

ରାଜ୍ୟର ବହୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭଦ୍ରକ ଜିଲ୍ଲାର ଧାମନଗରରେ ରାଜନୀତି ମାହୋଲ କଡ ଲେଉଟାଇବା ଭଳି ଲାଗୁଛି । ଗତ ଉପନିର୍ବାଚନରେ କଂଗ୍ରେସ ଧରାଶାୟୀ ହୋଇଯାଇଥିବାରୁ ଏଥର ଧାମନଗରରେ ବିଜେଡି ଓ ବିଜେପି ଭିତରେ ଲଢ଼େଇ ହେବ ବୋଲି ଚର୍ଚ୍ଚା ହୋଇଆସୁଥିଲା । କିନ୍ତୁ ଏ ଲଢ଼େଇ ଏବେ ରୋଚକ ମୋଡକୁ ଆସିଯାଇଛି । ବିଜେଡି ଭିତରେ ଏକ ବଡ଼ କନ୍ଦଳ ନୂଆ ରୂପ ନେଇଛି । ଦଳର ଦୁଇ ପୁରୁଖା ନେତାଙ୍କୁ ବିଜେଡି ନିଲମ୍ବନ କରିବା ପରେ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଚର୍ଚ୍ଚା ହେଉଛି ଧାମନଗରର ଟାଣୁଆ ବିଜେଡି ସଂଗଠକ ଅଶୋକ ନାୟକଙ୍କୁ ବିରୋଧ କରି ଦଳ ବିରୁଦ୍ଧରେ ବିଶୋଦଗାର କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ହରେକୃଷ୍ଣ ପାଢ଼ୀ ଓ ରଘୁନାଥ ଲେଙ୍କା ବିଜେପି ଶିବିରକୁ ଯାଇପାରନ୍ତି । କିନ୍ତୁ ଏ ଦୁଇ ନେତା ବିଜେପି ଶିବିରକୁ ଗଲେ ବି ବିଜେଡିକୁ ସେମିତି କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଯଦିଓ ରଘୁନାଥ ଲେଙ୍କାଙ୍କୁ ବିଜେଡ଼ି ବିଭିନ୍ନ ପଦପଦବୀ ଦେଇ ରଖିଥିଲା କିନ୍ତୁ ସେ ଯେ ତାଙ୍କ ଭାବମୂର୍ତି ସ୍ୱଚ୍ଛ ରଖିଛନ୍ତି ଏହା କେହି କହିପାରିବେ ନାହିଁ । ରଘୁନାଥ ଲେଙ୍କାଙ୍କ ନିଜ ପଂଚାୟତ ହେଉଛି କଟସାହି ସେଠାରେ ବିଜେଡ଼ି ଓ ବିଜେପି ଭିତରେ କଡ୍ଡା ଟକ୍କର ହୁଏ । ବିଜେଡିର ଟାଣୁଆ ନେତା ଥାଇ ଯେ ଏଠାରେ ବିଜେଡି ଭଲ ପ୍ରଦର୍ଶନ କରେ ଏଭଳି ଚିତ୍ର ଦଳ ଦେଖିନାହିଁ । ସେହିପରି ରଘୁନାଥ ଲେଙ୍କାଙ୍କ ଅଂଚଳର ଲୋକମାନେ ଅତି ସାଧାରଣ ଲୋକ । ସେମାନେ ବିଭିନ୍ନ କାମ ପାଇଁ ନେତାଙ୍କ ପଛରେ ଦୌଡ଼ିଥାଆନ୍ତି । କିନ୍ତୁ ଏହି ନେତାମାନେ ଯେ ବିନା ସ୍ୱାର୍ଥରେ ସେମାନଙ୍କ ପାଇଁ କାମ କରିଛନ୍ତି ତାହା କେହି କହିପାରିବେ ନାହିଁ । ତେଣୁ ସ୍ୱତପ୍ରବୃତ ଭାବେ ସିଂହଭାଗ ଲୋକ ଯେ ଏମାନଙ୍କ ପଛରେ ପଳାଇବେ ତାହା ବି ନୁହଁ । ସେହିପରି ବିଜେଡିରୁ ନିଲମ୍ବିତ ହୋଇଥିବା ହରେକୃଷ୍ଣ ପାଢ଼ୀ ଧୁଷୁରୀ ଜୋନରେ ନିଜର ପ୍ରଭାବ ରଖିଥିଲେ ବି ଏହି ନିଲମ୍ବିତ ନେତାଙ୍କ କଥାରେ ପଡ଼ି ଶାସକ ବିଜେଡି ବିରୁଦ୍ଧରେ ଯାଇ ବିଜେଡିକୁ ସମର୍ଥନ କରିଆସୁଥିବା ଲୋକମାନେ ଯେ ଭୋଟ ଦେବେ ଏହା ଏକ ପ୍ରକାର ଅସମ୍ଭବ ଲାଗୁଛି । ଯେହେତୁ ଏହି ଦୁଇ ନେତା ସମବାୟ ବିଭାଗରେ ନିଜର ଦବ୍ଦବା ରଖିଛନ୍ତି ତେଣୁ କିଛି ପରିମାଣର ବିଜେଡି ଭୋଟ ଏହି ଦୁଇ ନେତାଙ୍କ ପାଇଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହି ପ୍ରଭାବିତ ଭୋଟ ବ୍ୟାଙ୍କକୁ ସଜାଡିବାକୁ ବିଜେଡି ପାଖରେ ପର୍ଯ୍ୟାପ୍ତ ସମୟ ଅଛି ବୋଲି ଚର୍ଚ୍ଚା ହେଉଛି । ସବୁଠୁ ବଡ଼ କଥା ହେଉଛି ଦଳ ଭିତରେ ଅଶୋକ ନାୟକଙ୍କୁ ନେଇ ଯେଉଁ ବଡ଼ ବିଦ୍ରୋହଟେ ଭିତରେ ଭିତରେ ଦୀର୍ଘ ଦିନ ଧରି ଚାଲିଥିଲା ତାର ଅବସାନ ଘଟିଛି । ଏବେ ଅଶୋକ ନାୟକଙ୍କ ଉପରେ ବିଜେଡି ନିର୍ଭର କରେ ଏବଂ ଅଶୋକ ନାୟକଙ୍କ ରାଜନୈତିକ ଭବିଷ୍ୟତ ଏହି ନିର୍ବାଚନ ଫଳାଫଳ ଉପରେ ନିର୍ଭର କରିବ । ତେଣୁ ବିଜେଡି ଆଗାମୀ ଦିନରେ କେଉଁ ରଣନୀତି ଆପଣାଉଛି ତାହା ଉପରେ ସମସ୍ତଙ୍କ ନଜର ରହିବ । ଅନ୍ୟପଟେ ବିଜେପିର ଟ୍ରେଣ୍ଡି ନେତା ତଥା ବର୍ତମାନର ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଭାଷଣକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ସୂର୍ଯ୍ୟବଂଶୀ ନିଜ ଭାଷଣରେ ସବୁବେଳେ ଦୁଇଟି କଥାକୁ ବେଶୀ ଗୁରୁତ୍ୱ ଦେଉଛନ୍ତି । ଗୋଟିଏ ହେଲା ଧାମନଗର ଯୁବକଙ୍କୁ ନିଯୁକ୍ତି ଓ ଅନ୍ୟଟି ହେଉଛି ଧାମନଗରକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ବୈତରଣୀ ନଦୀ ଏସ୍କେପ୍ର ଉଚ୍ଚତା ବୃଦ୍ଧି । ନିଯୁକ୍ତି ଏକ ରାଜ୍ୟ ଓ କେନ୍ଦ୍ର ସ୍ତରୀୟ କଥା ହୋଇଥିବାରୁ ଏହାକୁ ନେଇ ସୂର୍ଯ୍ୟବଂଶୀ ସମାଲୋଚିତ ହେଲେଣି । କାହିଁକି ନା କେନ୍ଦ୍ର ସରକାର ନିଯୁକ୍ତିର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି । ଅନେକ ଧାମନଗରବାସୀଙ୍କ କହିବା କଥା ହେଲା ଯଦି ରାଜ୍ୟ ସରକାର ଧାମନଗର ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇପାରିଲା ନାହିଁ । ତାହେଲେ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଓ ପ୍ରକଳ୍ପରେ ସୂର୍ଯ୍ୟବଂଶୀ ଗତ ୫ବର୍ଷରେ କେତେ ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି ତାର ହିସାବ ଦିଅନ୍ତୁ । ତେଣୁ ନିଯୁକ୍ତିକୁ ନେଇ ସୂର୍ଯ୍ୟବଂଶୀ ଯେଉଁ ଏଜେଣ୍ଡା ତିଆରି କରୁଛନ୍ତି ତାହା ତାଙ୍କ ପାଇଁ କାଳ ହୋଇପାରେ । ସେହିପରି ଅଖଣ୍ଡ ଭାରତର ସ୍ୱପ୍ନ ଦେଖାଉଥିବା ଦଳର ନେତା ହେଉଛନ୍ତି ସୂର୍ଯ୍ୟବଂଶୀ । ଯାଜପୁରରେ ବୈତରଣୀରେ ଯେଉଁ ପ୍ରକଳ୍ପ ହୋଇଛି ତାକୁ ଆଲୋଚନର କେନ୍ଦ୍ର ବିନ୍ଦୁ କରି ଭଦ୍ରକର ଧାମନଗରବାସୀଙ୍କୁ ଉତେଜିତ କରି ନିଜ ପାଇଁ ଭୋଟ ବ୍ୟାଙ୍କ ତିଆରି କରିବାକୁ ପ୍ରୟାସ କରୁଥିବା ସୂର୍ଯ୍ୟବଂଶୀକୁ ନିଜ ଦଳୀ ନୀତି ବିରୋଧୀ କାର୍ଯ୍ୟ ପାଇଁ ଆଗାମୀ ଦିନରେ ସମାଲୋଚନାର ଶିକାର ହେବାକୁ ପଡ଼ିବ । ଚର୍ଚ୍ଚା ହେଉଛି ଯଦି ସୂର୍ଯ୍ୟବଂଶୀ ବାରମ୍ବାର ଯାଜପୁର ଓ ଭଦ୍ରକକୁ ନେଇ ତିକ୍ତ ଆଲୋଚନା କରିବେ ତେବେ ତାହା ଦୁଇ ଜିଲ୍ଲାର ଲୋକଙ୍କ ଭିତରେ ଏକ ଖରାପ ବାତାବରଣ ସୃ୍ଷ୍ଟି କରିବ । ସୂର୍ଯ୍ୟବଂଶୀ ବିଜେପିର ଜଣେ ଟ୍ରେଣ୍ଡି ନେତା ହୋଇଥିବାରୁ ଏହି କଥା ରାଜ୍ୟ ବିଜେଡି ଖୁବ୍ଶୀଘ୍ର ନିର୍ବାଚନୀ ପ୍ରସଙ୍ଗ କରିପାରେ । ଯଦି ଏପରି ହୁଏ ତେବେ ନିଯୁକ୍ତି ଓ ଏସ୍କେପ୍କୁ ନେଇ ସୂର୍ଯ୍ୟବଂଶୀ ଯେଉଁ ରାଜନୀତି କରଛନ୍ତି ତାହା ତାଙ୍କ ପାଇଁ ଓଲଟା ଫଳ ଦେଇପାରେ । ତେବେ ଦେଖିବାକୁ ବାକି ରହିଲା ବିଜେଡିର ଏହି ଦୁଇ ନିଲମ୍ବିତ ନେତା ଉଭୟ ବିଜେପି ଓ ବିଜେଡି ପାଇଁ କ’ଣ ପ୍ରଭାବ ପକାଉଛନ୍ତି । ଯାହା ଆଉ ଦିନ କେଇଟା ଭିତରେ ପ୍ରତିଫଳିତ ହେବ ।

