ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଯେଉଁ ସସପେନ୍ସ ଥିଲା ତାହା ଦୂର ହୋଇଛି ସତ କିନ୍ତୁ ଓଡ଼ିଶା ବିଜେପିର ମଙ୍ଗ କାହା ହାତରେ ରହିଲା ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଲାଣି । ମଙ୍ଗଳବାର ଦିନ ଯେତେବେଳେ ଜୟ ନାରାୟଣ ମିଶ୍ର କହିଲେ ଯେ ନିର୍ବାଚିତ ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ ସେତେବେଳୁ ଏବଂ ଯାହା ବିଶ୍ୱସ୍ଥ ସୂତ୍ରରୁ ଜଣାଯାଏ ସକାଳୁ ମୋହନ ମାଝୀଙ୍କ ଘର ସଜାଯିବା ଘଟଣାରୁ ପ୍ରାୟତଃ ସ୍ପଷ୍ଟ ହେଉଥିଲା ମୋହନ ମାଝୀ ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କିନ୍ତୁ ଏ ନେଇ କେହି ଦୃଢ଼ୋକ୍ତି କରିପାରୁନଥିଲେ । ସେ ଯାହା ବି ହେଛ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ସ୍ପଷ୍ଟ ହୋଇଛି ଯେ ବିଜେପି ଜଣେ ଅଭିଜ୍ଞ, ଜ୍ଞାନୀ ତଥା ଜଣେ ଚତୁର ରାଜନୈତିକ ବ୍ୟକ୍ତିଙ୍କ ହାତରେ ଓଡ଼ିଶାର ଦାୟିତ୍ୱ ଦେଇଛି । ବିଗତ ୫ବର୍ଷରେ ଯଦି ଦେଖିବା ବିଧାନସଭା ଭିତରେ ସରକାରଙ୍କୁ ଅଣନିଶ୍ୱାସୀ କରାଇବାରେ ପ୍ରମୁଖ ଭୂମିକା ନେଉଥିଲେ ମୋହନ ମାଝୀ । କେବଳ ଏତିକି ନୁହେଁ ବିଧାନସଭା ବାହାରେ ବିଜେଡି ସରକାର ସମୟରେ ରାଜ୍ୟ ସରକାରଙ୍କ ସମସ୍ତ ଅପରାଗତା, ଦୁର୍ବଳତା, ଦୁର୍ନୀତି ତଥା ଆଇନଶୃଙ୍ଖଳାକୁ ନେଇ ଯେଭିଳି ମିଡ଼ିଆ କଭରେଜ ହେବା କଥା ତାହାର ମଙ୍ଗ ଧରିଥିଲେ ମୋହନ ମାଝୀ । ଅତ୍ୟନ୍ତ ଶାଣିତ ଓ ଆକସ୍ମିକ ଆକମ୍ରଣ କରୁଥିବା ଜୟ ନାରାୟଣ ମିଶ୍ର ଶାରିରୀକ ଅସୁସ୍ଥତା ପାଇଁ ଯେତେବେଳେ ରାଜନୀତି ଚର୍ଚ୍ଚାରୁ ଦୂରେଇ ରହୁଥିଲେ ସେତେବେଳେ ବିଜେପି ତରଫରୁ ସରକାରଙ୍କୁ ଆକ୍ରମଣ କରିବାର ଦାୟିତ୍ୱ ନିଜେ ମୁଣ୍ଡାଇ ନେଉଥିଲେ ମୋହନ ମାଝୀ । ମୋହନ ମାଝୀଙ୍କର ଏହି ଦକ୍ଷତା ପାଇଁ ତାଙ୍କ ଦଳ ବି ତାଙ୍କୁ ଚିଫ ହ୍ୱିପ୍ ଦାୟିତ୍ୱ ଦେଇଥିଲା । ମୋହନ ମାଝୀଙ୍କ ଦକ୍ଷତାକୁ ନେଇ କୌଣସି ବି ଓଡ଼ିଶାବାସୀ ପ୍ରଶ୍ନ କରିବାର କୌଣସି ସମ୍ଭାବନା ନାହିଁ କିନ୍ତୁ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଗୋଟେ ଚର୍ଚ୍ଚା ଭିତରେ ଭିତରେ ହେଉଛି ଯେ ଓଡ଼ିଶା ବିଜେପିର ଡୋର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ରହିପାରେ । ମନମୋହନ ସାମଲ ଯେଭଳି ଭାବରେ ନିର୍ବାଚନ ପୂର୍ବରୁ ବିଜେପିକୁ ସଶକ୍ତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ତାକୁ ନେଇ ଯେଉଁ ସମ୍ଭାବନା ବିଷୟରେ ଚର୍ଚ୍ଚା ହେଉଥିଲା ସେଥିରେ ଗୋଟିଏ ବିରାଟ ପୂର୍ଣ୍ଣଛେଦ ପଡ଼ିଛି । ଆଉ ଏହି ବିରାଟ ପୂର୍ଣ୍ଣଛେଦ ୨୦୨୪ ନିର୍ବାଚନର ୮ ମାସ ପୂର୍ବରୁ ବିଜେପିର ସ୍ଥିତି ଓଡ଼ିଶାରେ ଯେପରି ଥିଲା ଆଗାମୀ ଦିନରେ କ୍ଷମତାରେ ରହି ବି ଦଳର ସ୍ଥିତି ସେହିପରି ହେବ ବୋଲି ଏକ ଚର୍ଚ୍ଚା ଭିତରେ ଭିତରେ ଚାଲିଛି । ୨୪ ନିର୍ବାଚନରେ ପୁରା ରାଜ୍ୟ ଯେଉଁ ଫଳ ଦେଖିଛି କୁହାଯାଉଛି ଏହାକୁ ନେଇ କେହି ବି ଆକଳନ କରିନଥିଲେ । ଚର୍ଚ୍ଚା ହେଉଛି ଏହି ଫଳ କୁଆଡେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥଙ୍କ ଲୀଳା । ତେଣୁ ଏ ଶ୍ରେୟ କୌଣସି ବି ବିଜେପି ନେତାଙ୍କୁ ଯାଇପାରିବ ନାହିଁ । ଯଦି ଆକଳନ ଅନୁଯାୟୀ ଫଳାଫଳା ଆସିଥାନ୍ତା ହୁଏତ ରାଜ୍ୟ ବିଜେପି ସଭାପତି ମନମୋହନଙ୍କୁ ମାଷ୍ଟର ମାଇଣ୍ଡ ବୋଲି ଅଭିହିତ କରାଯାଇଥାନ୍ତା । ଯେହେତୁ ଫଳାଫଳ ଏକ ଆଶାତୀତ ରୂପ ଦେଖାଯାଇଛି ତେଣୁ ଏହି ଫଳାଫଳର କ୍ରେଡିଟ୍ କେହି ନେଇପାରିଲେ ନାହିଁ । ବରଂ ରାଜ୍ୟ ବିଜେପି ଯେଭଳି ଭାବେ ଚାଲିଆସୁଥିଲା ସେହିପରି ଚାଲିଲା । ଏଭଳି ପରିସ୍ଥିତିରେ ମୋହନ ମାଝୀ ଯେ ଉପଯୁକ୍ତ ବ୍ୟକ୍ତିତ୍ୱ ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କିନ୍ତୁ ମୋହନ ମାଝୀ ଯେଭଳି ଭାବେ ବିଜେଡି ସରକାରଙ୍କୁ ଘେରୁଥିଲେ ଆଗାମୀ ଦିନରେ ବିଜେଡି ତାଙ୍କ ନୀତିକୁ ଅନୁକରଣ ଯେ କରିବ ନାହିଁ ଏହା କହିହେବ ନାହିଁ । ଯଦି ମୋହନ ମାଝୀଙ୍କ ରାସ୍ତାରେ ବିଜେଡି ଚାଲେ ତେବେ ରାଜ୍ୟ ବିଜେପିକୁ ସରକାର ଚଳାଇବା ଯେ କଷ୍ଟ ହେବ ନାହିଁ ଏହା କହିହେବ ନାହିଁ । ତେବେ ଆଗାମୀ ଦିନରେ ସରକାରଙ୍କୁ କଡା ବିରୋଧ କରୁଥିବା ମୋହନ ମାଝୀ କିଭଳି ବିରୋଧୀଙ୍କୁ ସାମ୍ନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

