ଭାଙ୍ଗିବ ବିଜେଡି! ନବୀନଙ୍କ ନୀରବତା କାହିଁକି ?

Share

ଚାରିଆଡେ ଚର୍ଚ୍ଚା ଚାଲିଛି ବିଜେଡି ଭାଙ୍ଗିଯିବ ? ପ୍ରକୃତରେ ଏ ଚର୍ଚ୍ଚା ସାଧାରଣରେ ହେଉଛି ନା କିଛି ବିରୋଧୀ ଗୋଷ୍ଠୀ ଏ ଚର୍ଚ୍ଚା କରୁଛନ୍ତି । ଅନ୍ୟପଟେ ନିକଟରେ ସିଏମସି ଓ ବିଏମସିର ବିଭିନ୍ନ କମିଟି ପାଇଁ ନିର୍ବାଚନ ଚାଲିଥିବାବେଳେ ବିଜେଡିର ଦଳୀୟ ଅସନ୍ତୋଷ ପଦାକୁ ଆସିଥିଲା । ବିଶେଷ କରି ଭୁବନେଶ୍ୱର ମହାନଗର ନିଗମରେ ପରିମଳ ଷ୍ଟାଣ୍ଡି କମିଟି ପାଇଁ ବିଜେଡିର ଦୁଇଜଣ ପ୍ରାର୍ଥୀତ୍ୱ ହେବା ବିଜେଡି ଭାଙ୍ଗିଯିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ବିଜେଡିର ବିରଂଚି ନାରାୟଣ ମହାସୁପକାର ଓ ଭରତ କୁମାର ଲେଙ୍କା ଅଧ୍ୟକ୍ଷ ପଦ ପାଇଁ ମୁହାଁମୁହିଁ ହୋଇଥିଲେ । ରାଜଧାନୀର ଏ ଖବର ପୁରା ରାଜ୍ୟକୁ ବ୍ୟାପିଯାଇଛି । ସେପଟେ ବିରୋଧୀ ଏଭଳି ଏକ ସୁଯୋଗକୁ ହାତଛଡା ନ କରି ରାଜନୈତିକ ରଙ୍ଗ ମାରିଛି । କିନ୍ତୁ କ’ଣ ସତରେ ଏ ଚର୍ଚ୍ଚା ବିଜେଡିକୁ ବିପଦରେ ପକାଇବାକୁ ଯାଉଛି । ଏହାକୁ ନେଇ ଆଜିର ଏହି ତର୍ଜମା । ୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ନବୀନଙ୍କୁ ଏକ ନୂଆ ମୋଡ ଦେଇଛି । ନବୀନ ଆଉ କାହାକୁ ଭରଷା ନ କରି ନିଜେ ଦଳର ମଙ୍ଗକୁ ଜାବୁଡି ଧରିଛନ୍ତି । ବିରୋଧୀ ଦଳ ନେତା ନିଜେ ନବୀନ ହେବା ଓ ସରକାରଙ୍କୁ ଶାଣିତ ଆକ୍ରମଣ କରିବାକୁ ଅଭିଜ୍ଞ ଓ ଶାଣିତ ସ୍ୱର ଥିବା ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇ ନବୀନ ସ୍ପଷ୍ଟ କରିସାରିଛନ୍ତି ଯେ ଆଗାମୀ ଦିନରେ ବିଜେଡି ନବୀନଙ୍କ ନେତୃତ୍ୱରେ ବିଜେପି ସରକାର ବିରୁଦ୍ଧରେ ଲଢ଼େଇ କରିବ । କିନ୍ତୁ ଦଳର ଏଭଳି ପରାଜୟ ତଥା ବିପର୍ଯ୍ୟୟ ପାଇଁ ନବୀନ କାହିଁକି ସମୀକ୍ଷା କରୁନାହାନ୍ତି କି ଦଳୀୟ ସାଂଗଠନିକ ଦାୟିତ୍ୱ ପରିବର୍ତନ କରିବେ କି ଅପରିବର୍ତିତ କରିବେ ସେ ନେଇ କିଛି ସ୍ପଷ୍ଟତା ଦେଉନାହାନ୍ତି ତାହାକୁ ନେଇ ସମସ୍ତଙ୍କ ଭିତରେ ସଂଶୟ ସୃଷ୍ଟି ହେଉଛି । କିଛି ଲୋକ ନବୀନ ନୀରବତାକୁ ଅସହାୟତାର ରୂପ ଦେଉଛନ୍ତି । କିନ୍ତୁ ଏହା ସତ୍ୟ ଭଳି ଲାଗୁନାହିଁ । ଯଦି ନବୀନ ଅସହାୟ ମଣୁଥାନ୍ତେ ତେବେ କଦାପି ଅଚାନକ ତାଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍‌ଥିବା ପୁରା ରାଜ୍ୟବାସୀଙ୍କୁ ଜଣାଇନାଥାନ୍ତେ । ଏପରିକି ଏବେ ତାଙ୍କର ଉତରାଧିକାରୀ ଆବଶ୍ୟକତା ନ ଥିବା ବିରୋଧୀ ଦଳ ନେତା ହୋଇ ସ୍ପଷ୍ଟ କରିସାରିଛନ୍ତି । ଏସବୁ ଦିଗକୁ ଦେଖିଲେ ଲାଗୁଛି ନବୀନଙ୍କ ନୀରବତା ପଛରେ କିଛି ଗୁଢ଼ ରହସ୍ୟ ଅଛି । ହୁଏତଃ ନବୀନ ନିଜ ଦଳ ଭିତରେ ଥିବା ଅସନ୍ତୋଷକୁ ଆଉଟିକେ ନିରେଖି ଦେଖିବାକୁ ଚାହୁଁଛନ୍ତି । ଅସନ୍ତୋଷର ଗଭୀରତାକୁ ପରଖିବାକୁ ନବୀନ ନୀରବ ରହୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ନିର୍ବାଚନ ସମୟରେ ପାଣ୍ଡିଆନଙ୍କୁ ନେଇ ଯେଭିଳ ଏକ ଅଣ୍ଡରକରେଂଟ ବୋହୁଥିଲା ଆଉ ନୀରବ ହୋଇ ନବୀନ ତାକୁ ଦେଖୁ ଦେଖୁ ତାହା ଏକ ଝଡର ରୂପ ନେଇ ବିଜେଡିକୁ ଯେପିର ଛାରଖାର କରିଦେଲା ଠିକ୍ ସେହିପରି ପାଣ୍ଡିଆନଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ଓ ବିଷୋଦଗାରକୁ ଆହୁରି ନିରେଖି ଦେଖୁ ଦେଖୁ ହୁଏତ କ୍ଷମତାରେ ଥିବା ବିଜେପି ନିର୍ବାଚନ ପରି ବିଜେଡିର ଦଳୀୟ ସଂଗଠନକୁ ଭାଙ୍ଗି ଚୁରମାର କରିଦେଇପାରେ । କିନ୍ତୁ ଯେହେତୁ ନବୀନ କହିଛନ୍ତି ରାଜ୍ୟ ସରକାରରେ ଦୁଇ ତିନି ଜଣ ବିଧାୟକ ଅଧିକ ଅଛନ୍ତି, ଦିଲ୍ଳୀରେ ମଧ୍ୟ ସଂଖ୍ୟା କମ୍ ଅଛି, ତେଣୁ ସେମାନଙ୍କର ବହୁମତ ନାହିଁ । ତେଣୁ ଏକଜୁଟି ରହିବାକୁ ନିଜ ଦଳୀୟ କର୍ମୀଙ୍କୁ ପରିଶ୍ରମ କରିବାକୁ କହିଥିଲେ । ତେଣୁ ନବୀନଙ୍କ ଏହି ଉକ୍ତି ଦଳୀୟ କର୍ମୀଙ୍କୁ ଯେ କେବଳ ବଳ ଦେଉଛି ସଂଗଠିତ ହୋଇ ରହିବା ପାଇଁ ତା ନୁହେଁ ବିରୋଧୀଙ୍କ ଗୋଷ୍ଠୀ କନ୍ଦଳକୁ ସୁଯୋଗ ଦେଖି ଉପଯୋଗ କରିବେ ବୋଲି ଏକ ପ୍ରକାର ପ୍ରାକ ସୂଚନା ଦେଇଛନ୍ତି । ତେଣୁ ନବୀନଙ୍କ ନୀରବତା ଆଉ କାହାପାଇଁ ଝଡ ହେବ କି ନିଜ ପାଇଁ ଝଡ ହେବ ତାହା ଦେଖିବାକୁ ବାକି ରହିଲା ।