କୃଷକର ଆୟ ବଢ଼ିବ କିପରି ?

Share

୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ମୋଟ ଜନସଂଖ୍ୟା ୪କୋଟି ୧୯ଲକ୍ଷ ଥିବା ବେଳେ ପରିବାର ସଂଖ୍ୟା ଥିଲା ୯୬ଲକ୍ଷ ୩୭ ହାଜର ଅର୍ଥାତ ପାଖାପାଖି ୧ କୋଟି । ସେଥିମଧ୍ୟରୁ ଗାଁର ପରିବାର ସଂଖ୍ୟା ଥିଲା ପ୍ରାୟ ୮୧ଲକ୍ଷ। ଅର୍ଥାତ ଗାଁରେ ରୁହନ୍ତି ପ୍ରାୟ ୮୧ଲକ୍ଷ ପରିବାର । ଏହା ମଧ୍ୟରେ ୧୦ ବର୍ଷ ବିତିସାରିଛି । ପ୍ରତିବର୍ଷ ୧ରୁ ୧.୫% ବୃଦ୍ଧି ହାରରେ ବର୍ତ୍ତମାନ ଗାଁରେ ପରିବାର ସଂଖ୍ୟା ପ୍ରାୟ ୮ ଲକ୍ଷ ବୃଦ୍ଧି ପାଇଥିବ। ତେଣୁ ମୋଟାମୋଟି ଦେଖିବାକୁ ଗଲେ ବର୍ତ୍ତମାନ ଗାଁରେ ମୋଟ ପ୍ରାୟ ୯୦ ଲକ୍ଷ ପରିବାର ବସବାସ କରୁଛନ୍ତି ।
ସେପଟେ କୃଷି ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୪୮ଲକ୍ଷ ୬୫ହାଜର ୮୫୦ ଚାଷୀ ଅଛନ୍ତି। ଅର୍ଥାତ ଗାଁର ଅଧା ପରିବାର ଚାଷକାର୍ଯ୍ୟରେ ଲିପ୍ତ । କିନ୍ତୁ ବିଗତ ୧୦ବର୍ଷରେ ରାଜ୍ୟ କୃଷି ବଜେଟ୍‌ ୩ଗୁଣ ଅର୍ଥାତ ୭ହଜାର କୋଟିରୁ ବଢ଼ି ୨୧ ହଜାର କୋଟିରେ ପହଞ୍ଚଥିଲେ ବି, ଦୁଇବର୍ଷ ତଳର ଜାତୀୟ ପରସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, ରାଜ୍ୟରେ କୃଷକମାନଙ୍କର ଆୟ ୨୦୧୫-୧୬ରେ ୭,୭୩୧ଟଙ୍କା ଥିବା ବେଳେ ତାହା କମି ୫,୧୧୨ଟଙ୍କାରେ ପହଞ୍ଚଛି । ଅର୍ଥାତ କୃଷି ବଜେଟ୍‌ ବଢ଼ୁଛି କିନ୍ତୁ କୃଷକର ଆୟ କମୁଛି । ଯାହା ବର୍ତ୍ତମାନ ଏକ ବଡ଼ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଉ ଏ ମୁଣ୍ଡବ୍ୟଥା ଦୂର ପାଇଁ ସରକାର ଯେ କାର୍ଯ୍ୟ କରୁନାହାନ୍ତି ତା ନୁହେଁ । ସରକାର କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। କିନ୍ତୁ ଯେପରି କାର୍ଯ୍ୟକାରୀ ହେଉଛି ଓ ଯେଉଁ ଷ୍ଟାକହୋଲ୍ଡର ମାନେ ସରକାରଙ୍କ ଟଙ୍କାକୁ ବ୍ୟୟ କରିବା ଦାୟିତ୍ୱରେ ଅଛନ୍ତି ସେଇମାନେ ହିଁ ଏହି ମୁଣ୍ଡବ୍ୟଥାର କାରଣ। ଆଉ ଏହାର ସମାଧାନ କିପରି ହେବ ଓ ଚାଷୀର ଆୟ ବଢ଼ିବ ଏବଂ ଚାଷୀ ହସିଲେ ଦେଶ ହସିବ କଥା ସିଦ୍ଧ ହେବ ତାହାକୁ ନେଇ ବିଶ୍ଳେଷଣ କରିବାର ସମୟ ଉପନୀତ। ନଚେତ୍‌ ଆଗାମୀ ଦିନରେ ଖାଦ୍ୟର ଅହେତୁକ ଦରଦାମ୍‌ ବୃଦ୍ଧି ପୁରା ସମାଜକୁ ହା ହା କାର କରିଦେବ।
ବର୍ତ୍ତମାନ ଚାଷୀଙ୍କ ବର୍ଗକୁ ନେଇ ସମାଧାନର ବାଟ ଖୋଜିବାକୁ ଚେଷ୍ଟା କରିବା । ରାଜ୍ୟରେ ଥିବା ମୋଟ ଚାଷୀଙ୍କ ମଧ୍ୟରୁ ୩,୯୭୫ ଜଣ ଚାଷୀ ଅଛନ୍ତି ଯେଉଁମାନଙ୍କର ଚାଷ ଜମିର ପରିମାଣ ୧୦ହେକ୍ଟରୁ ଅଧିକ। ଅର୍ଥାତ ବୃହତ ଚାଷୀ ବା ବାଟି ବାଟି ଜମିଥିବା ଚାଷୀମାନଙ୍କ ସଂଖ୍ୟା ୪ହଜାର ଭିତରେ । ଅର୍ଥାତ ପ୍ରତି ଜିଲ୍ଲାରେ ଅନ୍ତତଃପକ୍ଷେ ୧୩୦ରୁ ଅଧିକ ବଡ଼ ବଡ଼ ଚାଷୀ ଅଛନ୍ତି । ଆଉ ଆମେ ଜାଣନ୍ତି ଆମ ଦେଶ ହେଉ କି ରାଜ୍ୟ ଏଠି କାଗଜ କଲମରେ ସବୁକିଛି ଖେଳ ହୁଏ । ରାଜ୍ୟରେ ପ୍ରତି ବ୍ଲକରେ ଯେଉଁ ପ୍ରୋଗ୍ରେସିଭ୍‌ ଚାଷୀମାନଙ୍କର ତାଲିକା ପ୍ରସ୍ତୁତ ହୋଇଛି । ସେଥିରେ ସର୍ବାଗ୍ରେ ଅଧିକାଂଶ ସ୍ଥାନରେ ଏହି ବଡ଼ ବଡ଼ ଚାଷୀମାନଙ୍କର ନାମ ନିଶ୍ଚିତ ଥାଇପାରେ । ଆମେ ଜାଣନ୍ତି ଯିଏ ଅଧିକ ସମ୍ପତ୍ତିର ମାଲିକ ସେମାନଙ୍କ ପାଖକୁ ହିଁ କ୍ଷମତା ଆପେ ଆପେ ପଳାଇଆସିଥାଏ। ଯଦିଓ ସବୁ ପରିସ୍ଥିତିରେ ଏହା ଠିକ୍‌ ନୁହେଁ।
ବୃହତ ଚାଷ ଜମି ଥିବା ଚାଷୀମାନେ ପ୍ରାୟତଃ ଏବେକା ସମୟରେ ଦେଶର କେଉଁ ବଡ଼ ପଦ ପଦବୀ କିମ୍ବା ବଡ଼ ବଡ଼ ବ୍ୟବସାୟରେ ଲିପ୍ତ ହୋଇଥାଇପାରନ୍ତି । ସେମାନଙ୍କ ମଧ୍ୟରୁ ବହୁତ୍‌ କମ୍‌ ଥିବେ ଯେଉଁମାନେ ଗାଁରେ ରହି ଏ ଚାଷବାସ କଥା ବୁଝୁଥିବେ । କିନ୍ତୁ ଧାନ ବିକ୍ରି ବେଳକୁ କିମ୍ବା ଅନ୍ୟ କୌଣସି ସରକାରୀ ଯୋଜନା ବେଳେ ଏମାନଙ୍କ ଦସ୍ତଖତ ନିଶ୍ଚିତ ଆବଶ୍ୟକ ପଡ଼ୁଥିବ ଆଉ ସେହି ଆଳରେ ସେମାନଙ୍କୁ କମିଶନ ମିଳିଯାଉଥିବ । ଆଉ ସେପଟେ ଏହି ବୃହତ ଚାଷୀଙ୍କୁ ଢାଲ କରି ଚାଷଦ୍ରବ୍ୟ ଉତ୍ପାଦନର ବିକ୍ରିବଟା କିମ୍ବା ସରକାରୀ ସହାୟତାରେ ରାଜ୍ୟରେ ଦଲାଲୀଙ୍କ ସଂଖ୍ୟା ବଢ଼ିଛି। ଆଉ ଏହି ପ୍ରକ୍ରିୟା ହିଁ ପ୍ରକୃତ ଚାଷୀକୁ ଶୋଷଣ କରିଥାଏ।
ଏହା ତଳକୁ ଆସିବେ ମଧ୍ୟମ ବର୍ଗର ଚାଷୀ । ଯେଉଁମାନଙ୍କର ୪ରୁ ୧୦ହେକ୍ଟର ପର୍ଯ୍ୟନ୍ତ ଜମି ରହିଛି ସେମାନଙ୍କ ସଂଖା ଓଡ଼ିଶାରେ ରହିଛି ୫୦ହଜାରୁ ଟିକିଏ ଅଧିକା। ଏମାନଙ୍କର ସ୍ଥିତି ବି ବୃହତ ଚାଷୀଙ୍କ ପରି ପ୍ରାୟ ସମାନ । କିନ୍ତୁ ଏମାନଙ୍କ ମଧ୍ୟରୁ ଅନେକ ସିଧାସଳଖ ଭାବେ ଚାଷ ସହ ଜଡ଼ିତ ଥାଆନ୍ତି । ଆଉ ଏମାନଙ୍କ ନାମ କିମ୍ବା ସେମାନଙ୍କର ପରିଜନଙ୍କ ନାମ ବ୍ଲକ ସ୍ତରରେ ଥିବା ପ୍ରୋଗ୍ରେସିଭ୍‌ ଚାଷୀମାନଙ୍କ ତାଲିକା ଭିତରେ ନିଶ୍ଚିତ ଥିବ।
ଏହା ତଳକୁ ଅଛନ୍ତି ୨ରୁ ୪ ହେକ୍ଟର ଥିବା ଜମି ମାଲିକ । ଏମାନେ ନିମ୍ନ ମଧ୍ୟବିତ୍ତ ବର୍ଗର ଚାଷୀ । ରାଜ୍ୟରେ ଏମାନଙ୍କ ସଂଖ୍ୟା ହେଉଛି ପ୍ରାୟ ୨ଲକ୍ଷ ୮୦ହଜାର । ଏହି ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ଚାଷ କାର୍ଯ୍ୟ ସହିତ ଜଡ଼ିତ ଥିଲେ ବି ଏମାନଙ୍କ ପରବର୍ତ୍ତୀ ପିଢ଼ୀ ଚାଷ କାମରୁ ଏକପ୍ରକାର ମୁହଁ ବୁଲାଇ ସହର ମୁହାଁ ହୋଇସାରିଥିବା ଦେଖିବାକୁ ମିଳେ। କାରଣ ଚାଷର ସ୍ଥିତି ଯାହା ସେଥିରେ ଆଜିର ସମାଜରେ ନିଜକୁ ଓ ନିଜର ପରିବାର ଓ ବନ୍ଧୁବାନ୍ଧବଙ୍କୁ ଚଳାଇବା ଏକ କଷ୍ଟକର ବ୍ୟାପାର ।
ଏହା ତଳକୁ ଆସିବେ ୧ରୁ ୨ ହେକ୍ଟର ଥିବା କ୍ଷୁଦ୍ର ଚାଷୀ । ଏମାନଙ୍କ ସଂଖ୍ୟା ରାଜ୍ୟରେ ରହିଛି ପ୍ରାୟ ୮ ଲକ୍ଷ । ଏହି ବର୍ଗର ଅଧିକାଂଶ ଚାଷୀ ସିଧା ସଳଖ ଚାଷ ସହି ଜଡ଼ିତ ରହିଥାନ୍ତି ।
କିନ୍ତୁ ପ୍ରକୃତରେ ଚାଷ କାର୍ଯ୍ୟରେ ପୂର୍ଣ୍ଣରୂପେ ନିୟୋଜିତ ଥିବା ଚାଷୀଙ୍କ ସଂଖ୍ୟା ରାଜ୍ୟରେ ପ୍ରାୟ ୩୬ଲକ୍ଷ ହେବ। ଏମାନେ ହେଉଛନ୍ତି ୧ ହେକ୍ଟରରୁ କମ୍‌ ଥିବା ନାମମାତ୍ର ଚାଷୀ । ଏମାନେ ସରକାରଙ୍କର ବିଭିନ୍ନ ଯୋଜନାରେ ଭାଗିଦାରୀ ହେବା ପାଇଁ ସବୁବେଳେ ସଂଘର୍ଷ କରିଥାନ୍ତି । କିଛି ଲାଭବାନ ହେବାରେ ସକ୍ଷମ ହୁଅନ୍ତି । ଆଉ କିଛି ଧାଁ ଧଉଡ଼ ଚକ୍କରରେ ନ ପଡ଼ି ଲାଭବାନ ହେବାକୁ ଚେଷ୍ଟା କରନ୍ତି ନାହିଁ ।
ବର୍ତ୍ତମାନ କଥା ହେଉଛି ପ୍ରାକୃତିକ ବିପର୍ଯ୍ୟୟର ଭୟ, ସାର ବିହନ ଦରର ବୃଦ୍ଧି, ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ ଯୋଜନା ବାଟବଣା ଓ ବିଶେଷ କରି ଧାନର ଅଭାବ ବିକ୍ରୀ ପାଇଁ ଅଧିକାଂଶ ନାମମାତ୍ର ଚାଷୀ, କ୍ଷୁଦ୍ରଚାଷୀ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଚାଷୀ ଚାଷରୁ ମୁହଁ ବୁଲାଇଦେଇଥାନ୍ତି । କିନ୍ତୁ ଖାତା ଖସଡ଼ାରେ ସେମାନେ ସଂପୃକ୍ତ ଚାଷୀ ଭାବରେ ରହିଥାନ୍ତି ।
ବର୍ତ୍ତମାନ କଥା ହେଉଛି କିଏ ପ୍ରକୃତରେ ବୃହତ ଚାଷୀ, ମଧ୍ୟବିତ୍ତବର୍ଗର ଚାଷୀଙ୍କର ଜମିକୁ କିଏ ଚାଷ କରନ୍ତି ? ସେହିପରି ନିମ୍ନମଧ୍ୟବିତ୍ତ ବର୍ଗ ଚାଷୀ, କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀ ଯେଉଁମାନେ ଚାଷରୁ ମୁହଁବୁଲାଇ ନେଇଛନ୍ତି ସେମାନଙ୍କର ଚାଷ ଜମିକୁ କିଏ ଚାଷ କରନ୍ତି ? ଏହି ଦୁଇଟି ପ୍ରଶ୍ନର ଉତ୍ତରରେ ଯେଉଁମାନେ ଆସନ୍ତି ସେମାନଙ୍କର କିଛି ରେକର୍ଡ ନାହିଁ । ଆଉ ଏ ସଂଖ୍ୟା ପାଖାପାଖି ୮ ଲକ୍ଷରୁ ଅଧିକ ହେବ । ଆଉ ଏହି ଚାଷୀମାନେ ହିଁ ଓଡ଼ିଶାର ଚାଷକ୍ଷେତର ଦାୟିତ୍ୱରେ ଥାଆନ୍ତି। ଏମାନେ ହେଉଛନ୍ତି ଭାଗଚାଷୀ କିମ୍ବା କୃଷି ଶ୍ରମିକ। ଆଉ ଏମାନେ ବାଧ୍ୟବାଧ୍ୟକତାରେ ଏହି ଚାଷ କାର୍ଯ୍ୟରେ ଲିପ୍ତ ହୋଇ ରହିଛନ୍ତି।
ତେଣୁ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଓ ଭାଗଚାଷୀ ବା କୃଷି ଶ୍ରମିକ ମାନଙ୍କୁ ଚାଷ ପାଇଁ ଉନ୍ନତ ଜ୍ଞାନକୌଶଳ, କୃଷି ସାମଗ୍ରୀ ଓ ସ୍ୱଚ୍ଛତା ପୂର୍ବକ ସରକାରୀ ସହାୟତା ପ୍ରଦାନ କରିବା ସହ ବୃହତ ଚାଷୀ ଓ ମଧ୍ୟବିତ୍ତବର୍ଗର ଚାଷଜମିକୁ ନେଇ ଯେଉଁ ଦଲାଲ ସୃଷ୍ଟି ହୋଇଛନ୍ତି ତାହାକୁ ଉଚ୍ଛେଦ କରିପାରିଲେ ଯାଇ ଏ ମୁଣ୍ଡବ୍ୟଥା ଦୂର ହୋଇପାରିବ ଓ ଚାଷୀର ଆୟ ବଢ଼ିବା ସହ ଉତ୍ପାଦନ ବୃଦ୍ଧି ପାଇ ଦରଦାମ୍‌ ବି ଆତ୍ମନିର୍ଭରଶୀଳତା ନ୍ୟାୟରେ ନିୟନ୍ତ୍ରଣରେ ରହିବ। ନଚେତ୍‌ କୃଷି ସାମଗ୍ରୀ(ଫାର୍ମ ମେକାନିଜିମ୍‌ ପ୍ରଦାନ ଯୋଜନା), ପ୍ରତିବର୍ଷ ଡେମୋନଷ୍ଟ୍ରେସନ, ଜଳସେଚନ ପ୍ରକଳ୍ପ ଆଦି ସବୁକିଛି ବାଟମାରଣା ହୋଇ ଚାଷ ଦିଗହରା ପାଲଟିବ ।

ଶେଷ ପାରଗ୍ରାଫ୍‌ ମୁଁ ୩୦୦ ଓ୍ଵାର୍ଡ ଭିତରେ ଲେଖିଥାନ୍ତି କିନ୍ତୁ ୭୦୦ ପାର ହୋଇଯିବାରୁ ୭୫ ଟି ଓ୍ଵାର୍ଡରେ ସାରିଲି । ତଥା ପି ଆପଣଙ୍କୁ ୧୦୦ ଓ୍ଵାର୍ଡ କାଟିବାକୁ ପଡ଼ିବ ।