ବିଜେଡିର ଶୋଚନୀୟ ପରାଜୟ ପରେ ମୋହନ ମାଝୀ ପ୍ରଥମ ଥର ପାଇଁ ବିଜେଡି ପ୍ରତି କଠୋର ହୋଇ କେନ୍ଦୁଝରରେ ଯେଉଁ ଭାଷଣ ଦେଲେ ତାହା ରାଜ୍ୟ ରାଜନୀତି ସରଗରମ କରିଛି । କେବଳ ଯେ ରାଜ୍ୟ ରାଜନୀତିକୁ ସରଗରମ କରିଛି ତା ନୁହେଁ ବରଂ ଉଭୟ ବିଜେଡି ଓ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କାଉଂଟର ଦେବାକୁ ଆଗକୁ ଆସିଛନ୍ତି ବିଜେଡି ନେତା ପ୍ରତାପ ଦେବ । ପ୍ରତାପ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧୀ ଢ଼ଙ୍ଗକୁ କାଉଂଟର କରି ତାଙ୍କର କଠୋର ଆଭିମୁଖ୍ୟକୁ ବିଜେଡି ପ୍ରତି ନରମ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଶାସନରେ ଥିବା ବେଳେ ଏହି ମୋହନ ମାଝୀଙ୍କୁ ହିଁ ବିଜେଡି ଖୁବ୍ ଡରୁଥିଲା । ଆଗକୁ ଯେମିତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେଡିକୁ ଟାର୍ଗେଟ କରିବା ପୂର୍ବରୁ ଦୁଇଥର ଚିନ୍ତା କରିବେ ସେ ନେଇ ପ୍ରତାପ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍ ଦେବାକୁ ଚେଷ୍ଟା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବ ସରକାର ସମୟରେ ଖଣି ଓ ମନ୍ତ୍ରୀ ପଦ ଯଚାଯିବା ଘଟଣାକୁ କାହିଁକି ମୋହନ ମାଝୀ ସେତେବେଳେ ପ୍ରେସରେ କହିନଥିଲେ ବୋଲି କହି ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ମୁହଁରେ ଲଗାମ ଲଗାଇବାକୁ ଚେଷ୍ଟା କରୁଛି ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ବି ଭାଷଣରେ ଯେ କେବଳ ବିଜେଡି ଚତ୍ପଟାଙ୍ଗ ତା ନୁହେଁ ବରଂ ବିଜେପିର କିଛି ଶିବିରରେ ତାଙ୍କ ଉକ୍ତିକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କହିଥିଲେ ପୂର୍ବ ବିଜେଡି ସରକାର କେବଳ ମୋହନ ମାଝୀଙ୍କୁ ଡରୁଥିଲେ । ଏହି ଉକ୍ତି ବିଜେପିର ଜୟନାରାୟଣ ମିଶ୍ରଙ୍କ ପରି ନେତାଙ୍କୁ ହଜମ ହେଉ ନଥାଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଗତ ସରକାରରେ ଶେଷ ଅଧିବେଶନ ଆଡକୁ ଶ୍ରଦ୍ଧା ପ୍ରତି ଏତେ ଶ୍ରଦ୍ଧା କ’ଣ ପାଇଁ ନାରାରେ ପୁରା ରାଜ୍ୟ ରାଜନୀତି ଦୋହଲି ଯାଇଥିଲା । ଆଉ ଏହାର ମୁଖ୍ୟ ସ୍ରଷ୍ଟା ଥିଲେ ଜୟନାରାୟଣ । ତେଣୁ ମୋଟାମୋଟି ମୋହନ ମାଝୀଙ୍କ ଭାଷଣରେ ଉଭୟ ବିଜେଡି ଓ ବିଜେପି ଘାଇଲା ହୋଇଥିବା କୁହାଯାଉଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଭାଷଣ ପରେ ବିଜେଡିରେ କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ବିଗତ ୧୦ବର୍ଷ ଭିତରେ ବିଜେଡି ସୁପ୍ରିମୋ ନିଜ ନେତାଙ୍କୁ ଧରି ସମୀକ୍ଷା କରିବାର ଦୃଶ୍ୟ ହୁଏତ କେବେ କେମିତି କେହି ଦେଖିଥିବେ । କିନ୍ତୁ ଏବେ ନିଜେ ନବୀନ ପଟ୍ଟନାୟକ ଯେଭଳି ଘନ ଘନ ଭେଟିବା କାର୍ଯ୍ୟକ୍ରମ କରୁଛନ୍ତି ତାହାକୁ ଦେଖିବା ପରେ ଏହା ବିଜେଡି ଦଳରେ ଏକ ବିରଳ ଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି । ମୋହନ ମାଝୀଙ୍କ କେନ୍ଦୁଝର ଭାଷଣ ପରେ ବିଜେଡି ପ୍ରତାପ ଦେବଙ୍କ ଦ୍ୱାରା କାଉଂଟର କିର ଚୁପ୍ ବସିନାହିଁ । ବରଂ କେନ୍ଦ୍ର ସରକାରଙ୍କୁ ଘେରିବାକୁ ନିଜେ ନବୀନ ରଣନୀତି ପ୍ରସ୍ତୁତ କରିଛନ୍ତି । ନବୀନ ଏଭଳି ତତ୍ପର ହେବା ଆଗରୁ ଦେଖାଯାଉନଥିଲା । ଲୋକସଭାରେ ବିଜେଡିର ପ୍ରତିନିଧିତ୍ୱ ନଥିଲେ ବି ରାଜ୍ୟସଭାରେ ନିଜର ଉପସ୍ଥିତିକୁ ଜାହିର କରିବାକୁ ଯୋଜନା କରିଛି ବିଜେଡି । ରାଜ୍ୟସଭାରେ ଓଡ଼ିଶାର ୧୦ ସିଟ୍ରୁ ବିଜେଡି ହାତରେ ୯ଟି ସିଟ୍ ରହିଛି । ତେଣୁ ରାଜ୍ୟସଭାରେ କେନ୍ଦ୍ରର ବିଜେପି ସରକାରଙ୍କୁ ଘେରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମସ୍ତ ୯ ଜଣ ଯାକ ସାଂସଦଙ୍କୁ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଏହି ବୈଠକରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜ୍ୟସଭାରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ନିଷ୍ପତି ହୋଇଛି । ବିଜେଡିର ଏଭଳି କଠୋର ଆଭିମୁଖ୍ୟ ତାହା ପୁଣି ନବୀନଙ୍କ ଅଧ୍ୟକ୍ଷତାରେ ଯାହା ବିଜେଡିରେ ବିରଳ ଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପି ଯାହାଦ୍ୱାରା ଅଡୁଆରେ ପଡ଼ିବାର ଆଶଙ୍କା ଦେଖେ ତାକୁ ସିବିଆଇ, ଇଡିର ଛାଟ ମାରିଥାଏ । ଏଭଳି ପରିସ୍ଥିତିରେ ଆଗକୁ ବିଜେଡି କିପରି ବିଜେପିକୁ ସାମ୍ନା କରୁଛି ତାହା ଦେଖିବାକୁ ବାକି ରହିଲା ।

