ଖସିଗଲା ପାଦ ତଳକୁ ତଳକୁ। ବର୍ତ୍ତମାନ ଦେଶରେ ଯେଭଳି ରୂପେ ବେକାରୀ ଓ ଦରଦାମ୍ ବୃଦ୍ଧି ହେଉଛି ତାହା ଯେ, ଆଉ ନିୟନ୍ତ୍ରଣ ହୋଇପାରିବ ନାହିଁ ତାହା ଏକ ପ୍ରକାର ସ୍ପଷ୍ଟ। ଏ ସମସ୍ୟାର ସମାଧନ ଆଦୌ ସହଜ ନୁହେଁ କି ସ୍ୱଳ୍ପ ସମୟ ମଧ୍ୟରେ ଏହାକୁ କିଛିଟା ନିୟନ୍ତ୍ରଣ କରିବାର କ୍ଷମତା ବି ଆଉ କାହା ପାଖରେ ନାହିଁ । ଏଭଳି ଏକ ସୁଯୋଗର ଫାଇଦା ନେଇ ଜାତୀୟ କଂଗ୍ରେସ ପାର୍ଟି ନିଜ ଦଳର ମୁଖିଆକୁ ସୁରକ୍ଷା ଦେବା ପାଇଁ ବେକାରୀ ସମସ୍ୟା ଓ ଦରଦାମ୍ ବୃଦ୍ଧିକୁ ଏକ ଅସ୍ତ୍ର କରିଛି ବୋଲି କ୍ଷମତାରେ ଥିବା ଦଳର ନେତାମାନେ କହୁଛନ୍ତି। ନ୍ୟାସନାଲ ହେରାଲ୍ଡ ମାମଲା କଂଗ୍ରେସ ମୁଖିଆଙ୍କୁ ଏତେ ସହଜରେ ମୁକ୍ତି ଦେବ ନାହିଁ । ତେଣୁ ଲୋକଙ୍କ ନଜର ହଟାଇବା ସହ ସରକାରଙ୍କୁ ବ୍ୟସ୍ତ ବିବ୍ରତ କରି ଯେଣତେଣ ଏ ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା ଚାଲିଛି। ଏମିତିରେ କଂଗ୍ରେସ ପାଖରେ ଯାହା ବି ଜନବଳ ଅଛି ସେତିକିରେ ଏ ଦରବୃଦ୍ଧିକୁ ନେଇ ଚାଲିଥିବା ଆନ୍ଦୋଳନ ଯେ ଶ୍ରମିକ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଲୋକଙ୍କୁ କିଛି ଆଶ୍ୱସ୍ଥି ଦେବ ତାହା ଆଶା କରିବା ବୃଥା । ଏହା କେବଳ ସ୍ୱାର୍ଥ ସମ୍ବଳିତ ବୋଲି ଚର୍ଚ୍ଚା ହେଉଛି । ଆନ୍ଦୋଳନକୁ ଦମନ କରିବା ତଥା ଦୈନିକ ପ୍ରଗତିରେ ଯେପରି ବାଧା ସୃଷ୍ଟି ନ ହେବ ତାହାକୁ ସୁନିଶ୍ଚିତ କରିବା ଦାୟିତ୍ୱ ସରକାରଙ୍କର ଓ ସ୍ଥିର କ୍ଷମତା ଥିବା ହେତୁ ସେ ମଧ୍ୟ କ୍ଷମତାର ପ୍ରୟୋଗ କରି ଏହାର ଉପାୟ ବାହାର କରିନେବେ।
କିନ୍ତୁ ଗ୍ରାମ୍ୟ ବହୁଳ ଦେଶ ଭାରତରେ ଗାଁରେ ରହୁଥିବା ଗରିବଟି ଉପରେ ଏ ଦରଦାମ ବୃଦ୍ଧି, ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିଛି । ତେଣୁ ସେହି ଗାଁର ଗରିବ ଲୋକଟିର ମୁଣ୍ଡରେ ପଡ଼ିଥିବା ଏହି ବୋଝର ଓଜନ କିପରି ହାଲୁକା ହୋଇପାରିବ ତାକୁ ନେଇ ରାଜଧାନୀର ଏକ ଚା’ ଖଟିରେ ଆଲୋଚନା ଚାଲିଥିଲା । ଯାହା ଆପଣ ଶୁଣିଲେ କେବଳ ସମସ୍ୟାକୁ ନେଇ ନୁହେଁ ସମାଧାନକୁ ନେଇ ଚର୍ଚ୍ଚା ହେବାର ଅଧିକ ଆବଶ୍ୟକ ଅଛି ବୋଲି କହିବେ।
ଚା’ ଖଟିରେ ଆଲୋଚନା କରୁଥିବା ବାବୁ ଜଣଙ୍କ ବୟସର ଅପରାହ୍ନରେ ପହଞ୍ଚସାରିଛନ୍ତି । ତାଙ୍କ ସହିତ ଆଲୋଚନାରେ ସମ୍ମିଳିତ ହୋଇଥିବା ଅନ୍ୟ ଦୁଇଜଣ ମଧ୍ୟ ସମ ବୟସ୍କର । ଆଉ ସମସ୍ତେ ଗାଁରୁ ଆସି ସଚିବାଳୟରେ ରାଜ୍ୟକୁ ସେବା ଦେବା ପରେ ଅବସରନେଇ ରାଜଧାନୀରେ କାଳାତିପାତ କରୁଛନ୍ତି । କିନ୍ତୁ ଆଜି ଜୀବନରେ ସବୁକିଛି ପାଇବି ସେମାନେ ସମାଜକୁ କିଛି ଦେଇପାରିନାହାନ୍ତି ବୋଲି ଅବଶୋଷ କରୁଥିବା ଲେଖକ ଶୁଣିବାକୁ ପାଇଲେ ।
ଆଲୋଚନାର ସାରାଂଶ ଥିଲା ଯେ, ଆମ ରାଜ୍ୟର ପାରମ୍ପରିକ ଚଳଣି ହିଁ ଏଭଳି ଦରବୃଦ୍ଧିକୁ ଦମନ କରିବାରେ ବେଶ୍ ସହାୟକ ହୋଇଥାନ୍ତା। କିନ୍ତୁ ପାଶ୍ଚାତ୍ୟ ଚଳଣି ଢାଞ୍ଚା ଯୋଗୁଁ ଗାଁର ଲୋକମାନେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଆଉ ଏସବୁ ଏ ମୋବାଇଲ ଓ ଟିଭି ଯୋଗୁଁ ହେଉଥିବା ତାଙ୍କ ଆଲୋଚନାରେ ବେଶ୍ ସ୍ପଷ୍ଟ ଜଣାପଡୁଥିଲା। ଗାଁର ଲୋକମାନେ ସାଧାରଣତଃ ଚାଷ ଉପରେ ନିର୍ଭରଶୀଳ। ଆଉ ତା’ ସହ ଲୋକଙ୍କର ନିଜର କୌଳିକ ବୃତ୍ତି ଥିଲା । ଆଉ ସେ କୌଳିକ ବୃତ୍ତି ପାଇଁ ପରସ୍ପର ପରସ୍ପର ଉପରେ ନିର୍ଭରଶୀଳ ଥିଲେ । ଫଳରେ ଏକ ଇକୋସିଷ୍ଟମ ଗାଁରେ ରହୁଥିଲା। ଯଦିଓ ମହାଜନ ଓ ଗରିବ ମଧ୍ୟରେ ଏକ ଚଳଣିଗତ ବିରାଟ ତାରତମ୍ୟ ଥିଲା। କିନ୍ତୁ ଆଧୁନିକତା ଆଳରେ ବୃତ୍ତି ବିଲୁପ୍ତ ହେବା ସହ ସେସବୁ ଆଧୁନିକୀକରଣ ହୋଇ କର୍ପୋରେଟ ଢ଼ାଞ୍ଚା ଆଡ଼କୁ ମୁହାଁଇବାକୁ ଲାଗିଲା । ଫଳରେ ସବୁ ପ୍ରକି୍ରୟା ଏମିତି ବିକୃତ ହୋଇଗଲା ଯେ, ଆଜି ଗାଁରେ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟ, ଜୀବିକାଅର୍ଜନ ଉପାୟ, ସବୁ କିଛି ପାଇଁ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ୁଛି । ଆଉ ଏ ମୋବାଇଲ, ଟିଭିର ବହୁଳ ବ୍ୟବହାରର ଫାଇଦା ନେଇ କର୍ପୋରେଟ ସଂସ୍ଥାର ବିଚକ୍ଷଣ ବ୍ୟକ୍ତିତ୍ୱ ମାନେ ଏମିତି କଥା ଶୁଣାଇଲେ ଓ ଦେଖାଇଲେ ଯେ, ସବୁ ପାରମ୍ପରିକ ଢାଞ୍ଚାକୁ ଭୁଲି ବାବୁ ସାହେବ ଢାଞ୍ଚାକୁ ଆପଣାଇ ଲୋକେ ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ଲାଗିଲେ । ଆଉ ଯେତେବେଳେ ବ୍ୟକ୍ତି ବା ଦେଶ ଅନ୍ୟ ଉପରେ ନିର୍ଭରଶୀଳ ହୋଇ ରହିବ ସେତେବେଳେ ଗୋଲାମୀ ହୋଇ ସର୍ବସ୍ୱ ହରାଇବାର ସମ୍ଭାବନା ଅଧିକ ନିଶ୍ଚିତ ରହିବ ।
ଉଦାହରଣସ୍ୱରୂପ, ଗାଁରେ ପ୍ରତ୍ୟେକ ଲୋକଙ୍କ ବାଡ଼ିରେ ଲୋକେ ବର୍ଷତମାମ କିଛି ନା କିଛି ପନିପରିବା ନିଜ ବାଡ଼ିରେ ଫଳାଉଥିଲେ । ଆଉ ସେ ସବୁ ଦୈନିକ ଖାଦ୍ୟରେ ଗ୍ରହଣ କରୁଥିଲେ । ଫଳରେ ଅର୍ଗାନିକ ଖାଦ୍ୟ ଶରୀରକୁ ଅଧିକ ଯାଉଥିଲା ଓ ଲୋକେ ସୁସ୍ଥ ରହୁଥିଲେ । ତେଣୁ ଅଧିକ ମେଡିକାଲ ଯିବାକୁ ପଡୁନଥିଲା କି ଆଜି ଭଳି ମଧୁମେହ, କେନସର ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁନଥିଲା । ତେଣୁ ଉଭୟ ପୋଷଣ ଓ ଖାଦ୍ୟ ପାଇଁ ଅର୍ଥବ୍ୟୟର ପରିମାଣ କମ୍ ରହୁଥିଲା । ଦିନକୁ ଦିନ ଲୋକସଂଖ୍ୟା ବଢ଼ୁଥିବା ହେତୁ ଖାଦ୍ୟର ଆବଶ୍ୟକତା ବଢ଼ିଲା କିନ୍ତୁ ସେପଟେ ଲୋକେ ବାଡ଼ିରେ ପନିପରିବା ଚାଷ ଛାଡ଼ିଦେବାରୁ ପରିବାଚାଷ ସମେତ ଅନ୍ୟଚାଷର ବ୍ୟବସାୟୀକରଣ ହେଲା । ଫଳରେ କମ୍ ସମୟରେ ଅଧିକ ଉତ୍ପାଦନ ପାଇଁ ବିଭିନ୍ନ ରସାୟନ ସାମଗ୍ରୀ ଓ କୌଶଳ ବ୍ୟବହାର ହେଲା । ଯାହା ରସାୟନ ଶିଳ୍ପକୁ ଲାଭାନ୍ଵିତ କରିବା ସହ ଲୋକଙ୍କୁ ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚାନ୍ତ କରାଇଲା । ଯାହା ଦୈନିକ ଆବଶ୍ୟକତା ଜିନିଷର ଦରବୃଦ୍ଧିର ଏକ କାରଣ ପାଲଟିଲା । ସେହିପରି ଶରୀର ସୁସ୍ଥ ପାଇଁ ଖାଇବା ତେଲର ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଇଥାଏ । କିନ୍ତୁ ଲୋକେ ଖାଇବା ତେଲ ପ୍ରସ୍ତୁତ କରିବା ଛାଡ଼ି ବିଭିନ୍ନ କମ୍ପାନୀ ମାନଙ୍କ ଦ୍ୱାରା କେମିକାଲଯୁକ୍ତ ତେଲ ଖାଇଲେ ଓ ଅଧିକ ଟଙ୍କା ବ୍ୟୟ କରିବା ସହ ଅଧିକ ରୋଗାଗ୍ରସ୍ତ ହେଲେ । ତାହା ମଧ୍ୟ ଦରବୃଦ୍ଧିର ଏକ କାରଣ ପାଲଟିଲା । ଏସବୁ ସରକାରଙ୍କର ବଡ଼ ବଡ଼ ଅଧିକାରୀ ଜାଣନ୍ତି । ତେଣୁ ପୁରୁଣା ପାରମ୍ପରିକ ଢାଞ୍ଚାକୁ ଫେରାଇ ଆଣି ଦରବୃଦ୍ଧି ନିୟନ୍ତ୍ରଣ ତଥା ଲୋକଙ୍କୁ ସୁସ୍ଥ ରଖିବା ପାଇଁ ସରକାର କୃଷି ବିଭାଗ, ହର୍ଟିକଲଚର ବିଭାଗ ଓ ପଞ୍ଚାୟତିରାଜ ବିଭାଗରେ ସମନ୍ଵୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଲେ । ଯେପରକି ‘ମୋ ବଗିଚା’ ଯୋଜନା। ଏହି ଯୋଜନରେ ଏସ୍ଏଚ୍ଜି ମହିଳାଙ୍କୁ ନିଜ ବାଡ଼ିରେ ସ୍ୱଳ୍ପ ଜାଗାରେ ଏକ ଉନ୍ନତ କୌଶଳରେ ବର୍ଷତମାମ ଏକ ଛୋଟ ପରିବାର ପାଇଁ ପନପରିବା, ଫଳ ଆଦି ପାଇପାରିବାର ବ୍ୟବସ୍ଥା କଲେ । କିନ୍ତୁ ଏହି ଯୋଜନାର ମହତ୍ୱ ୯୦ ପ୍ରତିଶତ ଲୋକ ବୁଝିପାରିଲେ ନାହିଁ । ରାଜକୋଷରୁ ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ସୁଫଳ ମିଳିଲା ନାହିଁ । ସେହିପରି ହର୍ଟିକଲଚର ବିଭାଗ ଓ ମୂଳ କୃଷି ବିଭାଗ ଜରିଆରେ ପ୍ରତିବର୍ଷ ଲୋକମାନଙ୍କୁ ମୁଗ, ବିରି, ସୋରିଷ ଆଦି ଅନେକ ଚାଷ କରିବାକୁ ପ୍ରୋତ୍ସାହିତ କରିବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ସରକାରୀ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ହେବାକୁ ନେଇ କଠୋର ବ୍ୟବସ୍ଥା ନଥିବାରୁ ତାହା ବି ଫେଲ ମାରିଲା । ଏହିପରି ଅନେକ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁନଥିବାରୁ ପାରମ୍ପରିକ ଚଳଣିକୁ ପୁନର୍ବାର ଫେରାଇ ଅଣାଯାଇପାରୁନାହିଁ । ଫଳରେ ଅନ୍ୟ ଉପରେ ନିର୍ଭରଶୀଳତା ବଢ଼ୁଛି ଯାହା ଦରବୃଦ୍ଧିର ଏକ ପ୍ରମୁଖ କାରଣ ପାଲଟୁଛି । ଏମିତ ିଆହୁରି ଅନେକ ପାରମ୍ପରିକ ଚଳଣି ପାଇଁ ସରକାର କରିଥିବା ଯୋଜନା କଥା ଆଲୋଚନାରେ ଥିଲା ।

