ଆତ୍ମହତ୍ୟା ବୃଦ୍ଧି ପାଇଁ କିଏ ଦାୟୀ ? ମେଣ୍ଟାଲ ହେଲଥ୍‌ ଆକ୍ଟ-୨୦୧୭ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି ତ ?

Share

ନିକଟରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ୨୦୨୧ ମସିହାରେ ସାରା ଦେଶରେ ହୋଇଥିବା ଅପରାଧ ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରକାଶିତ କରିଛି। କିନ୍ତୁ ଏନ୍‌ସିଆର୍‌ବି ପ୍ରତିଥର ଦୁର୍ଘଟଣା ଓ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ନେଇ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରକାଶ କରିଥାଏ। ସମସ୍ତ ଅପରାଧିକ ମାମଲା ମଧ୍ୟରେ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ମାମଲା ଅଟେ। ପ୍ରତ୍ୟେକ ଆତ୍ମହତ୍ୟା ଏକ ବ୍ୟକ୍ତିର ଦୁଃଖଦ ଘଟଣା। ଜଣେ ବ୍ୟକ୍ତି ଯେତେବେଳେ ଆତ୍ମହତ୍ୟା କରେ ସେତେବେଳେ ସେହି ବ୍ୟକ୍ତିର ପରିବାର, ବନ୍ଧୁ ପରିଜନ ସବୁଠୁ ଅଧିକ ପ୍ରଭାବିତ ହୋଇଥାନ୍ତି। ଭାରତରେ ପ୍ରତ୍ୟେକ ବର୍ଷ ପ୍ରାୟ ଦେଢ଼ ଲକ୍ଷ ପାଖାପାଖି ବ୍ୟକ୍ତି ଆତ୍ମହତ୍ୟା କରିଥାନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୨୧ବର୍ଷରେ ୧,୬୪,୦୩୩ଜଣ ଆତ୍ମହତ୍ୟା କରିଛନ୍ତି। ଯାହାକି ୨୦୨୦ ତୁଳନାରେ ୭.୨% ଅଧିକ। ୨୦୧୭ରେ ଆତ୍ମହତ୍ୟା ହାର ୯.୯ ଥିବାବେଳେ ୨୦୨୧ରେ ଏହା ୧୨.୦ରେ ପହଞ୍ଚଛି। ଅର୍ଥାତ ପ୍ରତ୍ୟେକ ବର୍ଷ ଆତ୍ମହତ୍ୟା ହାର ବଢ଼ିବାରେ ଲାଗିଛି। ଆତ୍ମହତ୍ୟାରେ ଜାତୀୟ ହାର ୧୨.୦ ଥିବାବେଳେ ଓଡ଼ିଶାରେ ଏହି ହାର ଜାତୀୟ ହାରଠୁ ୦.୫ ଅଧିକ ରହିଛି। ଅର୍ଥାତ ଓଡ଼ିଶାରେ ଆତ୍ମହତ୍ୟା ହାର ୧୨.୫ ଅଟେ। ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ରେ ଆତ୍ମହତ୍ୟା ହାର ୩୧.୮ ଥିବା ବେଳେ ଏହା ତଳକୁ ତେଲେଙ୍ଗାନାରେ ୨୪.୭, ପଶ୍ଚିମବଙ୍ଗଳାରେ ୧୩.୭ ରହିଛି। ସେପଟେ ପଡୋଶୀ ଆନ୍ଧ୍ରପ୍ରଦେଶରେ ଆତ୍ମହତ୍ୟା ହାର ଓଡ଼ିଶାର ଆତ୍ମହତ୍ୟା ହାର ସହ ସମାନ ରହିଛି। କିନ୍ତୁ ପଡ଼ୋଶୀ ଝାଡ଼ଖଣ୍ଡରେ ଏହି ଆତ୍ମହତ୍ୟା ହାର ଜାତୀୟ ହାର ତୁଳନାରେ ଢ଼େର କମ୍‌। ଏଠାରେ ଆତ୍ମହତ୍ୟା ହାର ମାତ୍ର ୪.୭ରେ ସୀମିତ ରହିଛି। ଅର୍ଥାତ ଆମର ସବୁ ପଡ଼ୋଶୀ ରାଜ୍ୟ ଅପେକ୍ଷା ଝାଡ଼ଖଣ୍ଡରେ ଏ ଆତ୍ମହତ୍ୟା ପ୍ରବଣତା ବହୁ କମ୍‌ ଦେଖିବାକୁ ମିଳୁଛି।
ବର୍ତ୍ତମାନ ପ୍ରଶ୍ନ ହେଉଛି ଆଗାମୀବର୍ଷରେ ଏହି ଆତ୍ମହତ୍ୟା ହାର ଯେ କମିବ ତାହା କଳନା କରିବା ଏକ ପ୍ରକାର ଅସମ୍ଭବ ମନେ ହେଉଛି। କିନ୍ତୁ ଯଦି ଆତ୍ମହତ୍ୟା ହାର ଏପରି ବଢ଼ିଚାଲେ ତେବେ ତାହା ଏହା ସ୍ପଷ୍ଟ କରିଚାଲିବ ଯେ, ଭାରତୀୟ ସମାଜରେ ସାମାଜିକ ସନ୍ତୁଳନ ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗୁଛି। ଯେହେତୁ ଜାତୀୟ ହାର ତୁଳନାରେ ଓଡ଼ିଶାର ଆତ୍ମହତ୍ୟା ହାର ସାମାନ୍ୟ ଅଧିକ ରହିଛି, ତେଣୁ ଓଡ଼ିଶାରେ ସାମାଜିକ ସନ୍ତୁଳନ ଦିନକୁ ଦିନ ଅଧିକ ବିଗିଡ଼ିବାର ସମ୍ଭାବନା ଦେଖାଯାଉଛି। ଏଭଳି ସମୟରେ ଏହାର ସମାଧାନ ଦିଗରେ ଯଦି ସଠିକ୍‌ ଭାବେ ପଦକ୍ଷେପ ନିଆ ନଯାଏ ତେବେ କେତେ ଯେ ପରିବାର ଅସହାୟ ହୋଇପଡ଼ିବ ତାହା କହିହେବ ନାହିଁ।
୨୦୨୦ ମସିହାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କ୍ଷେତ୍ରରେ ସାରାଦେଶରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଥିଲା। ସଦ୍ୟତମ ରିପୋର୍ଟରେ ଏହି ସଂଖ୍ୟାରେ କିଛିଟା ହ୍ରାସ ଘଟିଛି। ୨୦୨୦ରେ ପାଖାପାଖି ୧୪ଶହରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା କମି ୮୩୪ରେ ସୀମିତ ରହିଛି। ଯାହା ଓଡ଼ିଶା ପାଇଁ ଭଲ ଖବର ଅଟେ। କିନ୍ତୁ ମୋଟାମୋଟି ଭାବେ ଦେଖିଲେ ଆତ୍ମହତ୍ୟା ପ୍ରବଣତା ଓଡ଼ିଶାରେ ବୃଦ୍ଧି ପାଉଛି।
ଏନ୍‌ସିଆର୍‌ବି ସଦ୍ୟତମ ରିପୋର୍ଟ ଅନୁଯାୟୀ, ସାରାଦେଶରେ ଆତ୍ମହତ୍ୟା କରିଥିବା ମୋଟ ମାମଲା ମଧ୍ୟରୁ ସର୍ବାଧିକ ୩୩.୨% ଆତ୍ମହତ୍ୟା ପାରିବାରିକ ସମସ୍ୟା ଯୋଗୁଁ ହୋଇଛି। ଏହାତଳକୁ ରହିଛି ଅସୁସ୍ଥତା କାରଣରୁ ଆତ୍ମହତ୍ୟା। ୧୮.୬% ନିଜର ଶାରିରୀକ ଅସୁସ୍ଥତାକୁ ସହ୍ୟ କରି ନା ପାରି ଆତ୍ମହତ୍ୟା କରିଛନ୍ତି। ଆଉ ଏହା ତଳକୁ ରହିଛି ନିଶାଜନିତ ଆତ୍ମହତ୍ୟା(୬.୪%), ଦାମ୍ପତ୍ୟ କଳହ(୪.୮%), ପ୍ରେମବ୍ୟାପାର(୪.୬%), କରଜ ବୋଝ(୩.୯%), ବେକାରୀ(୨.୨%), ବୃତ୍ତିଗତ ସମସ୍ୟା(୧.୬%) ଆଦି।
ସର୍ବାଧିକ ଥିବା ପାରିବାରିକ ସମସ୍ୟା ଓ ଶାରିରୀକ ଅସୁସ୍ଥତା ଜନିତ କାରଣରୁ ଆତ୍ମହତ୍ୟା ବର୍ତ୍ତମାନ ଦେଶ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ। ପାରବାରିକ ସମସ୍ୟା ପଛରେ ମାନସିକ ସ୍ୱାସ୍ଥ୍ୟ ହେଉଛି ପ୍ରମୁଖ କାରଣ ଓ ଶାରିରୀକ ଅସୁସ୍ଥତା ତ କେଉଁ ଆବାହମାନ କାଳରୁ ରହିଆସିଛି। ଏହି ଦୁଇଟି ପ୍ରମୁଖ ଚ୍ୟାଲେଞ୍ଜକୁ ସରକାର ସ୍ୱୀକାର ବି କରିସାରିଛନ୍ତି । ସାରାଦେଶରେ ଦେଶବାସୀଙ୍କ ଶାରିରୀକ ଅସୁସ୍ଥତାକୁ ଦୂର କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ତଥା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କ୍ଷେତ୍ରରେ ଡାକ୍ତର ନିଯୁକ୍ତି ଠାରୁ ଆରମ୍ଭ କରି ଅନ୍ୟ ସବୁ ପ୍ରକାର ବ୍ୟବସ୍ଥା ସରକାର କରିଆସୁଥିଲେ ବି ସ୍ୱାସ୍ଥ୍ୟ ସମସ୍ୟା ଭଳି ଏକ ମୌଳିକ ସମସ୍ୟାକୁ ଆମେ ସମାଧାନ କରିବା ଦିଗରେ ବିଫଳ ହୋଇଛେ। କେନ୍ଦ୍ରର ଆୟୁଷ୍ମାନ ଯୋଜନା ହେଉକି ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବଡ଼ ବଡ଼ ଯୋଜନା ମାନ ଏହି ସମସ୍ୟାକୁ ସମାଧାନ କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହାନ୍ତି । ଆଉ ଯେଉଁଥିପାଇଁ ଆତ୍ମହତ୍ୟାରେ ୨ୟ ସ୍ଥାନରେ ରହିଛି ଅସୁସ୍ଥତା କାରଣରୁ ଆତ୍ମହତ୍ୟା।
କିନ୍ତୁ ଦେଶରେ ୧୯୮୭ ମସିହାରୁ ସମାଲୋଚିତ ହୋଇ ଚାଲିଆସୁଥିବା ପୁରୁଣା ମେଣ୍ଟାଲ ହେଲଥ୍‌ କେୟାର ଆକ୍ଟକୁ ୨୦୧୭ ମସିହାରେ ମେଣ୍ଟାଲ ହେଲଥ୍‌ କେୟାର ଆକ୍ଟ-୨୦୧୭ ଦ୍ୱାରା ଏପ୍ରିଲ ୭ ତାରିଖରେ ରାଷ୍ଟ୍ରପତିଙ୍କ ମୋହର ପାଇ ଦେଶର ପ୍ରତ୍ୟେକ ମାନସିକ ଅସୁସ୍ଥତା ଥିବା ନାଗରିକଙ୍କୁ ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଉକ୍ତ ନାଗରିକଙ୍କୁ ଏକ ସ୍ୱତନ୍ତ୍ର ଅଧିକାର ଦେବାକୁ ପ୍ରୟାସ କରାଯାଇଥିଲେ ବି ଆଜି ମାନସିକ ଅସନ୍ତୁଳନ ସମାଜରେ ସବୁଠୁ ଅଧିକ ଦେଖାଯାଉଛି। ଏକ ରିପୋର୍ଟ ଅନୁଯାୟୀ ଅତୀତରେ ଭାରତରେ ପ୍ରତି ୪୦ଜଣରେ ଜଣେ ଡିପ୍ରେସନର ଶିକାର ହେଉଥିବାବେଳେ ବର୍ତ୍ତମାନ ପ୍ରତି ୨୦ଜଣରେ ଜରେ ବିଭିନ୍ନ କାରଣ ପାଇଁ ଡିପ୍ରେସନର ଶିକାର ହେଉଛନ୍ତି। କିନ୍ତୁ ଏହି ମାନସିକ ରୋଗକୁ ଜାଣିବାରେ ଆଜି ବି ଅନେକ ନାଗରିକ ଅସମର୍ଥ । ଆଉ ବୋଧହୁଏ ଯେଉଁଥି ପାଇଁ ଦେଶରେ ସର୍ବାଧିକ ଆତ୍ମହତ୍ୟା ପାରିବାରିକ ସମସ୍ୟା ଯୋଗୁଁ ଘଟୁଛି। ନୂତନ ଆଇନ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ କୌଣସି ମାନସିକ ଅସ୍ଥିରତା ବା ରୋଗରେ ପିଡ଼ୀତ ସେମାନଙ୍କୁ ଦେଶ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗଇବାକୁ ବାଧ୍ୟ। ଏବଂ ଦେଶର ଏଭଳି ନାଗରିକଙ୍କର ଏହା ହେଉଛି ଏକ ଅଧିକାର। ଏହି ଆଇନରେ ମାନସିକ ଅସୁସ୍ଥତା ଥିବା ବ୍ୟକ୍ତିଙ୍କୁ ଆଡମିଶନ ଠାରୁ ଆରମ୍ଭ କରି ଚିକିତ୍ସା ଓ ତତ୍‌ ପରବର୍ତ୍ତୀ ପଦକ୍ଷେପ ସମ୍ବନ୍ଧରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଆଇନକୁ କାର୍ଯକାରୀ କରିବା ପାଇ ପ୍ରମୁଖ ଅଧିକାରୀ କିଏ ? ଆଉ ସେ ତାଙ୍କର କର୍ତ୍ତବ୍ୟ ସଠିକ୍‌ ଭାବରେ ସମ୍ପାଦନ କରୁଛନ୍ତି ତ ? ପ୍ରତ୍ୟେକ ଥାନାର ଥାନାଧିକାରୀ ଯଦି କୌଣସି ବ୍ୟକ୍ତି ମାନସିକ ସ୍ତରରେ ଅସନ୍ତୁଳିତ ହୋଇଥିବା ଅନୁଭବ କରନ୍ତି ଏବଂ ସେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚତ ହେଉଛନ୍ତି ତେବେ ସେ ତୁରନ୍ତ ଏନେଇ ମାଜିଷ୍ଟ୍ରେଟକୁ ଜଣାଇବେ। ଆଉ ଏହାପରେ ଆଇନ ଅନୁଯାୟୀ ଉକ୍ତ ବ୍ୟକ୍ତିକୁ ଚିକିତ୍ସା ଯୋଗାଇଦେବାର ଦାୟିତ୍ୱ ହେଉଛି ସରକାରଙ୍କର। କିନ୍ତୁ ଏସବୁ କୌଣସି ବି ଥାନାରେ କାର୍ଯ୍ୟକାରୀ ହେଉଛି ତାହା କହିବା ବାହୁଲ୍ୟ ମାତ୍ର।
ଯେତେବେଳେ ବି କୌଣସି ଥାନା ଅଧିନରେ କୌଣସି ପରିବାରରରେ ସମସ୍ୟା ହୁଏ ସେଥିମଧ୍ୟରୁ ପ୍ରାୟତଃ ଅଧିକାଂଶ ଘଟଣା ଥାନାଧିକାରୀଙ୍କ ଗୋଚରକୁ ଆସିଥାଏ। କିନ୍ତୁ ସେହି ସବୁ ମାମଲାକୁ ମେଣ୍ଟାଲ ହେଲଥ୍‌ କେୟାର ଆକ୍ଟ ଆଧାରରେ ଥାନାଧିକାରୀ ଦେଖନ୍ତି ନାହିଁ। ଯେଉଁଥିପାଇଁ ଅନେକ ପାରବାରିକ ସମସ୍ୟା ଯୋଗୁଁ ହେଉଥିବା ଆତ୍ମହତ୍ୟା ବିଷୟରେ ନିକଟସ୍ଥ ଥାନା ଅବଗତଥିଲେ ବି ସେମାନେ ଏହାକୁ ରୋକିବାକୁ ଆନ୍ତରିକତା ଦେଖାଇନଥାନ୍ତି। ବୋଧହୁଏ ଏହି ମୂଳ ପ୍ରକ୍ରିୟାଟି କାର୍ଯ୍ୟକାରୀ ହେଉନଥିବା ଯୋଗୁଁ ଏହି ଆଇନ ଅକାମୀ ହୋଇ ପଡ଼ିରହିଛି ଓ ଦେଶରେ ଅନେକ ନାଗରିକ ବିଭିନ୍ନ କାରଣ ପାଇଁ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟାର ରାସ୍ତାକୁ ଆପଣାଇ ନେଉଛନ୍ତି।