ଗ୍ରୀଷ୍ମର ଅସହ୍ୟ ତାତି ସାଙ୍ଗକୁ ରାଜନୀତିର ଗରମା ଗରମ ମାହୋଲ ଭିତରେ ବର୍ଷାଙ୍କୁ ନେଇ ବଡ଼ଚଣା ରାଜନୀତି ଉଭୟ ଭୋଟର ଓ ନେତାଙ୍କୁ ଗରମ ପାଣିରେ ଭିଜାଇଛି। ଦୀର୍ଘ ଦିନ ଧରି ଓଲିଉଡ ଜଗତରେ ଚର୍ଚ୍ଚାରେ ରହି ଆସୁଥିବା ଅନୁଭବ ବର୍ଷା ବିବାଦରେ ପୂର୍ଣ୍ଣଛେଦ ପଡ଼ିବା ପରେ ଏବେ ପୁଣି ଅଭିନେତ୍ରୀ ବର୍ଷା ବଡ଼ଚଣାରେ ଏକ ବିବାଦୀୟ ଚିତ୍ର ଭାବେ ଉଭା ହେଲେଣି । କିନ୍ତୁ ଅନୁଭବ ବର୍ଷା ବିବାଦ ଯେତେଦିନ ଧରି ଚାଲିଲା ସେଭଳି ବିବାଦ ବଡଚଣା ଦେଖାଯିବ ବୋଲି ଯେଉଁ ସମ୍ଭାବନା ଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି ।ଜନତା ଦଳ ସମୟରୁ ଆମର ପ୍ରସାଦ ଶତପଥୀ ବଡଚଣାକୁ ନିଜ ଗଡ କରି ରଖିଥିଲେ । କିନ୍ତୁ ୨୦୦୪ରେ କଂଗ୍ରେସର ଟାଣୁଆ ତଥା ଲୋକପ୍ରିୟ ନେତା ସୀତାକାନ୍ତ ମହାପାତ୍ର ବିଜେଡି ପ୍ରାର୍ଥୀ ଗୌତମ ରାୟଙ୍କୁ ପରାଜିତ କରି ଏହି ଗଡ ନିଜ କବଜାକୁ ନେଇଥିଲେ । କିନ୍ତୁ ୨୦୦୯ରୁ ଅମର ଶତପଥୀ ପୁନଶ୍ଚ ଏହାକୁ ବିଜେଡି ଗଡ କରି ରଖିଥିଲେ । ଗତ ନିର୍ବାଚନରେ ବିଜେଡି ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଅନ୍ୟପଟେ ବିଜେପି ୪୫ % ଭୋଟ ହାତେଇ ବିଜେପିକୁ ଚେକ୍ ଦେଇଛି । ତେଣୁ ବିଜେଡି ବଡ଼ଚଣା ସିଟ ପାଇଁ ଖୁବ୍ ଚିନ୍ତିତ ଥିଲା । ସେପଟେ କଂଗ୍ରେସ ନେତା ସିତକନ୍ତଙ୍କ ପୁଅ ରାଜ ନାରାୟଣ ମହାପାତ୍ର ଓ ଜନ୍ମେଜୟ ଲେଙ୍କା ବିଜେଡିରୁ ଆଶାୟୀ ଥିଲେ । ଏମାନଙ୍କ ବ୍ୟତୀତ ଜିଲ୍ଲା ପରିଷଦ ଗଣେଶ୍ୱର ବରାଳ ବି ବିଜେଡି ଟିକେଟ ପାଇଁ ଖୁବ୍ ଆଶାୟୀ ଥିଲେ । ଏମାନଙ୍କ ମଧ୍ୟରୁ କାହାକୁ ଟିକେଟ ଦେଇଥିଲେ ବିଜେଡି ନେତା ଅମର ଶତପଥୀ ଦଳକୁ ଅଡୁଆରେ ପକାଇଥାନ୍ତେ । ତେଣୁ ଏ କନ୍ଦଳ ମ୍ୟାନେଜ କରିବାକୁ ବିକଳ୍ପ ଖୋଜୁଥିଲା ବିଜେଡି। ବିଜେଡି ବର୍ଷଙ୍କୁ ପ୍ରାର୍ଥୀ କରିବା ପରେ ଅମର ଯେଉଁ ବିଦ୍ରୋହ କରିବାର ଆଶଂକା ଥିଲା ତାହାକୁ ପ୍ରଶମିତ କରିବା ପାଇଁ ବିଜେଡ଼ି ଉଭୟ ଜନ୍ମେଜୟ ଓ ରାଜ ନାରାୟଣଙ୍କ ସମେତ ଗଣେଶ୍ୱର ବରାଳଙ୍କୁ ନିଜ ଆୟତ କୁ ନେଇ ସାରିଛି । ଫଳରେ ଅମର ଯେଉଁ ଆଶାୟୀଙ୍କୁ ନେଇ ବିଦ୍ରୋହ କରିଥାନ୍ତେ ତାହା ଦମନ ହୋଇଯାଇଛି । ତେଣୁ ବର୍ତ୍ତମାନ ଅମର ଆଉ ଦଳ ଭିତରେ ବିଦ୍ରୋହ କରି ବିଜେଡି ଆଗରେ ତିଷ୍ଠି ପାରିବେ ନାହିଁ । ଫଳରେ ବର୍ଷା ଗେମ୍ ବିଜେଡ଼ିର ସଫଳ ପ୍ଲାନରେ ପରିଣତ ହୋଇଛି

