ବିଚଳିତ ବିଜେପି !

Share

ମୋ ରଙ୍ଗରେ ରଙ୍ଗେଇ ହେବା ପ୍ରଗତି ନୁହେଁ ଏକଥା କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଆହୁରି ମଧ୍ୟ କହିଲେ ରଙ୍ଗକୁ ନେଇ ବିଜେପି ରାଜନୀତି କରେ ନାହିଁ । ଏହା କେତେ ସତ କେତେ ମିଛ ତାହା ତ ଲୋକେ ଜାଣନ୍ତି । କିନ୍ତୁ ବିଜେପି ଓଡ଼ିଶାରେ ହଠାତ୍ କ୍ଷମତାକୁ ଆସିବା ନେଇ ଯେତିକି ଚର୍ଚ୍ଚା ହେଉଥିଲା । ତା’ଠାରୁ ଅଧିକ ଚର୍ଚ୍ଚା ଏବେ ସରକାର ଚଳାଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଚାଲିଲାଣି । ନମସ୍କାର ମୁଁ ସତ୍ୟବ୍ରତ ଆପଣ ମୋ ସହ ଦେଖୁଛନ୍ତି ତର୍ଜମାଧାନର ସହାୟକ ମୂଲ୍ୟ ବୃଦ୍ଧି ଠାରୁ ଆରମ୍ଭ କରି ଭତା ଟଙ୍କା ବୃଦ୍ଧି ଘଟଣା ଏବେ ବିଜେପିର ଅନେକ ଭିତିରି କଥାକୁ ପଦାରେ ପକାଉଥିବାବେଳେ ଲକ୍ଷ୍ମୀ ବସର ରଙ୍ଗ ବଦଳିବାକୁ ନେଇ ରାଜନୀତି ନୂଆ ମୋଡ ନେଲାଣି । ନିର୍ବାଚନୀ ଇସ୍ତାହାରରେ ବିଜେପି ଧାନର ସହାୟକ ମୂଲ୍ୟକୁ ୩୧୦୦ଟଙ୍କା କରିବାକୁ ଘୋଷଣା କରିଥିବାବେଳେ ହଠାତ କେନ୍ଦ୍ର ୧୧୭ଟଙ୍କା ବୃଦ୍ଧି କରିବା ଓଡ଼ିଶା ବିଜେପିକୁ ଅଡୁଆରେ ପକାଇଥିଲା । ତେଣୁ ପରବର୍ତୀ ସମୟରେ ଆଗାମୀ ଖରିଫରୁ ଚାଷୀଙ୍କୁ ୩୧୦୦ ଟଙ୍କା ଏମଏସ୍‌ପି ମିଳିବ ବୋଲି ଘୋଷଣା କରାଗଲା । ଧାନକୁ ନେଇ ଓଡ଼ିଶାର ବିଜେପି ସରକାର ଯେମିତି ଅକଳରେ ପଡ଼ି ଘୋଷଣା କରିବାକୁ ବାଧ୍ୟ ହେଲା ଠିକ୍ ସେହିପରି ଏବେ ଲକ୍ଷ୍ମୀ ବସ୍ ଯୋଜନାର ନାମକରଣ ଓ ରଙ୍ଗକୁ ନେଇ ବିଜେପି ଅଡୁଆରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଏଇ କିଛି ଦିନ ତଳେ ବିଭାଗୀୟ ମନ୍ତ୍ରୀ କହିଥିଲେ ଲକ୍ଷ୍ମୀ ବସ୍ ଯେଉଁ ଉଦ୍ଦେଶ୍ୟରେ କରାଯାଇଥିଲା ସେଥିରୁ ଦଳୀୟ ଗନ୍ଧ ବାହାରିବ ନାହିଁ । ଆହୁରି କହିଲେ ମୁଖ୍ୟମନ୍ତ୍ରୀ ବସ୍ ସେବା ଲୋଗୋ ହୋଇଗଲେ ସେଇଟା ସମସ୍ତଙ୍କର ଭଳିଆ ଲାଗିବ । ଯେହେତୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ବସ୍‌ଟା ବି ସମସ୍ତଙ୍କର ଲାଗିବ । କିନ୍ତୁ ଏବେ ଢ଼େଙ୍କାନାଳ ବସ୍‌ଷ୍ଟାଣ୍ଡରେ ଥିବା ୨୮ଟି ବସ୍‌ର ରଙ୍ଗ ଗେରୁଆ କରାଯାଇଥିବାବେଳେ ନୂଆ ଲୋଗୋ ବି ଲାଗିଛି । ଏଭଳି କରିବାକୁ କିଏ ନିର୍ଦ୍ଦେଶ ଦେଇଛି ସେ ବିଷୟରେ କାହାକୁ କିଛି ଜଣାନାହିଁ । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ମିଶନ ଶକ୍ତିର ମନ୍ତ୍ରୀ ଅଛି ତା ବୋଲି କ’ଣ ମୁଁ କହିବି ସମସ୍ତେ ଗେରୁଆ ଶାଢ଼ୀ ପିନ୍ଧ ବୋଲି । ଯଦି କେହି ଗେରୁଆ ପିନ୍ଧନ୍ତି ଭୁଲ୍ କରିବେ । କେହି ବିଜେପି ସରକାର ଆସିଲା ବୋଲି ଗେରୁଆ ପିନ୍ଧିବା ଉଚିତ୍ ନୁହେଁ । ତେଣୁ ଏହି ଦୁଇ ମନ୍ତ୍ରୀଙ୍କ ବୟାନରୁ ଏକଥା ସ୍ପଷ୍ଟ ହେଉଥିଲା ଯେ ରଙ୍ଗକୁ ନେଇ ବିଜେପି ରାଜନୀତି କରିବ ନାହିଁ । କିନ୍ତୁ ଏମାନଙ୍କ ବିବୃତିକୁ ସପ୍ତାହେ ନ ପୁରୁଣୁ ଢ଼େଙ୍କାନାଳରେ ମୋ ବସର ରଙ୍ଗ ବଦଳିବା ସମସ୍ତଙ୍କୁ ଚକିତ କରିଛି । ଚର୍ଚ୍ଚା ହେଉଛି ବିଜେପି ଭିତରେ କାହା ସହ କାହାର ତାଳମେଳ ନାହିଁ ନା ନୂଆ ନୂଆ କ୍ଷମତା ପାଇ ଓଡ଼ିଶା ବିଜେପି ବିଚଳିତ ହୋଇଯାଉଛି । ତେବେ ଆଗାମୀ ଦିନରେ ବିଜେପି ସରକାରରେ ଆଉ କ’ଣ ସବୁ ବଦଳିବାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା । କିନ୍ତୁ ବିଜେପି ସରକାର ଯୋଜନାରେ ହାତ ନ ମାରି କେବଳ ରଙ୍ଗ ଓ ନାଁ ବଦଳାଇଲେ ଆଗାମୀ ଦିନରେ ଏହାକୁ ନେଇ ବିଜେଡି ରାଜନୈତିକ ମୁଦ୍ଦା କରିବ ଓ ସେଥିରୁ ରାଜନୈତିକ ଫାଇଦା ନେବାରେ ମଧ୍ୟ ସଫଳ ହୋଇପାରେ ।