୍ରତିଶତ ଭୋଟ ବଢ଼ିଥିଲା । ଅନ୍ୟପଟେ ବିଜେଡି ସଂଗଠନ ବିଷୟରେ ଜାଣିନଥିବା, ଅର୍ଥ କି ବାହୁବଳର ଧାରଣା ନଥିବା ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ଯଦି ଦଳର ଭୋଟକୁ ସ୍ଥିର କରିପାରୁଛି, ତେବେ ନିଶ୍ଚିତ ଭାବରେ ନିର୍ବାଚନ ସମୟରେ ଦଳୀୟ ବିଦ୍ରୋହ ରହି ନଥିଲେ ସୁରଜ ନାହିଁ ନଥିବା ମାର୍ଜିନରେ ପରାଜୟ ସ୍ୱୀକାର କରିଥାନ୍ତେ । ଏ ହିସାବ ବିଜେଡି କରିସାରିଛି ବୋଲି ଚର୍ଚ୍ଚା ହେଉଛି । ତେଣୁ ଧାମନଗରରେ ବିଜେଡିର ଭୋଟବ୍ୟାଙ୍କ ବିଜେପି ପାଇଁ ଯେ ପ୍ରଭାବିତ ହେବ ତାକୁ ନେଇ ବିଜେଡି ବିଲକୁଲ ଚିନ୍ତିତ ନୁହଁ । କିନ୍ତୁ ଦଳୀୟ ବିଦ୍ରୋହୀଙ୍କ ପାଇଁ ସମସ୍ୟା ବଢ଼ିପାରେ । ତେଣୁ ଦଳ ଉପଯୁକ୍ତ ପ୍ରାର୍ଥୀ ଦେଇ ଆଗାମୀ ନିର୍ବାଚନ ଜିତିବ ବୋଲି ଦୃଢ଼ୋକ୍ତି କରୁଥିବା ଶୁଣିବାକୁ ମିଳୁଛି । .ସେହିପରି ଶୁଣିବାକୁ ମିଳୁଛି ୨୦୦୦ ମସିହାରେ ପ୍ରଥମ ଥର ପାଇଁ ସୂର୍ଯ୍ୟବଂଶୀ ସୂରଜଙ୍କ ବାପା ସ୍ୱର୍ଗତ ବିଷ୍ଣୁ ସେଠୀ ଚାନ୍ଦବାଲିରୁ ପ୍ରଥମଥର ବିଜୟ ଲାଭ କରିବା ପରେ ୨୦୦୪ରେ ଏହି ରାଜୁଦାସ ତାଙ୍କ ଦ୍ୱିତୀୟ ବିଜୟରେ କଂଟା ହୋଇଥିଲେ । ୨୦୦୪ରେ ମେଂଟ ପ୍ରାର୍ଥୀ ବିଷ୍ଣୁଙ୍କ ବିରୁଦ୍ଧରେ ବିଜୟ ନାୟକଙ୍କ ପ୍ରରୋଚନାରେ ପ୍ରାର୍ଥୀ ହୋଇଥିଲେ ରାଜୁ ଦାସ । ଆଉ ବିଷ୍ଣୁ ସେଠୀଙ୍କୁ ହରାଇଦେଇଥିଲେ । ଫଳରେ ପରେ ବିଜେଡି ରାଜୁଙ୍କୁ ଦଳକୁ ଫେରାଇବାକୁ ବାଧ୍ୟ ହୋଇଥିଲା । ସେତେବେଳେ ରାଜୁଦାସ ବିଜୟ ନାୟକଙ୍କ ସହାୟତାରେ ୨୨,୮୫୫ଖଣ୍ଡ ଭୋଟ ହାତେଇନେଇଥିବାରୁ ଦଳ ତାଙ୍କୁ ପୁଣି ଥରେ କୋଳେଇ ନେଇଥିଲା । କିନ୍ତୁ ୨୦୧୪ରେ ରାଜୁଙ୍କୁ ବିଜେଡି ଟିକେଟ ଦିଆ ନଯିବା ଓ ୨୦୧୯ରେ ତାଙ୍କୁ ଆତ୍ମଘାତୀ ପ୍ରକ୍ରିୟାରେ ପରାଜିତ ହେବାକୁ ପଡ଼ିବା ଯୋଗୁଁ ୨୦୦୪ର ଭାଉ ଏବେ ରାଜୁ ଦାସଙ୍କ ପାଖରେ ନାହିଁ । ସେହିପରି ୨୦୦୪ରେ ରାଜୁ ବିଜୟଙ୍କ ଛତ୍ରଛାୟା ତଳେ ଥିଲେ କିନ୍ତୁ ଏବେ ରାଜୁ ଦାସ ଏକୁଟିଆ । ଆଉ ଯେଉଁଥିପାଇଁ ରାଜୁ ଦାସଙ୍କୁ ବିଜେଡି ଆଉ ଗୁରୁତ୍ୱ ଦେଉନାହିଁ ।ଉପନିର୍ବାଚନରେ ରାଜୁ ଦାସ ମାତ୍ର ୮,୧୫୩ଖଣ୍ଡ ଭୋଟ ପାଇଥିଲେ । ଜଣେ ପୂର୍ବତନ ବିଧାୟକ କିମ୍ବା ନିର୍ବାଚନମଣ୍ଡଳୀର ଜଣେ ଟାଣୁଆ ନେତାଙ୍କର ପକେଟ ଭୋଟ ଏମିତିରେ ବି ୧୦ହଜାର ପର୍ଯ୍ୟନ୍ତ ରହିପାରେ । ତେଣୁ ରାଜୁ କୌଣସି ଭୋଟବ୍ୟାଙ୍କ ପ୍ରଭାବିତ କରିବା ଭଳି ସ୍ଥିତିରେ ନାହାନ୍ତି । ଏଭଳି ସ୍ଥିତିରେ ବିଜେପି ରାଜୁଙ୍କୁ କୋଳେଇ ନେବା ପଛରେ ମୂଳ କାରଣଟି ହେଉଛି ବର୍ତମାନ ଧାମନଗର ବିଧାୟକ ସୂର୍ଯ୍ୟବଂଶୀଙ୍କୁ ବିଜେପି ୨୦୨୪ରେ ଏମ୍‌ପି ପ୍ରାର୍ଥୀ କରିବାକୁ ଚାହୁଁଛି । ଯଦି ସୁରଜ ଏମ୍‌ପି ଭାବେ ଛିଡା ହେବେ ତେବେ ଧାମନଗର ବିଜେପିର ମଙ୍ଗ ଧରିବାକୁ ରାଜୁ ଦାସଙ୍କ ବ୍ୟତୀତ ଆଉ କେହି ନାହାନ୍ତି । ତେଣୁ ବିଜେପି ପାଇଁ ରାଜୁ ଦାସ ହିଁ ଏକମାତ୍ର ବିକଳ୍ପ ଥିଲେ । ସେପଟେ ବିଜେଡି ରାଜୁ ଦାସଙ୍କୁ ଦଳକୁ ଫେରାଇଥିଲେ ବିଜେଡିକୁ ଫାଇଦା ବଦଳରେ ଅଧିକ କ୍ଷତି ହୋଇଥାନ୍ତା କାହିଁକି ନା ବିଜେଡି ଭିତରେ ତାଙ୍କୁ ଜଣେ ପ୍ରଭାବଶାଳୀ ନେତା ଘୋର ବିରୋଧ କରୁଛନ୍ତି । ତେଣୁ ରାଜୁ ଦାସ ବିଜେପିରେ ମିଶିବା ଧାମନଗର ରାଜନୀତିରେ ଯେ କିଛି ସ୍ୱତନ୍ତ୍ର ପ୍ରଭାବ ରଖିବ ତାହା ଦେଖାଯାଉନାହିଁ ।