କୋରେଇରେ କାହିଁକି ହାରିଲେ ବବିଙ୍କ ମା’ । ଏ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଚର୍ଚ୍ଚା ହେବାରେ ଲାଗିଛି । ସମସ୍ତଙ୍କୁ ପ୍ରାୟତଃ ଜଣାଥିଲା ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ ହାରିବେ । ତେଣୁ ତାଙ୍କ ମାଙ୍କୁ କୋରେଇରୁ ପ୍ରାର୍ଥୀ କରାଯାଇଥିଲା । କିନ୍ତୁ ଏ ଗଣିତ ଯେ ଫେଲ ମାରିବ ଏ କଥା କେହି ବିଶ୍ୱାସ କରିନଥିଲେ । ହାରିବା ପଛରେ ଅନେକ କାରଣକୁ ନେଇ ଯେଉଁ ସବୁ ଚର୍ଚ୍ଚା ହେଉଛି ତାହାକୁ ନେଇ ଆଜିର ଏହି ତର୍ଜମା । ପ୍ରଥମ କଥା ହେଉଛି କୋରେଇ ବିଧାୟକ ଅଶୋକ ବଳ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ନୀ ଝିଲିକ୍ ଚଳିତ ନିର୍ବାଚନରେ କୋରେଇରୁ ପ୍ରାର୍ଥୀ ହେବାକୁ ଆଶାବାଦୀ ଥିଲେ । କିନ୍ତୁ ଦଳ ପରିବାରବାଦକୁ ପ୍ରଶ୍ରୟ ଦେଇ ବବିଙ୍କ ମା’ଙ୍କୁ ଟିକେଟ ଦେଲା । ତେଣୁ ବର୍ତମାନ ବିଧାୟକ ଅଶୋକ ବଳ ଏ ନେଇ ପ୍ରଥମରୁ ଅସନ୍ତୁଷ୍ଟ ଥିଲେ । କିନ୍ତୁ ପରବର୍ତୀ ସମୟରେ ସେ ସଂଧ୍ୟାରାଣୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ଦେଖାଯାଇଥିଲା । ଯଦିଓ ସେ ଦଳ ପାଇଁ କାମ କରିଛନ୍ତି କିନ୍ତୁ ସେ ଯେତିକି ନିଜ ପାଇଁ ପରିଶ୍ରମ କରିଥାନ୍ତେ ବୋଧ ହୁଏ ସେତିକି ସଂଧ୍ୟାରାଣୀଙ୍କ ପାଇଁ କରିନାହାନ୍ତି ବୋଲି କିଛି ଲୋକ ଚର୍ଚ୍ଚା କରୁଛନ୍ତି । ଆଉ କିଛି ଚର୍ଚ୍ଚା କରୁଛନ୍ତି ଯେ ଯେହେତୁ ୨୦୦୪ରୁ ୨୦୦୯ ଯାଏଁ ଏଠାରେ ଡାନି ଘଡେଇ ଓରଫ ପ୍ରୀତିରଞ୍ଜନ ଘଡେଇ ବିଧାୟକ ଥିଲେ ଓ ଚଳିତ ନିର୍ବାଚନରେ ସେ ତାଙ୍କ ପତ୍ନୀଙ୍କୁ ଏଠାରୁ ଲଢ଼ାଇବାକୁ ଚାହୁଁଥିଲେ ତେଣୁ ହୁଏତ ସେ ତାଙ୍କର ପ୍ରତିକୂଳ ପ୍ରଭାବ ଚଳିତ ନିର୍ବାଚନରେ ପକାଇଥାଇ ପାରନ୍ତି । କାହିଁକି ନା ଚର୍ଚ୍ଚା ହେଉଛି ପ୍ରଣବ କୁଆଡେ ସୁକିନ୍ଦାରେ କିଛି ମାତ୍ରାରେ ମୁଣ୍ଡ ଖେଳାଇଥିଲେ । ତେଣୁ ଡାନି କୋରେଇରେ କିଛି ଅଙ୍କ ବିଗାଡିଥାଇପାରନ୍ତି । ତେଣୁ ଘଡେଇ ଓ ଦାସ ପରିବାର ଭିତରେ ଲାଗିଥିବା ଶୀତଳ ଯୁଦ୍ଧ ପାଇଁ କୁଆଡେ ଉଭୟ ସୁକିନ୍ଦା ଓ କୋରେଇ ସିଟ୍ ବିଜେଡି ହାତରୁ ଖସିଛି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଦୀର୍ଘ ୨୦ ବର୍ଷ ଧରି ପ୍ରଣବଙ୍କ ପରିବାର କୋରେଇ ନିର୍ବାଚନମଣ୍ଡଳୀର ତୃଣମୂଳ ସ୍ତରରେ ନଥିଲେ । ଯଦିଓ ତାଙ୍କର ସମର୍ଥକମାନେ ଆଜି ବି ଆକ୍ଟିଭ ଥିଲେ କିନ୍ତୁ ସେହି ସମର୍ଥକ ମାନେ ଜୀ ଜାନ ଲଗାଇନାହାନ୍ତି ବୋଲି ଶୁଣିବାକୁ ମିଳୁଛି । କେବଳ ଉପରେ ଉପରେ ନିର୍ବାଚନ ପାଇ ଲାଗୁଥିଲେ । ଯେଉଁଥିପାଇଁ ଏଭଳି ବିପର୍ଯ୍ୟୟ ହେଲା ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ସମ୍ବଲପୁରରେ ବବି ଦାସ ପୁରା ଟାଇମ ଦେଉଥିବାବେଳେ ୨୫ତାରିଖ ପର୍ଯ୍ୟନ୍ତ ସେ କୋରେଇ ଭୋଟରଙ୍କ ସିଧାସଳଖ ଯୋଗାଯୋଗରେ ଆସିପାରିନଥିଲେ । ତେଣୁ ଏହି ଫ୍ୟାକ୍ଟର ବି ତାଙ୍କର ପରାଜୟର ପ୍ରମୁଖ କାରଣ ହୋଇଥାଇପାରେ । ଯେତେସବୁ ସମସ୍ୟା ଥିଲା ଯଦି ବବି ନିିଜେ ରହିଥାନ୍ତେ ହୁଏତ ତାହା ସେ ମ୍ୟାନେଜ କରିପାରିଥାନ୍ତେ । ସେପଟେ ପ୍ରଣବଙ୍କ ଦୁର୍ବଳ ସ୍ଥିତିରେ ଆକାଶ ଦାସ ନାୟକଙ୍କ ଗ୍ରହଣୀୟତା ବୃଦ୍ଧି ପାଇବା ବି ସଂଧ୍ୟାରାଣୀଙ୍କ ପରାଜୟର କାରଣ ବୋଲି ଚର୍ଚ୍ଚା ହେଉଛି । ୨୦୧୪ରୁ ୨୦୧୯ଯାଏ ଆକାଶ ଦାସ ନାୟକ କୋରେଇ ବିଧାୟକ ଥିଲେ । ଏବଂ ୨୦୧୯ ପରେ ସେ ମୋ କଲେଜ ଅଧ୍ୟକ୍ଷ ଥିଲେ । ଆଉ ସବୁଦିନ ସେ ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡି ହୋଇଥିଲେ । ଗତ ୫ ବର୍ଷରେ ଆକାଶ ଦାସ ନାୟକ ନିଜ ଦଳ ସମେତ ବିରୋଧୀ ଦଳର ସମର୍ଥକଙ୍କ ସହ ଯୋଡି ହୋଇଥିଲେ । ଯେହେତୁ ତାଙ୍କ ଟିକେଟ ୨୦୧୯ରେ କଟିଥିଲା । ତେଣୁ ସେ ୨୦୨୪ ନିର୍ବାଚନ ଲକ୍ଷ୍ୟରେ ଗ୍ରାଉଣ୍ଡ ସହ ଯୋଡିହୋଇଥିଲେ । ଯେତେବେଳେ ବିଜେଡି ତାଙ୍କୁ ଟିକେଟ ନ ଦେଲା ଓ ବିଜେପି ତାଙ୍କୁ ଟିକେଟ ଦେଲା ତେଣୁ ସାଙ୍ଗଠନିକ କାର୍ଯ୍ୟ ବିଜେଡି ସାଙ୍ଗଠନିକ ସଂପାଦକଙ୍କୁ ଚକ୍ମା ଦେବାରେ ସଫଳ ହେଲା ବୋଲି ଚର୍ଚ୍ଚା ହେଉଛି । ଏପରିକି କରୋନା ଭଳି ଦୁସ୍ଥ ସମୟରେ ସେ ଲୋକଙ୍କ ସହ ଯୋଡି ହୋଇଥିବାରୁ ତାକୁ ଲୋକେ ଏଥର ନିର୍ବାଚନରେ ଭୁଲିଲେ ନାହିଁ । ସେହିପରି ଆଉ ଏକ ଚର୍ଚ୍ଚା ହେଉଛି ପ୍ରଣବ ପାୱାର କରିଡରରେ ଥାଇ ଯାଜପୁର ସଦରରେ ଯେତିକି ଉନ୍ନତିକରଣ କରିଛନ୍ତି ସେପରି ଆଖିଦୃଶିଆ ଉନ୍ନତି ସେ ଯାଜପୁର ରୋଡ ଅଂଚଳରେ କରିନାହାନ୍ତି । ଆଉ ଏ ନେଇ ସାଧାରଣ ଲୋକଙ୍କ ଭିତରେ କୁଆଡେ ବିଜେଡି ପ୍ରତି ଏକ ଆକ୍ରୋଶ ଭିତରେ ଭିତରେ ଉଗ୍ର ରୂପ ନେଉଥିଲା । ତେଣୁ ଏସବୁ ଚର୍ଚ୍ଚାକୁ ଗୁରୁତର ସହ ନେଇ ଯଦି ପ୍ରଣବ ଆଗାମୀ ପଂଚାୟତ ନିର୍ବାଚନକୁ ଲକ୍ଷ୍ୟ କରି କାର୍ଯ୍ୟ କରନ୍ତି ତେବେ ହୁଏତ ସେ ଆଗାମୀ ଦିନରେ ତାଙ୍କର ଗଡ ଫେରିପାଇପାରିବେ ବୋଲି ଚର୍ଚ୍ଚା ହେଉଛି ।

