କିଛି ମାସ ତଳେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାରେ ଭଦ୍ରକରେ ଅନେକ ବେଆଇନ କ୍ଲିନିକ୍ ଚାଲୁଥିବା ନେଇ ଖବର ପ୍ରକାଶ ପାଇବା ପରେ ପୁରା ଜିଲ୍ଲାରେ ଥିବା ସମସ୍ତ ଅଣପଞ୍ଜୀକୃତ କ୍ଲିନିକ୍ ଜିଲ୍ଲାପାଳଙ୍କ ନିକଟରେ ପଞ୍ଜୀକୃତ କରିବାକୁ ଆବେଦନ କଲେ। ଏହାପରେ ଜିଲ୍ଲାପାଳ ମଧ୍ୟ ସେ ସମସ୍ତ କ୍ଲିନିକକୁ ପଞ୍ଜିକରଣ ସାର୍ଟିଫିକେଟ ଦେଲେ ।କିନ୍ତୁ ଜିଲ୍ଲାପାଳ ଥରେ ବି ଯାଞ୍ଚ କଲେ ନାହିଁ ଏହି ସବୁ ସଂସ୍ଥା ଦୀର୍ଘ କେତେଦିନ ହେଲା ବେଆଇନ ଭାବେ ଏହି ସବୁ କ୍ଲିନିକ୍ ଖୋଲିଥିଲେ । ଏଥିରୁ ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ଜିଲ୍ଲାପାଳ କେତେ ସଚେତନ ଅଛନ୍ତି ତାହା ଜିଲ୍ଲାବାସୀ ଜାଣିବାକୁ ପାଇଲେ । ଏହି ସବୁ ବେଆଇନ କ୍ଲିନିକ୍ ମଧ୍ୟରୁ ଅନେକ କ୍ଲିନିକରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାକ୍ତରମାନେ ରୋଗୀ ଦେଖୁଥିଲେ । ଯାହା ଶୁଣିବାକୁ ମିଳେ ଏହି କ୍ଲିନିକ୍ ପରିସରରେ ଥିବା ଔଷଧ ଦୋକାନ ଗୁଡ଼ିକ ଅଧିକ ଲାଭଖୋର ଚିନ୍ତାଧାରାରେ ମନଇଚ୍ଛା ଅନୁନ୍ନତ ତଥା ନକଲି ଔଷଧ ବିକ୍ରି କରିଥାନ୍ତି । ଯେଉଁଥିପାଇଁ ସେଠାରେ ଚିକିତ୍ସା ଯୋଗାଉଥିବା ଡାକ୍ତରମାନେ ରୋଗୀ ଔଷଧ କିଣି ସାରିବାପରେ ଡାକ୍ତରଙ୍କୁ ସେହି ଔଷଧ ଦେଖାଇବାକୁ ତାଗିଦ୍ କରୁଥିଲେ । ଅନେକ ରୋଗୀ ଏହି କ୍ଲିନିକରୁ ଚିକିତ୍ସିତ ହୋଇ ଅଧିକ ଅସୁସ୍ଥ ହେବାପରେ କଟକ ବଡ ଡ଼ାକ୍ତରଖାନା ଯାଉଥିବାର ନଜିର ରହିଛି । ଏପରିକି ସେହି ସବୁ କ୍ଲିନିକରେ ବେଡ ପାଇଁ କୌଣସି ଅନୁମତି ନ ଥିବା ବେଳେ ରୋଗୀଙ୍କୁ ରଖି ଚିକିତ୍ସା କରୁଥିବାର ଭିଡ଼ିଓ ବି ଭାଇରାଲ ହୋଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ସେତେବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ କୌଣସି ଆଗ୍ରହ ଦେଖାଇନଥିଲେ । ଇଏ ଭାତ ହାଣ୍ଡିର ଗୋଟିଏ ଭାତ ଚିପିବା ଭଳି କଥା। ସେହିପରି ଓସିଇ ଆକ୍ଟ ଅନୁଯାୟୀ ପଞ୍ଜୀକୃତ କ୍ଲିନିକ୍ ଗୁଡିକୁ ପ୍ରତ୍ୟକେ ମାସ ଯେଭଳି ଯାଞ୍ଚ କରିବା କଥା ତାହା ବି ଦୀର୍ଘ ବର୍ଷ ଧରି ଠିକଣା ଢଙ୍ଗରେ ହେଉ ନଥିବା ଅଭିଯୋଗ ହୋଇ ଆସୁଛି । କିନ୍ତୁ ଦୀର୍ଘବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ପଦ ମାଡ଼ି ବସିଥିବା ଅବସରପ୍ରାପ୍ତ ଡାକ୍ତର ସନ୍ତୋଷ ପାତ୍ର ପ୍ରବଳ ଲାଞ୍ଚ ନେଇ ଏଭଳି ବେଆଇନ କାମକୁ ପ୍ରଶ୍ରୟ ଦେଉଥିବା ନେଇ ଅଭିଯୋଗ ହେଉଥିବାବେଳେ ଜିଲ୍ଲାପାଳ ଏ ନେଇ ନିରବ ରହିବାକୁ ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି । କେବଳ ଏତିକି ନୁହେଁ ଗୋଟିଏ ଗୋଟିଏ ନର୍ସିଂ ହୋମରେ ୫୦ ରୁ ୧୦୦ ବେଡ ରଖି ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ୩୦ ରୁ କମ ବେଡ ପାଇଁ ଜିଲ୍ଲାପାଳ ପଞ୍ଜୀକୃତ ସାର୍ଟିଫିକେଟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ଏହା ସହ ଜିଲ୍ଲାରେ ଅନେକ କ୍ଲିନିକ୍ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ବେଳେ ସେମାନଙ୍କ ପଞ୍ଜୀକୃତ ସାର୍ଟିଫିକେଟକୁ ନବୀକରଣ କରା ନଯାଇ ନୂତନ ପଞ୍ଜିକରଣ କରାଇବା ପଛରେ ଜିଲ୍ଲାପାଳଙ୍କର କି ସ୍ବାର୍ଥ ଅଛି ତାକୁ ବି ନେଇ ଆଲୋଚନା ଚାଲିଛି । ସେହିପରି ଜିଲ୍ଲାରେ କାର୍ଯ୍ୟରତ ୪ ହାଡ଼ଭଙ୍ଗା ଡାକ୍ତର ନିଜ ନିଜ କ୍ଲିନିକରେ ରୋଗୀ ଦେଖିବାକୁ ନେଇ ଯେଭଳି ପ୍ରତିଯୋଗିତା ଚାଲିଛି ତାହାକୁ ଜିଲ୍ଲାବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ଡାକ୍ତରମାନଙ୍କ ପ୍ରତିଯୋଗିତା ପାଇଁ କେତେ ଯେ ରୋଗୀ ଶୋଷଣର ଶିକାର ହେଉଛନ୍ତି ତାହା ନ କହିବା ଭଲ । ସେହିପରି ନିର୍ଦ୍ଦିଷ୍ଟ କିଛି କ୍ଲିନିକ୍ ବିରୁଦ୍ଧରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ ହୋଇଥିଲେ ବି ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସମସ୍ତଙ୍କୁ ଚକିତ କରିଛି । ଏସବୁ ଅବ୍ୟବସ୍ଥାକୁ ଅଣଦେଖା କରି ଆନ୍ତର୍ଜାତୀୟ ଦିବସ ପାଳନ କରି ସନ୍ତୁଷ୍ଟ ହେଉଛି ଜିଲ୍ଲା ପ୍ରଶାସନ । ସେପଟେ ଅନେକ ରାଜନେତା ଓ ସାମ୍ବାଦିକଙ୍କ ଛତ୍ରଛାୟା ତଳେ ଏସବୁ କ୍ଲିନିକ୍ ରହିଥିବାରୁ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୟ କରୁଥିବା ଚର୍ଚ୍ଚା ହେଉଛି ।

