କାହିଁକି ପଦ୍ମ ଘୁଂଚି ଘୁଂଚି ଯାଉଛି । ସାରା ଓଡ଼ିଶା ନୂଆ ସରକାରର ରୂପ ରେଖ ଦେଖିବାକୁ ଚାହୁଁଥିବାବେଳେ ଓଡ଼ିଶା ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ସ୍ଥିର କରିପାରୁନାହିଁ ବୋଲି ଚର୍ଚ୍ଚା ହେଉଛି । ଯଦିଓ ବିଜେପି ପକ୍ଷରୁ ବିଭିନ୍ନ କାରଣ ଦର୍ଶାଯାଉଛି କିନ୍ତୁ ସତ୍ୟ କିଛି ଅଲଗା ହୋଇଥାଇପାରେ ବୋଲି ଶୁଣିବାକୁ ମିଳୁଛି । ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସୂଚୀ ପାଇଁ ନା ଅନ୍ୟ କିଛି କାରଣ ପାଇଁ ଶପଥ ଗ୍ରହଣ ଉତ୍ସବ ଘୁଂଚିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୯ ତାରିଖରେ ଶପଥ ନେବେ ବୋଲି ସ୍ପଷ୍ଟ ହୋଇସାରିଥିଲା ଏବଂ ଓଡ଼ିଶାରେ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେଇଥାନ୍ତେ । ସେତେବେଳେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ବିଷୟରେ କ’ଣ ସମସ୍ତେ ଅବଗତ ନଥିଲେ କି । ତେଣୁ ଏ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଫ୍ୟାକ୍ଟରଟି ଏକ ବାହାନା ବୋଲି ଚର୍ଚ୍ଚା ହେଉଛି । ତାରିଖ ଘୁଂଚିବା ପଛରେ ନିଶ୍ଚିତ ଆଉ କିଛି ରହସ୍ୟ ଥାଇପାରେ । ଅନ୍ୟପଟେ ରବିବାର କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବାକୁ ପିଏମଓରୁ କାହା ପାଖକୁ କଲ ଆସୁଛି ତାହାରି ଉପରେ ସମସ୍ତଙ୍କ ନଜର ଥିଲା । ପ୍ରଥମେ ଜୁଏଲ ଓରାମ ଓ ପରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଶୁଣାଯିବାରୁ ସମସ୍ତେ ଭାବିବାକୁ ଲାଗିଲେ ବୋଧହୁଏ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । କିନ୍ତୁ ପରବର୍ତୀ ସମୟରେ ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ବୈଠକରେ ଯୋଗ ଦେବାପରେ ଜଣାପଡ଼ିଲା ଯେ ଧର୍ମେନ୍ଦ୍ର ପୁଣିଥରେ କେନ୍ଦ୍ରମନ୍ତ୍ରୀ ହେବେ । ଅନ୍ୟପଟେ ବ୍ରଜରାଜନଗରରୁ ବିଜୟ ଲାଭ କରିଥିବା ସୁରେଷ ପୂଜାରୀଙ୍କୁ ଦିଲ୍ଳୀରୁ ଡାକରା ଆସିଥିବାରୁ ତାକୁ ନେଇ ଏକ ନୂଆ ଚର୍ଚ୍ଚା ହେବାକୁ ଲାଗିଲା । ଓଡ଼ିଶାରୁ ୨୦ ସାଂସଦ ଜିତିଥିବାବେଳେ ମାତ୍ର ୨ଜଣ ବିଜୟୀ ସାଂସଦଙ୍କୁ ପିଏମଓରୁ କଲ ଆସିଲା । ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ । ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ କେନ୍ଦ୍ର ମନ୍ତ୍ରୀ ତାଲିକାରେ ଆସିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରେସ୍ରେ ତାଙ୍କୁ ନାଁକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ହଠାତ ଉଭେଇଗଲା । ବର୍ତମାନ ଚର୍ଚ୍ଚାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସୁରେଷ ପୂଜାରୀ, ମୋହନ ମାଝୀ ଓ କେଭି ସିଂ ଦେଓଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ରାଜ୍ୟ ବିଜେପିକୁ ମନମୋହନ ଏକ ନୂଆ ମୋଡ ଦେବା ସହ ପୂର୍ବରୁ ତାଙ୍କର ପ୍ରଶାସନିକ ଦକ୍ଷତା ରହିଥିବାରୁ ତାଙ୍କ ଉପରେ ବିଜେପି ଭରଷା କରି ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ । ଅନ୍ୟ ପଟେ ସୁରେଷ ପୂଜାରୀଙ୍କୁ ହୁଏତ ବାଚସ୍ପତି ପଦବୀ ଦିଆଯାଇପାରେ । ଏବଂ କେଭି ସିଂ ଦେଓ ଓ ମୋହନ ମାଝୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦବୀ ମିଳିପାରେ । କିନ୍ତୁ ଶୁଣିବାକୁ ମିଳୁଛି ଧର୍ମେନ୍ଦ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ନେଇ ଖୁବ୍ ଆଶାବାଦୀ ଥିଲେ । ତେଣୁ ତାଙ୍କୁ ଯେତେବେଳେ କେନ୍ଦ୍ରମନ୍ତ୍ରୀମଣ୍ଡଳକୁ ନିଆଯାଉଛି ସେଥିରେ ସେ ଖୁସି ତ ? ଏହି ଗୋଟିଏ ପ୍ରଶ୍ନର ଉତର ହୁଏତ ଶପଥ ଗ୍ରହଣ ତାରିଖ ଘୁଂଚିବାର କାରଣ ହୋଇଥାଇପାରେ ବୋଲି କିଛି ଲୋକ ଚର୍ଚ୍ଚା କରୁଛନ୍ତି । ଅନ୍ୟପଟେ ମନମୋହନ ସାମଲ ଯେଭଳି ଭାବେ ବିଜେପିକୁ ଓଡ଼ିଶାରେ ଏକ ନୂଆ ଦିଗ ଦେଲେ ତେଣୁ ତାଙ୍କ ନେତୃତ୍ୱକୁ ନିଶ୍ଚିତ ଭାବେ ଅଧିକ ସଂଖ୍ୟକ ବିଧାୟକ ସମର୍ଥନ କରିବେ । ତେଣୁ ହୁଏତ ମନମୋହନ ଓ ଧର୍ମେନ୍ଦ୍ରଙ୍କ ଫ୍ୟାକ୍ଟର ଶପଥ ଗ୍ରହଣ ତାରିଖକୁ ଘୁଂଚାଉଥାଇପାରେ । ତେବେ ୧୧ ତାରିଖରେ ବିଧାୟକ ଦଳ ବୈଠକରେ କି ଚିତ୍ର ସାମ୍ନାକୁ ଆସୁଛି ତାହାରି ଉପରେ ସମସ୍ତଙ୍କର ନଜର ରହିବ ।

