‘ମିଶନ ଶକ୍ତି’ ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନ

Share

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ସାରା ଦେଶ ପାଳିବ। ରାଜ୍ୟର କୋଣ ଅନୁକୋଣରେ ପରିକ୍ରମା କରି ଅହିଂସା ରଥ ଗାନ୍ଧିଜୀଙ୍କ ବାର୍ତ୍ତା ବାଣ୍ଟିଛି। ଅନ୍ୟପଟେ ରାଜ୍ୟରେ ଶାସନ ଗାଦିରେ ବସିଥିବା ବିଜୁ ଜନତା ଦଳ ବି ତାର ପଦଯାତ୍ରା କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ଆରମ୍ଭ କରୁଛି। ତେଣୁ ବିଜୁ ଜନତା ଦଳ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବାର ସଙ୍କେତ ସାରା ରାଜ୍ୟବାସୀଙ୍କୁ ଯାଇଛି। ନବୀନ ସରକାର ଗାନ୍ଧି ଜୟନ୍ତୀରେ ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଇପାରିବ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶକୁ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶ ସମ୍ମାନ ଦେଇଆସୁଛନ୍ତି। ମହାତ୍ମାଗାନ୍ଧୀଙ୍କ ଜୀବନ ସଂଗ୍ରାମ,ଆଦର୍ଶ ଓ ନୀତି ଏକ ସୁନ୍ଦର ଓ ଶୃଙ୍ଖଳିତ ଦେଶ ଗଢ଼ିବାରେ ସକ୍ଷମ ଏଥିରେ କୌଣସି ଦ୍ୱିଧା ନାହିଁ। କିନ୍ତୁ ଗାନ୍ଧୀଜୀଙ୍କ ନୀତି ଆଦର୍ଶରେ ଯେ ଏ ଦେଶ ଚାଲୁଛି ତାହା କହିହେବ ନାହିଁ। କିନ୍ତୁ ଯେହେତୁ ସେ ଆମ ଦେଶ ବା ଜାତିର ପିତା, ତେଣୁ ତାଙ୍କ ସ୍ୱପ୍ନକୁ ପୂରଣ କରିବାର ଉତ୍ତରଦାୟିତ୍ୱ ପ୍ରତ୍ୟେକ ନାଗରିକଙ୍କର ରହିଛି। କିନ୍ତୁ ସବୁ ନାଗରିକ ଯେ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ଆଗେଇ ଆସିବେ ତାହା କହିବା ଏକ ପ୍ରକାର ଅସଙ୍ଗତ ହେବ। କାରଣ ଆମ ଦେଶରେ ଅନେକ ଲୋକ ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ଏତେ ସଂଘର୍ଷ କରୁଛନ୍ତି ଯେ ସେମାନେ କାହାର ସ୍ୱପ୍ନ କଥା ଜାଣି ହିଁ ନାହାନ୍ତି। ତେଣୁ ଏଭଳି ସ୍ଥିତିରେ ଯେଉଁମାନେ ଦେଶର ବିଭିନ୍ନ କ୍ଷମତା କେନ୍ଦ୍ରରେ ଅଛନ୍ତି ସେମାନେ ହିଁ ତାଙ୍କ ସ୍ୱପ୍ନ ବିଷୟରେ ଚିନ୍ତନ କରିବାର ଆବଶ୍ୟକତା ଅଛି। ଏହି ପରିପ୍ରେକ୍ଷୀରେ ଯେଉଁ ରାଜନୈତି କ ଦଳ ମାନେ ଗାନ୍ଧୀଙ୍କ ନାମରେ ରାଜନୀତି କରି କ୍ଷମତା କେନ୍ଦ୍ରରେ ଅଛନ୍ତି ସେମାନଙ୍କର ଉତ୍ତର ଦାୟିତ୍ୱ ନିଶ୍ଚିତ ଅଧିକ ରହିବ।
ଚଳିତ ଗାନ୍ଧୀ ଜୟନ୍ତୀ ଅବସରରେ ଯେହେତୁ ଗାନ୍ଧୀଙ୍କ ପାଇଁ ଅହିଂସା ରଥ ରାଜ୍ୟର ଗାଁ ଗାଁ ବୁଲିଛି ତେଣୁ ଗ୍ରାମକୁ ନେଇ ଗାନ୍ଧିଜୀଙ୍କ ଯେଉଁ ସ୍ୱପ୍ନ ରହିଥିଲା ତାହାକୁ କ୍ଷମତାସୀନ ସରକାର ଯେ ପୂରଣ କରିବେ ଏ ଆଶା ନିଶ୍ଚିତ ରୂପେ ରଖାଯାଇପାରିବ। ଗ୍ରାମକୁ ନେଇ ଗାନ୍ଧିଜୀଙ୍କ ସବୁଠୁ ବଡ ସ୍ୱପ୍ନ ଥିଲା ‘ଗ୍ରାମ ସ୍ୱରାଜ’। ଅର୍ଥାତ ଭାରତର ପ୍ରତ୍ୟେକ ଗାଁ ଯେପରି ସ୍ୱାବଲମ୍ବନ ଶୀଳ ହେବ ତାହା ହିଁ ଗାନ୍ଧିଜୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଗ୍ରାମ ସେତେବେଳେ ସ୍ୱାବଲମ୍ବନଶୀଳ ହେବ ଯେତେବେଳେ ଗ୍ରାମର ପ୍ରତ୍ୟେକ ଲୋକ ସ୍ୱାବଲମ୍ବନଶୀଳ ହେବେ। ଆଉ ଏ ସ୍ୱପ୍ନକୁ ପୂରଣ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯୋଜନା କରିଛନ୍ତି। କିନ୍ତୁ ତାହାର କାର୍ଯ୍ୟକାରିତା ଯେଭଳି ଭାବରେ ହେଉଛି ତାହା ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନକୁ ପୂରଣ କରିବାରେ ଯେ ଅସଫଳ ହେବ ଏହା ନିଶ୍ଚିତ। ତେଣୁ ଏସବୁ ଯୋଜନାର କାର୍ଯ୍ୟକାରିତାକୁ ଶତ ପ୍ରତିଶତ ସଫଳ କରାଇପାରିଲେ ଯାଇ ଗାନ୍ଧୀ ଜୟନ୍ତୀ ପାଳନର ଯଥାର୍ଥତା ସାଧିତ ହୋଇପାରନ୍ତା। ପୂର୍ବେ ଗ୍ରାମର ଲୋକମାନଙ୍କ ପାଖରେ ନିଜର କୌଳିକ ବୃତ୍ତି ଥିଲା। ଆଉ ଏହି କୌଳିକ ବୃତ୍ତି ଯୋଗୁଁ ସମସ୍ତଙ୍କ ପାଖରେ କିଛି ନା କିଛି ରୋଜଗାରର ମାଧ୍ୟମ ରହୁଥିଲା। ଆଉ ଗାଁର ଲୋକମାନେ ପରସ୍ପର ପରସ୍ପର ଉପରେ ନିର୍ଭରଶୀଳ ହୋଇ ରହୁଥିଲେ । ଏହା ଉଭୟ ଆର୍ଥକ ଓ ସାମାଜିକ ସ୍ଥିରତାକୁ ବଜାୟ ରଖୁଥିଲା।
କିନ୍ତୁ ଆଜିକାଲି ଗାଁ ଲୋକମାନେ ପ୍ରତ୍ୟେକ ନିଜର ଆବଶ୍ୟକତା ପାଇଁ ବିଭିନ୍ନ କମ୍ପାନୀ ଉପରେ ନିର୍ଭରଶୀଳ ହୋଇପଡ଼ିଲେଣି । ଯେପରି ପୂର୍ବେ ଗାଁର ଚାଷୀମାନେ ସୋରିଷ ଚାଷ କରୁଥିଲେ ଓ କିଛି ଲୋକ ଘଣା ବସାଇ ତେଲ ପେଡି ବିକ୍ରି କରୁଥିଲେ। ଫଳରେ ସେଠାରେ ଏକ କୁଟୀର ଶିଳ୍ପ ବଞ୍ଚରହୁଥିଲା। କିନ୍ତୁ ଏବେ ବିଭିନ୍ନ କମ୍ପାନୀ ଦ୍ୱାରା ରସାୟନ ମିଶା ତେଲ ଉପରେ ସମସ୍ତେ ନିର୍ଭରଶୀଳ। ଫଳରେ ଯେଉଁ ରୋଜଗାର ଘଣାତେଲ ପ୍ରସ୍ତୁତ କରୁଥିବା ଦୋକାନୀ ପାଉଥିଲା ସେ ରୋଜଗାର ତା ପାଖରେ ରହିଲା ନାହିଁ। ଏହି ଘଣା ତେଲ ପ୍ରସ୍ତୁତ କେନ୍ଦ୍ରଗୁଡ଼ିକ ଧୀରେ ଧୀରେ ବନ୍ଦ ହୋଇଗଲା। କିନ୍ତୁ ଏହି କେନ୍ଦ୍ର ଗୁଡ଼ିକ ବନ୍ଦ ହେବାର କାରଣ କ’ଣ ଥିଲା। ତାହାକୁ ଖୋଜିବାର ଆବଶ୍ୟକତା ରହିଛି। ଯେତେବେଳେ ବିଭିନ୍ନ କମ୍ପାନୀ ଖାଇବା ତେଲ ପ୍ରସ୍ତୁତ କରିବା ଆରମ୍ଭ କଲେ ସେମାନେ ତେଲକୁ ରସାୟନ ଯୁକ୍ତ କରି ଏତେ କମ୍‌ ଦାମ୍‌ରେ ବଜାରକୁ ଛାଡ଼ିଲେ ଯେ ଗାଁର ସେହି ଘଣା ତେଲ ବିକ୍ରି କେନ୍ଦ୍ର ବନ୍ଦ ହୋଇଗଲା। ଲୋକେ ଶସ୍ତା ଆଳରେ କମ୍ପାନୀତେଲ ଉପରେ ନିର୍ଭରଶୀଳ ହେବାରୁ ଗ୍ରାମର ଏହି ଶିଳ୍ପଟି ବନ୍ଦ ହୋଇଗଲା। ଏହା ଗୋଟିଏ ମାତ୍ର ଉଦାହରଣ । ଏପରି ଅନେକ ଘଟଣା ରହିଛି ଯାହା ଗ୍ରାମରେ ଥିବା କୁଟୀର ଶିଳ୍ପକୁ ମାରିଦେଇଛି।
ଆମ ଦେଶ ଏହି କମ୍ପାନୀମାନଙ୍କ ଦ୍ୱାରା ପରାଧୀନ ହୋଇଥିଲା। ଇଷ୍ଟଇଣ୍ଡିଆ କମ୍ପାନୀ ସମେତ ପ୍ରାୟ ୧୨୭ରୁ ଉର୍ଦ୍ଧ୍ୱ କମ୍ପାନୀ ଏଭଳି ବିଭିନ୍ନ ଉପାୟରେ ଗ୍ରାମର କୁଟୀରଶିଳ୍ପକୁ ନଷ୍ଟ କରିବା ସହ ଆମ ଦେଶରେ ଉପନିବେଶ ସ୍ଥାପନ କରିଥିଲେ। ଆଉ ଧୀରେ ଧୀରେ ଆମକୁ ପରାଧୀନ କରି ରଖିଲେ। କମ୍ପାନୀଗୁଡ଼ିକର ନୀତି ହିଁ ଆମ ଦେଶକୁ ପରାଧୀନ କରିବାର ଶୃଙ୍ଖଳକୁ ଅଧିକ ମଜୁବତ୍‌ କରିଥିଲା। ଆଉ ଗାନ୍ଧୀ ହିଁ ସେହି ବ୍ୟକ୍ତି ଯିଏ କମ୍ପାନୀମାନଙ୍କ ବିରୁଦ୍ଧରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଭିତରେ ସଚେତନତା ସୃଷ୍ଟି କରିବାରେ ମୁଖ୍ୟ ପୁରୋଧା ସାଜିଥିଲେ। ଦେଶ ପରାଧୀନ ସମୟରେ ଗାନ୍ଧୀ ହିଁ କମ୍ପାନୀଙ୍କୁ ତଡ଼ିବାରେ ମୂଳ ନେତା ପାଲଟିଯାଇଥିଲେ। ତାଙ୍କ ନେତୃତ୍ୱରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ପରବର୍ତ୍ତୀ ସମୟରେ ବଳିଦାନ ଦେଇ ଏ ଦେଶକୁ ସ୍ୱାଧୀନତା ପ୍ରଦାନ କରିଥିଲେ। ତେଣୁ ଗାନ୍ଧିଜୀଙ୍କ ସ୍ୱପ୍ନ ଥିଲା ଗ୍ରାମ ସ୍ୱରାଜ। ଥରେ ଗ୍ରାମ ସ୍ୱରାଜ ପ୍ରତିଷ୍ଠା ହୋଇଗଲେ ଏ କମ୍ପାନୀ ମାନେ ଉପନିବେଶ ପ୍ରତିଷ୍ଠା କରିପାରିବେ ନାହିଁ କି ଦେଶ ପରାଧୀନ ହେବ ନାହିଁ। କିନ୍ତୁ ଗାନ୍ଧିଜୀଙ୍କ ଏ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ସ୍ୱାଧୀନତା ପରେ କେବଳ ଇଷ୍ଟ ଇଣ୍ଡିଆ କମ୍ପାନୀ ଏ ଦେଶରେ ନାହିଁ କିନ୍ତୁ ସେ ସମୟର ଥିବା ଅନକେ କମ୍ପାନୀ ଆଜି ବି ଆମ ଦେଶରେ ରହିଛନ୍ତି। ତେଣୁ ନାମକୁ ଆମକୁ ସ୍ୱାଧୀନତା ମିଳିଛି ସତ କିନ୍ତୁ ଆମେ ସମସ୍ତେ ପରାଧୀନତାର ଚଉବର୍ଦ୍ଦିରେ ଛିଡା ହୋଇଛେ।
ଗାନ୍ଧିଜୀଙ୍କର ଏହି ଗ୍ରାମ ସ୍ୱରାଜ ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳ କେନ୍ଦ୍ରୀୟ ଯୋଜନା ସହାୟତାରେ କରିବାକୁ ଚେଷ୍ଟା କରୁଛି। ଆଉ ଯଦି ଆମେ ସମସ୍ତେ ରାଜ୍ୟ ସରକାରଙ୍କର ଏ କାର୍ଯ୍ୟକୁ ସଫଳତାର ସହ ଆଗେଇ ନେବା, ତେବେ ଗାନ୍ଧିଜୀଙ୍କ ସ୍ୱପ୍ନ ପୂରଣ ହୋଇପାରିବ। ଆଉ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ହିଁ ଗାନ୍ଧିଜୀଙ୍କ ସ୍ୱପ୍ନକୁ ପୂରଣ କରିପାରିବ। ମିଶନ ଶକ୍ତି ଜରିଆରେ ଗ୍ରାମ୍ୟ ମହିଳାମାନଙ୍କୁ ଯେଭଳି ଉତ୍ପାଦକ ଗୋଷ୍ଠୀ ପ୍ରତିଷ୍ଠା କରିବାରେ ସହାୟତା କରୁଛି ଯଦି ତାହା ସଠିକ ରୂପେ ହୋଇପାରିବ ତେବେ ଆଗାମୀ ଦିନରେ ଲୋକଙ୍କର ସମସ୍ତ ଛୋଟ ଛୋଟ ଆବଶ୍ୟକତାକୁ ଏହି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ପ୍ରଡ୍ୟୁସର ଗ୍ରୁପ ପୂରଣ କରିପାରିବେ ଓ ଗ୍ରାମ ଗୁଡ଼ିକରେ ଶିଳ୍ପ ପ୍ରତିଷ୍ଠା ହୋଇପାରିବ। ପରବର୍ତ୍ତୀ ସମୟରେ ଏହି ଗ୍ରାମ୍ୟ ଶିଳ୍ପ ହିଁ ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜକୁ ପ୍ରତିଷ୍ଠା କରିବ। କେବଳ ଏହି ଉତ୍ପାଦକ ଗୋଷ୍ଠୀଙ୍କୁ ବଡ଼ ବଡ଼ କମ୍ପାନୀ ମାନଙ୍କ ଉତ୍ପାଦ ସହ ସମକକ୍ଷ ହେବା ପରି ଉତ୍ପାଦ ତିଆରି କରିବା ଯେଉଁ ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଦରକାର ତାହା ଯଦି ଆମର ସଚିବ ଓ ଜିଲ୍ଲାପାଳ ସୁନିଶ୍ଚତ କରିବେ ତେବେ ଯାଇ ସମ୍ଭବ ହେବ। ଯଦି ଆମର ସଚିବ ଓ ଜିଲ୍ଲାପାଳମାନେ ମୀରଜାଫର ସାଜି ଜାଣିଶୁଣି ଏହି ଉତ୍ପାଦକ ଗୋଷ୍ଠୀକୁ ଦୁର୍ବଳ କରିଦେବେ ତେବେ ସରକାର ଯେଉଁ ଗ୍ରାମ ସ୍ୱରାଜ ସ୍ୱପ୍ନ ଦେଖୁଛନ୍ତି ତାହା ସ୍ୱପ୍ନରେ ରହିବା ସହ ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନ ସ୍ୱପ୍ନରେ ରହିଯିବ।