ପଞ୍ଚାୟତସ୍ତରରେ ବିଜେପି ଦୁର୍ବଳ ନା ସବଳ!

Share

୨୦୧୯ରେ ଯାଜପୁର ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀ ବିଜେଡି ହାତରେ ଥିଲା । କିନ୍ତୁ ୨୦୨୪ର ନୀରବ ଜନତା ଝଡ ବିଜେଡ ହାତରୁ ୪ଟି ବିଧାନସଭା କ୍ଷେତ୍ରକୁ ଛଡାଇନେଇଛି । ବରୀରେ ବିଜେଡିର ମାଷ୍ଟର ପ୍ଲାନ ଏକ ରେକର୍ଡ ମାର୍ଜିନରେ ଜିତିବାକୁ ସୁଯୋଗ ଦେଇଛି । ଅନ୍ୟପଟେ ବିଞ୍ଝାରପୁର ଓ ଯାଜପୁରରେ ମାତ୍ର ୩ହଜାରରୁ କମ୍ ଭୋଟରେ କଷ୍ଟେ ମଷ୍ଟେ ବିଜେଡି ବିଜୟ ହାସଲ କରିଛି । ବଡଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦା ସିଟ୍ ବିଜେଡି ହାତରୁ ଖସିଥିଲେ ବିଜୟ ମାର୍ଜିନ ବିଜେଡି ପାଇଁ ସେତେଟା ନୈରାଶ୍ୟଜନକ ନୁହେଁ । ଗତ ୨୦୧୯ ନିର୍ବାଚନରେ ବଡଚଣାକୁ ଛାଡିଦେଲେ ଧର୍ମଶାଳାରେ ପ୍ରାୟ ୫୦ହଜାର, କୋରୋଇରେ ପ୍ରାୟ ୩୦ହଜାର ଓ ସୁକିନ୍ଦାରେ ପ୍ରାୟ ୧୫ ହଜାରରୁ ଅଧିକ ଭୋଟ ମାର୍ଜିନରେ ବିଜେପି ପଛରେ ରହିଥିଲା । ଏତେ ବଡ ବ୍ୟବଧାନରେ ଥାଇ ବି ୨୦୨୪ରେ ବିଜେପିର ପ୍ରାର୍ଥୀମାନେ ବିଜୟୀ ହୋଇଗଲେ । କିନ୍ତୁ ୨୦୨୪ ନିର୍ବାଚନରେ ବିଜେପି ଜିତିଥିବା ଏହି ଚାରୋଟି ସିଟ୍‌ରେ ବିଜେଡି ୧୦ହଜାରରୁ କମ୍ ବ୍ୟବଧାନରେ ପରାଜିତ ହୋଇଛି । ତେଣୁ ୨୦୧୯ ତୁଳନାରେ ୨୦୨୪ରେ ବିଜେପି ପାଇଁ ଯେଭଳି ପରିସ୍ଥିତି ଥିଲା ତା’ଠାରୁ ଭଲ ପରିସ୍ଥିତି ୨୦୨୯ରେ ବିଜେଡି ପାଇଁ ରହିବ । ଏ ଗଣିତକୁ ନେଇ ବିଜେଡି ଖୁବ୍ ଆଶାବାଦୀ ଓ ଆଗାମୀ ଦିନରେ ବିଜେଡ଼ ତାର ଗଡକୁ ପୁଣି ଫେରିପାଇବ ବୋଲି ବିଶ୍ୱାସ ରଖିଛି । ଗତ କିଛି ଦିନ ହେବ ବିଜେଡିର ସାଂଗଠନିକ ସଂପାଦକ ବବି ଦାସଙ୍କ ସରକାରୀ ବାସଭବନକୁ ନେଇ ଯେଭଳି ଘଟଣାମାନ ଦେଖିବାକୁ ମିଳିଲା ତାହା ବିଜେଡିକୁ ନୀରବ ନ ରହି ଆକ୍ରମଣାତ୍ମକ ଭଙ୍ଗୀରେ କାର୍ଯ୍ୟକରିବାକୁ ପ୍ରେରିତ କରିଛି । ପରାଜୟ ପରେ ବିଜେଡି ନୀରବ ରହିବାକୁ ଚାହୁଁଥିଲେ ବି ବିଜେପି ବିଜେଡିକୁ ନୀରବ ଭାବେ ବସିବାକୁ ଦେଉନି । ଏହାଦ୍ୱାରା ବିଜେଡି ଭିତରେ ସକ୍ରିୟତା ଦେଖାଦେଲାଣି । ବିଜେଡିର ସାଂଗଠନିକ ସଂପାଦକ ଯାଜପୁରର ପୂର୍ବତନ ବିଧାୟକ ବବି ଦାସ ଏନେଇ ଗୋଟିଏ ବଡ ସଂଙ୍କେତ ଦେଇଛନ୍ତି । ଯାଜପୁରରେ ସ୍ଥାନୀୟ ସଂସ୍କୃତି ଭବନରେ ଏକ ସାଂଗଠନିକ ବୈଠକ କରି ନିଜେ ବବି ଦାସ ବର୍ତମାନର ଶାସକ ଦଳର ଦୋଷ ତ୍ରୁଟିକୁ ଲୋକଲୋଚନକୁ ଆଣି ସାଧାରଣ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦିଗରେ କାମ କରିବାକୁ ନିଜ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏପରିକି ସମସ୍ତେ ଏକ ହୋଇ ଭାରତୀୟ ଜନତା ପାର୍ଟି ବିରୋଧରେ ଲଢ଼େଇ କଳେ ଆଗାମୀ ଦିନରେ ବିଜୟ ସୁନିଶ୍ଚିତ ବୋଲି ଦୃଢ଼ୋକ୍ତି କରିଛନ୍ତି । ଯାଜପୁରରେ ବବି ଦାସଙ୍କ ସମୟରେ ଯେଉଁ ସବୁ କାମ ଅସମ୍ପୂର୍ଣ୍ଣ ରହିଛି ତାକୁ ସମ୍ପୂର୍ଣ୍ଣ କରିବେ ବୋଲି ବର୍ତମାନର ଯାଜପୁର ବିଧାୟିକ ସୁଜାତା ସାହୁ କହିଛନ୍ତି । ଅର୍ଥାତ ବବି ଦାସ ଲୋକଙ୍କ ପାଖେ ପାଖେ ରହି ନିଜ ଅଂଚଳରେ ପୁଣି ଥରେ ପ୍ରିୟଭାଜନ ହେବେ । ବିବଙ୍କ ସରାକରୀ କ୍ୱାର୍ଟରକୁ ନେଇ ଯେଭଳି ତୁମ୍ବ ତୋଫାନ ହେଲା ଏହା ବିଜେଡିକୁ ସକ୍ରିୟ କରିଛି ବୋଲି ଚର୍ଚ୍ଚା ହେଉଛି । ଏହି ସକ୍ରିୟତା ଯୋଗୁଁ ବିଜେଡି ଆଗାମୀ ଦିନରେ ଅର୍ଥାତ ପଂଚାୟତ ନିର୍ବାଚନରେ ନିଜର ଦବ୍‌ଦବା ଦେଖାଇବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚାହେଉଛି । ବବିଙ୍କର ଏହି ସାଂଗଠନିକ ବୈଠକ ପୁରା ରାଜ୍ୟରେ ଏକ ଉଦାହରଣ ଭାବେ କାମ କରିବ ବୋଲି ଶୁଣିବାକୁ ମିଳୁଛି । ଅନ୍ୟପଟେ ପଂଚାୟତ ନିର୍ବାଚନ ଆଉ ମାତ୍ର ଅଢ଼େଇ ବର୍ଷ ଥିବାରୁ ଅଳ୍ପ ଦିନ ଭିତରେ ବିଜେପି ପଂଚାୟତ ସ୍ତରରେ ନିଜର ସଂଗଠନ ସଜାଡିବା ଏତେ ସହଜ ହେବ ନାହିଁ । କାହିିଁକି ନା ୨୦୨୪ ନିର୍ବାଚନରେ ୪୦ ଭୋଟରଙ୍କ ସମର୍ଥନରେ ବିଜେପି ବାଜିମାତ କରିଥିଲେ ବି ବିଜେଡି ସପକ୍ଷରେ ଏବେ ବି ୪୦% ଭୋଟର ରହିଛନ୍ତି । ତେଣୁ ଆଗାମୀ ପଂଚାୟତ ନିର୍ବାଚନରେ ଜଣେ ବିରୋଧୀ ଭଳି ବିଜେଡି ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ଏହି ଭୋଟ ପ୍ରତିଶତ ଯେ ନିଶ୍ଚିତ ବଢ଼ିବ ଏଥିରେ ଦ୍ୱିମତ ନାହିଁ । କାହିଁକି ନା ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଯେଉଁ ୨୧ଟି ଘୋଷଣା କରିଥିଲା ସେସବୁକୁ ଆଗାମୀ ଅଢ଼େଇ ବର୍ଷ ଭିତରେ ପୂର୍ଣ୍ଣ କରିବା ପ୍ରାୟତଃ ଅସମ୍ଭବ । ଏହା ସହିତ ସେହି ସବୁ ପ୍ରତିଶ୍ରୁତିକୁ ପୂରଣ କରିବା ସମୟରେ ନିଶ୍ଚିତ ବିଜେପି ଅନେକ ବିରୋଧର ଶିକାର ହେବ । ଉଦାହରଣ ସ୍ୱରୂପ ଯଦି ବିଜେପି ରାଜ୍ୟରୁ ମଦ ବନ୍ଦ କରିଦିଏ ତେବେ ମଦ ବନ୍ଦ ହେବା ମାତ୍ରକେ ବିହାର ଭଳି ଅନେକ ମଦମୃତ୍ୟୁ ମାମଲା ନିଶ୍ଚିତ ସାମ୍ନାକୁ ଆସିବ । ଯାହା ବିଜେପି ସରକାରକୁ ବିବାଦରେ ଛନ୍ଦି ଦେବ । ଆଉ ବିଜେଡି ଯେଭଳି ଭାବେ ଘାଇଲା ହୋଇ ରହିଛି ଟିକିଏ ସୁଯୋଗ ପାଇବା ମାତ୍ରକେ ବିଜେପି ସରକାର ବିରୋଧରେ ଜନ ଅସନ୍ତୋଷ ତିଆରି କରିବାକୁ ଜୀ ଜାନ ଲଗାଇଦେବ । କେନ୍ଦ୍ର ସରକାର ଭୟରେ ବଡ ବଡ ଇସ୍ୟୁକୁ ଛାଡିଦେଇ ଯଦି ବିଜେଡି ଛୋଟ ଛୋଟ ଇସ୍ୟୁକୁ ଡିଜିଟାଲ ମିଡ଼ିଆ ହେଉ କି ଅନ୍ୟ ଉପାୟରେ ସାଧାରଣ ଲୋକଙ୍କ ଭିତରେ ବ୍ୟାପକ କରିଦିଏ ତେବେ ପଂଚାୟତ ନିର୍ବାଚନରେ ବିଜେପି ସେତେଟା ଭଲ କରିପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ ତେବେ ବିଜେଡି କମ୍‌ବ୍ୟାକ୍ କରିବାର ସମ୍ଭାବନା ବୃଦ୍ଧି ପାଇବ । ତେବେ ଆଗକୁ ଏସବୁ ଉଭୟ ବିଜେପି ଓ ବିଜେଡି କିଭଳି ହ୍ୟାଣ୍ଡଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।