ଏମିତି କିଛି ଚର୍ଚ୍ଚା ଏବେ ରାଜ୍ୟରେ ଆରମ୍ଭ ହେବାକୁ ଲାଗିଲାଣି । ଚଳିତ ନିର୍ବାଚନରେ ବିଜେଡିର ଯେଭଳି ବିପର୍ଯ୍ୟୟ ଘଟିଲା ତାହା କେହି ଆଶା ବି କରିନଥିଲେ । ବିରୋଧୀ ବିଜେପି ବହୁମତ ପାଇବ ଏକଥା କେହି ଚିନ୍ତା ବି କରିନଥିଲେ । କାରଣ ଗଣତି ଦିନ ଯଦି ଦେଖିବା ଅପରାହ୍ନ ପର୍ଯ୍ୟନ୍ତ ବି ବିଜେପି ନିଜର ବହୁୂମତ ବିଜୟକୁ ନେଇ ଦ୍ୱନ୍ଦରେ ଥିଲା । ବର୍ତମାନ ବିଜେଡିର ବିପର୍ଯ୍ୟୟ ପରେ ଦଳ କିପରି ପୁଣି ନିଜ ପୂର୍ବାବସ୍ଥାକୁ ଫେରିବ ସେ ନେଇ ଭିତରେ ଭିତରେ ଅନେକ ମାନସ ମନ୍ଥନ ଚାଲିଛି । ବ୍ୟୁରୋକାର୍ଟଙ୍କୁ ନେଇ ଯେ ରାଜନୀତି କରିହେବ ନାହିଁ ଏହା ଚଳିତ ନିର୍ବାଚନରେ ସ୍ପଷ୍ଟ ହୋଇଗଲା । କ୍ଷମତାର ଅହଙ୍କାରକୁ ସାଧାରଣ ଭୋଟର ଯେତେବେଳେ ଚାହିଁବେ ଭାଙ୍ଗି ଚୁରମାର କରିଦେଇପାରିବେ । ଏଭଳି କିଛି ଚିତ୍ର ବର୍ତମାନ କେବଳ ଓଡ଼ିଶା ନୁହଁ ପୁରା ଭାରତରେ ଦେଖାଯାଇଛି । ତେଣୁ ସାଧାରଣ ଲୋକ ସହ ଦୈନନ୍ଦିନ ଜଡିତ ଥିବା ନେତା ହିଁ ରାଜନୀତିରେ ନିଜର ସ୍ଥାୟିତ୍ୱ ଜାହିର କରିବାରେ ସକ୍ଷମ ହୋଇପାରନ୍ତି । ଓଡ଼ିଶାରେ ହାତଗଣତି କେତେଜଣ ଅଧିକାରୀଙ୍କ ଅହେତୁକ ହସ୍ତକ୍ଷେପ ପାଇଁ ବିଜେଡିର ବିପର୍ଯ୍ୟୟ ହେଲା ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପିର ଅହଙ୍କାର ଓ ଏକଛତ୍ରବାଦ ଶାସନକୁ ବି ସାଧାରଣ ଭୋଟର ଚେକ୍ ଦେଇଛନ୍ତି । କିନ୍ତୁ ଏ ଦୁଇଟି ଚିତ୍ର ଭିତରୁ ବ୍ୟୁରୋକ୍ରାସି ଯେ ରାଜନୀତିର ପରିପନ୍ଥୀ ଏହା ସ୍ପଷ୍ଟ ହୋଇଛି । ତେଣୁ ରାଜ୍ୟରେ ବିଜେଡି ପୁଣି ତାର ପୂର୍ବସ୍ଥିତିକୁ ଫେରିବାକୁ ହେଲେ ପୁରୁଖା ନେତାଙ୍କର ଆବଶ୍ୟକତା ରହିଛି । ଯେହେତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ ପୁରା ରାଜ୍ୟ ରାଜନୀତିକୁ ଏକୁଟିଆ ସମ୍ଭାଳିପାରିବା ସ୍ଥିତିରେ ନାହାନ୍ତି ତେଣୁ ତାଙ୍କୁ ଅଭିଜ୍ଞ ରାଜନେତାଙ୍କ ଆବଶ୍ୟକତା ଅଛି । ଯେଉଁମାନେ ବିଜୁବାବୁଙ୍କ ପରେ ରାଜ୍ୟରୁ କଂଗ୍ରେସକୁ ହଟାଇ ନୂଆ ଭାବେ ଗଢ଼ି ଉଠିଥିବା ବିଜୁ ଜନତା ଦଳକୁ କ୍ଷମତାସୀନ କରାଇଥିଲେ ବର୍ତମାନ ସମୟରେ ସେଭଳି ନେତାଙ୍କର ଆବଶ୍ୟକତା ଅଛି । ତେବେ ସେତେବେଳେ ଯେଉଁମାନେ ବିଜୁ ଜନତା ଦଳକୁ ତିଆରି କରିଥିଲେ ସେମାନଙ୍କ ମଧ୍ୟରୁ ଅନେକ ସ୍ୱର୍ଗାବାସ କରିସାରିଲେଣି । କିନ୍ତୁ ପୁରୁଖା ନେତା ହିସାବରେ ବିଜୟ ମହାପାତ୍ର ଓ ପ୍ରଫୁଲ୍ଲ ଘଡେଇ ଆଜି ବି ରାଜନୀତିରେ ସକ୍ରିୟ ଅଛନ୍ତି । ବିଜୟ ମହାପାତ୍ରଙ୍କ ଭଳି ବରିଷ୍ଠ ନେତାଙ୍କୁ ବିଜେପି ଅଣଦେଖା କରିବା ପରେ ସେ ନିଜର ରାଜନୈତିକ ଅସ୍ଥିତ୍ୱ ଜାହିର କରିବାକୁ ଦୀର୍ଘ ବର୍ଷେ ହେଲା ପ୍ରସ୍ତୁତି କରିଆସୁଥିଲେ । ଆଉ ବିଜୟ ମହାପାତ୍ର ଯେ ଜଣେ ଦୂରଦର୍ଶୀ ରାଜନେତା ତାହା ଚଳିତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ପ୍ରାୟ ୧ ବର୍ଷ ପୂର୍ବରୁ ୨୦୨୩ ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହରେ ବିଜୟ ମହାପାତ୍ର ପାଟକୁରାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେହି କାର୍ଯ୍ୟକ୍ରମରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ସେତେବେଳେ କ’ଣ ବିଜୟ ମହାପାତ୍ରଙ୍କ ବିନା ଅନୁମତିରେ ଅରବିନ୍ଦ ଏଭଳି କହିଥିବେ କି ? ତେଣୁ ବର୍ଷେ ପୂର୍ବରୁ ବିଜୟ ମହାପାତ୍ର ରାଜନୀତିର ଗୋଟି ଚଳାଇଥିଲେ । ଆଉ ସେତେବେଳେ ଦିବଙ୍ଗତ ବରିଷ୍ଠ ନେତା ଦାମ ରାଉତ ବି କହିଥିଲେ ଅରବିନ୍ଦ ବିଜେଡି ଟିକେଟରେ ଲଢ଼ିବେ ଓ ବିଜୟ ମହାପାତ୍ର ବିଜେପି ଛାଡିଦେବେ । ବର୍ତମାନ ଅରବିନ୍ଦ ବିଜେଡିରୁ ଟିକେଟ ନେଇ ଲଢ଼ିବା, ବିଜେଡି ସଭାରେ ବିଜୟ ଯୋଗଦେବା ଓ ଶେଷରେ ୧୩ହଜାରରୁ ଅଧିକ ଭୋଟରେ ବିଜୟ ମହାପାତ୍ରଙ୍କ ପୁଅ ବିଜୟୀ ହେବା କେଉଁଠି ନା କେଉଁଠି ସ୍ପଷ୍ଟ କରୁଛି ଯେ ବର୍ତମାନ ପରିସ୍ଥିତିରେ ବିଜୟଙ୍କ ରାଜନୈତିକ ଦୂରଦର୍ଶୀ ବୁଦ୍ଧି ବିଜେଡି ପାଇଁ ନିହାତି ଆବଶ୍ୟକ ଅଛି । ସେହିପରି ମେ ୨୯ ଅପରେସନ ଠାରୁ ବିଜେଡିଠୁ ଦୂରେଇ ରହୁଥିବା ପ୍ରଫୁଲ୍ଲ ଘଡେଇଙ୍କ ଭଳି ନେତାଙ୍କ ପୁଅ ଚଳିତ ନିର୍ବାଚନରେ ପରାଜିତ ହେବା ପରେ ପ୍ରଫୁଲ୍ଲଙ୍କ ରାଜନୈତିକ କୌଶଳ ବର୍ତମାନ ବିଜେଡି ପାଇଁ ନିତାନ୍ତ ଆବଶ୍ୟକ ପଡ଼ିପାରେ । ସେହିପରି ନବୀନଙ୍କ ଗୁଡବୁକ୍ରେ ଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବି ଚଳିତ ନିର୍ବାଚନରେ ବିଜୟୀ ହୋଇଛନ୍ତି । ତେଣୁ ଏହି ତିନି ପୁରୁଖା ଏକ ହୋଇ ଯଦି ବିଜେଡ଼ିକୁ ପରିଚାଳନା କରନ୍ତି ତେବେ ଆଗାମୀ ପଂଚାୟତ ନିର୍ବାଚନରେ ବିଜେଡି ଲୋକଭିମୁଖୀ ହୋଇ ପୁଣି ତାର ପୂର୍ବସ୍ଥିତି ଫେରିପାଇବ ବୋଲି ଚର୍ଚ୍ଚା ହେଉଛି । ତେବେ ନବୀନ ଅପ୍ରତ୍ୟାଶିତ ଭାବେ ପରାଜୟକୁ ବରଣ କରିଥିବାରୁ ଏହି ବରିଷ୍ଠଙ୍କ ସହଯୋଗ ବିନା ଆଗାମୀ ଦିନରେ ବିଜେପି ଭଳି ଏକ ଦଳକୁ ପ୍ରତିହତ କରିବା ଅସମ୍ଭବ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା ଏହି ବରିଷ୍ଠଙ୍କୁ ବିଜେଡି ଆପଣାଉଛି ନା ଆଉ କିଛି ନୂଆ ଉପାୟ ଅବଲମ୍ବନ କରୁଛି ।

