ନାଇଡୁଙ୍କ ପାଇଁ ବେ**ନ ହେବେ ମୋଦି !

Share

ବିଜେପି ସରକାରରେ ପ୍ରତାରିତ ହେବ ଓଡ଼ିଶା !କେନ୍ଦ୍ରର ଏନଡିଏ ତୃତୀୟ ଥର ସରକାର କରିଥିଲେ ବି ଦୁଇ ପ୍ରମୁଖ ସହଯୋଗୀ ଟିଡିପି ଓ ୟୁନାଇଟେଡ ଜେଡିୟୁର ଦାବିକୁ ନେଇ ଚିନ୍ତାରେ ନରେନ୍ଦ୍ର ମୋଦିଙ୍କ ସରକାର । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ମୋଦି ସରକାରଙ୍କୁ ପ୍ରଚୁର ଅର୍ଥ ଦାବି କରୁଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ ଅଧିକ ରାଜନୈତିକ ସମର୍ଥନ ମାଗି ମୋଦି ସରକାରକୁ ଚିନ୍ତାଗ୍ରସ୍ତ କରାଇଦେଲେଣି । ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜର ରାଜ୍ୟର ପୁଞ୍ଜୀପତିମାନଙ୍କ ସହିତ କେନ୍ଦ୍ର ସରକାରଙ୍କ ନିକଟରେ ଅନେକ ଦାବି ଉପସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଗୋଟିଏ ଲେଖାଏଁ ଲମ୍ବା ତାଲିକା ଧରାଇଦେଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଣ୍ଡରେ କରଜ ବୋଝ ଢ଼େର ଅଧିକ ରହିଛି । ଆଉ ସେହି କରଜ ବୋଝକୁ କମାଇବାକୁ ନାଇଡୁ ସରକାର କେନ୍ଦ୍ର ଉପରେ ଚାପ ପକାଇବେ । ମୋଦି ନିଜ ସରକାରକୁ ବଂଚାଇବା ପାଇଁ ନାଇଡୁଙ୍କ ପ୍ରତ୍ୟେକଟି ପ୍ରାୟତଃ ସହମତ ହେବା ପରି ଲାଗୁଛି । କାହିଁକି ନା ନାଇଡୁଙ୍କ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ମନ୍ତ୍ରୀ ତାଙ୍କୁ ଯେଭଳି ଭାବରେ ଆଲୋଚନା ପାଇଁ ସ୍ୱାଗତ କଲେ । ତାଙ୍କୁ ଯେଭଳି ଭାବରେ ପ୍ରତ୍ୟେକଟି ମନ୍ତ୍ରୀ ରେସପଣ୍ଡ କଲେ ଏହା ସ୍ପଷ୍ଟ କରୁଛି ସରକାର ବଂଚାଇବାକୁ ଆନ୍ଧ୍ରକୁ ଆର୍ଥିକ ସ୍ତରରେ ଅଧିକ ଫାଇଦା ଦେବ ତୃତୀୟ ପାଳିର ମୋଦି ସରକାର । ଯଦି ଏଭଳି ହୁଏ ତେବେ ନିଶ୍ଚିତ ଭାବରେ ଦେଶର ଅନ୍ୟ ରାଜ୍ୟଗୁଡିକ ବିଶେଷ କରି ବିଜେପି ଶାସିତ ରାଜ୍ୟଗୁଡିକୁ ଆର୍ଥିକ ଅନୁଦାନ କମ୍ ମିଳିବ । ଏଭଳି କିଛି ପୂର୍ବାନୁମାନ ହେବା ପରେ ଓଡ଼ିଶାର ସ୍ଥିତି କ’ଣ ହେବ ତାକୁ ନେଇ ଅନେକ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କଲେଣି । ଯେହେତୁ ଓଡ଼ିଶାରେ ବିଜେପିର ସ୍ଥିର ସରକାର ରହିବା ସହିତ ଲୋକସଭାରେ ବିରୋଧୀ ବିଜେଡିର କେହି ଜଣେ ବି ନେତା ନାହାନ୍ତି ତେଣୁ କେନ୍ଦ୍ର ବିଜେପି ଓଡ଼ିଶା ସରକାରଙ୍କୁ ଅର୍ଥ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ । ଯାହା ଦ୍ୱାରା ନୂଆ ସରକାରରେ ଓଡ଼ିଶାରେ ଯେଉଁ ବିକାଶ ଆଶା କରାଯାଇଥିଲା ତାହା ପୂର୍ଣ୍ଣ ହୋଇପାରିବ ନାହିଁ । ବିଶେଷ କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ପୋଲାଭରମ୍ ପ୍ରକଳ୍ପକୁ ଅଧିକ ପ୍ରାଥମିକତା ଦେଇଥିବା କାରଣରୁ ଓଡ଼ିଶା ଏଥିରେ ବଳି ପଡ଼ିବା ନିଶ୍ଚିତ । କେନ୍ଦ୍ରରେ ସରକାର ବଂଚାଇବାକୁ ପୋଲାଭରମ୍ ପ୍ରକଳ୍ପକୁ ନେଇ ଓଡ଼ିଶାର ସ୍ୱାର୍ଥକୁ ବିଜେପି ଯେ ନିଶ୍ଚିତ ବଳିଦେବ ଏଥିରେ ଦ୍ୱିମତ ନାହିଁ । ସେହିପରି ନାଇଡୁ ମାଓବାଦୀ ଦମନ ପାଇଁ ସ୍ୱତନ୍ତ୍ର ସହାୟତା ସହିତ ଏକ ଟ୍ରେନିଂ ସେଂଟର ମାଗିଥିବାରୁ ଓଡ଼ିଶାରେ ମାଓବାଦୀ ଦମନ ପାଇଁ ଯେତିକି ଅର୍ଥ ଓ ସହାୟତା ମିଳିବା କଥା ତାହା ନିଶ୍ଚିତ ପ୍ରଭାବିତ ହେବ । ସେହିପରି କେନ୍ଦ୍ରମନ୍ତ୍ରର ଶିବରାଜ ସିଂ ଚୌହାନଙ୍କୁ ଭେଟି କୃଷି ବିଭାଗର ବିଭିନ୍ନ ଯୋଜନାରେ କୃଷି ସହାୟତା ରାଶି ବୃଦ୍ଧି କରିବାକୁ ଦାବି କରିଥିବାରୁ ଓଡ଼ିଶା ଭଳି ବହୁମତରେ ଚାଲୁଥିବା ବିଜେପି ରାଜ୍ୟଗୁଡିକ ଯେ ପ୍ରଭାବିତ ନ ହେବ ତାହା କହିହେବ ନାହିଁ । ଏପରିକି ଆନ୍ଧ୍ରର କରଜ ବୋଝକୁ କମ୍ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବାରୁ ଆସନ୍ତା ବଜେଟରେ ଓଡ଼ିଶା ପାଇଁ ବିଶେଷ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ଯେ ହୋଇନପାରେ ତାହା ଏବେଠୁ ସ୍ପଷ୍ଟ ହେଲାଣି । ଅନ୍ୟପଟେ ଆନ୍ଧ୍ରମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି ଭଳି ଯଦିଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆର୍ଥିକ ଦାବି କରିନାହାନ୍ତି କିନ୍ତୁ ୨୦୨୫ ବିହାର ନିର୍ବାଚନ ପରେ ନାଇଡୁଙ୍କ ପରି ନିତୀଶ ଯେ କେନ୍ଦ୍ର ପାଖରେ ଦାବି ଉପସ୍ଥାପନ ନ କରିବେ ତାହା କହିହେବ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ଆନ୍ଧ୍ର ଓ ବିହାରର ପଡୋଶୀ ରାଜ୍ୟ ହିସାବରେ ଓଡ଼ିଶା ଆଗକୁ ପ୍ରତାରିତ ହେବ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଏଭଳି ରାଜନୈତିକ ପରିସ୍ଥିତିରେ ଓଡ଼ିଶା ବିଜେପି କିପରି ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି ତାହା ଦେଖିବାକୁ ବାକି ରହିଲା ।