କୋରେଇରେ ବବିଙ୍କ ଭାଗ୍ୟ ପରୀକ୍ଷା !

Share

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଜଣେ ବିଜେଡି ନେତା ଦିନ ରାତି ଏକ କରିଦେଉଥିବା ନେଇ ଚର୍ଚ୍ଚା ଏବେ କୋରେଇ ରାଜନୀତିକୁ ସରଗରମ କରିଛି । ଚଳିତ ନିର୍ବାଚନରେ ଯେଉଁ ବିଜେଡି ନେତାଙ୍କୁ ଟିକେଟ ମିଳିଲା ନାହିଁ ସେମାନଙ୍କ ମଧ୍ୟରୁ ଅନେକ ବିଜେପିରେ ଯୋଗଦେଇଥିବାବେଳେ ଆଉ କିଛି ନୀରବ ବସିଛନ୍ତି । ସେହିପରି ବିଜେପିରୁ ଯେଉଁମାନେ ଟିକେଟ ପାଇଲେ ନାହିଁ ସେମାନଙ୍କ ଭିତରୁ ଅନେକ ବିଜେଡି ଶିବିରରେ । କିନ୍ତୁ କୋରେଇ ନେତା ଅଶୋକ ବଳ ଏସବୁ ଦଳବଦଳ ମାନ ଅଭିମାନରୁ ଦୂରେଇ ନିଜକୁ ଦଳ ପାଇଁ ଉତ୍ସର୍ଗୀକୃତ କରିଦେଇଥିବା ଚର୍ଚ୍ଚା ଏବେ ବିଜେପିର ନିଦ ହଜାଇଦେଇଛି । ଆରମ୍ଭରୁ ଚର୍ଚ୍ଚା ହେଉଥିଲା କୋରେଇର ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଦବଦବା ଢ଼େର ଅଧିକ ରହିଛି । ଯେହେତୁ ଅଶୋକ ବଳଙ୍କୁ ବିଜେଡି ଟିକେଟ ଦେଲା ନାହିଁ ତେଣୁ ସେ ତାଙ୍କର ନିଜସ୍ୱ ସଂଗଠନ ଜରିଆରେ ବିଜେଡିକୁ ଅସହଯୋଗ କରିପାରନ୍ତି । କିନ୍ତୁ ଏସବୁ ଚର୍ଚ୍ଚାର କୌଣସି ସତ୍ୟତା ନଥିବା ଦିନକ ଦିନ ସ୍ପଷ୍ଟ ହେଉଛି । ତେଣୁ ବିଜେପିର ସବୁ ଗଣିତ ଏବେ ଓଲଟା ହେଲାଣି ବୋଲି ଚର୍ଚ୍ଚା ହେଉଛି । ଅଶୋକ ବଳ ବବି ଦାସଙ୍କ ମା’ଙ୍କ ପାଇଁ ଦିନରାତି ଏକ କରି ପ୍ରଚାର କାମରେ ଲାଗି ରହିବା ଯୋଗୁଁ ବିଜେପିର ନିଦ ହଜିଯାଇଥିବା ଚର୍ଚ୍ଚା ହେଉଛି । କୋରେଇରେ ଚର୍ଚ୍ଚା ହେଉଛି ବିଜେଡି ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁରରେ ପ୍ରାର୍ଥୀ କରିବା ପରେ ବବି ଦାସଙ୍କୁ ନେଇ ଅନେକ ଆଶଙ୍କା ତିଆରି ହେଉଥିଲା । ତେଣୁ ଯଦି ବବି ଦାସ କ୍ଷମତାରେ ନ ରୁହନ୍ତି ତେବେ ଯାଜପୁରର ଏକ ବିରାଟ କ୍ଷତି ହେବାର ସମ୍ଭାବନା ଆଗାମୀ ଦିନରେ ଦେଖାଦେଇପାରେ । ତେଣୁ କୋରେଇରେ ତାଙ୍କ ମା ସଂଧ୍ୟାରାଣୀଙ୍କୁ ବିଧାୟକ ପ୍ରାର୍ଥୀ କରାଗଲା । ଏହି ଫ୍ୟାକ୍ଟରକୁ ଲକ୍ଷ୍ୟ କରି ଯାଜପୁରର ସ୍ୱାର୍ଥ ପାଇଁ କୋରେଇର ସବୁ ବିଜେଡି ନେତା ଏକ ହୋଇଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ବବିଙ୍କ ଭାଇ ଭବପ୍ରସାଦ ଦାସ ଓରଫ ଲଲ୍ ବି ଏ ଅଂଚଳରେ ଲୋକଙ୍କ ସମସ୍ୟା ସହ ଦୀର୍ଘଦିନ ଧରି ସାମିଲ ଅଛନ୍ତି । ସେହିପରି ଗତ ପଂଚାୟତ ନିର୍ବାଚନ ଓ ମ୍ୟୁନିସିପାଲିଟି ନିର୍ବାଚନରେ ବିଧାୟକ ଅଶୋକ ବଳ ନିର୍ବାଚନମଣ୍ଡଳୀର ୩ ଟାଣୁଆ ନେତାଙ୍କୁ ଧରି ନିର୍ବାଚନକୁ ଏକତରଫା କରିଦେଇଥିଲେ । ଚଳିତ ନିର୍ବାଚନରେ ଏହି ୩ ନେତା କୋରେଇ ବ୍ଳକ ବିଜେଡି ସଭାପତି ଭକ୍ତ ବତ୍ସଳ ସ୍ୱାଇଁ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି ଓ ବିଧାୟକଙ୍କ ପ୍ରତିନିଧ ତାରକ ମହାନ୍ତି ବିଧାୟକ ଅଶୋକ ବଳଙ୍କ ସହ ମିଶି ଏକମନରେ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଅନ୍ୟପଟେ ସମ୍ବଲପୁରରେ ୨୫ ତାରିଖରେ ଭୋଟ ସରିବା ପରେ ବବି ଦାସ ନିଜ ମା’ଙ୍କ ପାଇଁ କୋରେଇରେ ନିର୍ବାଚନ ରଣନୀତି ତିଆରି କରିବେ । ତେଣୁ ମତଦାନର ୫ ଦିନ ପୂର୍ବରୁ ନିଜେ ବବି କୋରେଇରେ ସାମିଲ ହେଲେ ବିପୁଳ ସଂଖ୍ୟାରେ ବିଜୟ ସମ୍ଭାବନା ବୃଦ୍ଧି ପାଇବ । ଅନ୍ୟପଟେ କୋରେଇର ଇତିହାସକୁ ଯଦି ଦେଖିବା ତେବେ ୧୯୭୪, ୧୯୭୭, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ଏଠାରେ ବିଜେଡି ସାଂଗଠନିକ ସଂପାଦକ ବବି ଦାସଙ୍କ ବାପା ଅଶୋକ ଦାସ ବାରମ୍ବାର ବିଜୟୀ ହୋଇ କୋରେଇକୁ ନିଜ ଗଡ କରି ରଖିଥିଲେ । ୨୦୦୮ରେ ଅଶୋଦ ଦାସଙ୍କ ଦେହାନ୍ତ ପରେ ଯାଜପୁରର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇଙ୍କ ପୁଅ ୨୦୦୯ରେ ଏଠାରୁ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ୨୦୦୯, ୨୦୧୪ ଓ ୨୦୧୯ରେ କୋରେଇରେ ବିଜେଡି ପ୍ରାର୍ଥୀ ପ୍ରାୟ ୫୦% ଭୋଟ ନିଜ ହାତରେ ରଖିବାରେ ସଫଳ ହୋଇଛନ୍ତି । ୨୦୦୪ରେ ଏଠାରେ ବିଜେପି ପ୍ରାର୍ଥୀ ସଂଚିତା ମହାନ୍ତି ବିଜୟୀ ହୋଇଥିଲେ ବି ପରବର୍ତୀ ୨୦୦୯ ଓ ୨୦୧୪ରେ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନକୁ ପଳାଇଥିଲେ । ଫଳରେ ୨୦୧୯ରେ ବିଜେପି ପ୍ରାର୍ଥୀ ବଦଳାଇ ୩୦%ରୁ କମ୍ ଭୋଟ ପାଇ ଦ୍ୱିତୀୟ ସ୍ଥାନକୁ ଆସିଥିଲା । ୨୦୧୪ରେ ଆକାଶ ଦାଶ ନାୟକ କୋରେଇରୁ ବିଜେଡି ବିଧାୟକ ଥିଲେ । କିନ୍ତୁ ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ତାଙ୍କ ବଦଳରେ ଦଳ ଅଶୋକ ବଳଙ୍କୁ ଟିକେଟ ଦେଇଥିଲା । ଚଳିତ ଥର ଆକାଶ ଦାଶ ବିଜେପିରୁ ଟିକେଟ ପାଇବା ପରେ ଏହି ସିଟ୍‌ରେ କିଏ ବିଜେଡି ଟିକେଟ ପାଇବ ତାକୁ ନେଇ ଚର୍ଚ୍ଚା ଭାରି ସରଗରମ ହୋଇଥିଲା । ହଠାତ ବିଜେଡି ଦଳର ସାଂଗଠନିକ ସଂପାଦକ ବବି ଦାସଙ୍କ ମା’ଙ୍କୁ ଏଠାରେ ଟିକେଟ ଦେବା ପରେ ଚର୍ଚ୍ଚା ହେଲା ଯେ ଅଶୋକ ବଳ ଅସହଯୋଗ କରିବେ । କିନ୍ତୁ ଗତ କିଛି ଦିନ ହେଲା ଅଶୋକ ବଳ ଯେଭଳି ଭାବରେ ସଂଗଠନ କଥା ବୁଝୁଛନ୍ତି ତାହା ଦେଖିଲେ ଲାଗୁଛି ୨୦୧୯ରେ ଅଶୋକ ବଳ ଯେତିକି ଭୋଟ ପାଇଥିଲେ ତା’ଠାରୁ ଢ଼େର ଅଧିକ ଭୋଟ ସେ ସଂଧ୍ୟାରାଣୀ ଦାସଙ୍କ ପାଇଁ କରିବେ । ଅଶୋକ ବଳଙ୍କ ନିଜ ବ୍ଲକ ରସୁଲପୁରର ଭୋଟକା, ଲକ୍ଷ୍ମୀନଗର, ପହଙ୍ଗା, ବଡକଇଁଚି, ଗନ୍ଧନ, ଟିକରପଡ଼ା, ବାହାଦଲପୁର, ନରସିଂହପୁର ଓ ମୁଗୁପାଳରେ ବିଜେଡିକୁ ନାହିଁ ନଥିବା ସମର୍ଥନ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେଣୁ ଏହି ସବୁ ପଂଚାୟତରେ ବିଜେଡି ଯେତିକି ଲିଡ କରିବ ତାକୁ ଭରଣା କରିବା ପାଇଁ ବିଜେପି ପାଇଁ କାଠିକର ପାଠ ହୋଇପାରେ । ତେବେ ଦେଖିବାକୁ ବାକି ରହିଲା ବିଜେଡିର ଏଭଳି ରଣନୀତି ଆଗରେ ବିଜେପି ବିଜୟୀ ହେବାକୁ କ’ଣ ସବୁ ଉପାୟ କରୁଛି ।