ସୁକିନ୍ଦା ନିର୍ବାଚନମଣ୍ଡଳୀକୁ ପରିବାରବାଦରୁ ମୁକୁଳାଇବାକୁ ବିଜେପି ତାର ଭୋଟରମାନଙ୍କୁ ଆହ୍ୱାନ ଦେଉଥିବାବେଳେ ସୁକିନ୍ଦା ଭୋଟର କିନ୍ତୁ ବିଜେଡିକୁ ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେ଼ଇଙ୍କ ପୁଅ ପ୍ରିତିରଞ୍ଜନଙ୍କ ବିନମ୍ର ଆଚରଣ ଓ ଯୁବ ଗୋଷ୍ଠୀଙ୍କ ପ୍ରତି ତାଙ୍କର ସ୍ନେହ ଭରା ନିବିଡ଼ିତା ତାଙ୍କୁ କେବଳ ସୁକିନ୍ଦା ନୁହଁ ପୁରା ରାଜ୍ୟରେ ଜଣେ ସ୍ଵତନ୍ତ୍ର ଯୁବନେତା ଭାବେ ଗଢି ତୋଲିଛି । ଯେଉଁଥି ପାଇଁ ସେ ନିର୍ବାଚନ ଲଢିବା ପରଠାରୁ ପ୍ରତିଥର ବହୁଗୁଣିତ ଭୋଟ ବ୍ୟବଧାନରେ ବିଜୟ ଲାଭ କରି ଆସୁଛନ୍ତି । ଗତ ପଂଚାୟତ ନିର୍ବାଚନରେ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ସୁକିନ୍ଦା ବ୍ଲକରେ ୩ଟି ଓ ଦାନଗଦି ବ୍ଲକରେ ଥିବା ୩ଟି ମୋଟ ୬ଟି ଜିଲ୍ଲା ପରିଷଦ ବିଜେଡି କବ୍ଜାକୁ ଯାଇଛି । ପୂର୍ବରୁ ବିଜେଡି କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବାବେଳେ ୨୦୧୯ ନିର୍ବାଚନଠାରୁ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଏପରିକି ଖଣି ଅଂଚଳରେ ବିଜେପି ନିଜର ଦୁର୍ଗ କରିବାକୁ ଯେଉଁ ଚେଷ୍ଟା କରିଆସୁଥିଲା ସେଥିରେ କିଛି ମାତ୍ରାରେ ସଫଳ ହୋଇଛି । ଗତ ପଂଚାୟତ ନିର୍ବାଚନରେ ଖଣି ଅଂଚଳରେ ଥିବା ୭ଟି ପଂଚାୟତରୁ ୨ଟି ପଂଚାୟତରେ ବିଜେପିର ସରପଂଚ ଓ ସମିତିସଭ୍ୟ ଜିତିଛନ୍ତି । ଅନ୍ୟ ଏକ ପାଂଚୟତରେ ଜଣେ ବିଜେପି ସରପଂଚ ବାଜିମାତ କରିଛନ୍ତି । ଖଣି ଅଂଚଳରେ ବିଜେପିର ଏହି ପ୍ରଭାବ ବିଜେପିକୁ ମଜ୍ବୁତ୍ କରୁଛି ବୋଲି ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତଙ୍କଠାରୁ ଏହି ସିଟ୍ ପ୍ରଫୁଲ୍ଲ ଘଡେଇଙ୍କ ହାତକୁ ଯିବାଠାରୁ ଆଉକଂଗ୍ରେସ ହାତକୁ ଫେରୁନାହିଁ । ଏପରିକି କେବଳ ୨୦୦୦ ମସିହାର ନିର୍ବାଚନକୁ ଛାଡିଦେଲେ ଶରତ ୧୯୯୦ରୁ ପ୍ରଫୁଲ୍ଲଙ୍କୁ ହରାଇବାକୁ ଚେଷ୍ଟା କରିକରି ଶେଷରେ ୨୦୧୯ରେ ତୃତୀୟ ସ୍ଥାନକୁ ଚାଲିଯାଇଛନ୍ତି । ଅନ୍ୟପଟେ ପ୍ରଫୁଲ୍ଲ ଘଡେଇ ୨୦୦୯ରେ ମାତ୍ର ୨୪୦୩ଖଣ୍ଡ ଭୋଟରେ ଜିିତିଥିବାବେଳେ ୨୦୦୯ରେ ତାଙ୍କୁ ପୁଅ ପ୍ରୀତିରଞ୍ଜନ କୋରେଇରୁ ନିର୍ବାଚନ ଲଢ଼ି ପ୍ରାୟ ୨୫ହଜାର ଭୋଟରେ ଜିତିବା ପରେ ୨୦୧୪ରୁ ସୁକିନ୍ଦାରୁ ନିର୍ବାଚନ ଲଢ଼ୁଛନ୍ତି । ୨୦୧୪ରେ ପ୍ରୀତିରଞ୍ଜନ ୨୦୦୯ ତୁଳନାରେ ଦୁଇଗୁଣା ଭୋଟ ଅର୍ଥାତ ୪,୭୦୪ଖଣ୍ଡ ଭୋଟରେ ବିଜୟ ଲାଭ କରି ସୁକିନ୍ଦା ଗଡକୁ ବିଜେଡି ପାଇଁ ଅଧିକ ସୁରକ୍ଷିତ କରିଥିଲେ । ଅନ୍ୟପଟେ ପ୍ରୀତିରଞ୍ଜନଙ୍କ ବାପା ପରଦା ପଛପଟେ ରହି ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦୀ କଂଗ୍ରେସକୁ ୩ ନମ୍ବରକୁ ଠେଲିବାରେ ସକ୍ଷମ ହେବା ସହ ୨୦୧୯ରେ ପ୍ରୀତିରଞ୍ଜନ ପୂର୍ବାପେକ୍ଷା ୪ଗୁଣା ଅର୍ଥାତ ୧୬୭୩୦ ଖଣ୍ଡ ଭୋଟରେ ବିଜୟ ଲାଭ କରି ସୁକିନ୍ଦାକୁ ନିଜର ମଜବୁତ୍ ଗଡ କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ସୁକିନ୍ଦାରେ ବିଜେଡିର ପ୍ରତିଦ୍ୱନ୍ଦୀ କଂଗ୍ରେସ ଥିବାବେଳେ ଏବେ ବିଜେପି ପ୍ରତିଦ୍ୱନ୍ଦୀ ଭାବେ ଛିଡା ହୋଇଛି । କେନ୍ଦ୍ରରେ ବିଜେପି କ୍ଷମତାରେ ଥିବାରୁ ଆଗାମୀ ଦିନରେ ଏହି ଗଡ ବିଜେଡି ପାଇଁ ସୁରକ୍ଷିତ ରହିବ ଏହା କୁହାଯାଇପାରିବ ନାହିଁ । ଏହାର କାରଣ ହେଉଛି ପ୍ରାଚୁର୍ଯ୍ୟ ଭରା ଖଣିଖାଦାନ ଭରା ସୁନାର ସୁକିନ୍ଦାର କାଳିଆପାଣିରେ ନଗଡାର ଚିତ୍ର ବିଜେଡି ବିକାଶ ଚିତ୍ରରେ କାଳି ଫିଙ୍ଗିଛି । ଆଉ ଏହାକୁ ବିଜେପି ନିଜର ରାଜନୈତିକ ଅସ୍ତ୍ର କରୁଛି । ସୁକିନ୍ଦାରେ ଡଜନେରୁ ଅଧିକ କାରଖାନା ଓ ଖଣିଖାଦାନ ଥିବାବେଳେ ନଗଡାର ଚିତ୍ର ବିଜେଡ଼ି ପାଇଁ ଅଡୁଆ ହୋଇପାରେ । ବିଜେପି ଖଣି ଅଂଚଳରେ ତିନୋଟ ପଂଚାୟତରେ ନିଜର ଦବ୍ଦବା ଦେଖାଇ ଏକ ସତର୍କ ଘଂଟି ପିଟିଛି । ବିଜେପି ନେତା ପ୍ରଦୀପ ବଳ ସାମନ୍ତ ୨୦୧୪ ନିର୍ବାଚନରେ କେବଳ ଖଣି ଅଂଚଳରେ ୧୫୦୦ରୁ ଅଧିକ ଭୋଟ ଲିଡ ନେବେ ବୋଲି କହୁଛନ୍ତି । ଯଦି ଏପରି ହୁଏ ଚଳିତ ନିର୍ବାଚନରେ ସାରା ରାଜ୍ୟ ସମେତ ସୁକିନ୍ଦାରେ ଭୋଟରମାନେ ନୀରବ ରହୁଥିବାରୁ ତାହା ବିଜେପିକୁ ବଳ ହୋଇପାରେ । ୨୦୧୯ରେ ବିଜେଡିର ପ୍ରୀତିରଞ୍ଜନ ଯେଉଁ ୧୬ହଜାର ଭୋଟରେ ଆଗୁଆ ରହିଥିଲେ ତାହା ହ୍ରାସ ପାଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କିଛି ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା ଯେହେତୁ କଂଗ୍ରେସ ଏଥର ନିର୍ବାଚନକୁ ଅତି ଗୁରୁତର ସହ ଲଢ଼ୁଛି ଯେଉଁ କଂଗ୍ରେସ ୨୦୧୯ରେ ମାତ୍ର ୧୧% ଭୋଟ ପାଇଥିଲା ତାହା ବଢ଼ିପାରେ ଏବଂ ପ୍ରୀତିରଞ୍ଜନଙ୍କ ବାପା ପ୍ରଫୁଲ୍ଲ ବିଜେପିର ଭୋଟକୁ କଂଗ୍ରେସ ଆଡକୁ ଠେଲିବାରେ ସ୍ୱତନ୍ତ୍ର ରଣକୌଶଳ ଆପଣାଇବେ । ଫଳରେ ବିଜେପି ଓ କଂଗ୍ରେସ ଭୋଟ ଭିତରେ ଦ୍ୱନ୍ଦ ତିଆରି କରି ପୁଣି ଥରେ ନିଜ ପୁଅକୁ ପୂର୍ବାପେକ୍ଷା ଅଧିକ ବ୍ୟବଧାନରେ ବିଜୟୀ କରିବେ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ତିନି ଦଳ କେଉଁ ରଣନୀତି ଆପଣାଉଛନ୍ତି ।

