କିଏ କିଏ ବନ୍ଧାହେବେ ?

Share

ନିଜ ଗାଁକୁ ଗସ୍ତ କରିବା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଭଳି ଭାଷଣ ଦେଇଛନ୍ତି, ତାହା ଶୁଣି ଲାଗୁଥିଲା ସରକାର ନୁହେଁ କେହି ଜଣେ ବିରୋଧୀ ନେତା ଭାଷଣ ଦେଉଛନ୍ତି । ସିଧା ସଳଖ ଖଣି ଲୁଟେରାଙ୍କୁ ଜେଲ ପଠେଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଠାତ୍ ଏଭଳି କଠୋର ଭାଷଣ ଦେବା ପଛରେ କାରଣ କ’ଣ ? କେନ୍ଦ୍ରର ବିଜେପି ସରକାରଙ୍କ ସଂଖ୍ୟା ଗରିଷ୍ଠତାକୁ ଇଙ୍ଗିତ କରିବା ସହ ଓଡ଼ିଶାରେ ମାତ୍ର ୨/୩ଜଣ ଅଧିକ ବିଧାୟକରେ ସରକାର ଚାଲିଛି ବୋଲି କହି ନିଜ କର୍ମୀଙ୍କୁ ଏକଜୁଟ୍ ହୋଇ ରହିବାକୁ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇଥିଲେ । ଚର୍ଚ୍ଚା ହେଉଛି ନବୀନଙ୍କ ଏହି ଉକ୍ତି ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଆଘାତ ଦେଇଥାଇପାରେ । ମାତ୍ର ୨/୩ଜଣ ଅଧିକ ବିଧାୟକ ଥିବା କହି ମୋହନ ସରକାରଙ୍କୁ ନବୀନ ତାତ୍ସଲ୍ୟ କରିଥାଇପାରନ୍ତି ବୋଲି କିଛି ଚର୍ଚ୍ଚା କରୁଛନ୍ତି । ତେଣୁ ମୋହନ ତାଙ୍କ ଭାଷଣରେ ଦଳ କମ୍ ନିଜକୁ ଅଧିକ ପ୍ରତିପାଦିତ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ ପୂର୍ବର ସରକାର ଅର୍ଥାତ ନବୀନ ସରକାର କେବଳ ତାଙ୍କୁ ଅର୍ଥାତ ମୋହନ ମାଝୀଙ୍କୁ ଭୟ କରୁଥିଲେ । କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ବୈଠକକୁ ବି ଇଙ୍ଗିତ କରିବାକୁ ଯାଇ କହିଛନ୍ତି ପୂର୍ବ ସରକାରରେ କ୍ୟାବିନେଟ୍ ବୈଠକ ମାତ୍ର ୧୦ ମିନିଟ୍ ହେଉଥିଲା କିନ୍ତୁ ମୋ ସରକାରରେ ପ୍ରଥମ କ୍ୟାବିନେଟ୍ ବୈଠକ ଚାରି ଘଂଟା ଧରି ଚାଲିଲା । ଏହାସହ ସେ ବିଜେଡିର ସାଂଗଠନିକ ସଂପାଦକଙ୍କୁ ବି କଠୋର ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଭୟ ନବୀନ ପଟ୍ଟନାୟକ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିବା ପଛରେ ଅନେକ କିଛି ଉଦ୍ଦେଶ୍ୟ ନିହିତ ଥାଇପାରେ ବୋଲି କୁହାଯାଉଛି । ବିଶେଷ କରି ଖଣି ଦୁର୍ନୀତିରୁ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ କଠୋର ଟିପ୍ପଣୀ କରିଥିବାରୁ ଖୁବ୍ ଶୀଘ୍ର ଶାହ କମିଶନ ରିପୋର୍ଟ ଓ ଡିଏମଏଫର ଅର୍ଥ ବିନିଯୋଗକୁ ନେଇ ରାଜ୍ୟରେ କିଛି ହଟଚମଟ ତିଆରି ହୋଇପାରେ ବୋଲି ପୂର୍ବାନୁମାନ କରାଗଲାଣି । ଯଦି ମୋହନ ସରକାର ଖଣି ଦୁର୍ନୀତି କିମ୍ବା ଡିଏମ୍‌ଏଫ୍ ଫଣ୍ଡର ବିନିଯୋଗକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରନ୍ତି ତେବେ ପ୍ରଥମେ କେଉଁମାନେ ବନ୍ଧାହେବେ ତାହାକୁ ନେଇ ଅନେକଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ନବୀନ ଯେମିତି ଗୋଟିଏ ଗୋଟିଏ ଛୋଟ ଛୋଟ ଟିପ୍ପଣୀ ଦେଇ ରାଜ୍ୟ ସରକାରଙ୍କୁ ସଣ୍ଡୁଆସୀ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି । ମୋହନ ସରକାର ମଧ୍ୟ ବିରୋଧୀ ବିଜେଡିର ସ୍ୱରକୁ ଚାପିବାକୁ ସମାନ ନ୍ୟାୟରେ ସଣ୍ଡୁଆସୀ ଆକ୍ରମଣ କରିପାରନ୍ତି । ଏଭଳି ପରିସ୍ଥିତିରେ ପ୍ରଥମେ ଡିଏମଏଫ ଫଣ୍ଡକୁ ନେଇ ଆକ୍ସନ ମୋଡକୁ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଡିଏମଏଫର ପ୍ରଥମ ବୋର୍ଡ ମିଟିଂ ୨୦୧୬ ମସିହା ଫେବୃୟାରୀ ମାସରେ ବସିଥିଲା । ୨୦୧୬ ରୁ ୨୦୧୯ ମଧ୍ୟରେ ୮ଟି ବୋର୍ଡ ମିଟିଂ ବସିସାରିଛି । ୨୦୧୯ରେ ମୋହନ ମାଝୀ ସଦର ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କ ସମୟରେ ମାତ୍ର ୨ ଥର ଏହି ବୋର୍ଡ ମିଟିଂ ବସିଛି । କରୋନା ସମୟରେ ୨୦୨୦ ମସିହା ମେ ମାସ ୨ ତାରିଖରେ ବସିଥିବା ଡିଏମ୍‌ଏଫ ବୋର୍ଡ ମିଟିଂରେ ମୋହନ ମାଝୀ ଏହି ଡିଏମ୍‌ଏଫ୍ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ବିନା ଗ୍ରାମସଭାରେ ଦୀର୍ଘ ଦିନ ଧରି ପ୍ରକଳ୍ପ ମଞ୍ଜୁର କରାଯାଉଥିବା ସେତେବେଳେ ମୋହନ ମାଝୀ ପ୍ରଶ୍ନ ଉଠାଇଥିଲେ । ପ୍ରତିବର୍ଷ ଡିଏମଏଫ ଫଣ୍ଡର ଯାହା ବି କିଛି ବିନିଯୋଗ ହେଉଛି ତାହାର ବାର୍ଷିକ ରିପୋର୍ଟ ବୋର୍ଡର ପ୍ରତ୍ୟେକ ସଦସ୍ୟଙ୍କୁ ଦିଆଯିବା ଦରକାର । ଏଭଳି ଅନେକ କିଛି ପ୍ରଶ୍ନ ଉଠାଇ ମିଡ଼ିଆ ସାମ୍ନାରେ ମୋହନ ମାଝୀ ସରକାର ତଥା ଜିଲ୍ଲା ପ୍ରଶାସନକୁ ବିଷୋଦଗାର କରିଥିଲେ । ପରବର୍ତୀ ସମୟରେ ୨୩ ଜୁନ୍ ୨୦୨୧ରେ ଡିଏମଏଫର ଦଶମ ବୋର୍ଡ ମିଟିଂ ବସିଥିଲା । କରୋନା ପାଇଁ ଏହି ବୈଠକ ଭର୍ଚୁଆଲ ମୋଡରେ ହୋଇଥିଲା । ସେ ସମୟରେ ବିଧାୟକ ମୋହନ ମାଝୀ ପ୍ରତ୍ୟେକଟି କଥାରେ ବିସ୍ତୃତ ବିବରଣୀ ମାଗିବା ସହ ଏହି ବୋର୍ଡ ମିଟିଂ ଟ୍ରଷ୍ଟ ଡିଡ୍ ଅନୁସାରେ ବର୍ଷକୁ ନିଶ୍ଚିତ ଦୁଇଥର ଡକାଯିବାକୁ କହିଥିଲେ । କିନ୍ତୁ ୨୦୨୧ ପରଠାରୁ ଏହି ବର୍ଷକୁ ଦୁଇଥର ତ ଦୂରର ୧୧ତମ ବୈଠକ ଆଜିପର୍ଯ୍ୟନ୍ତ ବସିନଥିବା ଡିଏମ୍‌ଏଫ୍ ୱେବ୍‌ସାଇଟରୁ ଜଣାପଡ଼ିଛି । ତେଣୁ ମୋହନ ମାଝୀଙ୍କ ଏଭଳି ଶାଣିତ ଆକ୍ରମଣ କରିବା ପଛରେ ଏସବୁ କାରଣ ନିଶ୍ଚିତ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ଏବଂ ଏହି ଡିଏମଏଫ ଓ ଖଣି ଦୁର୍ନୀତି ଜରିଆରେ ବିରୋଧୀ ବିଜେଡି ଦଳର ମୁଖିଆ ନବୀନଙ୍କୁ ଅଡୁଆରେ ପକାଇ ମୋହନ ନିଜ ସରକାରକୁ ସୁରୁଖୁରୁରେ ଚଳାଇବାକୁ ଯୋଜନା କରୁଥାଇପାରନ୍ତି । ଆବଶ୍ୟକ ହେଲେ ନିଜ ସରକାରକୁ ସୁରକ୍ଷା ଦେବାକୁ ବଡ଼ ମୁଣ୍ଡଙ୍କୁ ବାନ୍ଧିବା ପାଇଁ ଖଣି ଦୁର୍ନୀତିର ସାହାରା ନେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଆଗକୁ ଏସବୁ ଘଟଣା କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।