ଏତେ ସଂଖ୍ୟକ କ୍ୟାନସର ରୋଗୀ କାହିଁକି ?

Share

ଦିନକୁ ଦିନ କ୍ୟାନସର ରୋଗ ତାର କାୟା ଏମିତି ବିସ୍ତାର କରିଲାଣି ଯେ ସରକାର ଠାରୁ ଆରମ୍ଭ କରି ସାଧାରଣ ଜନତା ଏକ ଭୟର ବାତାବରଣ ଭିତରେ ଗତି କରିବାକୁ ଆରମ୍ଭ କଲେଣି । ଏମିତି ତ ରୋଗ ନାଁ ଶୁଣିଲେ ଡରମାଡ଼େ କିନ୍ତୁ କ୍ୟାନସର ହେବା ମାତ୍ରେ ଅଳ୍ପ ଦିନରେ ମୃତ୍ୟୁ ସୁନିଶ୍ଚିତ ବୋଲି ରୋଗୀ ମନରେ ଧାରଣା ସୃଷ୍ଟି ହୋଇଯାଇଥାଏ । ଯଦିଓ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । କିଛି ଦିନ ତଳେ ଅଭିନେତ୍ରୀ ରାଜେଶ୍ୱରୀ କ୍ୟାନସରକୁ ହରାଉଛନ୍ତି ବୋଲି ଗଣମାଧ୍ୟମରେ ଜୋର ଚର୍ଚ୍ଚା ହେଲା । ପୁଳାଏ ଗଣମାଧ୍ୟମ ତାଙ୍କର ସାକ୍ଷାତକାର ନେଇ ରାଜ୍ୟରେ ଅନ୍ୟ କ୍ୟାନସର ରୋଗୀଙ୍କ ମନୋବଳ ବୃଦ୍ଧିକରିବାରେ ବେଶ୍‌ ସଫଳ ହେଲେ । କିନ୍ତୁ ମାସ କେଇଟା ନ ପୁରୁଣୁ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସେ ସବୁ ମନୋବଳ କୁଆଡ଼େ ମିଳେଇଗଲା । ସେପଟେ କ୍ୟାନସର ରୋଗୀ ସଂଖ୍ୟା ଓ ଚିକିତ୍ସା ବ୍ୟବସ୍ଥାକୁ ନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତି ପରେ ଜନମାନସରେ ଏକ ପ୍ରକାର ହଟଚମଟ ସୃଷ୍ଟି ହୋଇଗଲାଣି । ବିଧାନସଭାରେ ମନ୍ତ୍ରୀ କହିଲେ, ଗତ ୩ ବର୍ଷରେ ୯୨ ହଜାର ୬୯୯ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଏହି ୩ ବର୍ଷ ମଧ୍ୟରେ ୩୧ ହଜାର ୬୯୨ ଜଣ କ୍ୟାନସର ରୋଗୀଙ୍କ ମୃତ୍ୟୁ ହୋଇଛି । ୨୦୨୧-୨୨ରେ ୩୩ ହଜାର ୭୫୭ ଜଣ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ ହଜାର ୨୭୭ ଜଣ ପ୍ରାଣ ହରାଇଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ଚିହ୍ନଟ ହେଉଥିବା ପ୍ରତି ୩ ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟୁଛି । ଯାହା ଅତ୍ୟନ୍ତ ଭୟାନକ। ସେପଟେ ବିଶେଷଜ୍ଞ କହୁଛନ୍ତି ସଚେତନତାର ଅଭାବ, ଅତ୍ୟଧିକ ନିଶାସେବନ, ଜୀବନଶୈଳୀ ମୁଖ୍ୟତଃ କ୍ୟାନସରର ପ୍ରମୁଖ କାରଣ।
ବର୍ତ୍ତମାନ କଥା ହେଉଛି ସେ ଯାହା ବି ହେଉ, କ୍ୟାନସରରୁ ମୁକ୍ତି କେିମତି ମିଳିବ । ଆଉ କ୍ୟାନସର ହେବାର କାରଣ କ’ଣ ? କ’ଣ କଲେ ଆମେ କ୍ୟାନସର ଭଳି ଦୁରାରୋଗ୍ୟର ଶିକାର ହେବୁ ନାହିଁ । ଉପରଲିଖିତ ବିଶେଷଜ୍ଞଙ୍କ ୩ଟି ମତରୁ ପ୍ରଥମ ଦୁଇଟିରେ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସର୍ବାଧିକ । କିନ୍ତୁ ତୃତୀୟ ଟିରେ ଜଣେ ବ୍ୟକ୍ତିର ଦାୟିତ୍ୱ ସର୍ବାଧିକ । ସରକାରଙ୍କ ଉପରେ ଭରଷା କରି ସବୁ କିଛି ଛାଡ଼ିପାରିବା ନାହିଁ । ଯଦି ସରକାର ସବୁ କିଛି କରିପାରୁଥାଆନ୍ତେ ତାହେଲେ ସ୍ୱାଧୀନତାକୁ ୭୫ବର୍ଷ ପୁରିବାକୁ ଯାଉଥିଲେ ବି ଭାରତର ସ୍ୱାସ୍ଥ୍ୟ ସମସ୍ୟା ଦିନକୁ ସୁଧୁରିବା ବଦଳରେ ଅଧିକ ବିଗଡନ୍ତା ନାହିଁ । ସବୁଠୁ ବଡ଼ କଥା ହେଉଛି ଭାରତ ଭଳି ଏକ ଦେଶରେ ଯେଉଁଠାରେ ଚରକ, ସୁଶ୍ରୁତ , ଭାଗବଟ ଭଳି ମହାନ ଋଷିମାନେ ସ୍ୱାସ୍ଥ୍ୟକୁ ନେଇ ଯେଉଁ ଗବେଷଣା କରି ଗ୍ରନ୍ଥମାନ ଲେଖିଥିଲେ ତାହାର ସେତେଟା ସୁଫଳ ଭାରତବାସୀ ନେଇପାରିଲେ ନାହିଁ । ଆଧୁନିକତା, ସହଜତାବାଦୀ ଓ ନିର୍ଭରଶୀଳତା ଗୁଣ ଯୋଗୁଁ ଭାରତୀୟ ମାନେ ପାଶ୍ଚାତ୍ୟ ଚିକିତ୍ସା ବ୍ୟବସ୍ଥାକୁ ବେଶୀ ଆପଣାଇନେଲେ । ଯଦିଓ ଏଥିପାଇଁ କିଛି ବାହ୍ୟଶକ୍ତି ଦାୟୀ । କିନ୍ତୁ ବାହ୍ୟଶକ୍ତିକୁ ଦୋଷ ଦେଇ ଚୁପ୍‌ ବସିଗଲେ ତାହା ମାନ ମାରି ଖପରାରେ ଖାଇବା ଭଳି କଥା ହେବ । କଥାରେ ଅଛି ‘ପ୍ରିଭନେସନ ଇଜ ବେଟର ଦେନ କ୍ୟୁର’। ଆଉ ଯଦି କ୍ୟାନସରଠୁ ବର୍ତ୍ତିବାକୁ ଚାହୁଁଛେ ତେବେ ଏହି କଥା ହିଁ କ୍ୟାନସରଠୁ ବର୍ତ୍ତିବାର ମୂଳ ଆଧାର ହୋଇପାରିବ । ଏହାବ୍ୟତୀତ ବର୍ତ୍ତମାନ ପରିସ୍ଥିତିରେ ଆଉ କିଛି ଭଳ ବିକଳ୍ପ ଦେଖାଯାଉନାହିଁ । କାରଣ ଓଡ଼ିଶାରେ ମାତ୍ର କିଛି ହାତଗଣତି ସରକାରୀ ଓ ଘରୋଇ ହସପିଟାଲରେ କ୍ୟାନସର ଚିକିତ୍ସା ଉପଲବ୍ଧ ଦେଉଛି । ଆଉ କିଛି କ୍ୟାନସର ରୋଗୀ ରାଜ୍ୟ ବାହାରେ ଚିକିତ୍ସିତ ହେଉଛନ୍ତି । ଯଦି ରାଜ୍ୟରେ ଉନ୍ନତ ଓ ଅତ୍ୟାଧୁନିକ ଚିକିତ୍ସା ମିଳନ୍ତା ତାହାହେଲେ ଅନେକ ଜୀବନ ବଞ୍ଚଯାଇପାରନ୍ତା । ଏସବୁ ଭିତରେ ୨୦୧୮ ମେ ୬ ତାରିଖରେ କ୍ୟାନସର ହସପିଟାଲ୍‌ ପାଇଁ ଟାଟା ସହ ଚୁକ୍ତି କରିଥିଲେ ରାଜ୍ୟ ସରକାର । କିନ୍ତ ପ୍ରକଳ୍ପରୁ ଓହରି ଯାଇଥିଲା ଟାଟା । ଯାହା ସମସ୍ତଙ୍କୁ ନିରାଶ କରିଥିଲା । ଏବେ ପୁଣିଥରେ ଟାଟା କେନ୍ଦ୍ର ସରକାରଙ୍କ ସହଯୋଗରେ ତିଆରି କରିବ କ୍ୟନସର୍‌ ହସ୍ପିଟାଲ୍‌ । ତେବେ ଏହାର କାମ କେବେ ସରିବ ତାହାକୁ ନେଇ ମଧ୍ୟ ବଡ ପ୍ରଶ୍ନ ରହିଛି ।
ତେଣୁ ବର୍ତ୍ତମାନ କଥା ହେଉଛି ପ୍ରିଭେନସନ୍‌ କେମିତି କରିବା । ଦୁଇ ଦିନ ପିଢ଼ୀ ତଳକୁ ଯଦି ଯିବା ଲୋକସଂଖ୍ୟା ଅନୁପାତରେ ଅନ୍ୟ କୌଣସି ରୋଗ ଅଧିକ ଥାଇପାରେ କିନ୍ତୁ କ୍ୟାନସର ଭଳି ରୋଗ ସେତେସଂଖ୍ୟକ ନଥିଲା। କିନ୍ତୁ ଏବେ ଅନ୍ୟ ସବୁ ରୋଗର ପ୍ରଭାବ ବହୁ କମିଥିଲେ ବି କ୍ୟାନସର ତାର କାୟା ଅଧିକ ବିସ୍ତାର କରିଛି । ଅନେକ ବିଶେଷଜ୍ଞ କୁହନ୍ତି କ୍ୟାନସର ଏକ ରୋଗ ନୁହେଁ । ଏହା ଶାରିରୀକ ପ୍ରକ୍ରିୟାର ଏକ ବ୍ୟତିକ୍ରମ। ଦୈନିକ ଆମ ଶରୀରରେ ଅନେକ ନୂଆ ନୂଆ ସେଲ ତିଆରି ହୁଏ ଓ ପୁରୁଣା ସେଲ୍‌ ବା କୋଷିକା ଏକ ପ୍ରକ୍ରିୟାରେ ମୃତ ହୋଇ ନଷ୍ଟ ହୋଇଯାଇଥାଏ । କିନ୍ତୁ ମୃତ ସେଲ ବା କୋଷିକା ଗୁଡ଼ିକ ଯଦି ଶରୀରର କୌଣସି ସ୍ଥାନରେ ଜମାଟ ବାନ୍ଧି ରହିଯାଏ ତେବେ ସେମାନେ ସେମାନଙ୍କ ସଂଖ୍ୟାକୁ ଏଭଳି ବହୁଗୁଣିତ କରନ୍ତି ଯେ, ତାହା ଟ୍ୟୁମର ହୋଇଯାଏ । ଆଉ ଏହି ଟ୍ୟୁମର ଶରୀରର ଅନ୍ୟ ପ୍ରକ୍ରିୟାକୁ ଅବରୋଧ କରେ । ଆଉ ଶରୀରରେ ପ୍ରକ୍ରିୟା ସବୁ ଠିକ୍‌ ଭାବରେ ନହେଲେ ଶରୀର ନଷ୍ଟ ହେବା ନିଶ୍ଚିତ । କିନ୍ତୁ ଏହା ପଛର କାରଣ କ’ଣ ତାହାର ସଠିକ ଉତ୍ତର ଆଜିର ବିଜ୍ଞାନ ପାଖରେ ସମ୍ଭବତଃ ନାହିଁ । ବିଜ୍ଞାନ କେବଳ ଏତିକି କରିପାରୁଛି ସେହି ଟ୍ୟୁମରକୁ କାଟି ଦେବ ଓ ତାହାର ବୃଦ୍ଧି କରାଇନଦେବା ପାଇଁ ବିଭିନ୍ନ ଚିକିତ୍ସା ବ୍ୟବସ୍ଥା କରାଇଦେବ । କିନ୍ତୁ ତାହା ଯେ ଶତପ୍ରତିଶତ ଫଳପ୍ରଦ ତାହାର କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ମୋଟାମୋଟି ଶରୀରର ସବୁ ପ୍ରକ୍ରିୟା ଅଧିକ ଦିନ ଧରି ଅର୍ଥାତ ସାଧାରଣ ଆୟୁ ସୀମା ପର୍ଯ୍ୟନ୍ତ ସଠିକ୍‌ ଭାବରେ ଚାଲିବ ତାହା ସୁନିଶ୍ଚିତ କରିପାରିଲେ ଯାଇ ଏହାର ନିରାକାଣ କରାଯାଇପାରିବ। ଆଉ ଏଥିପାଇଁ ଶୃଙ୍ଖଳିତ ଦିନଚର୍ଯ୍ୟା ସର୍ବାଗ୍ରେ। ଅର୍ଥାତ ନିୟମିତ ଶାରିରୀକ ବ୍ୟାୟାମ ଓ ପ୍ରାକୃତିକ ଖାଦ୍ୟ ଯାହା ପ୍ରକୃତି ଆମ ବାସସ୍ଥାନର ଚାରିପଟେ ଆମ ପାଇଁ ସୃଷ୍ଟି କରିଛି ତାକୁ ଆମର ଖାଦ୍ୟରେ ନିୟମିତ ବ୍ୟବହାର କରିପାରିଲେ ହୁଏତ ଆମର ଏ ପ୍ରାକୃତିକ ଶରୀର ପ୍ରକୃତି ଅନୁସାରେ ଚାଲିବା ସହ ଶାରିରୀକ ପ୍ରକ୍ରିୟାକୁ ସଠିକ ଢ଼ଙ୍ଗରେ ଆଗେଇନେବ । ଏହା ନ କରି ଯଦି ଆମେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ ଖାଦ୍ୟକୁ ଯଥା, ତେଲଭାଜି, ଚାଓମିନ, ପିଜା, ବର୍ଗର, ଆଇସକ୍ରିମ ଆଦି ଯାହା ବିଭିନ୍ନ ରସାୟନ ପ୍ରକ୍ରିୟା ସହ ଜଡ଼ିତ ତାହାକୁ ଗ୍ରହଣ କରିଚାଲନ୍ତି ତେବେ କ୍ୟାନସର ତାର କାୟା ଅଧିକ ବିସ୍ତାର କରିବ ଓ ଜୀବନକୁ ଛଟପଟ କରି ଶେଷରେ ମୃତ୍ୟୁ ଦଣ୍ଡ ଦେବ ।