ରାଜ୍ୟରେ ଖୁବ୍ ଶୀଘ୍ର ବିଜେଡି ସରକାର ହେବାକୁ ଯାଉଛି । ଏମିତି ଏକ ଚର୍ଚ୍ଚା ଏବେ ବିଜେଡି ଶିବିରରେ ହେଉଥିବା ଶୁଣିବାକୁ ମିଳୁଛି । ଏଭଳି ଚର୍ଚ୍ଚାକୁ ବିଜେଡିର ପାରମ୍ପରିକ ବିରୋଧୀ ବିଜେପି ହସି ଉଡ଼ାଇଦେଉଥିବାବେଳେ ଚର୍ଚ୍ଚା ପଛରେ କିଛି ଠୋସ୍ କାରଣଥିବା ବି କିଛି ମହଲରେ ଚର୍ଚ୍ଚା ହେଉଛି । ନବୀନ ପଟ୍ଟନାୟକଙ୍କ ଭଳି ଜଣେ ବିଚକ୍ଷଣ ରାଜନୈତିକ ଲୋକ ପରାଜୟ ପରେ ଯେ ଚୁପ୍ ବସି ନଥିବେ ଏହା ତ ନିଶ୍ଚିତ । ଯେହେତୁ ନବୀନ ପରାଜୟ ହୋଇଛନ୍ତି ନିଶ୍ଚିତଭାବେ ତାଙ୍କର ରାଜନୈତିକ ରଣକୌଶଳ ପୂର୍ବାପେକ୍ଷା ଅଧିକ ମଜବୁତ୍ ହେବ । ଅନ୍ୟପଟେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏକ ପ୍ରହେଳିକା ଥିଲା ବୋଲି ବି ସ୍ପଷ୍ଟ ହୋଇଗଲାଣି । ହୁଏତ ନବୀନ ନିଜେ ନିଜର ରାଜନୈତିକ ଗୋଟି ଚାଳନା ପାଇଁ ନିଜେ ଏହି ନାଟକ ରଚନା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାହିଁକି ନା ୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଯେଉଁ ଚିତ୍ର ଆମେ ଦେଖିଥିଲୁ ତାହାର ସମ୍ପୂର୍ଣ୍ଣ ଓଲଟା ଚିତ୍ର ବର୍ତମାନ ଆମେ ଦେଖୁଛେ । ଅର୍ଥାତ ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ନବୀନ ନିଜେ ବିରୋଧୀ ଦଳ ନେତା ହେବା ପରେ ପରାଜୟର ବଦ୍ଲା ନେବା ପାଇଁ ଯେ ସେ ପ୍ରସ୍ତୁତ ଏହା କାହାକୁ ଅଛପା ନୁହେଁ । ଅନ୍ୟପଟେ ଯୁବନେତାଙ୍କ ଉପରେ ଭରଷା ନ କରି ପୁରୁଖାଙ୍କୁ ନେଇ ବିରୋଧୀ ଭୂମିକା ନିଭାଇବା ପାଇଁ ନବୀନ ଯେଉଁ ଯୋଜନା କରିଛନ୍ତି ତାହା ଓଡ଼ିଶା ରାଜନୀତିରେ ଆଉ ଏକ ନୂଆ ଇତିହାସ ଯେ ସୃଷ୍ଟି ନ କରିବ ଏହା କହିହେବ ନାହିଁ । ଏସବୁ ଭିତରେ ନବୀନଙ୍କ ଉତରାଧିକାରୀ କିଏ ତାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ବି ଏବେ ସ୍ପଷ୍ଟ । ନବୀନ ବର୍ତମାନ କାହାକୁ ବି ନିଜର ଉତରାଧିକାରୀ ଭାବେ ଆଗକୁ ଆଣିବେ ନାହିଁ । କାହିଁକି ନା ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ନେଦରଲ୍ୟାଣ୍ଡରେ ବିବାହ କରିବା ପରେ ସେ ଯେ ନବୀନଙ୍କ ଉତରାଧିକାରୀ ହେବେ ନାହିଁ ତାହା ଆପାତତଃ ସ୍ପଷ୍ଟ ହୋଇଛି । ବିଶେଷ କରି ବାଚସ୍ପତି ନିର୍ବାଚନ ପରେ ନବୀନ ବାଚସ୍ପତି ସୁରମା ପାଢ଼ୀଙ୍କୁ ନବୀନ ପଟ୍ଟନାୟକ ଯେଭଳି ଭାବେ ବାଚସ୍ପତିଙ୍କ ପୋଡିୟମ ପାଖରୁ ଚେୟାର ପର୍ଯ୍ୟନ୍ତି ବାଟ କଢ଼ାଇନେଲେ ତାହା ସ୍ପଷ୍ଟ କରୁଛି ବର୍ତମାନ ପରିସ୍ଥିତିରେ ବିଜୁ ଜନତା ଦଳର ମଙ୍ଗ କେବଳ ନବୀନଙ୍କ ହାତରେ ରହିବ । ଏବେ ଯେଉଁ ଚର୍ଚ୍ଚା ହେଉଛି ନବୀନ ପୁଣି ଥରେ ସରକାରଙ୍କୁ ଫେରୁଛନ୍ତି ଏହା ପଛର କାରଣଟି ହେଉଛି କେନ୍ଦ୍ରରେ ଯେଉଁ ଏନଡିଏ ସରକାର ଚାଲିଛି ତାହା ଅଧିକ ଦିନ ତିଷ୍ଠି ପାରିବ ନାହିଁ ବୋଲି ଅନେକ ସମୀକ୍ଷକ ମତପୋଷଣ କଲେଣି । ଏପରିକି ନିଜେ ନବୀନ ତାଙ୍କ ଦଳୀୟ ନେତାଙ୍କୁ ଏକଥା ବି କହିଲେଣି ଯେ ଆଗକୁ ରାହୁଲ ଗାନ୍ଧୀଙ୍କ ସରକାର ଆସୁଛି । ଯଦି କେନ୍ଦ୍ରର ଏନଡିଏ ସରକାର ଭାଙ୍ଗେ ତେବେ ରାଜ୍ୟ ବିଜେପିରେ ଜୟ ନାରାୟଣ ମିଶ୍ରଙ୍କ ପରି ଅସନ୍ତୁଷ୍ଟ ନେତାଙ୍କୁ କରାୟତ କରି ନବୀନ ଯେ କିଛି ନୂଆ ରଣନୀତି ପ୍ରସ୍ତୁତ ନ କରିବେ ତାହା କହିହେବ ନାହିଁ । ରାଜ୍ୟ ବିଜେପି ଭିତରେ ଏକ ପ୍ରକାର ଅସନ୍ତୋଷ ଯେ ଭିତରେ ଭିତରେ କୁହୁଳୁ ନାହିଁ ତାହା ବି କେହି ଅସ୍ୱୀକାର କରିବେ ନାହିଁ । ତେଣୁ ଆଗକୁ ଏସବୁ ସ୍ଥିତିର ଫାଇଦା ନେବାକୁ ଯାଇ ନବୀନ ଯେ କଂଗ୍ରେସ ସହ ମିଶି ରାଜ୍ୟରେ ସରକାର ଗଢ଼ିବାକୁ ଚିନ୍ତା କରୁଛନ୍ତି ଏହା ଧୀରେ ଧୀରେ ସ୍ପଷ୍ଟ ହେଲାଣି । ନବୀନଙ୍କ କଥାବାର୍ତା ଚାଲିଚଲଣ ଏନେଇ ତ ସୂଚନା ଦେଇସାରିଲାଣି । ଖାଲି କେନ୍ଦ୍ରରେ ଏନଡିଏ ସରକାରର ସ୍ଥିତି ଉପରେ ସବୁ କିଛି ନିର୍ଭର କରୁଛି ବୋଲି କୁହାଯାଉଛି । ଯଦିଓ ନବୀନଙ୍କ ଏହି ସ୍ପପ୍ନକୁ କେହି କେହି ଦିବା ସ୍ପପ୍ନ କହୁଛନ୍ତି କିନ୍ତୁ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ ଏହା କେହି ଅସ୍ୱୀକାର କରିବେ ନାହିଁ ।

