ଗୋଟିଏ କୋଠରୀ ଭିତରେ ସମଲିଙ୍ଗୀ ଚିକିତ୍ସକ ଓ ରୋଗୀ । ନୀରବ ସୁସଜ୍ଜିତ କୋମଳ ଆଲୋକ କୋଠରୀ ଭିତରେ ଅର୍ଦ୍ଧନଗ୍ନ ହୋଇ ପଡ଼ିରହି ଚିକିତ୍ସିତ ହେବାର ପ୍ରକ୍ରିୟା କେବଳ ଯେ ରୋଗକୁ ଭଲ କରିବ ତାହାନୁହେଁ । ମନକୁ ଏତେ ଶାନ୍ତି ପ୍ରଦାନ କରିଥାଏ ଯେ, ରୋଗର ଯନ୍ତ୍ରଣା ଆପେ ଆପେ ଉଭେଇ ଗଲା ପରି ଅନୁଭବ ହୁଏ । ଅସାଧ୍ୟ ରୋଗକୁ ଏଭଳି ଚିକିତ୍ସା ବ୍ୟବସ୍ଥା ଭଲ କରିବାରେ ବେଶ୍ ଖ୍ୟାତି ଅର୍ଜନ କରିଛି । ଏହା ହେଉଛି ଆୟୁଷ ବିଭାଗର ପଞ୍ଚକର୍ମ ଚିକିତ୍ସା ପଦ୍ଧତି। କେବଳ ରୋଗ ହେଲେ ଏହି ଚିକିତ୍ସା ପଦ୍ଧତିକୁ ଲୋକେ ଆଦରିବାକୁ ବାଧ୍ୟ ହୁଅନ୍ତି ତା’ ନୁହେଁ, ଧନୀକ ଶ୍ରେଣୀର ଲୋକମାନେ ଖାସ୍ ଏହି ପ୍ରକ୍ରିୟାର ମଜା ନେବା ସହ ମନ ଓ ଶରୀରକୁ ଅଧିକ ମଜବୁତ୍ କରିବା ପାଇଁ ଓ ଏକ ଅଦ୍ଭୁତ ସୁଖର ଅନୁଭବ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଥାଇଲାଣ୍ଡ ଭଳି ଦେଶଗୁଡ଼ିକୁ ଭ୍ରମଣରେ ଯାଇଥାନ୍ତି । ସେଠାରେ ଏକ ପ୍ରାକୃତିକ ପରିବେଶ ଭିତରେ ଏହି ପଞ୍ଚକର୍ମ ଦ୍ୱାରା ଯେଉଁ ଶାନ୍ତି ମିଳିଥାଏ ତାହା ବର୍ଷଯାକର ସବୁ ଦୁଃଖକୁ ଭୁଲାଇଦେଇଥାଏ ।
ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ପଞ୍ଚକର୍ମ ନାମକ ଏହି ବିଶେଷ ଚିକିତ୍ସା ପଦ୍ଧତି ଶରୀରକୁ ବିଶୋଧନ କରି ଅନାବଶ୍ୟକ ପଦାର୍ଥକୁ ବାହାର କରିବା ସହ ରୋଗକୁ ମୂଳରୁ ନାଶ କରିଥାଏ । ଏପରିକି ଚୁଟି ଝଡ଼ିବା, ଚର୍ମ ରୋଗ, ଗଣ୍ଠି ଯନ୍ତ୍ରଣା ଭଳି ସାମାନ୍ୟ ରୋଗଠାରୁ ଆରମ୍ଭ କରି ଗୁରୁତର ମାନସିକ ରୋଗ ଓ ଅଟୋଇମ୍ୟୁନ ଭଳି ଜଟିଳ ରୋଗର ଚିକିତ୍ସା ଏହି ପଞ୍ଚକର୍ମ ଚିକିତ୍ସା ଦ୍ୱାରା ସଫଳ ଭାବେ ହୋଇପାରୁଛି ।
କିନ୍ତୁ ଏଭଳି ଏକ ଉତ୍ତମ ଚିକିତ୍ସା ବ୍ୟବସ୍ଥାକୁ ଓଡ଼ିଶାର ଭୁବନେଶ୍ୱର ଏମ୍ସରେ ସମ୍ପୂର୍ଣ୍ଣ ଅଣଦେଖା କରି ବନ୍ଦ କରିଦିଆଯାଉଛି । ଆୟୁଷ ବିଭାଗରେ କୋଭିଡ ପାଇଁ ଓ୍ଵାର୍ଡ ଖୋଲାଯାଇ ପଞ୍ଚକର୍ମ ଭଳି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ବର୍ଷ ବର୍ଷ ଧରି ବନ୍ଦ କରି ରଖିବା କେତେଦୂର ଯଥାର୍ଥ । ରାଜ୍ୟରେ ୨୦୨୦ରେ କୋଭିଡ ରୋଗୀ ସଂଖ୍ୟା ବଢ଼ିବା ପରେ ଭୁବନେଶ୍ୱର ଏମ୍ସରେ ଆୟୁଷ ବ୍ଳକକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ସେଠାରେ କୋଭିଡ ଡାକ୍ତରଖାନା ଖୋଲାଗଲା । ଦୁଇ ବର୍ଷ ବିତିଥିଲେ ବି କୋଭିଡ ପାଇଁ ଅନ୍ୟ ବ୍ୟବସ୍ଥା ନ କରିପାରି ଏଇ ଜୁଲାଇରେ ପୁଣି ଥରେ କାର୍ଯ୍ୟକ୍ଷମ ହୋଇଥିବା ପଞ୍ଚକର୍ମ ଥିଏଟରକୁ ବନ୍ଦ କରିଦେବା ଆୟୁଷକୁ ଅକାମୀ କରିବା ନେଇ ଏକ ପଦକ୍ଷେପ ବୋଲି ଆଲୋଚନା ହେଲାଣି। ଆୟୁଷକୁ ଅକାମୀ କରିବା ପଛରେ ଆଉ କିଛି ଉଦ୍ଦେଶ୍ୟ ନିହିତ ଥିବା ବି କିଛି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ଭୁବନେଶ୍ୱର ଏମ୍ସରେ ଆୟୁଷର ହୋମିଓପ୍ୟାଥିକୁ ଛାଡ଼ି ଆର୍ୟୂବେଦର ୮ଟି ବିଭାଗ ରହିଛି । ଏଗୁଡ଼ିକ ମଧ୍ୟରେ ରହିଛି, କାୟା ଚିକିତ୍ସା, ଶିଶୁ ଚିକିତ୍ସା, ଗ୍ରହ ଚିକିତ୍ସା, ଉର୍ଦ୍ଧ୍ୱଭଙ୍ଗ ଚିକିତ୍ସା, ଶଲ୍ୟ ଚିକିତ୍ସା, ଅଗଡ ତନ୍ତ୍ର, ରସାୟନ ତନ୍ତ୍ର ଓ ବାଜିକରଣ ଏବଂ ଆୟୂର୍ବେଦର ସ୍ୱତନ୍ତ୍ର ଚିକିତ୍ସା ଭିତରେ ରହିଛି ପଞ୍ଚକର୍ମ । କିନ୍ତୁ ଏହି ସ୍ୱତନ୍ତ୍ର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ପଞ୍ଚକର୍ମ ଥିଏଟରକୁ ବନ୍ଦ କରି ରଖାଯିବା ଏକ ଚିନ୍ତାଜନକ ଘଟଣା ଅଟେ । ଆୟୁଷକୁ ଅବହେଳା କରାଯିବା ଅର୍ଥ ଆମେ ରୋଗରେ ପଡ଼ିବା ପୂର୍ବରୁ ସାବଧାନତା ଅବଲମ୍ବନ ନ କରି ରୋଗରେ ପଡ଼ିବା ପରେ ଚିକିତ୍ସିତ ହେବାକୁ ଅଧିକ କ୍ଷେତ୍ର ପ୍ରସ୍ତୁତ କରୁଥିବା ଏକ ପ୍ରକାର ସ୍ପଷ୍ଟ ।
କେବଳ ରାଜଧାନୀରେ ଯେ, ଆୟୁଷର ଏ ବିକଳ ଅବସ୍ଥା ତାହା ନୁହେଁ । ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସିଏଚ୍ସି, ପିଏଚ୍ସିରେ ଆୟୁଷ ବିଭାଗ ଓ ସ୍ୱତନ୍ତ୍ର ଆୟୁର୍ବେଦ ଚିକିତ୍ସାଳୟ ଗୁଡ଼ିକର ସ୍ଥିତି ମଧ୍ୟ ଆହୁରି ଖରାପ। ଯଦି ତଳ ଆଡୁ ଆସିବା ତେବେ ବିଭିନ୍ନ ପଞ୍ଚାୟତରେ ଥିବା ଆର୍ୟୁବେଦିକ ଚିକିତ୍ସାଳୟ ପିଣ୍ଡାରେ ପ୍ରାୟ ଅଧିକ ସମୟ ଷଣ୍ଡ ଶୋଉଥିବାରୁ ଚିତ୍ର ଗଣମାଧ୍ୟମରେ ଅତି ଭଲ ଭାବରେ ଚିତ୍ରିତ ହୋଇଆସୁଛି । ସେହିପରି ସିଏଚ୍ସି ଗୁଡ଼ିକରେ ହୋମିଓପ୍ୟାଥି ଚିକିତ୍ସା କୋଠାରୀ ଖୋଜିବା କଟକର ୫୨ ବଜାର ୫୩ ଗଳିରେ ନୂଆଘର ଠିକଣା ଖୋଜିବା ସଦୃଶ ହେବ। ଏପରିକି କିଛି ସିଏଚ୍ସି(ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର)ରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତରମାନେ ଏଲୋପ୍ୟାଥିକ ମେଡିସିନ୍ ଚିଠା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ଗୋଟିଏ ଗୋଟିଏ ସିଏଚ୍ସିରେ ଆୟୁର୍ବେଦିକ ଡାକ୍ତରମାନେ ରାତି ଅଧରେ ଦୁର୍ଘଟଣା ଭଳି ଏମର୍ଜେନ୍ସି ରୋଗୀଙ୍କ ପାଇଁ ଏଲୋପ୍ୟାଥିକ ଇଞ୍ଜେକସନ, ଔଷଧ ଦେବା ସହ ନିଜେ କମ୍ପଉାଣ୍ଡର ଓ ନର୍ସ ଭଳି କାର୍ଯ୍ୟ କରିଥାନ୍ତି।
ଏ ଚିତ୍ରକୁ କ୍ଷେତ୍ରକୁ ଯାଇ ଦେଖିବାର ଆବଶ୍ୟକତା ନାହିଁ । ଖୋଦ୍ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶାଳୟର େଓ୍ଵବ୍ସାଇଟ(ayushodisha.nic.in) ଦେଖିଲେ ସ୍ପଷ୍ଟ ଜାଣିପାରିବେ ଯେ କିଭଳି ଅନାଥ ହୋଇ ପଡ଼ିଛି ଏହି ଆୟୁଷ ବିଭାଗ। େଓ୍ଵବ୍ସାଇଟ୍ରେ ଥିବା ମେନ୍ୟୁ(ମୂଳ ଲିଙ୍କ)କୁ କ୍ଲିକ୍ କଲେ ସେଥିରେ ଶୂନ୍ୟ ଶୂନ୍ୟ ଦେଖିପାରିବେ। ଏପରିକି ନାଗରିକ ଅଧିକାର ପତ୍ର ସେକ୍ସନରେ ଲେଖାଟିଏ ନାହିଁ । ସେପଟେ ସ୍ୱାସ୍ଥ୍ୟ ବିଭାଗର େଓ୍ଵବ୍ସାଇଟ୍ରେ ଡିରେକ୍ଟୋରେଟ ଅଫ ଆୟୁଷ ମେନ୍ୟୁରେ କ୍ଲିକ୍ କଲେ ତାହା କେବେ ଖୋଲିବ, କହିବା ଏକ ପ୍ରକାର ଅସମ୍ଭବ ।ଏ ଚିତ୍ର ହିଁ ସ୍ପଷ୍ଟ କରୁଛି ଶ୍ରହୀନ ହୋଇପଡ଼ିଛି ରାଜ୍ୟର ଆୟୁଷ । ଏପରିକି କୋଭିଡ଼ ସମୟରେ ଏଲୋପ୍ୟାଥି ଡାକ୍ତରମାନଙ୍କର ଇନସେଣ୍ଟିଭ୍ ଦୈନିକ ୧୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଆୟୁଷ ଇଣ୍ଟର୍ଣ୍ଣ ଡାକ୍ତରଙ୍କ ଇନସେନ୍ଟିଭ୍ ମାତ୍ର ୩୭୫ଟଙ୍କାରେ ସୀମିତ କରିଦିଆଗଲା । ଯେତେବେଳେ କି ଷ୍ଟାର୍ଫ ନର୍ସ, ରେଡ଼ିଓ ଗ୍ରାଫର, ବହୁମୁଖ୍ୟ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ୪୦୦ରୁ ଅଧିକ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଗଲା । ସେପଟେ ଆୟୁଷ ଡାକ୍ତରମାନେ କୁହନ୍ତି ଯେ ସେମାନେ ଏମବିବିଏସ୍ ଡାକ୍ତରଙ୍କ ପରି କାର୍ଯ୍ୟ କରିଆସୁଛନ୍ତି । ସେପଟେ ରାଜ୍ୟରେ ବର୍ତ୍ତମାନ ୩ଟି ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ୪ଟି ସରକାର ହୋମିଓପ୍ୟାଥି କଲେଜ ଥିବା ବେଳେ ଆୟୁଷ ବିଭାଗକୁ ଅଧିକ ରୋଗୀ ଆକୃଷ୍ଟ ନ ହେବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ପାଲଟିଛି । ଏମିତି ଯଦି ଚାଲେ ତା’ହେଲେ ଗୋଟେ ଦିନ ଏମିତି ଦିନ ଆସିବ ଯେଉଁ ଦିନ ସରକାରୀ ତଥ୍ୟ କହିବ ରାଜ୍ୟରେ ଲୋକମାନେ ଆୟୁଷକୁ ବ୍ୟବହାର କରୁନାହାନ୍ତି ତେଣୁ ଏହି ବିଭାଗ ପାଇଁ ଖର୍ଚ୍ଚ କାଟ କରିବା ସହ ଧୀରେ ଧୀରେ ବନ୍ଦ କରିବାକୁ ବାଧ୍ୟ ହେବେ ।

