ଓଡ଼ିଶାରେ ବିଜେପି ସରକାର ଅଚାନକ ଭାବେ ଆସିଲା । ସବୁଆଡେ ଲୋକେ କିଛି କିଛି ପରିବର୍ତନ କରିବାକୁ ଚାହୁଁଥିଲେ ବି ପୁରା ସରକାରକୁ ଯେ ପରିବର୍ତନ କରିବେ ଏ କଥା ନା ବିଜେପି ଭାବିଥିଲା ନା ବିଜେଡି । କିନ୍ତୁ ହଠାତ ସବୁକିଛି ଏପଟ ସେପଟ ହୋଇଗଲା । ତେଣୁ ନୂଆ ସରକାର ଆଗକୁ କ’ଣ କରିପାରିବେ ତାକୁ ନେଇ ସାଧାରଣରେ ବିଶ୍ଲେଷଣ ଆରମ୍ଭ ହୋଇଗଲାଣି । ମର୍ଣ୍ଣିଂ ସୋଜ ଦି ଡେ ନ୍ୟାୟରେ ପ୍ରଥମରୁ ଜଣାପଡ଼ିଗଲାଣି ଯେ ମୋହନ ସରକାର ଆଗକୁ କିପରି ସରକାର ଚଳାଇବେ । ଯଦି ପ୍ରଥମରୁ ସରକାର ଝୁଂଟିବା ଆରମ୍ଭ କରିଛନ୍ତି ତେବେ ପୁରା ୫ବର୍ଷ ଯାକ ଏ ସରକାର ଝୁଂଟିବ ବୋଲି ଚର୍ଚ୍ଚା ହେଉଛି । ଏହାପଛରେ ବଡ଼ କାରଣଟି ହେଉଛି ଅନେକ ନୂତନ ଚେହେରା ସରକାରରେ ସାମିଲ ହୋଇଛନ୍ତି । ସେମାନେ ପରିପକ୍ୱ ହେବାକୁ ସମୟ ନେବେ । ଏହାଛଡା ରାଜ୍ୟରେ ପ୍ରଥମ କରି ବିଜେପି ନେତାମାନେ ସମ୍ପୂର୍ଣ୍ଣ ସରକାର ଚଳାଇବେ । କେନ୍ଦ୍ରୀୟ ଦଳ ହୋଇଥିବାରୁ ଅନେକ ନିଷ୍ପତି ନିଜେ ରାଜ୍ୟ ସରକାର ନେଇପାରିବେ ନାହିଁ । ତେବେ ବିଜେପି ସରକାର ଆସିବା ମାତ୍ରକେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବା ନିଷ୍ପତିକୁ ନେଇ ସମସ୍ତେ ଖୁସି ହୋଇଯାଇଥିଲେ ବି ପର ମୁହୁର୍ତରେ ଏଥିପାଇଁ ଯେଉଁ ସମସ୍ୟା ତିଆରି ହେଲା ସେଥିପାଇଁ ଉଭୟ ଭକ୍ତ ଓ ସରକାରଙ୍କୁ ନାକେଦମ ହେବାକୁ ପଡ଼ିଲା । ଏବେ ପୁଣି ଦର୍ଶନକୁ ନେଇ ନୂଆ ନୂଆ ଉପାୟମାନେ ଆଲୋଚନା ହେବାକୁ ଲାଗିଲାଣି । ଅର୍ଥାତ ଚାରିଦୁଆର ଖୋଲିଦେଲେ ଯେ ଖାଲି ଯେ ଦର୍ଶନ ସମସ୍ୟା ସମାଧାନ ହୋଇଯିବ ତା ନୁହେଁ । ତାହାର ପରିଚାଳନା ପାଇଁ ପ୍ରସ୍ତୁତି କରିବା ନିହାତି ଜରୁରୀ ଥିଲା । ତେବେ ଏହି ଚାରିଦ୍ୱାର ଖୋଲିବା ନିଷ୍ପତି ଉପରେ ଆଉ କିଛି ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନ ନେଇ ତରବରିଆ ଭାବେ ଲୋକଙ୍କୁ ଖୁସି କରିବାକୁ ଯାଇ ନୂଆ ସରକାର ନିଜର ଅପରିପକ୍ୱତାକୁ ପଦାରେ ପକାଇଲେ । ତେଣୁ ଏହି ନିର୍ବାଚନୀ ଇସ୍ତାହାର ପୂରଣ କରୁ କରୁ ସରକାର ଝୁଂଟି ପଡ଼ିଲେ ବୋଲି ଚର୍ଚ୍ଚା ହେଉଛି । ଏହାପରେ ଯିବା ଧାନର ସହାୟକ ମୂଳ୍ୟ ଘୋଷଣାକୁ ନେଇ । ଇସ୍ତାହାରରେ ଓଡ଼ିଶା ବିଜେପି ଧାନର ସହାୟକ ମୂଲ୍ୟ ୩୧୦୦କୁ ବୃଦ୍ଧି କରିବାକୁ କହିଥିଲା । କିନ୍ତୁ ଓଡ଼ିଶାରେ ବିଜେପି ସରକାର ଆସୁ ଆସୁ କେନ୍ଦ୍ର ସରକାର ଘୋଷଣା କଲେ ଯେ ଧାନର ସହାୟକ ମୂଲ୍ୟ ୧୧୭ଟଙ୍କା ବଢ଼ି ୨୩୦୦ ଟଙ୍କା ହେଲା । ତେଣୁ ଏହାକୁ ନେଇ ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ସମାଲୋଚନାର ଶିକାର ହେଲା । ତେଣୁ ଏହି ସମାଲୋଚନାକୁ ଦମନ କରିବାକୁ ପୁଣି ରାଜ୍ୟ ସରକାର ଆସନ୍ତା ଖରିଫ ସିଜିନ୍ରୁ ଚାଷୀ ୩୧୦୦ ଟଙ୍କା ପାଇବେ ବୋଲି ଘୋଷଣା କଲେ । କେବଳ ଏ ଦୁଇଟି କଥା ନୁହେଁ ମଦ ବନ୍ଦକୁ ନେଇ ମଧ୍ୟ ଆରମ୍ଭରୁ ବିବାଦ ଘେରକୁ ଆସିଯାଇଛି ନୂଆ ସରକାର । ବିଭାଗୀୟ ମନ୍ତ୍ରୀ ମଦ ବନ୍ଦ ନେଇ ସମ୍ୟକ ସୂଚନା ଦେବାପରେ ତାଙ୍କରି ବିଭାଗର ବରିଷ୍ଠ ଅଧିକାରୀ ଏହାକୁ ଖଣ୍ଡନ କରିବା ଭଳି ବକ୍ତବ୍ୟ ରଖିବା ସରକାରଙ୍କ ପାଇଁ ପୁଣି ସମାଲୋଚନାର ଘଟଣା ପାଲଟିଛି । ଦେଖିବାକୁ ଗଲେ ଆରମ୍ଭରୁ ମୋହନ ସରକାର ଖାଲି ବାରମ୍ବାର ଝୁଂଟୁଛନ୍ତି । ତେଣୁ ମର୍ଣ୍ଣିଂ ସୋଜ ଦି ଡେ ଭଳି ସରକାର ଯେ ଆଗକୁ ବାରମ୍ବାର ଝୁଂଟିବେ ଏଥିରେ ସନ୍ଦେହ ନାହିଁ ।

