ଆଦିବାସୀ ଶିକ୍ଷା ଓ ଯୋଜନା

Share

ଦେଶରେ ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା, ଦିଲ୍ଲୀ, ପୁଡୁଚେରୀକୁ ଛାଡ଼ିଦେଲେ ବାକି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରନ୍ତି। ସବୁଠାରୁ ଅଧିକ ଆଦିବାସୀ ପରିବାର ମଧ୍ୟପ୍ରଦେଶରେ ରୁହନ୍ତି। ଆଉ ଏହା ତଳକୁ ରହିଛି ଆମ ରାଜ୍ୟ ଓଡ଼ିଶା। ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ହେଉଛନ୍ତି ଆଦିବାସୀ। ସେପଟେ ଓଡ଼ିଶାରେ ମୋଟ ଲୋକସଂଖ୍ୟାର ଏକ-ଚତୁର୍ଥାଂଶ ହେଉଛନ୍ତି ଆଦିବାସୀ। ଏ ସଂଖ୍ୟା କିଛି କମ୍‌ ନୁହେଁ । ଅର୍ଥାତ ଓଡ଼ିଶାରେ ପ୍ରାୟ ୧କୋଟି ଲୋକ ଆଦିବାସୀ ସଂପ୍ରଦାୟର। ଏହି ୧କୋଟି ଲୋକ ମୋଟ ୬୨ଟି ପ୍ରକାର ଭିନ୍ନ ଭିନ୍ନ ସଂପ୍ରଦାୟରେ ବିଭକ୍ତ। ଅଲଗା ଅଲଗା ଆଦିବାସୀ ସଂପ୍ରଦାୟଙ୍କର ଚଳଣୀ ବି ଭିନ୍ନଭିନ୍ନ। ଏହି ବିବିଧତା ହିଁ ଏମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ।
ସେପଟେ ବର୍ତ୍ତମାନ ଦେଶର ରାଷ୍ଟ୍ରପତି ହୋଇଛନ୍ତି ଜଣେ ଆଦିବାସୀ ମହିଳା। ତେଣୁ ନିଶ୍ଚିତରୂପେ କେନ୍ଦ୍ରରେ ଥିବା ସରକାର ଆଦିବାସୀଙ୍କୁ ଅଧିକ ପ୍ରାଧାନ୍ୟ ଆଗାମୀ ଦିନରେ ଦେବେ। ଆଉ ଏ ପ୍ରାଧାନ୍ୟ ସ୍ୱାଧୀନତା ପରଠାରୁ ମଧ୍ୟ ଦିଆଯାଇଆସୁଛି। କିନ୍ତୁ ଆଦିବାସୀମାନେ ସ୍ୱାଧୀନତାର ୭୫ବର୍ଷ ପରେ ବି ସମାଜର ମୁଖ୍ୟସ୍ରୋତରେ ପୂର୍ଣ୍ଣରୂପେ ସାମିଲ ହୋଇପାରିଲେ ନାହିଁ। ଏହା ଏକ ବିଡ଼ମ୍ବନା। କିନ୍ତୁ ଏହାକୁ ଭାବି କିଛି ଲାଭ ନାହିଁ। ଓଡ଼ିଶାରେ ଏମାନଙ୍କ ସଂଖ୍ୟା ଢେର ଅଧିକ ହୋଇଥିବାରୁ ଏମାନଙ୍କର ପ୍ରଗତି ଓଡ଼ିଶାର ବିକାଶ ଚିତ୍ରର ଏକ ପ୍ରମୁଖ ମାନଦଣ୍ଡ ଅଟେ। ଆଉ କୌଣସି ବ୍ୟକ୍ତି ଓ ସମାଜର ବିକାଶ ସେଠାକାର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। କେବଳ ଉନ୍ନତ ଶିକ୍ଷା ହିଁ କୌଣସି ଏକ ଜାତିକୁ ଶ୍ରେଷ୍ଠତାର ମାନ୍ୟତା ପ୍ରଦାନ କରିବ।
ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ଯେତେ ଯୋଜନା କଲେ ବି ଯଦି ସେମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯାଇନପାରେ ତେବେ ସେ ସବୁ ଯୋଜନା ଏମିତି ବର୍ଷ ବର୍ଷ ଧରି କାର୍ଯକାରୀ କରାଗଲେ ବି ତାହା ଆଦିବାସୀଙ୍କୁ ମୁଖ୍ୟ ସ୍ରୋତକୁ ଆଣିପାରିବ ନାହିଁ । ଆଉ ଯୋଜନା ନାଁରେ ଦୁର୍ନୀତି ବର ଓହଳ ସଦୃଶ କାୟା ବିସ୍ତାର କରି କେବଳ ଦେଶକୁ ଦୁର୍ବଳ କରିଚାଲିବ।
ଓଡ଼ିଶାରେ ଆଦିବାସୀଙ୍କ ଶିକ୍ଷା ପାଇଁ ମାତ୍ର ଗୋଟିଏ ସଂସ୍ଥା ହିଁ ସାରା ବିଶ୍ୱରେ ବର୍ଷତମାମ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ। ସେ ଯେକୌଣସି ନେତା ହୁଅନ୍ତୁ ନା କାହିଁକି କୌଣସି ଆଦିବାସୀ ପିଲାକୁ ଶିକ୍ଷାରେ ସହାୟତା କରିବାକୁ ଚାହୁଁଥିଲେ ତାଙ୍କର ପ୍ରଥମ ଲକ୍ଷ୍ୟ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ କିଟ୍‌ ଓ କିସ୍‌ ସଂସ୍ଥା ହୋଇଥାଏ। କିନ୍ତୁ ତାଙ୍କ ବ୍ୟତୀତ ଆହୁରି ଶହ ଶହ ନେତା ଏ ରାଜ୍ୟରେ ଥିଲେ ବି ଆଦିବାସୀଙ୍କ ଶିକ୍ଷାକୁ ନେଇ ସେମାନେ ସେତେ ପ୍ରଭାବଶାଳୀ ହୋଇପାରିନାହାନ୍ତି। ଯାହା ଓଡ଼ିଶା ଭଳି ଏକ ଆଦିବାସୀ ରାଜ୍ୟ ପାଇଁ ଚିନ୍ତାର ବିଷୟ।
ଆଦିବାସୀଙ୍କ ଶିକ୍ଷା ରାହା ପାଉନଥିବାରୁ ଗତ ଆର୍ଥକ ବର୍ଷରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗ ବିଭାଗରେ ବିଭିନ୍ନ ଯୋଜନାରେ ଖର୍ଚ୍ଚ ୨୭୧୦କୋଟିରେ ପହଞ୍ଚଥିଲେ ବି ସେପଟେ ଆଦିବାସୀଙ୍କ ବିକାଶ ନାଁରେ ଛତିଶଗଡ଼, ଝାରଖଣ୍ଡ ଓ ବିହାର ଭଳି ଓଡ଼ିଶାରେ ‘ମାଓ ଜେଡଙ୍ଗ ଥଟ୍‌’ ସରକାରଙ୍କ ହାତରୁ କ୍ଷମତା ଟାଣିନେବାକୁ ସହସା ଉଦ୍ୟମରତ। ଯଦିଓ ସରକାର ସେମାନଙ୍କୁ ପ୍ରତିହତ କରିବାରେ ବେଶ୍‌ ସଫଳ ହୋଇଆସୁଛନ୍ତି। କିନ୍ତୁ ସେମାନଙ୍କୁ ଦମନ କରିବା ପାଇଁ ଯେତିକି ଧ୍ୟାନ ଦିଆଯାଉଛି ଯଦି ସରକାର ଏକ ସମାନ୍ତରାଳ ଭାବରେ ଆଦିବାସୀଙ୍କ ଶିକ୍ଷା ଓ ଆଦିବାସୀଙ୍କ ଯୋଜନାକୁ କାର୍ଯ୍ୟାନ୍ଵୟନ କରିବାରେ ଆହୁରି ଅଧିକ ଧ୍ୟାନ କେନ୍ଦ୍ରିତ କରନ୍ତେ ହୁଏତଃ ‘ମାଓ ଜେଡଙ୍ଗ ଥଟ୍‌’ରେ ସକ୍ରିୟ ଥିବା ଓଡ଼ିଶା ମାଓବାଦୀ ଆପେ ଆପେ ରାଜ୍ୟରୁ ଅପସରି ଯାଆନ୍ତେ।
ନବୀନ ସରକାର ମଧ୍ୟ ଆଦିବାସୀଙ୍କ ଶିକ୍ଷାର ଗୁରୁତ୍ୱ ବୁଝିଛନ୍ତି ତେଣୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଗୋଟେ ଆଦିବାସୀ ବହୁଳ ଅଞ୍ଚଳରୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଛନ୍ତି। ଆଉ ଯାହାର ପ୍ରତିଫଳନ ସ୍ୱରୂପ ଏବେ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଦେବା ପାଇଁ ଅନେକ ଉନ୍ନତ ଶିକ୍ଷାନୁଷ୍ଠାନ କେନ୍ଦ୍ର ଗଢ଼ିଉଠିଲାଣି। ଏହାସହ କର୍ମନିଯୁକ୍ତି ପାଇଁ ଅନେକ ବଡ଼ ବଡ ପ୍ରକଳ୍ପ ଆସନ୍ତା ଦିନରେ ରୂପ ନେବାକୁ ଯାଉଛି।
ଓଡ଼ିଶାର ମୟୂରଭଞ୍ଜ ସର୍ବାଧିକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାବେଳେ ଏହାତଳକୁ ରହିଛି ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ମାଲକାନାଗିରି, ସମ୍ବଲପୁର, ବରଗଡ଼, ରାୟଗଡା, ବାଲେଶ୍ୱର, ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳ ଓ ଝାରସୁଗୁଡ଼ା ଆଦି ଜିଲ୍ଲା। ସେପଟେ ରାଜ୍ୟରେ ଏସ୍‌ଟି ଲୋକସଂଖ୍ୟା ପ୍ରାୟ ୯୬ଲକ୍ଷରୁ ଅଧିକ ହେବ। ଏଡିବି(ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ)ର ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୧୫-୩୪ବର୍ଷର ଲୋକ ସଂଖ୍ୟା ୩୪ ପ୍ରତିଶତ ହେବ। ଅର୍ଥାତ ୯୬ଲକ୍ଷରୁ ୩୨ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଅଟନ୍ତି। ଏମାନଙ୍କର ଭବିଷ୍ୟତ ଓ ପରବର୍ତ୍ତୀ ସମୟରେ ଏମାନଙ୍କର ପିଲାଙ୍କର ଭବିଷ୍ୟତ ଶିକ୍ଷା ଉପରେ ଆଧାରିତ ରହିବ। ସେହିପରି ୨୦୧୧ ଜନଗଣନା ଅନୁଯାୟୀ ସେତେବେଳେ ୯୫ଲକ୍ଷ ଆଦିବାସୀ ଲୋକସଂଖା ମଧ୍ୟରୁ ୦-୬ବର୍ଷ ବୟସର ପିଲାଙ୍କ ସଂଖ୍ୟା ଥିଲା ୧୫%। ଅର୍ଥାତ ୧୪ଲକ୍ଷ ପିଲା । ଯଦି ଏହି ରିପୋର୍ଟକୁ ତୁଳନାତ୍ମକ ଭାବରେ ନେବା ତେବେ ବର୍ଷକୁ ୧୪ଲକ୍ଷ ପାଖାପାଖି ଆଦିବାସୀ ପିଲାଙ୍କୁ ଉନ୍ନତ ଶିକ୍ଷାର ଆବଶ୍ୟକତା ଅଛି । ରାଜ୍ୟସରକାରଙ୍କ ‘ଓସେପା’ର ରିପୋର୍ଟ ଅନୁଯାୟୀ ୧୭ ଆଦିବାସୀ ବହୁଳ ଜିଲ୍ଲା। ୧୪୮୫ ସ୍କୁଲରେ ଆଦିବାସୀ ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ଦିଆଯାଉଛି। କିନ୍ତୁ ନିକଟରେ ଜୁନ ଶେଷ ସପ୍ତାହରେ କଳାହାଣ୍ଡି ଧର୍ମଗଡର ବେହେରାଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଜଣେ ଦିବ୍ୟାଙ୍ଗ ଛାତ୍ର ଯେଭଳି ଭାବେ ପ୍ରଶାସନିକ ଅଧିକାରୀଙ୍କୁ ଅନ୍ଧ କହୁଥିବାର ଭିଡିଓ ଭାଇରାଲ ହେଲା ତାହା ସ୍ପଷ୍ଟ କରିଛି ସରକାରୀ ସ୍କୁଲରେ ଆଦିବାସୀଙ୍କ ଶିକ୍ଷା କିଭିଳ ସ୍ଥିତିରେ ରହିଛି ।
ସେପଟେ ଯଦି କିସ୍‌ ଅନୁଷ୍ଠାନର ୨୦୨୦-୨୧ ବାର୍ଷିକ ରିପୋର୍ଟକୁ ଦେଖିବା ତେବେ ଆଦିବାସୀଙ୍କୁ ଶିକ୍ଷିତ କରିବାରେ ଏକ ମାଇଲଷ୍ଟୋନ ଅତିକ୍ରମ କରିଛି। ଏକୁଟିଆ କିସ୍‌ ୬୦ ହଜାର ଆଦିବାସୀ ଛାତ୍ରଙ୍କୁ ଶିକ୍ଷାଦାନ କରି ଦେଶରେ ଏକ ରେକର୍ଡ ସ୍ଥାପନ କରିଛି। ଯେତେବେଳେ କି ୧୯୯୩ରେ ମାତ୍ର ୧୨୫ଜଣ ଆଦିବାସୀ ପିଲାଙ୍କୁ ନେଇ ଏହି ମିଶନ ଆରମ୍ଭ କରିଥିଲା କିସ୍‌। ଏବଂ ଆସନ୍ତା ୧୦ବର୍ଷ ମଧ୍ୟରେ ପାଖାପାଖି ୨୦ଲକ୍ଷ ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି। କିସ୍‌ ରାଜ୍ୟର ମୋଟ ଆଦିବାସୀ ପିଲାଙ୍କ ସଂଖ୍ୟାର ଏକ-ଦଶମାଂଶଙ୍କୁ ସଫଳରୂପେ ଉନ୍ନତ ଶିକ୍ଷା ଦେବାରେ ସଫଳ ହୋଇଥିବା ଜଣାଯାଉଛି। ଆଉ ଆଦିବାସୀଙ୍କ ସମ୍ପୂର୍ଣ୍ଣ ଉନ୍ନତି ପାଇଁ ଅନ୍ୟଛାତ୍ରଙ୍କୁ କିଟ୍‌ ଢାଞ୍ଚାରେ ଶିକ୍ଷା ମିଳିବାର ଆବଶ୍ୟକତା ରହିଛି । ଯାହା ଏକ ବହୁତ ବଡ ଲକ୍ଷ୍ୟ ।

ସେପଟେ ରାଜ୍ୟରେ ଆଦିବାସୀଙ୍କ ପାଇଁ ଯୋଜନା ମାଳମାଳ। ବିନା ଲୁଣ ତରକାରୀ ପରି ସମସ୍ତଙ୍କୁ ଶିକ୍ଷା ବିନା ଏହି ଯୋଜନା ଗୁଡ଼ିକ ଯେ ଅଲଣା ତାହା ଏକପ୍ରକାର ସ୍ପଷ୍ଟ । ଆଦିବାସୀ ଦିବସ ଅବସରରେ ଏହି ଆଦିବାସୀଙ୍କ ପାଇଁ ହୋଇଥିବା ଯୋଜନା ଉପରେ ଟିକେ ନଜର ପକାଇବାର ଆବଶ୍ୟକତା ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ମଧ୍ୟରୁ ପ୍ରି-ମାଟ୍ରିକ ସ୍କୋଲାର୍ସିପ ଏଣ୍ଡ ଷ୍ଟାଇପେଣ୍ଡ ଫର ଏସ୍‌ଟି ପାଇଁ ୪୫ହଜାର ଲକ୍ଷ ଟଙ୍କା, ଶିକ୍ଷା ସଂସ୍ଥା ଓ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ବାବଦରେ ୧୪,୬୪୨ଲକ୍ଷ ଟଙ୍କା, ଆଦିବାସୀ ମହିଳା ହଷ୍ଟେଲ ପାଇଁ ୧୨ହଜାର ଲକ୍ଷ ଟଙ୍କା, ଅନେ୍ଵଷା ପାଇଁ ୧୦ହଜାର ୩୯୬ଲକ୍ଷ, ପୋଷ୍ଟ ମାଟ୍ରିକ ସ୍କୋଲାରସିପ୍‌ ଏଣ୍ଡ ଷ୍ଟାଇପେଣ୍ଡ ଫର୍‌ ଏସ୍‌ଟି ପାଇଁ ୮ହଜାର ୩୭୭ ଲକ୍ଷ, ଓପେଲିପ୍‌ ପାଇଁ ୪ହଜାର ଲକ୍ଷ, ବିଭିନ୍ନ ମେଳା ଓ ପ୍ରଶିକ୍ଷଣ ବାବଦକୁ ୧ହଜାର ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ସେହିପରି ଆକାଂକ୍ଷା, ଆଶ୍ରମ ସ୍କୁଲ, ଓଏସ୍‌ସିଏସ୍‌ଟିଡିଏଫ୍‌ସିସି, ଆଦିବାସୀ କଳା ଓ ସଂସ୍କୃତିର ପ୍ରଚାର, ଆଇଇସି, ଓଟେଲପ୍‌ ପ୍ଲସ, ଟିପିସିସିଓଏଲ ଓ ଓଜିପି ଆଦି ଅନେକ ଯୋଜନା ଜରିଆରେ କେବଳ ଆଦିବାସୀମାନଙ୍କ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତେଣୁ ଏସବୁ ଯୋଜନାର ସଫଳତା ଆଦିବାସୀଙ୍କ ଉନ୍ନତ ଶିକ୍ଷା ବିନା ଅଧୁରା ଅଟେ ।