ପକ୍କାଘର ମିଶନ ଫେଲ୍‌

Share

ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଥିବାବେଳେ ୨୦୧୪ ମସିହା ଜୁନ୍‌ ୯ ତାରିଖରେ ଉଭୟ ଗୃହର ମିଳିତ ଅଧିବେଶନରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା । ଆଉ ଏହି ଘୋଷଣା ଏକ ମିଶନ ମୋଡରେ ଦେଶରେ ଆରମ୍ଭ ବି ହେଲ। କିନ୍ତୁ ସେହି ମିଶନ ଫେଲ୍‌ ହୋଇଗଲା ବୋଲି ଏବେ ପ୍ରତୀତ ହେଉଛି । ଘୋଷଣାଟି ଥିଲା ଦେଶ ଯେତେବେଳେ ୭୫ତମ ସ୍ୱାଧୀନତା ଦିବସ ପାଳୁଥିବ ସେତେବେଳକୁ ଦେଶର ପ୍ରତ୍ୟେକ କଚ୍ଚାଘର ପକ୍କାଘରରେ ପରିଣତ ହୋଇସାରିଥିବ। କେବଳ ଯେ ଦେଶର ପ୍ରତ୍ୟେକ ଗରିବ ପରିବାର ପାଖରେ ପକ୍କାଘର ଥିବ ତା ନୁହେଁ, ପକ୍କା ଘର ସହିତ ପାଇପ୍‌ ପାଣି ସଂଯୋଗ, ୨୪ଘଣ୍ଟା ବିଦ୍ୟୁତ ଯୋଗାଣ ସହ ପାଇଖାନା ବି ଥିବ।
ଆଉ ଦିନ କେଇଟା ପରେ ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳିବ। କିନ୍ତୁ ୨୦୧୪ ମସିହାରେ ଦେଶକୁ ଦେଖାଯାଇଥିବା ସ୍ୱପ୍ନ, ଗ୍ରାମୀଣ କ୍ଷେତ୍ର ପାଇଁ ସ୍ୱପ୍ନରେ ରହିଗଲା। ଏହି ଘର ମିଶନ କିଛିଟା ସଫଳତା ପାଇଥିଲେ ବି ତାହା ଘୋଷଣାର ୭୫%କୁ ଛୁଇଁପାରିଲାନାହିଁ ।
କିଛି ଲୋକଙ୍କୁ ଘର ମିଳିଛି ସତ କିନ୍ତୁ ସେ ଘରର ଆୟୁଷ କେତେ ଏ କଥା କେହି କହିପାରିବେ ନାହିଁ। ଆଉ ସେହି ଘରକୁ ପାଇପ ପାଣି ସଂଯୋଗ ଓ ୨୪ଘଣ୍ଟିଆ ବିଦ୍ୟୁତ୍‌ ସଂଯୋଗ କଥା ଆଲୋଚନା ନ କରିବା ଭଲ।
ଭାରତରେ ଗରିବଙ୍କ ସଂଖ୍ୟା ଢେର ଅଧିକ। ତେଣୁ ତାଙ୍କ ପାଇଁ ଯୋଜନା ପରେ ଯୋଜନା ହୁଏ। ଆଉ ଏହି ଯୋଜନା ଫେଲ୍‌ ହେବା ପଛରେ ଅନେକ କାରଣ ରହିଛି। ଆଜି ଘର ମିଶନ ଫେଲ୍‌ ହେବା ପଛର କାରଣ ଖୋଜିବାକୁ ଚେଷ୍ଟା କରିବା ଓ ତାହାର ସମାଧାନକୁ ନେଇ କିପରି କାର୍ଯ୍ୟ କରାଯିବା ଉଚିତ୍‌ ସେ ପାଇଁ ପ୍ରକୃଷ୍ଟ କ୍ଷେତ୍ର ପ୍ରସ୍ତୁତ କରିବା ପ୍ରତ୍ୟେକ ସଚେତନ ନାଗରିକଙ୍କର କର୍ତ୍ତବ୍ୟ ହେବା ଉଚିତ୍‌।
ପ୍ରଥମେ ଦେଶର ବିଭିନ୍ନ ଗୃହ ନିର୍ମାଣ ଯୋଜନାକୁ ଅବଲୋକନ କରିବା । ଏହି ଘର ଯୋଜନା ସ୍ୱାଧୀନତା ପରଠାରୁ ସରକାରଙ୍କର ପ୍ରମୁଖ ଯୋଜନା ଭାବେ କାର୍ଯ୍ୟ କରିଆସୁଛି । କାରଣ ବାସଗୃହ ଜଣେ ବ୍ୟକ୍ତିର ମୌଳିକ ଆବାଶ୍ୟକତା। ତେଣୁ ଦେଶର ନାଗରିକ ଯଦି ମୌଳିକ ଆବଶ୍ୟକତା ପୂରଣ କରିବାରେ ଅକ୍ଷମ ହେବ ତେବେ ଦେଶ ବିକଶିତ ହୋଇପାରିବ ନାହିଁ। ତେଣୁ ଯଦି ନାଗରିକ ନିଜ ମୌଳିକ ଆବଶ୍ୟକତା ପୂରଣ କରିପାରୁନାହିଁ ତେଣୁ ସରକାର ଏହା କରିବାକୁ ବାଧ୍ୟ। ନଚେତ ବିଶ୍ୱରେ ଦେଶର ଚେହେରା ନିନ୍ଦିତ ହେବ। କିଛି ନ ହେଲେ ବି କାଗଜ କଲମରେ ଆମକୁ ଏ ସବୁ ସାରିବାକୁ ପଡ଼ିବ ବୋଲି କେହି କେହି ସମାଲୋଚନା କରି କହିଥାନ୍ତି।
ଗୃହ ଯୋଜନା ଦେଶରେ ବହୁ ପୁରୁଣା। ସ୍ୱାଧୀନତା ପରେ ୧୯୬୦ ମସିହା ପର୍ଯ୍ୟନ୍ତ ରେଫ୍ୟୁଜି ବା ଶରଣାର୍ଥୀମାନଙ୍କୁ ଉତ୍ତର ଭାରତରେ ସରକାର ଘର ଯୋଗାଇଦେଲେ । ପ୍ରାୟ ୫ଲକ୍ଷ ପରିବାରକୁ ସେତେବେଳେ ଘର ଯୋଗାଇଦିଆଯାଇଥିବା ତଥ୍ୟ କୁହେ। ସେପଟେ ୧୯୫୭ ମସିହା ବେଳକୁ କମ୍ୟୁନିଟି ଡେଭଲପ୍‌ମେଣ୍ଟ ମୁଭମେଣ୍ଟ ବା ସିଡିଏମ୍‌ ଅଧିନରେ ଏକ ଗ୍ରାମ୍ୟ ଗୃହ ଯୋଜନା(ଭିଏଚ୍‌ଏଫ୍‌) ଅଣାଯାଇଥିଲା । ଏହି ଯୋଜନାରେ ଗୃହ ନିର୍ମାଣ ପାଇଁ ୫ହଜାର ପର୍ଯ୍ୟନ୍ତ ଋଣ ଦିଆଯାଉଥିଲା ।
ଏହାପରେ ୧୯୭୪ରୁ ୧୦୭୯ ମଧ୍ୟରେ ପ୍ରାୟ ୬୭ହଜାର ଗୃହ ନିର୍ମାଣ କରାଯାଇପାରିଥିଲା। ଏହାରି ଭିତରେ ୧୯୭୪-୭୫ ଆର୍ଥିକ ବର୍ଷରେ ହାଉସ ସାଇଟ୍ସ-କମ୍‌- କନଷ୍ଟ୍ରକ୍ସନ ଆସିଷ୍ଟାନ୍ସ ସ୍କିମ୍‌ ନାମକ ଯୋଜନା ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।
୧୯୮୦ରେ ଏନଆରଇପି (ନ୍ୟାସନାଲ ରୁରାଲ ଏମ୍ପ୍ଲଏମେଣ୍ଟ ପ୍ରୋଗ୍ରାମ) ଓ ୧୯୮୩ରେ ଆରଏଲ୍‌ଇଜିପି( ରୁରାଲ ଲ୍ୟାଣ୍ଡଲେସ୍‌ ଏମ୍ପ୍ଲଏମେଣ୍ଟ ଗ୍ୟାରେଣ୍ଟ ପ୍ରୋଗ୍ରାମ) ଯୋଜନା ଜରିଆରେ ଗାଁରେ ରହୁଥିବା ଗରିବ ଲୋକଙ୍କୁ ଘର ଯୋଗାଇଦିଆଗଲା । ପରେ ଆରଏଲ୍‌ଇଜିପି ଯୋଜନା ଅଧିନରେ ୧୯୮୫ ମସିହା ଜୁନ୍‌ ମାସରେ ବହୁ ଜଣାଶୁଣା ଇନ୍ଦିରା ଆବାସ ଯୋଜନା ଆସିଲା । ଏହି ଯୋଜନା ପ୍ରଥମେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଗୋତି ଶ୍ରମିକମାନଙ୍କୁ ଘର ଯୋଗାଇଦେବାକୁ କାର୍ଯ୍ୟକାରୀ କରାଗଲା। ୧୯୮୯ରେ ଜବାହାର ରୋଜଗାର ଯୋଜନା ଆସିବା ପରେ ଏହି ଯୋଜନାର ୬ ପ୍ରତିଶତ ଅର୍ଥ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଗୋତି ଶ୍ରମିକ ମୁକ୍ତ ପରିବାରକୁ ଘର ଯୋଗାଇଦେବାକୁ ବ୍ୟବସ୍ଥା କରିଦିଆଗଲା। ଶେଷରେ ୧୯୯୩-୯୪ ମସିହା ବେଳକୁ ଜବାହାର ରୋଜଗାର ଯୋଜନାରେ ପ୍ରାୟ ୧୪% ଅର୍ଥ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବା ସହ ସମସ୍ତ ଗରିବ ଲୋକଙ୍କୁ ଘର ଯୋଗାଇଦିଆ ଚାଲିଲା । ଶେଷରେ ୧୯୯୬ ମସିହା ପରେ ଜବାହାର ଯୋଜନାରୁ ଇନ୍ଦିରା ଆବାସ କୁ ଅଲଗା କରାଯାଇ ଏକ ସ୍ୱତନ୍ତ୍ର ଯୋଜନା କରାଗଲା । ଏବଂ ସମସ୍ତ ବିପିଏଲ ପରିବାରକୁ ଘର ଯୋଗାଇଦିଆଗଲା । କିନ୍ତୁ ଏତେସବୁ ପରେ ଅନେକ ଲୋକଙ୍କ ଭାଗ୍ୟରେ ଅଗ୍ନିନିରୋଧୀ ଘରଟିଏ ଉପଲବ୍ଧ ହୋଇପାରିଲା ନାହିଁ। ତେଣୁ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ୨୦୨୨ ସୁଦ୍ଧା ସମସ୍ତ କଚ୍ଚାଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ୧ଏପ୍ରିଲ ୨୦୧୬ରୁ ଆଇଏଓ୍ଵାଇ ବା ଇନ୍ଦିରା ଆବସ ଯୋଜନାକୁ ପୁର୍ନଗଠନ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଦିଆଗଲା ।
ପ୍ରଥମ ୩ ବର୍ଷରେ ଗ୍ରାମାଞ୍ଚଳରେ ୧କୋଟି ଘର ନିର୍ମାଣ କରିବାକୁ ଧାର୍ଯ୍ୟ କରାଯାଇଥିଲା । ସେପଟେ ୨୦୧୧ ଜନଗଣନା ଅନୁସାରେ ସାରାଦେଶରେ ଥିବା ସମସ୍ତ ୪୦୪ଟି ଚିହ୍ନତ ସହ ଓ ୫୦୦ଟି କ୍ଲାସ-୧ ସହରରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଗଲା । ୨୦୧୫ରୁ ୨୦୧୭ରେ ୧୦୦ଟି ସହର, ୨୦୧୭ରୁ ୨୦୧୯ ମଧ୍ୟରେ ଆଉ ୨୦୦ ସହର ଓ ୨୦୧୯ରୁ ୨୦୨୨ ମଧ୍ୟରେ ବାକି ଆଉ ସମସ୍ତ ସହରରେ ଏହି ଯୋଜନାରେ ଗରିବ ଲୋକଙ୍କୁ ଘର ଯୋଗାଇଦିଆଗଲା।
ଏହି କେନ୍ଦ୍ରୀୟ ଯୋଜନା ବ୍ୟତୀତ ଦେଶରେ ଆହୁରି ଗୁଡ଼ିଏ ରାଜ୍ୟସ୍ତରୀୟ ଯୋଜନା ବି ରହିଛି । ସେସବୁ ଯୋଜନା ଜରିଆରେ ମଧ୍ୟ ଗରିବ ଲୋକଙ୍କୁ ଘର ଯୋଗାଇ ଦିଆଯାଉଛି । ଗୃହ ନିର୍ମାଣ ଯୋଜନାକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମେ ଆର୍ଥକ ଅନଗ୍ରସର, ଦ୍ୱିତୀୟରେ ଗ୍ରାମୀଣ ଗୃହ ଓ ତୃତୀୟରେ ସହରାଞ୍ଚଳ ଗୃହ। ଏହି ତିନୋଟି ସ୍ତରରେ ଆହୁରି ଅନେକ ଯୋଜନା କାର୍ଯ୍ୟ କରୁଛି । ଉଦାହରଣସ୍ୱରୂପ ଆମ ରାଜ୍ୟର ବିଜୁ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନ, ଖଣି ଅଞ୍ଚଳ ପକ୍କା ଘର ଯୋଜନା ଆଦି।
୨୦୨୨ ସରିଛି। ଦିନ କେଇଟା ପରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯିବ। ଆଉ ସେପଟେ ଓଡ଼ିଶାର ଶାସକ ଦଳର ନେତାମାନେ ଆଓ୍ଵାସ ପ୍ଲସ େଓ୍ଵବ୍‌ସାଇଟ ଖୋଲିବାକୁ ଦାବି କରୁଛନ୍ତି। ଅର୍ଥାତ ଓଡ଼ିଶାରେ ଆହୁରି ଅନେକ ପରିବାର ସରକାରୀ ଯୋଜନାରେ ଘରଟିଏ ପାଇବାରୁ ବଞ୍ଚତ ହୋଇଛନ୍ତି। ରାଜ୍ୟର ଏ ଦାବି ସ୍ପଷ୍ଟ କରୁଛି ଯେ, ହାଉସିଂ ଫର୍‌ ଅଲ୍‌(ଏଚ୍‌ଏଫ୍‌ଏ) ମିଶନ୍‌ ସଫଳ ହୋଇପାରିଲା ନାହିଁ। ଅର୍ଥାତ ମିଶନ ଫେଲ୍‌ । କିନ୍ତୁ ଯେତିକି ବି ଗୃହ ନିର୍ମାଣ ହୋଇଛି ବୋଲି ସରକାର ତଥ୍ୟ ରଖୁଛନ୍ତି ତାହାର ସତ୍ୟତାକୁ ବିଶ୍ଲେଷଣ କଲେ ଆଉ ଏକ ଦୋଦୁଲ୍ୟମାନ ଚିତ୍ର ସାମ୍ନାକୁ ଆସୁଛି । ଏଇ ଯେମିତି ଆବାସ ଯୋଜନାରେ ଘର ପାଇଁ ପିସି କାରବାର ଦୈନିକ ଖବର କାଗଜର ପୃଷ୍ଠା ମଣ୍ଡନ କରିଆସୁଛି। ଯଦି ଘର ପାଇଁ ପିସି କାରବାର ହେଉଛି ତାହେଲେ ସେ ଘରର ମାନ କ’ଣ ହେଉଥିବା ତାହା ଅନୁମାନଯୋଗ୍ୟ। ସେ ଘର ସବୁ କେତେଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ଓ ବ୍ୟବହାର ଯୋଗ୍ୟ ହେବ ତାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। କାରଣ ୨୦୦୦ ମସିହାରେ ଇନ୍ଦିରା ଆବାସ ଯୋଜନାରେ ଲୋକେ କାଗଜ ପତ୍ରରେ ପାଇଥିବା ଘରର ଅସ୍ତିତ୍ୱ ନ ଥିବାରୁ ସେହି ହିତାଧିକାରୀମାନଙ୍‌ୁ ପୁଣିଥରେ ଘର ଯୋଗାଇଦିଆଯାଇଥିବାର ଅନେକ ନଜିର ରହିଛି। ଏହାବାଦ୍‌ ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ଯେଭଳି ଭାବେ ସାରା ରାଜ୍ୟରେ ତରବରିଆ ଭାବେ ୟା ତା ଫଟୋ ଲଗାଇ ଗୃହ ନିର୍ମାଣ ଶେଷ ହୋଇଯାଇଛି ବୋଲି ରିପୋର୍ଟ କେନ୍ଦ୍ରକୁ ଦେଇଦିଆଗଲା । ସେହି ହିତାଧିକାରୀମାନେ କେବେ ଘର ସାରିବେ ଓ ସେ ଟଙ୍କା ନେବେ ତାହା ବି ପ୍ରଶ୍ନବାଚୀ । କାରଣ ସେଗୁଡ଼ିକ ମଧ୍ୟରୁ ଅନେକ ଅଯୋଗ୍ୟ ହିତାଧିକାରୀ ହୋଇଥିବାରୁ ବିଭିନ୍ନ ଅଭିଯୋଗ ପାଇବା ପରେ ସେଗୁଡ଼ିକୁ ଅଟକାଯାଇଥିଲା। ଆଉ ଏଭଳି ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ରାଜ୍ୟରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ହୋଇରହିଗଲେ । ଏହା ସହିତ ଏସ୍‌ଇସିସି-୨୦୧୧ରେ ନାଁ ନଥିବା ଅନେକ ପରିବାର ମଧ୍ୟ ଘରଟିଏ ପାଇପାରିନାହାନ୍ତି । ସେପଟେ ରାଜ୍ୟ ସରକାରଙ୍କ ଯୋଜନା ସେମାନଙ୍କୁ ଘର ଯୋଗାଇବାରେ ସକ୍ଷମ ହେବ ନାହିଁ ବୋଲି ଭାବି ରାଜ୍ୟ ସରକାର ଓଡ଼ିଶା ପାଇଁ ଆବାସ ପ୍ଲସ େଓ୍ଵବ୍‌ ସାଇଟ୍‌ ଖୋଲିବାକୁ ଦାବି କରୁଛନ୍ତି। ଏହାସହ ଏହି ଯୋଜନାର ସବୁଠୁ ବଡ଼ ବିଡ଼ମ୍ବନା ହେଉଛି ନିର୍ମିତ ପକ୍କା ଘରକୁ ପାଇପ ପାଣି ଯୋଗାଣ ଓ ୨୪ ଘଣ୍ଟିଆ ବିଦ୍ୟୁତ ସେବା । ଏହି ଦୁଇଟି କଥାକୁ ଯଦି ସମ୍ମିଳିତ କରିବା ତେବେ ଦେଶରେ ଆବାସ ଯୋଜନା ବିଶେଷ କରି ଓଡ଼ିଶାରେ ଏହାର ସଫଳତା ପାସ୍‌ ମାର୍କ ବା ୩୦% ଡେଇଁପାରିବ ନାହିଁ ।