ବିଜେଡି ଛାଡିଥିବା ନେତାଙ୍କ ଭାଗ୍ୟ କ’ଣ ହେବ !

Share

ବିଜେଡି ଛାଡ଼ୁଥିବା ନେତାଙ୍କ ସ୍ଥିତି ବେହାଲ ହେବ ନା ସେମାନେ ବିଜେଡିର ସ୍ଥିତି ବେହାଲ କରିଦେବେ । ଏଇ ଯେମିତି ଭଦ୍ରକର ଭେଟେରାନ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ । ଅସିତ୍ ବିଜେଡିରୁ ଟିକେଟ୍ ପାଇବା ନେଇ ଖୁବ୍ ଆଶାବାଦୀ ଥିଲେ । କିନ୍ତୁ ଦଳରେ ଥାଇ ଦଳୀୟ ନିଷ୍ପତିକୁ ଚ୍ୟାଲେଞ୍ଜ କରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି । ସେ ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି କିନ୍ତୁ ଏବେ ସେ କରିବେ କ’ଣ ତାହାକୁ ନେଇ ସେ ନିଜେ ଓ ତାଙ୍କର ସମର୍ଥକ ଦ୍ୱନ୍ଦରେ ଥିବା ସ୍ପଷ୍ଟ ଜଣାପଡ଼ୁଛି । ଯଦି ଚଳିତ ନିର୍ବାଚନରେ ସେ ମଇଦାନରେ ନ ରହୁନ୍ତି ତେବେ ତାଙ୍କ ପଲିଟିକାଲ କ୍ୟାରିଅର ଶେଷ ହୋଇଯିବ ବୋଲି ଚର୍ଚ୍ଚା ହେଉଛି । ଯଦି ସେ ମଇଦାନରେ ରହିଲେ ତେବେ ଉଭୟ ବିଜେଡି କି ବିଜେପି କ୍ଷମତାକୁ ଆସିବା ନେଇ ଦୃଢ଼ୋକ୍ତି କରିପାରିବେ ନାହିଁ । ଯଦି ଅସିତ୍ କଂଗ୍ରେସରୁ ପ୍ରାର୍ଥୀ ହୋଇଯାଆନ୍ତି ତେବେ ସବୁ ଗଣିତ ଏପାଖ ସେପାଖ ହୋଇଯିବାର ସମ୍ଭାବନା ଦେଖାଯିବ । କାହିଁକି ନା ଏବେ ବି କୁଆଡେ ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କର ପକେଟ ଭୋଟ ୨୦ହଜାରରୁ ଅଧିକ ଥିବା କୁହାଯାଉଛି । ଗତ ନିର୍ବାଚନରେ କଂଗ୍ରେସର ଅତି ଖରାପ ସମୟରେ ୧୮ହଜାର ଭୋଟର ରହିଥିଲେ । ତେଣୁ ଏହି ୧୮ହଜାର ଭୋଟ ବରଂ ବଢ଼ିବ କିନ୍ତୁ କମିବ ନାହିଁ । ଅନ୍ୟପଟେ ଅସିତ୍‌ଙ୍କର ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତ ଓ ୱାର୍ଡରେ କିଛି ନିଜର ପକେଟ ଭୋଟ ଅଛି । ତାହା ପାଖାପାଖି ୫ହଜାର ହେବ ବୋଲି କୁହାଯାଉଛି । ଏ ଗଣିତ ଦେଖିଲେ ଲାଗୁଛି ଅସିତ୍ ଯଦି ମଇଦାନରେ ତାକତ ଲଗାଇ ଲଢ଼ିବେ ଉଭୟ ବାହୁବଳ ଓ ଅର୍ଥବଳ ତେବେ ତାହା ସମସ୍ତଙ୍କ ପାଇଁ ଅଡୁଆ ହୋଇପାରେ । ଅନ୍ୟପଟେ ଅସିତ୍‌ଙ୍କ ଅତି ଘନିଷ୍ଠ କୁହାଯାଉଥିବା ମ୍ୟୁନସିପାଲିଟି ଚେୟାରମ୍ୟାନ ଗୁଲମକୀ ହବିବ୍‌ଙ୍କ ସ୍ୱାମୀ ଜାହିଦ୍ ହବିବ୍ ବିଜେଡିରେ ଅଣଆନୁଷ୍ଠାନିକ ଭାବେ ମିଶିସାରିଛନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଯଦି ଏହି ମିଶ୍ରଣ ଆନୁଷ୍ଠାନିକ ହୋଇନପାରେ ତେବେ ଲଘୁ ସଂପ୍ରଦାୟର ଭୋଟ ଦୁଇ ତିନିଭାଗ ହେବାର ସମ୍ଭାବନା ରହିବ । ଯାହା ବିଜେଡି ପାଇଁ ଶୁଭଙ୍କର ନୁହଁ । ଏ ପ୍ରଶ୍ନ ଏଇଥିପାଇଁ ଜାହିଦ୍ ଓ ତାଙ୍କର ସମର୍ଥକ ବିଜେଡିରେ ମିଶିବାକୁ ଶଙ୍ଖ ଭବନ ଯାଇଥିଲେ । କିନ୍ତୁ ଆନୁଷ୍ଠାନିକ ଭାବେ ନ ମିଶି ଫେରିଆସିଲେ । ଏହା ପଛର କାରଣ ବିଜେଡି ପାଇଁ କାଳ ଓ ଅସିତ୍‌ଙ୍କ ପାଇଁ ବଳ ବୋଲି ଚର୍ଚ୍ଚା ହେଉଛି । ଯାହା ଚର୍ଚ୍ଚା ହୁଏ ଜାହିଦ୍‌ଙ୍କ ସଙ୍ଗଠନ ଓ ଚଉଦ ମହଲା ଜମାତ ସଂଗଠନ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଚଉଦ ମହଲା ଜମାତ ସଂଗଠନ ଏକ ବଡ ମୁସଲିମ୍ ଭୋଟ ବ୍ୟାଙ୍କ ହେବା ସହ ସେମାନେ ବିଜେଡିରେ ଅଛନ୍ତି । ଜାହିଦ୍ ମ୍ୟୁନିସିପାଲିଟି ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରିବାରେ ଅବହେଳା ଓ ଅନ୍ୟ ଧାର୍ମିକ କାର୍ଯ୍ୟକଳାପ ଯଥା ଜୁଲୁସ୍ ବାହାର କରିବା ତଥା ମଲ୍ଲିକ ମଇଦାନରେ ଏକାଠି ହେବା ଘଟଣାରେ ମତ ପାର୍ଥକ୍ୟ ଯୋଗୁଁ ସେମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି । ତେଣୁ ଚଉଦ ମହଲା ଜମାତର ବିନା ଅନୁମତିରେ କୁଆଡେ ଜାହିଦ୍‌ଙ୍କର ବିଜେଡିରେ ମିଶ୍ରଣ ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି । ଏହି ଗୋଟିଏ କାରଣ ପାଇଁ ଜାହିଦ୍‌ଙ୍କ ସଙ୍ଗଠନ ବିଜେଡିରେ ଆନୁଷ୍ଠାନିକ ଭାବେ ମିଶିପାରୁନାହାନ୍ତି । ଚଉଦ ମହଲା ଜମାତ୍ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ସମର୍ଥନ କରୁଥିଲେ ବି ଉଭୟ ଗୋଷ୍ଠୀର ବିବାଦ ସମାଧାନ ଅଦ୍ୟାବିଧି ହୋଇପାରିନାହିଁ । ତେଣୁ ବୁଲୁଙ୍କୁ ସମର୍ଥନ କରିଆସୁଥିବା ଜାହିଦ୍‌ଙ୍କ ସଙ୍ଗଠନ ଯେ ବିଜେଡି ପାଇଁ ପୂର୍ଣ୍ଣମାତ୍ରାରେ କାମ କରିବ ତାହା ଏବେ କହିହେବ ନାହିଁ । ଯଦି ଧୀରେ ଧୀରେ ଏହି ଉଭୟ ଗୋଷ୍ଠୀଙ୍କୁ ବିଜେଡି ମ୍ୟାନେଜ କରିବାରେ ସଫଳ ହୁଏ ତେବେ ବିଜେଡିର ବିଜୟ ସହଜ ହେବା ସହ ଅସିତ୍ ଦୁର୍ବଳ ହୋଇ ନିର୍ବାଚନରୁ ଓହରି ଯିବେ । କାହିଁକି ନା ଅସିତ୍ ପଟ୍ଟନାୟକଙ୍କ ପ୍ରେସ୍ ମିଟ୍ କରି କହିଛନ୍ତି ଯଦି ସେ ଲଢ଼ିବେ ଜିତିବା ପାଇଁ ଲଢ଼ିବେ କିନ୍ତୁ କାହାକୁ ହରାଇବା ପାଇଁ ଲଢ଼ିବେ ନାହିଁ । ତେଣୁ ଆଗାମୀ ଦିନରେ ଏହି ଦୁଇ ମୁସ୍‌ଲିମ୍ ସଙ୍ଗଠନର ନିଷ୍ପତି ଉପରେ ଭଦ୍ରକ ବିଧାନସଭା ଗଣିତ ନିର୍ଭର କରୁଛି । ଅନ୍ୟପଟେ ବିଜେପି ଏମାନଙ୍କ କଳିରୁ ଫାଇଦା ନେବା ସ୍ଥିତିରେ ନଥିବା ପରି ଅନୁଭବ ହେଉଛି । ଯେହେତୁ ବିଜେପି ଭଗତ୍ ସେନାର ମୁଖ୍ୟ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଦଳୀୟ ପ୍ରାର୍ଥୀ କରିଛି । ତେଣୁ ବିଜେପି କର୍ମୀ ଓ ଭଗତ ସେନାର କର୍ମୀଙ୍କ ମଧ୍ୟରେ ଏକପ୍ରକାର ଦ୍ୱନ୍ଦ ସୃ୍‌ଷ୍ଟି ହେଉଥିବା ଚର୍ଚ୍ଚା ହେଉଛି । ସୀତାଂଶୁ ପ୍ରଥମ କରି ନିର୍ବାଚନ ଲଢ଼ୁଥିବାରୁ ପୁରୁଣା ବିଜେପି କର୍ମୀ ସଂଗଠକଙ୍କୁ ଯେଭଳି ଆଦର କରି ଆଣିବା କଥା ତାହା କରିବାରେ ବିଫଳ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ପୂର୍ବଥର ବିଜେପି ଯେତିକି ଭୋଟ ପାଇଥିଲା ତାହା ପ୍ରଫୁଲ୍ଲ ଓ ଅସିତ୍ କଳିରେ ରଖିବା ଅସମ୍ଭବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଚଉଦ ମହଲା ଜମାତ ଓ ଅସିତ୍‌ଙ୍କ ଅତି ଘନିଷ୍ଠ ଜାହିଦ୍‌ଙ୍କ ସଂଗଠନ ଉପରେ ବିଜେଡି ଛାଡି ଥିବା ଅସିତ୍‌ଙ୍କ ଭାଗ୍ୟ ନିର୍ଭର କରୁଛି ବୋଲି ଚର୍ଚ୍ଚା ହେଉଛି । ଯଦି ଏଭଳି ଦ୍ୱନ୍ଦ ଲାଗି ରୁହେ ତେବେ ନିଶ୍ଚିତ ଏହି ଗୋଳିଆ ପାଣିରୁ ବିଜେଡି ଫାଇଦା ମାରିନେବ ।